Sudhansu Kumar Tripathy

Abstract Tragedy

4  

Sudhansu Kumar Tripathy

Abstract Tragedy

ସ୍ମୃତି ର ନଥାଏ ଇତି

ସ୍ମୃତି ର ନଥାଏ ଇତି

5 mins
401


ଦଶହରାର ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି, ଘରର ସବୁ ଦ୍ୱାରରେ ଗେଣ୍ଡୁଫୁଲ ସାଙ୍ଗକୁ ଆମ୍ବ ପତ୍ର ତୋରଣ ବନ୍ଧାଚାଲିଛି , ହେଲେ ଦିଲ୍ଲୀପ ବାବୁଙ୍କ ରୁମଟା ଏବେ ପର୍ଯ୍ୟନ୍ତ ସଜଡ଼ା ହେଇପାରିନାହିଁ। ଇଚ୍ଛା ଥିଲା ଦଶହରା ପୂର୍ବରୁ ରୁମକୁ ସବୁଜ ରଙ୍ଗ ଦବାକୁ ସେଇଟା ବି ହୋଇପାରିନି । ସେଥିପାଇଁ ବାବୁ ବହୁତ ଖପା ସ୍ତ୍ରୀ ଙ୍କ ଉପରେ । ସ୍ତ୍ରୀ ଙ୍କ ଶାଢ଼ୀ, ଗହଣା କିଣା ରେ ଚାରିଦିନ ବିତିଗଲା, ତା ଆଗରୁ ଛୁଟି ନଥିଲା। ଆଜି ପୁଣି ସକାଳୁ ଏବେ ପର୍ଯ୍ୟନ୍ତ କାମରୁ ଫୁରସତ ନାହିଁ, ସ୍ତ୍ରୀ ଙ୍କ ଉପରେ ଖାଲି ଗରଗର ହୋଉଥାନ୍ତି। ଦିନ ଦଶଟା ବାଜିଲାଣି ହେଲେ ଏବେ ପର୍ଯ୍ୟନ୍ତ ଚା କପେ ବି ମିଳିଲାନି। ରାଗିକି ତମତମ ହୋଇ ନିଜ ରୁମ କୁ ଚାଲିଲେ। ଯାଇ ଦେଖିଲା ବେଳକୁ ସକାଳୁ ଖଟ ର ଚଦରକୁ ବି ସଜାଡି ରଖାଯାଇନି। ଫୁଲଦାନୀ ରୁ ବାସି ଫୁଲ ବି ବହାରିନାହିଁ। ସ୍ତ୍ରୀ ଙ୍କର ଏମିତି ବିରକ୍ତି କର କାର୍ଯ୍ୟକଳାପ କୁ ଦେଖି ମୁଣ୍ଡକୁ ରାଗ ଚଢ଼ିଲା। ଅନିତା..........ଅନିତା........ଡାକ ଛାଡିଲେ , ଅନିତା ଦେବୀ ରୋଷେଇ ଘରେ ଥିଲେ ସ୍ଵାମୀଙ୍କ ଡାକ ଶୁଣି ଆସିଲା ବେଳକୁ ଦିଲ୍ଲୀପ ବାବୁ ଯାଇ ତାଙ୍କ ପାଖରେ ପହଞ୍ଚି ସାରିଥିଲେ। ସେ କିଛି କହିବା ପୂର୍ବରୁ ଦିଲ୍ଲୀପ ବାବୁ ଆରମ୍ଭ କରିଦେଲେ"ସକାଳୁ ଏବେ ପର୍ଯ୍ୟନ୍ତ ଘରର ଗୋଟିଏ ବି କାମ ଠିକ ସେ ହୋଇପାରିଲା ନାହିଁ, କଣ ଟା ଏମିତି କାମ ଏବେ ପର୍ଯ୍ୟନ୍ତ ତମେ କରୁଛ ଯେ ମତେ ଚାହା କପେ ବି ଦେଇପାରିଲ ନାହିଁ। ନା ଆମ ରୁମ ଟା ସଜଡ଼ା ହେଇଚି, ନା ଘର ର କୌଣସି କାମ ସରିଛି"। ସ୍ୱାମୀ ଙ୍କ ରାଗ ଦେଖି ଅନିତା ଦେବୀ କଅଁଳିଆ ସ୍ୱରରେ କହିଲେ " କାହିଁକି ଏମିତି ରାଗୁଛ କହିଲ , ଦଶହରା ବୋଲି ତ ମାଳତୀକୁ ଗାଁ କୁ ପଠେଇଦେଲ, ସେ ଥିଲେ ସିନା ମତେ କାମରେ ଟିକିଏ ସାହାଯ୍ୟ କରୁଥିଲା। ଏକୁଟିଆ ଲୋକ ଟା ପରା ମୁଁ....... ସବୁ କାମ କଲାବେଳକୁ ଟିକିଏ ସମୟ ଲାଗିଯିବ.......ହୋଉ ତମେ ଆଉ ଏତେ ରାଗନି ......ବସିଲ ଏଠି ଚାହା ଟିକିଏ ପିଦେଲେ ତମ ରାଗ ଥଣ୍ଡା ହେଇଯିବ......। ସ୍ତ୍ରୀ ଙ୍କ ଏମିତି ସରାଗ ପୂର୍ଣ୍ଣ କଥାରେ ନିଜ ରାଗକୁ କମେଇବାକୁ ଚେଷ୍ଟା କରି ଡ୍ରଇଂ ରୁମ ସୋଫା ରେ ଆସି ବସିଗଲେ, କିଛି ସମୟ ପରେ ଅନିତା ଦେବୀ ଚାହା କପେ ନେଇ ଆସିଲେ, କପ ଟା ହାତକୁ ବଢ଼େଇ ଦେଇ ଶାଢ଼ୀ କାନିରେ ଦିଲ୍ଲୀପ ବାବୁ ଙ୍କ ମୁଁହ କୁ ପୋଛିଦେଇ ପାଖରେ ଲାଗିକି ବସିଗଲେ। ହେଇଟି.......ଶୁଣ ତମେ ଏମିତି ରାଗନି ମତେ ଟିକିଏ କାମରେ ସାହାଯ୍ୟ କଲେନା ସନ୍ଧ୍ୟା ଭିତରେ ସବୁ କାମ ସାରିଯିବ, ସନ୍ଧ୍ୟା ରେ ପୁଣି ଘରକୁ ସମସ୍ତେ ଆସିବେ, ସେମାନଙ୍କ ପାଇଁ ଖିଆପିଆ ର ବନ୍ଦୋବସ୍ତ ତ କରିବାକୁ ପଡିବ, ଚାହା ପିଉ ପିଉ ଦିଲ୍ଲୀପ ବାବୁ କହିଲେ ମୁ କଣ ତୁମକୁ ସାହାଯ୍ୟ କରିବାକୁ ମନା କରୁଛି କି, ତୁମେ ତ ଜାଣିଛ ଚାହା ଟିକିଏ ନ ପିଇଲେ ମୋ ମୁଣ୍ଡକୁ ବୁଦ୍ଧି ଆସେନି, ବିଶେଷ କରି ତମ ହାତ ତିଆରି ଚାହା ଟା ନ ପିଇଲେ ମୋ ଦିନର ଆରମ୍ଭ ଭଲରେ ହୁଏନି।ହୋଉ ହେଲା.........ଏବେ ତ ଭଲରେ ଆରମ୍ଭ କର ଦିନ ଟାକୁ, ଆଉ ମତେ ଟିକିଏ କାମରେ ସାହାଯ୍ୟ କର। ସ୍ତ୍ରୀ ଙ୍କ ଏମିତି କେଇ ପଦ ମିଠା କଥାରେ ରାଗ କୁଆଡେ ଉଭେଇ ଗଲା ଦିଲ୍ଲୀପ ବାବୁଙ୍କ ମୁଣ୍ଡରୁ। "ଶୁଣ ତୁମେ ଯାଇ ରୋଷେଇ କାମ ଦେଖ ମୁ ଅନ୍ୟ କାମ ସବୁ ଦେଖୁଛି, " ଏତିକି କହି ଚାଲିଗଲେ ନିଜ ରୁମ କୁ। ଖଟ ର ଚଦର କୁ ସଜାଡି ରଖିଲେ, ଫୁଲଦାନୀ ରେ ସଜ ଫୁଲ ଆଣି ଭର୍ତ୍ତି କଲେ।  ତାପରେ ଦେଖିଲେ ରୁମ ଟା ଟିକିଏ ଅଳନ୍ଧୁ ହେଇଯାଇଛି , ହାତରେ ଝାଡୁ ଧରି ସଫା କରିବାରେ ଲାଗିଗଲେ,। ଛୋଟ ପ୍ଲାଷ୍ଟିକ ଟେବଲ ଟିଏ ନେଇ ରୁମ ସାରା ସଫା କରୁଥାନ୍ତି, ଦେଖିଲେ କପବୋର୍ଡ ଉପରେ ଅଳନ୍ଧୁ ଜମିକି ରହିଛି , ଟେବୁଲ ଉପରେ ଚଢ଼ି ଦେଖନ୍ତେ ତ ବହୁତ ଗୁଡିଏ କାଗଜ ପତ୍ର ସେଠି ରଖା ଯାଇଛି, ସେ ସବୁରେ ଧୂଳି ଜମିକି ଅଛି, ଉପରୁ କାଢି ତଳକୁ ପକେଇଦେଲେ। ସଫା କରି ସାରି କାଗଜ ପତ୍ର ସବୁ ଦେଖିଲେ। ବହୁତ ପୁରୁଣା କାଗଜ ପତ୍ର, କଲେଜ ବେଳର କିଛି ଡାଈରୀ ଆଉ କିଛି ବହି ଥିଲା ସେଠି। ସବୁ ଗୁଡ଼ାକରୁ ଧୂଳି ଝଡି ରଖୁ ରଖୁ ଗୋଟେ ଡାଈରୀ ଭିତରୁ ଲଫାପା ଟେ ଖସି ପଡିଗଲା। କି ଲଫାପା ଇଏ ଭାବି ତଳୁ ଉଠେଇ ନେଇ ଦେଖିଲେ, ଭିତରେ ଗୋଟେ ଚିଠି ଅଛି। ଚିଠି ଟି ଖୋଲି ପଢିବାରେ ଲାଗିଲେ..........     "ମୁ ଜାଣିନିମୋ ପ୍ରେମରେ କୋଉଠି ଭୁଲ ରହିଗଲା, ସମୟ କାହିଁକିମୋ ସହ ଏମିତି ଖେଳ ଖେଳିଲା, କାହିଁକି କେଜାଣି ବୃତିୟ ରେଖା ଟା ଭାଗ ହୋଇ ସମାନ୍ତର ପାଲଟି ଗଲା,ବହି ଯାଉଥିବା ନଈ ଟା ସମୁଦ୍ର ରେ ମିଶିବା ପୂର୍ବରୁ କାହିଁକି ମୋଡ ବଦଳେଇ ଚାଲିଗଲା। ଏ ସବୁ ପ୍ରଶ୍ନର ଉତ୍ତର ମୁ କେବେ ଖୋଜି ପାଇବି କି ନାହିଁ ମୁ ଜାଣିନି, କିନ୍ତୁ ତୁମ ସ୍ମୃତି କୁ ଜାବୁଡି ଧରି ବାକି ଜୀବନ କଟେଇଦେବୀ...........                                ଇତି                                ତୁମର........." ଚିଠି ଟା ପଢିଲା ବେଳକୁ ଦିଲ୍ଲୀପ ବାବୁଙ୍କ ଆଖିରୁ ଧାର ଧାର ଅଶ୍ରୁ ଅବିରତ ବୋହିଚାଲିଥିଲା। ଚିଠି ଟା ଥିଲା ପନ୍ଦର ବର୍ଷ ତଳର। ପ୍ରଥମ ପ୍ରେମର ଶେଷ ଚିଠି । କାଜଲ ଦେଇଥିବା ଏଇ ଚିଠି ଖଣ୍ଡକ ସାଇତି ରଖିଥିଲେ ଦିଲ୍ଲୀପ ବାବୁ। ସମୟର ନିଷ୍ଠୁରତା ଦୁହିଁ କୁ ଅଲଗା କରିଦେଇଥିଲା ପନ୍ଦର ବର୍ଷ ତଳେ , ହେଲେ ଆଜି ବି ତାଙ୍କ ମନ ଭିତରେ ପାଉଁଶ ତଳର ନିଅ ଭଳି କାଜଲ ପ୍ରତି ପ୍ରେମ ସେମିତି କୁହୁଳୁଛି। ମନେ ପଡିଗଲା ସେ ଦିନର ବିରହ ଯନ୍ତ୍ରଣା ଦାୟକ କଥା ସବୁ, ବାପାଙ୍କ ଇଛାକୁ ସମ୍ମାନ ଦବାକୁ ଯାଇ ନିଜ ପ୍ରେମକୁ ଇତି କରିଦେଇଥିଲେ। ଇତି ସିନା କରିଦେଇଥିଲେ ସେ ଇତି ବହୁତ ସ୍ମୃତି ସାଇତା ହୋଇ ରହିସାରିଥିଲା।  ଚିଠି ଟିକୁ ଛାତିରେ ଲଗେଇ ଭୋ ଭୋ ହୋଇ କାନ୍ଦିଲେ, ଏମିତି କେତେ ରାତି ଯେ ବିଛଣାରେ କାନ୍ଦି କାନ୍ଦି ବିତିଛି ସେ ହିଁ କହିପାରିବେ। କାଳେ କିଏ ଆସିଯିବ ଭାବି ନିଜ ଲୁହକୁ ଆୟତ୍ତ କଲେ, ଚିଠି ଟିକୁ ଚୁମ୍ବନ ଦେଇ ସେମିତି ଲଫାପା ଭିତରେ ମୁଦି ରଖିଦେଲେ। ସମୟ ଆସି ବାରଟା ହେଲାଣି ଅନିତା ଦେବୀ ରୋଷେଇ ସାରି ସ୍ୱାମୀଙ୍କ ପାଖରେ ଆସିପହଂଚିଲେ। ଦେଖିଲେ ସ୍ୱାମୀ ଙ୍କ କାମ ସରିନି , ....." ସେତେବେଳୁ ତୁମ କାମ ଆହୁରି ସରିନି,ହୋଉ ଛାଡ଼ ଚାଲିଲା ବେଳ ଆସି ବାରଟା ବାଜିଲାଣି , ଖାଇବ ଚାଲ" .....ତୁମେ ଖାଇବା ବଢ଼ାବଢି କର ମୁ ଯାଉଛି" ........ନିଜ ଲୁହ ପୋଛି ଖାଇବା ପାଇଁ ଚାଲିଗଲେ। ମନରେ ପୁରୁଣା ଦିନର ସ୍ମୃତି ସବୁ କୁ ଚାପି ଦେଇ ମୁଂହରେ ମିଛ ହସ ଫୁଟେଇ ସମସ୍ତଙ୍କ ସହ ଖାଇବାକୁ ବସିଗଲେ। ସନ୍ଧ୍ୟା ହେଇଗଲାଣି ଘରେ ସବୁ ନିମନ୍ତ୍ରିତ ଅତିଥି ମାନେ ଆସି ପହଂଚି ଗଲେଣି , ଅନିତା ଦେବୀ ସେମାନଙ୍କ ସତ୍କାରରେ ଲାଗିପଡ଼ିଥାନ୍ତି, ପିଲା ଦୁଇଜଣ ଘରକୁ ଆସିଥିବା ସାଙ୍ଗ ସାଥି ମେଳରେ ମସଗୁଲ। ଏଣେ ବିଳମ୍ବ ହେଇଯିବ ଭାବି ଦିଲ୍ଲୀପ ବାବୁ ସମସ୍ତଙ୍କୁ ତରତର କଲେ ଗାଡ଼ିରେ ଯାଇ ବସିବାକୁ। ଘରକୁ ଆସିଥିବା ଅତିଥି ଙ୍କୁ ନେଇ ସପରିବାରେ ବାହାରି ପଡିଲେ ମେଢ଼ ବୁଲିବାକୁ। ଦଶହରା ବଜାର ଭାରି ଭିଡ଼ ଥାଏ, ସମସ୍ତେ ହାତ ଧରା ଧରି ହୋଇ ମେଢ଼ ଭିତରେ ବୁଲୁଥାନ୍ତି। ଭଳିକି ଭଳି ମେଢ଼ ସାଙ୍ଗକୁ ସୁନ୍ଦର ତୋରଣରେ ପୂଜା ମଣ୍ଡପ ସବୁ ଝଲସୁ ଥିଲା। ଭିଡ ଭିତରେ ଦିଲ୍ଲୀପ ବାବୁ ଦେଖିଲେ ଗୋଟେ ଛୋଟ ଝିଅଟେ ଲୋକଙ୍କ ଗହଳରେ ଠିଆ ହେଇ କାନ୍ଦୁଛି। ଅଟକି ଗଲେ ସେଠି , ଝିଅଟି ପାଖୁ ଯାଇ କାଖେଇକି ଧରିଲେ ବୋଧେ ଝିଅଟି ଭିଡ ଭିତରେ ତା ପରିବାର ଲୋକାଠୁ ଅଲଗା ହେଇଯାଇଛି। " କଣ ହେଇଛି ଝିଅ କାହିଁ କାନ୍ଦୁଛୁ ତୁ"........... ଦିଲ୍ଲୀପ ବାବୁ ପଚାରିଲେ .....ଛୋଟ ଝିଅଟେ ବୟସ ପାଖାପାଖି ଛଅ ରୁ ସାତ ବର୍ଷ ଭିତରେ ହେବ,।ଝିଅ ଟି କହିଲା ମୋ ମା........କୁ ମୁ ଖୋଜି ପାଉନି।ଝିଅ ମୁଂହରୁ ଏତିକି ଶୁଣିବା ପରେ ସେ ଝିଅ କୁ ନେଇ ସୂଚନା କେନ୍ଦ୍ର ନିକଟକୁ ଚାଲିଲେ। ମେଢ ରେ ଭିଡକୁ ଦେଖି ସ୍ଥାନେ ସ୍ଥାନେ ସୂଚନା କେନ୍ଦ୍ର ମାନ ଖୋଲାଯାଇଥାଏ। ସେଠି ଯାଇ ମଇକ୍ରୋଫୋନ ଜରିଆରେ ଘୋଷଣା କଲେ, କିଛି ସମୟ ପରେ ଜଣେ ମହିଳା ଭିଡ ଭିତରୁ ଦୌଡ଼ି ଆସିଲେ ସୂଚନା କେନ୍ଦ୍ର ନିକଟକୁ, ଝିଅକୁ କୋଳେଇ ନେବା ସମୟରେ ମହିଳା ଜଣଙ୍କ ଉପରେ ନଜର ପଡିଲା ଦିଲ୍ଲୀପ ବାବୁଙ୍କର । ମହିଳା ଜଣଙ୍କୁ ଦେଖୀ ମୁଂହ ବୁଲେଇଦେଇ ଆଗକୁ ପାଦ ବଢ଼େଇଲା ବେଳକୁ ପଛରୁ ମହିଳା ଜଣଙ୍କ କହିଲେ ରୁହନ୍ତୁ.................ଆପଣଙ୍କୁ କଣ କହି ଧନ୍ୟବାଦ ଦେବି ମୁଁ ନିଜେ ବି ଜାଣିପାରୁନି...........ଆଗକୁ ବଢୁଥିବା ପାଦରେ ସତେ ଯେମିତି ସିକୁଳି ପଡିଗଲା, ଦୀର୍ଘ ପନ୍ଦର ବର୍ଷ ପରେ ସେ ମିଠା ସ୍ୱର କାନରେ ବାଜିଲା, ଆଖିରୁ ଧାର ଧାର ଲୁହ ବୋହିଯାଉଥିଲା ଦିଲ୍ଲୀପ ବାବୁଙ୍କର, ପଛକୁ ବୁଲି ଚାହିଁଲେ କାଜଲକୁ..........ହଠାତ୍ ଆଖି ସାମ୍ନାରେ କାଜଲଙ୍କୁ ଦେଖିବେ ଏ କଥା ସେ କେବେ ବି ଭାବିନଥିଲେ ........ ତାଙ୍କୁ ଦେଖି କାଜଲ ସ୍ତବ୍ଧ ହେଇଗଲେ , ମୁହଁରୁ ତାଙ୍କର କିଛି କଥା ହିଁ ବାହାରିଲା ନାହିଁ, ତାଙ୍କ ଆଖିରୁ ବି ଧାର ଧାର ଅଶ୍ରୁ ବୋହିଚାଲିଥିଲା। ପନ୍ଦର ବର୍ଷ ପରେ ଦୁହେଁ ସାମ୍ନା ସାମ୍ନି , କାହା ମୁହଁ ରୁ କିଛି କଥା ବାହାରୁ ନଥାଏ। କେବଳ ଲୁହର ଧାର ବହିଯାଉଥାଏ..........ଦୁହେଁ ପରସ୍ପରକୁ ଚାହିଁ ରହିଥାନ୍ତି।   ଲୁହ ପୋଛି ଦିଲ୍ଲୀପ ବାବୁ କହିଲେ," ଝିଅ ଭିଡ଼ ଭିତରେ ଠିଆ ହୋଇ କାନ୍ଦୁଥିଲା ସେଠୁ ପାଇଲି ତାକୁ"....କାଜଲ ଙ୍କ କଣ୍ଠ ବାସ୍ପିରୁଦ୍ଧ ..........ଧନ୍ୟବାଦ........ ଆପଣଙ୍କ ସାହାଯ୍ୟ ପାଇଁ ମୁଁ ମୋ ଝିଅ କୁ ପାଇଲି। ସେତେବେଳକୁ ଅନିତା ମୋ ପାଖରେ ପହଂଚି ସାରିଲେଣି , ମୁ ମୋ ଲୁହ ପୋଛିଲି। ଅନିତାଙ୍କୁ ଦେଖି କାଜଲ ବି ଲୁହ ପୋଛି ସାରିଥିଲେ। ଆସୁଛି କହି ବିଦାୟ ନେଲେ କାଜଲ............ ଦିଲ୍ଲୀପ ବାବୁ ସେମିତି ଚାହିଁ ରହିଥାନ୍ତି ତାଙ୍କ ଯିବା ବାଟକୁ।  ବାସ୍ତବ ରେ ପ୍ରଥମ ପ୍ରେମ ଆଉ ପ୍ରକୃତ ପ୍ରେମ କୁ ଭୁଲି ହବନି। ପ୍ରେମରେ କେବେ ଇତି ନଥାଏ କେବଳ ସ୍ମୃତି ହିଁ ଥାଏ। ଯଦି ପ୍ରେମରେ ଇତି ଥାନ୍ତା ତାହାଲେ ବିଶ୍ଵ ଐତିହ ରେ ସ୍ଥାନ ପାଇଥିବା ତାଜମହଲ ଆଜି ଆମ ମାନସ ପଟରେ ନଥାନ୍ତା। କେଦାର ଗୌରୀ ଙ୍କ କାହାଣୀ ଇତିହାସରେ ଲେଖା ହୋଇନଥାନ୍ତା।


Rate this content
Log in

Similar oriya story from Abstract