ସ୍ମୃତିରେ ପାପାଲି
ସ୍ମୃତିରେ ପାପାଲି
ମାଆଟିଏ ।
ତା' ନିବୁଜ ଛାତି ତଳେ ନିରବଧି ଗୋଟେ ଜୁଇ ଜଳୁଥିଲା । ତା' ସାତ ବର୍ଷର ଝିଅ ପାପାଲିର ଜୁଇ ।
ଧୂଳିଘର ଖେଳିବାର ବୟସ । ଷଢେଇ ଧରି ଖେଳୁଥିଲା ସେ । ଗୋଟେ ବୟସ୍କ ପିଲାର ଲୋଲୁପ ଦୃଷ୍ଟି ତା' ଉପରେ ପଡିଲା । ତାକୁ ମୋବାଇଲ ଦେଖାଇବା ବାହାନାରେ ଡାକିନେଲା ସେ । ବଳାତ୍କାର କଲା । ପରେ ତା'ର ତଣ୍ଟି ଚିପି ତାକୁ ମାରିଦେଲା ।
ଯେତେବେଳେ ଏକଥା ମାଆର ମନେପଡେ ସେ କାନ୍ଦେ । ଆଖିରୁ କିଛି ଲୁହ ବୋହିଗଲେ ଆପେ ଶାନ୍ତ ପଡିଯାଏ ।
ଥାନାରେ କେସ୍ ଦିଆହୋଇଛି । ହେଲେ ଏଯାଏଁ ଆସାମୀ ଧରା ପଡିନାହିଁ । ଯାହା ଉପରେ ମାଆର ସମ୍ପୂର୍ଣ୍ଣ ସନ୍ଦେହ ସେ ନିର୍ଭୟରେ ବେଫିକର ରାଜରାସ୍ତାରେ ବୁଲୁଛି ।
ନେତାଙ୍କ ଦ୍ୱାରସ୍ଥ ହୋଇଛି ସେ । ହେଲେ ନେତା କହୁଛନ୍ତି ଏହା ଏକ ସାମାନ୍ୟ ଅଘଟଣ । ବଳାତ୍କାର ନୁହେଁ, ବରଂ ଖେଳୁ ଖେଳୁ କୌଣସି ଦୁର୍ଘଟଣାର ଶିକାର ହୋଇଛି ଶିଶୁଟି ।
ଗଣମାଧ୍ୟମ କାନକୁ କଥା ଯାଇଛି । ପ୍ରଥମେ ଏହାକୁ ଗୋଟେ ବଡ ଇସ୍ୟୁ କରି ଥୋଇଛନ୍ତି ସେମାନେ । କିନ୍ତୁ ପରେ ପୁଣି ଖବରର ମୋଡ ବଦଳାଇଛନ୍ତି । କହୁଛନ୍ତି ଶିଶୁଟିକୁ ବଳି ଦେବାକୁ ନେଉଥିବାବେଳେ ଏ ଅଘଟଣ ଘଟିଛି । ଏହା କୌଣସି ତାନ୍ତ୍ରିକର କାରନାମା ହୋଇଥାଇପାରେ ।
ପୋଲିସ୍ ଓ ପ୍ରଶାସନ ଭାରି ତତ୍ପର ଥିଲେ ପ୍ରଥମରେ । କହୁଥିଲେ କି ଖୁବ୍ ଶୀଘ୍ର ଆସାମୀ ଧରାପଡିବ । ଆଖିରେ ଧୂଳି ଦେଇ ସେ କେଉଁଠି ଲୁଚି ରହି ପାରିବ ନାହିଁ । ହେଲେ ଏବେ ପ୍ରାୟ ଶିଥିଳ ସେମାନେ । ପଚାରିଲେ କହୁଛନ୍ତି ତଦନ୍ତ ଚାଲୁ ରହିଛି । ଆଉ କିଛି ଦିନ ସମୟ ଲାଗିପାରେ । ଫିଙ୍ଗର୍ ପ୍ରିଣ୍ଟ ରିପୋର୍ଟ ସ୍ପଷ୍ଟ ହୋଇନି । ପୋଷ୍ଟମର୍ଟମ୍ ରିପୋର୍ଟ କହୁନି କି ବଳାତ୍କାର ପରେ ତା'ର ତଣ୍ଟି ଚିପି ତାକୁ ହତ୍ୟା କରାଯାଇଛି ବୋଲି । ସବୁ ରହସ୍ୟ ଘେରରେ ରହିଛି ।
ସାରାଦିନ ଏଇସବୁ କଥା ଭାବି ଭାବି ମାଆର ମୁଣ୍ଡ ବିକୃତି ଆରମ୍ଭ ହୋଇଛି । ଦିନେ ଦିନେ ପାପାଲିକୁ ସ୍ୱପ୍ନରେ ଦେଖୁଛି ସେ । ତା' ସହିତ କଥା ହେଉଛି । କାନ୍ଦି କାନ୍ଦି ଲୁହ ଗଡାଉଛି ।
ସେଦିନ ରାତି କେତେ ହେବ କେଜାଣି ! ପାପାଲି ତା' ସ୍ୱପ୍ନରେ ଆସିଲା । ତାକୁ ଦେଖୁ ଦେଖୁ କାନ୍ଦି ପକେଇଲା ସେ ।
ପାପାଲି କହିଲା - କାହିଁକି କାନ୍ଦୁଛୁ ମାଆ ? ଆଉ କ'ଣ ମତେ ଫେରିପାଇବୁ ତୁ ? ମୋ ଖେଳ ଜିନିଷ ସବୁ ନେଇ ନଈରେ ଭସେଇଦବୁ । ତୋ ଉଷୁମ କୋଳ, ବାପାଙ୍କ ଗେଲ ମତେ ଆଉ ମିଳୁନି ଲୋ । ବୁଲିବୁଲି କେତେ ପ୍ରଜାପତି ଧରୁଥିଲି ମୁଁ ! କୁଆଁର ପୁନେଇଁରେ ଚଉରାରେ ଦେବି ବୋଲି କେତେ ଜହ୍ନିଫୁଲ ତୋଳୁଥିଲି ! ସବୁ ଢେର୍ ପଛରେ ରହିଗଲା ।
ସେ କହିଲା - କିଏ ସେହି ଅମଣିଷ ? ସେ କିଏ ଯିଏ ତୋର କୁନି ଡେଣା କାଟିଦେଲା ? ତତେ ବାରବାର ପଚାରୁଛି । ତୁ କ'ଣ କହିବୁନି ମତେ ?
ପାପାଲି କହିଲା - ସେଇ, ଯାହାକୁ ତୁ ମନେମନେ ସନ୍ଦେହ କରୁଛୁ । ହେଲେ ତା'ର କିଛି କରି ପାରିବୁନି ତୁ । ପରୀ, ବେବିନା, ଇତିଶ୍ରୀଙ୍କ ପରି ଭାଗ୍ୟ ମୋର । ଫାଇଲ୍ ବୋଝ ମୁଁ ସହିପାରୁନି ଲୋ । ହତଭାଗିନୀ ମାଆ ମୋର . . . ., ତୁ କାହିଁକି ଚିତ୍କାର କରୁଛୁ ? କାହିଁକି ଛାତି ଫଟେଇ କାନ୍ଦୁଛୁ ? କିଏ ଅଛି ଏଠି ଶୁଣିବ ତୋ କାନ୍ଦ ? ତୋ ଆକୁଳ ଚିତ୍କାର ଶୁଣିବ କିଏ ?
ସେ କହିଲା - ମୋର ନ୍ୟାୟ ଦରକାର । ମୁଁ ତା'ର ଫାଶୀ ଚାହେଁ । ତା'ହେଲେ ଯାଇ ମୋ ଆତ୍ମା ଶାନ୍ତି ପାଇବ ।
ପାପାଲି କହିଲା - କ୍ଷମତାର ଚାପରେ ସମସ୍ତେ ଏବେ ଚୁପ୍, ଶିଥିଳ । ତୁ ବୋକିଟା କାନ୍ଦୁଛୁ କାହିଁକି ? କାହିଁକି ଗୁହାରୀ କରୁଛୁ ? କିଏ ସେ ଭରିଦେବ ତୋ ଶୂନ୍ୟ କୋଳ ? ତୋ ଯନ୍ତ୍ରଣାର ଉପଶମ କରିବ କିଏ ? କିଏ ସେମିତି ସୁପୁରୁଷ ଅଛି ଏଠି ?
ଏତିକିରେ ନିଦ ଭାଙ୍ଗିଗଲା ତା'ର । ଉଠି ବସି ସୁଁ ସୁଁ କାନ୍ଦିଲା ସେ । ସ୍ୱପ୍ନର କଥାସବୁ ମନେପକାଇ ନିଜକୁ ନିଜେ କହିଲା - ସତରେ ଝିଅ, ମୁଁ ବୋକିଟା ! ନ ହେଲେ କ'ଣ ଏମିତି କାନ୍ଦନ୍ତି ! ଗୁହାରୀ କରନ୍ତି !
- ମୁଁ ସହିଗଲି . . . ସହିଯିବି । ହେଲେ ତୁମେ ସବୁ ସହିପାରିବ ତ ? ହୋ ଦୁନିଆର ମଣିଷମାନେ ......?
ନିଦ ମଳମଳ ଆଖିରେ ସେ ଦୁନିଆର ସମସ୍ତଙ୍କୁ ପଚାରିଲା ଏ ପ୍ରଶ୍ନ । ଆଖିରୁ ଲୁହ ପୋଛି ନିଜକୁ ବୋଧ କଲା ।
ତା' ପରଦିନ ଦେଖିଲାବେଳକୁ ପାପାଲିର ସ୍ମୃତି ଚିହ୍ନ, ଖେଳ ଜିନିଷ, ନାଲି ରିବନ୍, ଫ୍ରକ୍, ଜୋତା, ରଙ୍ଗବେରଙ୍ଗର ପ୍ଲାଷ୍ଟିକ ଚୁଡି ସବୁ ଭାସୁଥିଲା ନଇପାଣିରେ ।
ଏବେ କେବଳ ସ୍ମୃତିରେ ପାପାଲି ।