STORYMIRROR

jyotsna mayee panda

Tragedy

3  

jyotsna mayee panda

Tragedy

ସମୟ ପଶାପାଲିରେ ଜୀବନ

ସମୟ ପଶାପାଲିରେ ଜୀବନ

3 mins
230

ଦୁଇ ଦିନ ପରେ ସାବିତ୍ରୀ ଥିଲା l ହାତରେ କାଣି କଉଡ଼ିଟିଏ ନାହିଁ l କେମିତି କରିବ ସାବିତ୍ରୀ ସବିତା.... ଯାହା ସଞ୍ଚି ରଖିଥିଲା ପିଲାଙ୍କ ପାଇଁ ଡାଲି ଚାଉଳ କିଣି ଦେଇଛି l କେତେଦିନ ହେଲା ଆଉ ରିକ୍ସା ବି ଚାଲୁନି l ସ୍ୱାମୀ ସୁରେଶ ଘରେ ବସି ରହୁଛି l ସ୍ୱାମୀ ହୋଇ ସାବିତ୍ରୀ ପାଇଁ ସବିତାକୁ ଶାଢ଼ୀ ଖଣ୍ଡେ ଦେବାର କ୍ଷମତା ନାହିଁ ଆଜି ତା ପାଖରେ l କେତେଦିନ ହେଲା ଦେହ ବି ଭଲ ରହୁନି l ଏମିତି ଗରିବ ସେ,... ହେଲେ ଦି ଶହ ଟଙ୍କାର ସୁତା ଶାଢୀଟିଏ ତ ଦେଇ ପାରୁଥିଲା l ବାହାଘର ଏତେ ବର୍ଷ ପରେ ବି କେବେ କିଛି କହେନି ନିଜ ପାଇଁ ସବିତା l ସେଇ ଗୋଟେ ବଖରା ଘରେ ବିତିଯାଏ ତା ଜୀବନ l ସେ ନିଜେ ବି ଦିପଇସା ରୋଜଗାର କରୁଥିଲା ଚାରିଘର ବାସନ ମାଜି l ହେଲେ ଏ କରୋନାରେ ଜୀବନ ଜୀବିକା ପୁରା ଠପ ହୋଇଗଲା l ବିନା କାମରେ କିଏ ବା ତାକୁ ପଇସା ଦେବ l ଯାହା ସଞ୍ଚି ଥିଲା ଛୁଆଙ୍କ ଖାଇବାରେ ଗଲା l 

ସାବିତ୍ରୀରେ ସବିତାର ଶୁଖିଲା ମୁହଁ ଦେଖି ଖୁବ ଖରାପ ଲାଗିଲା ସୁରେଶକୁ l ସକାଳୁ ସକାଳୁ ବାହାରି ପଡିଲା ରିକ୍ସା ନେଇ l ସ୍ତ୍ରୀ ବାରଣ କଲା ଦେହ ଖରାପ ଆଜି ଯାଅନି l ଦେହ ଭଲ ନାଇଁ ମୁଁ ବାକିରେ ଚିହ୍ନା ଦୋକାନରୁ ଫଳ ଟିକେ ଆଣି ପୂଜା କରିଦେବି l ସେ ପୁରୁଣା ଶାଢ଼ୀ ପିନ୍ଧି l ହେଲେ ସୁରେଶ ନିଜେ ଦେଖୁଛି ସେ କେତେ ଦିନ ହେବ ଶାଢ଼ୀ କିଣିନି l ଯେଉଁ ପୁରୁଣା ଶାଢ଼ୀ ମାଲିକାଣି ମାନେ ଦେଇଥିଲେ ସେ ବି ଚିରିଗଲାଣି l କେତେଥର ହାତରେ ସିଲେଇ କରି ସେଇ ଚିରା ଶାଢ଼ୀ ପିନ୍ଧୁଛି l ଏମିତି ବି କୋଉ ସୁଖ ତାକୁ ଦେଇ ପାରୁଛି ସୁରେଶ l ଦିନ ରାତି ଖଟି ଖଟି ମରୁଛି l ମରଦ ହୋଇ ଆଜି ପରି ଦିନରେ ନୁଆଁ ଶାଢ଼ୀ ଟେ କଣ ଦେଇ ପାରିବ ନି..... ଏ ଚିନ୍ତା ଧାରା ନେଇ ବାହାରି ପଡିଲା ରେଲୱେ ପ୍ଲାଟଫର୍ମ ଆଡକୁ ସବାରୀ ଆଶାରେ l ବହୁତ ସମୟ ଅପେକ୍ଷା ପରେ ଜଣେ ବାବୁ ନିଜ ଜିନିଷ ଘରକୁ ନେବା ପାଇଁ କହିଲେ l ସୁରେଶ ଖୁସିରେ ବାହାରି ପଡିଲା l ବେସି ଦୂର ଏଠୁ ତାଙ୍କ ଘର l ପ୍ରାୟ ଆଠ କିଲୋମିଟର ହେବ ସେଥିପାଇଁ ଦୁଇ ଶହ ଭଡା କହିଲା ହେଲେ ସେ ଦେଢ଼ ଶହ ଦେବାକୁ ହିଁ ରାଜି ହୋଇଗଲେ l ଖୁବ କଷ୍ଟରେ ରିକ୍ସା ଟାଣୁ ଥାଏ l ଏମିତି ଲାଗୁଥିଲା ଏବେ ତା ନିଶ୍ୱାସ ବନ୍ଦ ହୋଇଯିବ ଏବେ ଜୀବନ ଟା ଚାଲିଯିବ l ଛାତି ଟା ଖୁବ ଦରଜ ହେଉଥିଲା l ଧଇଁ ସଇଁ ଲାଗୁଥିଲା l କିନ୍ତୁ ସେ ଆଗକୁ ବଢିଲା l ବାବୁଙ୍କ ଘର ଆଗରେ ଖୁବ କଷ୍ଟରେ ସବୁ ଜିନିଷ ଓହ୍ଲାଇ ଦେଲା l ସେଇ ପଇସାରେ ଶହେ ଟଙ୍କାରେ ଏକ ଶସ୍ତା ଶାଢ଼ୀ ଓ ପଚାଶ ଟଙ୍କାର ଫଳ କିଣି ନିଜ ଘରକୁ ଗଲା l ଘରକୁ ପହଂଚି ଆଉ ରିକ୍ସାରୁ ତଳକୁ ଓହ୍ଲାଇ ପାରିଲାନି l ସେଇ ବାଟରେ ହିଁ ଚେତା ଶୂନ୍ୟ ହୋଇ ପଡିଗଲା l ସ୍ତ୍ରୀ ଦୌଡି ଆସି ମୁହଁରେ ପାଣି ସିଞ୍ଚି ଦେଲା l ଦେହ ଖଇ ଫୁଟୁଥିଲା l

କାନ୍ଦି ପକାଇଲା ସବିତା.... କହି ପକାଇଲା... ଏ ଅବସ୍ଥାରେ କିଏ କହୁଥିଲା ତୁମକୁ ରିକ୍ସା ଟାଣିବା ପାଇଁ l ହେଲେ ସୁରେଶ ନିଜ କ୍ଲାନ୍ତ ମୁହଁରେ କଥା କହି ପାରୁନଥିଲା l ବହୁ କଷ୍ଟରେ କହିଲା......ସବିତା ଆମ ଗୋଡ଼ ନ ଚାଲିଲେ ଆମ ତୁଣ୍ଡ ବନ୍ଦ ହୋଇଯିବ ଲୋ l ଆମେ ପରା ଖଟିଖିଆ କେତେ ଦିନ ଆଉ ବସି ରହିବି l ତା ଛଡା କାଲି ସାବିତ୍ରୀ l ତୁ କେମିତି କରିବୁ l ଘରେ କିଛି ନାଇଁ l ଆଖିରେ ଲୁହ ଆସିଗଲା ସବିତା ର.... କହିଲା ତୁମେ ଥିଲେ ମୋର ସବୁ ଅଛି l କଣ ପାଇଁ ଏ ସବୁ ଆଣିଲ l ସାବିତ୍ରୀ ଦିନ ସୁରେଶର ଦେହ ବହୁତ ଖରାପ ହୋଇଗଲା l ନିଃଶ୍ୱାସ ପ୍ରଶ୍ୱାସ ନେଇ ପାରିଲାନି l ସବିତା ହସ୍ପିଟାଲ ନେଇଗଲା l ଡାକ୍ତର ଆଇ.ସି.ୟୁ.ରେ ରଖିବା ପାଇଁ କହିଲେ l ଛୋଟିଆ ମଙ୍ଗଳ ସୂତ୍ର ଟା ବିକି ଦେଲା l ଯାହା ବାହାଘର ବେଳେ ସୁରେଶ ତାକୁ ଦେଇଥିଲା l ଆଉ କିଛି ବାଟ ନ ଥିଲା ତା ପାଖରେ l ଡାକ୍ତର କହିଲେ ଦୁଇ ତିନି ଦିନ ପରେ ଭଲ ହୋଇଯିବ l ଅକ୍ସିଜେନ କମି ଯାଇଛି l ସେଦିନ ସେ ସାବିତ୍ରୀ ପରି ଭୋକ ଉପାସରେ ହସ୍ପିଟାଲ ବାରଣ୍ଡାରେ କଟିଗଲା ସବିତାର ଦିନ l ତିନିଦିନ ପରେ ସ୍ୱାମୀ ଟିକେ ସୁସ୍ଥ ହେଲା l ତାକୁ ଘରକୁ ନେଇ ଆସିଲା ll



Rate this content
Log in

Similar oriya story from Tragedy