Sudhansu Kumar Tripathy

Tragedy

4  

Sudhansu Kumar Tripathy

Tragedy

ଅପରାଜିତା ଅପର୍ଣ୍ଣା

ଅପରାଜିତା ଅପର୍ଣ୍ଣା

7 mins
205



"ଅଲକ୍ଷଣୀ ଟାଏ ମ......ଜନମ ହୋଉ ହୋଉ ବାପ କୁ ତ ଖାଇଲା ,ବରଷ ନପୁରୁଣୁ ଏବେ ପୁଣି ମା କୁ ବି ଖାଇଲା, ପୋଡାମୁଁହିଟା କୋଉ ନିଆଁ ଲଗା ବେଳାରେ ଜନମ ହେଲା କେଜାଣି , ବଉଁଶ ବୁଡାଇ ଦେଲା"। ଏମିତି କିଛି କଥା ଘର ଝରକା ଦେଇ କାନ ରେ ବାଜିବାରୁ ଧଡ଼କିନି ନିଦ ଟା ଭାଙ୍ଗିଗଲା। ମୁଣ୍ଡ ପାଖରେ ଥିବା ଲୋଟରୁ ପାଣି ଆଞ୍ଜୁଳାଏ ମୁଂହରେ ମାରିଦେଇ ଦୁଆର ଖୋଲି ଦେଖେ ତ , ସନିଆ ପଧାନ ଦାଣ୍ଡ ଦୁଆରେ ଗାଁ ଲୋକଙ୍କ ଭିଡ଼ । ଗାମୁଛା ଟା କାନ୍ଧ ରେ ପକେଇ ଦେଇ ସନିଆ ଦୁଆର ଆଡକୁ ଧାଇଁଲି। ସେଠି ଯାଇ ଯାହା ଦେଖିଲି ; ମୁଁ ସ୍ତବ୍ଧ ହୋଇଗଲି। କିଛି କ୍ଷଣ ପାଇଁ ଜଡ ପାଲଟି ଗଲି , ସନିଆ ସ୍ତ୍ରୀ ଟା ନିର୍ଜୀବ ଭଳି ଲମ୍ବ ହୋଇ ପଡିଛି , ଦେହଟା ନୀଳ ପଡିଯାଇଛି। ଦଶ ମାସିଆ କୁନି ଝିଅ ଟା ମା ର ବାଁ କଡରେ ପଡି ଭେଁ ଭେଁ ରାହା ଧରି ରଡି ଛାଡ଼ୁଛି।


  ପରିସ୍ଥିତି କୁ ଦେଖି ସନିଆ ସ୍ତ୍ରୀ ଯେ ଆଉ ଏ ଦୁନିଆରେ ନାହିଁ ଏକଥା ବୁଝିବାକୁ ମତେ ଆଉ ବେଶି ସମୟ ଲାଗିଲାନି। ତା କୁନି ଝିଅ ଟା ର ନିଷ୍ପାପ ମୁଁହ ଟା କୁ ଦେଖି ଆଖି ଛଳ ଛଳ ହୋଇଗଲା। ମନେ ମନେ ବହୁତ ଧିକାର କଲି ଭଗବାନ ଙ୍କୁ , କ'ଣ ଲାଭ ପାଇଲେ କଅଁଳିଆ କଢିଟେ ଫୁଟିବା ପୂର୍ବରୁ ସେ ଗଛ ର ଚେରକୁ କଟିଦେଇ? ସମସ୍ତେ କାହିଁକି ସନିଆ ଝିଅ କୁ ତା ମା ମୃତ୍ୟୁ ର ଦୋଷ ଦେଉଛନ୍ତି? ଏମିତି ଭାବିଲା ବେଳକୁ ନେତ ଆଇ ଟା ଭିଡ଼ ଭିତରେ ପାଟି କରିକି ପଶିଲା" ଉଆଁସୀ ଟା ଆଉ କଣ କରିଥାନ୍ତା , ବାପ ମା ଦୁହିଁଙ୍କୁ ଖାଇଲା; ମରଣ ହେଉନି ଯାହା ଆହୁରି କାହାକୁ ଖାଇବ ବୋଲି ରଡି ଛାଡ଼ୁଛି କେଜାଣି"? ଏ ଉଆଁସୀ ଶବ୍ଦ ଟା କଣ ଏକ ଅଭିଶପ୍ତ କି? କାହିଁକି ନିରୀହ ଝିଅ ଉପରେ ଉଆଁସୀ ର କଳଙ୍କ ଲଦି ଦିଆଯାଏ? ଏମିତି ଭାବୁ ଭାବୁ ଗାଁ ଲୋକ କୋକେଇ ବାନ୍ଧିବା ଆରମ୍ଭ କଲେଣି, ସେମାନଙ୍କୁ ସହଯୋଗ କଲି । ଶବ ସହ ଗାଁ ଲୋକେ ମଶାଣି ଗଲେ କିନ୍ତୁ ମୁଁ ଗଲି ନାହିଁ; ସେମିତି ଖୁଣ୍ଟ ଟା ଭଳି ସେ ଝିଅ କୁ ଆନଇ ଠିଆ ହୋଇଥାଏ। କେହି ଜଣେ ମହିଳା ,ସପ ଖଣ୍ଡେ ପାରି ଦେଇ ସେଠି ଝିଅଟାକୁ ଗଡେଇ ଦେଲା। ଭୋକରେ କାନ୍ଦି କାନ୍ଦି ଝିଅ ଟି ସୋଇପଡ଼ିଥାଏ।


   କିଛି ଘଣ୍ଟା ପରେ ଶବ ସତ୍କାର ସାରି ସମସ୍ତେ ଫେରି , ସନିଆ ଦୁଆରେ ରୁଣ୍ଡ ହେଲେ , ଗାଁ ମାଇପିଏ ବି ଆସିଲେ। ମୁ ସେମିତି ଜଡ ପରି ବସିଥାଏ , କାହାରିକୁ ବି ଚାହିଁନଥାଏ। ସେମାନଙ୍କ ଭିତରେ କଥାବାର୍ତ୍ତା ଚାଲିଥାଏ ଯେ; ଝିଅ ର ଅବସ୍ଥା କଣ ହେବ ? କିଏ ଦାୟିତ୍ୱ ନେବ? ଏମିତି ପ୍ରଶ୍ନ ରେ ସମସ୍ତଙ୍କ ମୁଂହରୁ ନକରାତ୍ମକ ଉତ୍ତର ଶୁଣି ଶୁଣି ମୋର ସହିବାର ସବୁ ସୀମା ଟପିଗଲା।...."ଚୁପ୍...........ସମସ୍ତେ ଏକଦମ ଚୁପ୍.........କୁକୁର , ବିଲୁଆ ର ମୁଁହ ରେ କି କୋଉ ନଦୀରେ ନେଇ ଝିଅ କୁ ପକାଇବା କିଛି ଦରକାର ନାହିଁ , ଆଜି ଠାରୁ ଏ ଝିଅ ମୋ ଦାୟିତ୍ୱ ରେ ରହିବ.....କାହାରି ଚିନ୍ତା କରିବା ଦରକାର ନାହିଁ ; ଚାଲିଯାଅ ସମସ୍ତେ କାହାର କିଛି ଚିନ୍ତା କରିବା ଦରକାର ନାହିଁ" ମୋ ମୁଂହରୁ ଏମିତି ଶୁଣି ସମସ୍ତେ ମୋ ମୁଂହକୁ ବଲବଲ କରି ଚାହିଁ , ଜଣେ ଜଣେ ସେଠୁଁ ଚାଲିବାକୁ ଲାଗିଲେ। ଝିଅଟାକୁ ସପ ରୁ ଉଠେଇ ଛାତିରେ ଜାବୁଡି ଧରିଲି , ଆଖିରୁ ଧାର ଧାର ଲୁହ ବୋହିଗଲା। ଭଗବାନ ଙ୍କର ସୃଷ୍ଟି ବଡ଼ ବିଚିତ୍ର , ମୁଁ ବି ଜଣେ ଅନାଥ , ଜନ୍ମ ର କିଛି ବର୍ଷ ଭିତରେ ବାପା ମା ଙ୍କୁ ହରେଇସାରିଛି। ପର ଅନ୍ନ ରେ ପ୍ରତିପାଳିତ ହୋଇ ନିଜ ଗୋଡ଼ରେ ଠିଆ ହୋଇଛି। ଜଣେ ଅନାଥ ଆଉ କାହା ଜୀବନ ର ପରିଚୟ ହେଇପାରିବ ତ? ଏମିତି ପ୍ରଶ୍ନ ମନରେ ଉଙ୍କି ମାରୁଥାଏ , ସବୁ କଥାକୁ ପଛରେ କରିଦେଇ , ଝିଅ ଟି କୁ କୋଳେଇ ନେଲି।


  ଝିଅ ଟା କୁ ସମାଜ ରେ ଶ୍ରେଷ୍ଠ କରିବାର ସଂକଳ୍ପ ନେଇ , ଲାଳନ ପାଳନ କଲି। ଭଗବାନ ଙ୍କ ଅପାର କରୁଣାରୁ ମୁଁ ସରକାରୀ ଶିକ୍ଷକ ଟିଏ ହୋଇପାରିଛି। ଝିଅ ଟି ର ପ୍ରତି ପୋଷଣ ରେ ଅସୁବିଧା ହେବନି । ମତେ ବି ସେତେବେଳେ ମାତ୍ର ତେଇଶି ବର୍ଷ , ନୂଆଁ ନୂଆଁ ଚାକିରୀ ପାଇଥାଏ। ସମୟ ସହ ତାଳ ଦେଇ ଆମ ଜୀବନ ଚାଲିଥାଏ..............


 ସମୟ ର ଚକ ଘରୁଥାଏ , ଝିଅ ଟି ଆଠ ବର୍ଷ ର ହୋଇଗଲାଣି । ମୋ ସହ ସ୍କୁଲ କୁ ଯାଏ। ସ୍କୁଲ ରେ ନା ଲେଖାଇଲା ବେଳକୁ ,ତା ନାଁ ଟା ଅପର୍ଣ୍ଣା ରଖିଥିଲି। ଅପର୍ଣ୍ଣା ଏବେ ତୃତୀୟ ଶ୍ରେଣୀ ର ଛାତ୍ରୀ , ପଠାରେ ଯେମିତି ସାକ୍ଷାତ ସରସ୍ବତୀଙ୍କ ମାନସ କନ୍ୟା। ସ୍କୁଲ ରେ ଚାପରାସି ଠୁ ପ୍ରଧାନ ଶିକ୍ଷକ ଙ୍କ ଯାଏ ସମସ୍ତଙ୍କ ପ୍ରିୟ ସେ। ସମୟ ସହ ତାଳ ଦେଇ ମୋ ବୟସ ବି ତିରିଶି ଟପିଗଲାଣି, ଆମ ସ୍କୁଲ ପ୍ରଧାନ ଶିକ୍ଷକ ନରୋତ୍ତମ ମିଶ୍ର ଙ୍କ ସାନ ଭଉଣୀ ସହ , ବିବାହ ପ୍ରସ୍ତାବ ଟି ସ୍ଥିର ହେଲା। ମୁଁ ମନେ ମନେ ଖୁସି ହେଉଥାଏ ; ଅପର୍ଣ୍ଣା ଏଥର ମା ଟିଏ ପାଇଯିବ। ଅପର୍ଣ୍ଣା ମୋ ପାଖରେ ରହୁଛି ଏକଥା ଜାଣି ବି ବିନା ଦ୍ଵିଧା ରେ ଶ୍ରୀ ମିଶ୍ରଙ୍କ ଭଉଣୀ ବାହା ହେବାକୁ ରାଜି ହୋଇଛନ୍ତି। ଶୁଣିକି ଖୁସି ଲାଗିଲା। ପଶନ୍ତି ଫଗୁଣ ରେ ମୋ ହାତଗଣ୍ଠି ଟି ପଡିଲା। ମିଳନ ର ମଧୁଶଯ୍ୟା ରେ ବାସର ଦୀପ କୁ ସଖି ରଖି ମୋ ସ୍ତ୍ରୀ ସୁମିତ୍ରା ବଚନ ଦେଲେ ଯେ , ଅପର୍ଣ୍ଣା କୁ ମାତୃବତ ସ୍ନେହ ରେ ପାଳନ କରିବେ। ଆନନ୍ଦ ଅଶ୍ରୁ ବହିଗଲା ମୋ ଆଖିରୁ। ......................


  ବିବାହ ର ଦୁଇ ବର୍ଷ ପୂର୍ତ୍ତି ହୋଇଗଲାଣି, ସୁମିତ୍ରା ଙ୍କ କୋଳରେ ପୁତ୍ର ସନ୍ତାନ ଟିଏ ବଢିଥାଏ। ମୁଁ ଲକ୍ଷ୍ୟ କରିଛି ପୁଅ ଜନ୍ମ ହେବା ପରଠୁଁ ସୁମିତ୍ରା , ଅପର୍ଣ୍ଣା ପ୍ରତି ନିଜର ସ୍ନେହ ରେ କାର୍ପଣ୍ୟ କରୁଛନ୍ତି। ଏକଥା ବହୁତ ଥର ,କଥା ଛଳରେ ମୁଁ ତାଙ୍କୁ କହିଛି ,କିନ୍ତୁ ସେ ମୋ କଥା ରେ କାନ ଦେଇ ନହାନ୍ତି। ଆଜି ଯେତେବେଳେ ପୁଅର କ୍ଷୀର ଗିନା ଟା ଅପର୍ଣ୍ଣା ହାତରୁ ଖସିଗଲା , ସୁମିତ୍ରା ଝିଅ ଗାଲ ରେ ଚାପୁଡ଼ା ଟିଏ ଦେଲେ। ସେ ସିନା ଝିଅ ଗାଲ ରେ ଦେଲେ କିନ୍ତୁ ମତେ ଲାଗିଲା ସେ ଚାପୁଡ଼ା ଟା ମୋ ଗାଲ ରେ ବାଜିଲା। ନିଜେ ସଂକଳ୍ପ କରିଥିଲି ଦୁନିଆର କୌଣସି ଦୁଃଖ କଷ୍ଟ ବି ଅପର୍ଣ୍ଣା କୁ ସ୍ପର୍ଶ କରିବାକୁ ଦେବିନି , ତାକୁ ସମାଜ ରେ ଶ୍ରେଷ୍ଠ କରି ତିଆରି କରିବି। ହେଲେ ଅପର୍ଣ୍ଣା ପ୍ରତି ସୁମିତ୍ରାଙ୍କ ଏପରି ବ୍ୟବହାର ଯଦି ବଢିଚାଲେ ତାହାଲେ ମୋ ସଂକଳ୍ପ ପୁରା ହୋଇପାରିବନାହିଁ , ଆଜି ପର୍ଯ୍ୟନ୍ତ ଅପର୍ଣ୍ଣା କୁ ଅନୁଭବ ବି ହୋଇନି ଯେ ସେ ବାପା ମା ଛେଉଣ୍ଡ। ଏମିତି ମାନସିକ ଚାପ ଦେଇ ମୁଁ ଗତି କରୁଥାଏ .............ସେତେବେଳେ ସ୍କୁଲ ପରିଦର୍ଶନ ରେ ବିଭାଗୀୟ ଅଧିକାରୀ ଆସିଥାନ୍ତି ନିତ୍ୟାନନ୍ଦ ପଣ୍ଡା । ତାଙ୍କ ସହ କଥା ହୋଉ ହୋଉ ଅପର୍ଣ୍ଣା କଥା ବି ମୁଁହରୁ ବାହାରି ଗଲା, ଅପର୍ଣ୍ଣା ର ସବୁ କଥା ଶୁଣିବା ପରେ , ଶ୍ରୀ ପଣ୍ଡା ମୋ ହାତ କୁ ଧରିଦେଇ ଭୋ ଭୋ କାନ୍ଦିଲେ । ମତେ କହିଲେ ଆପଣ ଯଦି କିଛି ନଭାବନ୍ତି ତାହାଲେ ଅପର୍ଣ୍ଣା କୁ ଆମେ ନିଃସନ୍ତାନ ଦମ୍ପତି ଙ୍କ କୋଳରେ ଦେଇ ଦିଅନ୍ତୁ , ମୁଁ ଆପଣଙ୍କୁ କଥା ଦେଉଛି ଅପର୍ଣ୍ଣା ର କିଛି ଅସୁବିଧା ହେବନି , ଆପଣ ଙ୍କ ସବୁ ସ୍ୱପ୍ନ ସାକାର ହେବ। ତାଙ୍କ କଥା ଶୁଣିବା ପରେ ମୋ କଣ୍ଠ ବାଷ୍ପରୁଦ୍ଧ ହୋଇସାରିଥାଏ। ତଥାପି ଅପର୍ଣ୍ଣା ର ମଙ୍ଗଳ ତଥା ସଫଳ ଭବିଷ୍ୟତ ପାଇଁ ମତେ ଛାତିକୁ ପଥର କରିବାକୁ ପଡିଲା। କାହିଁକି ନା ମୋ ଘରେ ରହିଲେ ଆଗାମୀ ଦିନରେ ମୁଁ ତା ଲୁହ ଭିଜା ମୁଁହ ହିଁ ଦେଖିବାକୁ ପଡିବ ଏହା ମତେ ଅପର୍ଣ୍ଣା ଙ୍କ ବ୍ୟବହାର ରୁ ବେସ ଜଣାଥିଲା। 


   ସେହିଦିନ ହିଁ ସେ ଅପର୍ଣ୍ଣା କୁ ନିଜ ସାଙ୍ଗରେ ନେବା ପାଇଁ କହିଲେ , ଅପର୍ଣ୍ଣା ମୋ ସହ ସ୍କୁଲ ରେ ଥାଏ। ସେଠୁ ତାଙ୍କ ସହ ତାକୁ ପଠେଇ ଦେଲି। ଗଲାବେଳେ ଅପର୍ଣ୍ଣା ର କପାଳରେ ଚୁମାଟିଏ ଦେଇଦେଲି , ହାତ ବଢ଼ାଇ ମୋ ଆଖିର ଲୁହ କୁ ପୋଛି ଦେଇ , ନିର୍ବିକାର ଭାବରେ ସିଧା ଯାଇ ମଟର ପଛରେ ବସିଗଲା। ଭାରି ବୁଝିଲା ଝିଅ ଟେ , ହୁଏତ ମୋ ଭାବନା କୁ ବୁଝିଯାଇଥିବ। ମଟର ରେ ବସିଲା ପରେ ହାତ ହଲେଇ ଦେଇ ଚାଲିଗଲା .........। ସେଦିନ ସ୍କୁଲ ରେ ଆଉ ମନ ନାହିଁ , ଅଧା ଛୁଟି ନେଇ ଘରକୁ ଆସିଲି , କାନ୍ଦି କାନ୍ଦି ଆଖି ନାଲି ପଡିଯାଇଥାଏ। ଘରକୁ ଆସିଲା ପରେ ସୁମିତ୍ରା ଙ୍କୁ ସବୁ ବୁଝାଇ କହିଲି। ଅନ୍ତର ଭିତରେ ତାଙ୍କ ଖୁସି କୁ ସେ ମୁଂହରେ ଫୁଟାଇ ପାରୁନଥିଲେ ସତ କିନ୍ତୁ ମୁଂହରେ ଦୁଃଖର ତିଳମାତ୍ର ଦୁଃଖର ବି ଭାଷା ନଥିଲା। କିନ୍ତୁ ମୋ ଜୀବନ ରେ ଗୋଟେ ଅପୁରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଗଲା।


   ସମୟ ର ଚକ ଗଡି ଚାଲିଥାଏ , ଶ୍ରୀ ପଣ୍ଡା ଅପର୍ଣ୍ଣା କୁ ନେବା ପରେ ମୁଁ ୨/୪ ଥର , ପତ୍ନୀଙ୍କ ଅଜ୍ଞାତରେ ଝିଅକୁ ଦେଖା କରି ଆସେ। ଶ୍ରୀ ପଣ୍ଡା ବି ଝିଅ ବାବଦ ରେ ଖବର କରନ୍ତି। କିଛି ବର୍ଷ ପରେ ସେ ବଦଳି ହୋଇ ଚାଲିଗଲେ ,ଧୀରେ ଧୀରେ ସଂସାର ଜଞ୍ଜାଳ ଭିତରେ ମୁଁ ବି ଆଉ ଯାଇପାରିଲିନାହିଁ।


  ଏହା ଭିତରେ କୋଡିଏ ବର୍ଷ ବିତିଗଲାଣି....................


    ଆଜି ସକାଳୁ ଜଳଖିଆ ଟା ଖାଇଦେଇ ବାରଣ୍ଡାରେ ବସି ଖବରକାଗଜ ଟା ଦେଖୁଥାଏ। ବୟସ ର ଅପରାହ୍ନ ରେ ପହଞ୍ଚି ସାରିଲିଣି ବୟସ ପଚାଶ ଟପିଲାଣି,ଆଖିକୁ ଦେଖାଯିବା ଟା ବି କମିଗଲାଣି, ଚଷମା ଟା କୁର୍ତ୍ତା ପକେଟ ରୁ ବାହାର କରି ଆଖିରେ ଦେଲି , ବିଶ୍ୱ ମହିଳା ଦିବସ ଅବସରରେ ଖବର କାଗଜ ର ଗୋଟିଏ ପୃଷ୍ଠା ରେ "ଅପରାଜିତା" ଶୀର୍ଷକ ରେ ଗୋଟିଏ ପୃଷ୍ଠା ମଣ୍ଡନ ହୋଇଥାଏ। ବିଭିନ୍ନ ପ୍ରତିକୂଳ ପରିସ୍ଥିତି ରୁ ସଫଳତା ପାଇଥିବା ନାରୀ ମାନଙ୍କ କଥା ଉପସ୍ଥାପନ ହୋଇଥିଲା। ସେ ପୃଷ୍ଠା ରେ ଆଖି ବୁଲାଉ ବୁଲାଉ ନଜର ପଡିଲା ପୋଲିସ ପୋଷାକ ରେ ଝିଅ ଟିଏ । ନାଆଁ ତାର ଅପର୍ଣ୍ଣା ପଣ୍ଡା , ପୁଲିସ ବିଭାଗର ଜଣେ ଉଚ୍ଚ ଅଧିକାରୀ। ନାଁ ଟା ପଢିବା ପରେ ଫୋଟୋ ଟା କୁ ନିରୀକ୍ଷଣ କଲି, କୋଡିଏ ବର୍ଷ ତଳକୁ ଚାଲିଗଲି, ମନରେ ପ୍ରଶ୍ନ ଆସିଲା ଏ କ'ଣ ମୋ ଅପର୍ଣ୍ଣା? ହଁ ଅପର୍ଣ୍ଣା କୁ ବି ତିରିଶି ବର୍ଷ ହୋଇଯିବଣୀ। ଅପର୍ଣ୍ଣା କଥା ଭାବି ଆଖିରୁ ଲୁହ ବୋହିଗଲା , ଚଷମା କୁ ବାହାର କରି ଲୁହ ପୋଛୁ ପୋଛୁ , କେହି ଜଣେ ମୋ କାନ୍ଧରେ ପଛପଟୁ ହାତ ରଖିଲା। କାଳେ ସୁମିତ୍ରା ହୋଇଥିବେ ଭାବିକି ତରବର ହୋଇ ଲୁହ ପୋଛିଦେଇ ବୁଲି ଦେଖେତ , ଫୋଟୋ ରେ ଦେଖିଥିବା ଝିଅ ଟି ମୋ ସାମ୍ନା ରେ ।" ବାପା"..................କହି ଲୁହ ପୋଛି ଦେଲା। ମୁଁ ଚିହିଁବାରେ ବିଳମ୍ବ କଲିନି "ଅପର୍ଣ୍ଣା".....କହି ଛାତିରେ ଜାବୁଡି ଧରିଲି । ଦୀର୍ଘ ବର୍ଷ ପରେ ବାପ ଝିଅ ର ମିଳନ ......ଦୁହିଁଙ୍କ ଲୁହ ହିଁ ସବୁକିଛି ବୟାନ କରୁଥିଲା।

 " ଆପଣ ଙ୍କ ସ୍ୱପ୍ନ ସାକାର ହୋଇଛି ବାପା ......ମୁଁ IPS ପାଇଛି, ସମାଜ ରେ ପ୍ରତିଷ୍ଠା ଲାଭ କରିଛି" ।

" କପାଳ ରେ ଚୁମାଟିଏ ଦେଇ ଭୋ ଭୋ କାନ୍ଦିବାକୁ ଲାଗିଲି........"

ମୋ କାନ୍ଦ ଶୁଣି ସୁମିତ୍ରା ଓ ପୁଅ ଘରୁ ବାହାରକୁ ଆସିଲେ .......

ମୁଁ କହିଲି " ଦେଖ ସୁମିତ୍ରା .....ଦେଖ ମୋ ଝିଅ IPS ପାଇଛି"

ସେତେବେଳକୁ ବୋଧେ ସୁମିତ୍ରା ନିଜ ଭୁଲ ର ଅନୁତାପ କରିସାରିଥିଲେ , ତାଙ୍କ ଆଖିରେ ବି ଲୁହ ଆସିଯାଇଥିଲା। ଝିଅ କୁ କୁଣ୍ଢାଇ କାନ୍ଦିଲେ..........

ମୁଁ ବାହାରକୁ ଚାହିଁ ଦେଖେତ , ମୋ ଦାଣ୍ଡ ସାମ୍ନା ରେ ମଟର ପାଖରେ ଠିଆ ହୋଇଥାନ୍ତି ନିତ୍ୟାନନ୍ଦ ପଣ୍ଡା ମହୋଦୟ। ନମସ୍କାର ଟିଏ କରି କୁଣ୍ଢାଇ ପକାଇଲି , ଦୁହିଁଙ୍କ ଆଖିରେ ଲୁହ। ଦୁହେଁ ଘର ଭିତରକୁ ଆସିଲୁ ........... ଦୀର୍ଘ ବର୍ଷ ଧରି ଅପର୍ଣ୍ଣା କୁ ସୁଚାର ରୂପେ ଲାଳନ ପାଳନ କରି ତାକୁ ପ୍ରତିଷ୍ଠିତ କରାଇ ଥିବାରୁ ମୁଁ କୃତଜ୍ଞତା ଜ୍ଞାପନ କଲି।


  ଅପର୍ଣ୍ଣା କଥାରେ ଚାକିରୀ ରୁ ଇଚ୍ଛାକୃତ ଅବସର ଗ୍ରହଣ କରି , ସପରିବାରେ ଝିଅ ଅପର୍ଣ୍ଣା ପାଖରେ ରହିବାକୁ ନିଷ୍ପତ୍ତି ନେଲୁ.............. 

(କ୍ରମଶଃ)


ସତରେ ନାରୀ ଅପରାଜିତା। ମୁଁ ଶବ୍ଦ ହୀନ...........



Rate this content
Log in

Similar oriya story from Tragedy