Sachidananda Kar

Tragedy

3  

Sachidananda Kar

Tragedy

ସ୍ମୃତିର ଦୀର୍ଘଶ୍ବାସ

ସ୍ମୃତିର ଦୀର୍ଘଶ୍ବାସ

3 mins
258



        ବର୍ଷା ଛାଡୁ ନ ଥିଲା।ଓଃ!କି ବର୍ଷା! 


         ଅଗତ୍ୟା ଦିନେ ଗୋଟିଏ ବାଟ ଦେଇ ଫେରୁ ଫେରୁ ଅନିଚ୍ଛା ସତ୍ତ୍ୱେ ମୁଁ ଅଟକି ରହିବାକୁ ବାଧ୍ୟ ହୋଇଗଲି।ତା' ପରେ ଜାଣିପାରିଲି ମୁଁ ଯେଉଁଠି ଅଟକିଛି ଠିକ୍ ସେଇଠି ହିଁ ବିଜୟାର ଶାଶୂଘର।ବିଜୟା - ଯିଏ ଗଲା କାଲି ମୋର ଅତି ପ୍ରିୟ ,ଅତି ଆପଣାର ଥିଲା। 


         ବର୍ଷାରେ କିଛି ଦିଶୁ ନ ଥିବା ବେଳେ ମୋ ସ୍ମୃତି ସବୁ ମୋତେ ଜଳଜଳ ହୋଇ ଦିଶୁଥିଲା। 


         ସୁନ୍ଦରୀ ବୋଲି ବିଜୟା ଥିଲା ମୋର ଗର୍ବ।ସୁନ୍ଦରୀ ମୋ ପ୍ରିୟା ବୋଲି ଭାବିଲେ ବହୁତ ଖୁସି ଆସୁଥିଲା ମନରେ।ହେଲେ ଆଜି ସେଇ ଗର୍ବ, ସେଇ ଖୁସି ମୋ ଭିତରେ ଟିକିଏ ବି ନ ଥିଲା। 


        ଏଠି ଗର୍ବ ଓ ଖୁସି ସବୁ ଏମିତି - ସାରୁପତ୍ରରେ ଢଳ ଢଳ ପାଣି ପରି।ଏଇନା ଅଛି ତ ଏଇନା ନାହିଁ। 


         ମୁଁ ସ୍ଥିର ଥିଲି ମୋ ସ୍ମୃତି ସହିତ।ଦୁନିଆ କିନ୍ତୁ ସ୍ଥିର ନ ଥିଲା।ଅଦୂରରେ ଗୋଟିଏ ଟ୍ରେନ୍ ତା'ର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିଲା।ଛୋଟ ବଡ ଗଛ ସବୁ ପବନରେ ତଳ ଉପର ହେଉଥିଲେ।ଗାଡି ମୋଟର ପେଁ ପାଁ ଶଦ୍ଦ କରି ଚାଲି ଯାଉଥିଲେ।ଆକାଶରୁ ଖସି ପଡୁଥିଲା ବର୍ଷା ଟୋପା।ବର୍ଷା ପାଣି ବହି ଯାଉଥିଲା ତଳକୁ ତଳକୁ ଅତି କ୍ଷୀପ୍ର ଗତିରେ। 


        ଖୁବ୍ ସ୍ବାଭିମାନ ଥିଲା ମୋ ଭିତରେ।ଏବେ କିନ୍ତୁ ଏଇ ଚାଲିଥିବା ଦୁନିଆକୁ ଦେଖି ତାହା ମୋତେ ବୃଥା ମନେ ହେଉଥିଲା। 


        ଇଏ କେମିତି ଦୁନିଆ ଯେଉଁଠି ମଣିଷ ବେଳେବେଳେ ଏକା ହୋଇଯାଏ!ନିଜକୁ ଭାରି ଏକା ମନେ କରୁଥିଲି ମୁଁ।ବିଜୟା ମୋ ଠାରୁ ଦୂରେଇ ଯିବା ପରେ ମୋ ଭିତରେ ଏମିତି ଅନୁଭବ ଆସି ଯାଇଥିଲା।ଏମିତି କାହିଁକି ହୁଏ ନିଜକୁ ପଚାରି ପାରୁ ନ ଥିଲି ମୁଁ।ନିଜ ଲୋକ ସାତପର ହୋଇଗଲେ ବୋଧହୁଏ ଏପରି ହୁଏ, ଭାବୁଥିଲି। 


        ବିଜୟା ଏବେ କ'ଣ କରୁଥିବ ତା' ଶାଶୂଘରେ? 


        ବର୍ଷା ଛାଡୁ ନ ଥିଲା।ମୋର ତାକୁ ଦେଖିବାକୁ ଇଚ୍ଛା ହେଲା।ତା'ର ଭଲମନ୍ଦ ପଚାରି ବୁଝିବାକୁ ମଧ୍ୟ ମନ ଚାହିଁଲା। 


        ଧୀରେ ଧୀରେ ସରି ଆସୁଥିଲା ଦିନ।ବର୍ଷା ଛାଡିଗଲେ ମୁଁ ମୋ ବାଟରେ ଚାଲିଯିବି,ଭାବୁଥିଲି।ତା' ଶାଶୂଘରକୁ ପଶିଯିବା କଥା ଆଦୌ ଭାବି ପାରୁ ନ ଥିଲି।ସମୀଚୀନ ନୁହେଁ, ମୋର ମନେ ହେଉଥିଲା।ମୁଁ ଏକପ୍ରକାର ବିମୂଢ ଅବସ୍ଥାରେ ଥିବା ପରି ଥିଲି। 


         ସୁଖ, ସ୍ବପ୍ନ ହଜିଗଲେ ଦିନଟିଏ ବି ଏଠି ଜୀଇବାକୁ ଇଚ୍ଛା ହୁଏନାହିଁ।କେତେ କ'ଣ କରିବାକୁ ଥାଏ,ଅଥଚ କିଛି କରିହୁଏ ନାହିଁ।ଏବେ ସେଇ ଅବସ୍ଥାରେ ଥିଲି ମୁଁ।ସୁଖ ଓ ସ୍ବପ୍ନର ଫୁଲଟିଏ ହୋଇ ଯିଏ ମୋ ଜୀବନରେ ଆସିଥିଲା ସେ ମୋ ପାଇଁ ଡୁବି ଯାଇଥିଲା ଅଥଳ ଜଳରେ।ସବୁଦିନ ପାଇଁ ମୋତେ ପର କରିଦେଇ ଆଉ ଜଣକର ହାତ ଧରି ଶାଶୂଘରକୁ ଚାଲି ଯାଇଥିଲା। 


         ହଠାତ୍ ସଂଧ୍ୟା ଆକାଶରେ ଅସୁସ୍ଥ ନାଲି ଛିଟା ଦେଖା ଦେଲା।ବର୍ଷା ଛାଡିଲା।ଆଉ ଶୁଭିଲାନି ବର୍ଷାର ଦୀର୍ଘଶ୍ବାସ।ହେଲେ ମୋ ସ୍ମୃତି ମୋତେ ଛାଡୁ ନ ଥିଲା।ଶୁଣି ପାରୁଥିଲି ତା'ର ଦୀର୍ଘଶ୍ବାସ।ଆଗକୁ ପଡୁ ନ ଥିଲା ମୋର ପାଦ। 


         ଏ ବର୍ଷାରେ ଘରେ କ'ଣ କରୁଥିବ ବିଜୟା ?ସମ୍ଭବତଃ ପକୋଡି ଛାଣି ତା'ର ଶାଶୂ ଶ୍ବଶୁରଙ୍କୁ ଦେଉଥିବ।ନିଜେ ବି ଖାଉଥିବ।ପକୋଡି ଭଲପାଏ ସେ।ତା' ସହିତ କଞ୍ଚା ଲଙ୍କା ,ପିଆଜ ତା'ର ଖୁବ୍ ପସନ୍ଦର। 


         ବର୍ଷା ପାଗରେ ଏମିତି ତା' ପସନ୍ଦର କଥା ଭାବୁଥିଲି ମୁଁ।ହଠାତ୍ ମୋ ଭାବନାରେ ପୂର୍ଣ୍ଣଛେଦ ଟାଣି ଗୋଟେ ରଙ୍ଗୀନ ଶାଲ୍ ଘୋଡେ଼ଇ ହୋଇ ବାଲକୋନୀକୁ ଚାଲି ଆସିଲା ସେ।ଓଃ!....ମୁଁ ତା'ହେଲେ ତା' ଶାଶୂଘର ସାମ୍ନାରେ ଠିଆ ହୋଇଛି!ମୋର ଆଶ୍ଚର୍ଯ୍ୟର ସୀମା ନ ଥିଲା। 


         ସ୍ପଷ୍ଟ ଚିହ୍ନି ପାରୁଥିଲି ତାକୁ।ଦେଖି ପାରୁଥିଲି ତା'ର ଗୋରା ତକ୍ ତକ୍ ସୁନ୍ଦର ମୁହଁଟିକୁ। 


         ଦେହରେ ଶାଲ୍ କ'ଣ ପାଇଁ?ଜ୍ବର ହୋଇଛି କି?ବର୍ଷା ଦିନ।ଥଣ୍ଡା ଜ୍ବର ହେବା ବଡ କଥା ନୁହେଁ।ମୁଁ ଟିକେ ବ୍ୟସ୍ତ ହୋଇପଡିଲି।ଯାଇ ପାଖରେ ପଚାରି ଦେବି କି?ଏମିତି ଭାବିଲି, ହେଲେ ପାରିଲି ନାହିଁ।କେହି ଜଣେ ଯେମିତି ବାଟ ଓଗାଳି ଠିଆ ହୋଇଗଲା ମୋ ଆଗରେ। 


        ବର୍ଷା ଛାଡି ଯାଇଥିଲା।ହେଲେ ମୋ ସ୍ମୃତି ମୋତେ ଆଦୌ ଛାଡୁ ନ ଥିଲା। 


         ବର୍ଷା ଧୂଆ ପୃଥିବୀର ସୌନ୍ଦର୍ଯ୍ୟକୁ ମୁଗ୍ଧ ନୟନରେ ଦେଖୁଥିଲା ସେ।ତା'ର ନୂଆ ରୂପ ,ନୂଆ ସୌନ୍ଦର୍ଯ୍ୟକୁ ଦେଖୁଥିଲି ମୁଁ। 


        କାହିଁକି ଆଉ ମୋତେ ଖୋଜିବ ସେ?କାହିଁକି ଭାବିବ ମୁଁ ଏଇଠି ତା' ଘର ସାମ୍ନାରେ ଠିଆ ହୋଇଥିବି ବୋଲି?ଆଉ କ'ଣ ମୋର ହୋଇ ଅଛି ସେ? 


        ମୋ ଭାବନା ମୋତେ କଷ୍ଟ ଦେଉଥିଲା।ଅନାବଶ୍ୟକ ସେଠାରେ ଆଉ ମୁହୂର୍ତ୍ତେ ଠିଆ ହୋଇ ରହିବାକୁ ଉଚିତ ଭାବିଲି ନାହିଁ।ସେଠାରୁ ବାହାରି ଆସିଲି।ବାଟ ସାରା ଏବେ କେବଳ ମୋ ସ୍ମୃତିର ଦୀର୍ଘଶ୍ବାସମାନେ ମୋତେ ଖୁବ୍ ସ୍ପଷ୍ଟ ଶୁଭୁଥିଲେ।ହଁ,ଖୁବ୍ ସ୍ପଷ୍ଟ ଶୁଭୁଥିଲେ। 


         ସ୍ମୃତିର ଦୀର୍ଘଶ୍ବାସ !


Rate this content
Log in

Similar oriya story from Tragedy