Sachidananda Kar

Tragedy

2.5  

Sachidananda Kar

Tragedy

ସମର୍ପିତା

ସମର୍ପିତା

3 mins
495



        ସଧବା !

        କିଏ କହିଲା ?

        ମୋର ସ୍ବାମୀ ଆଉ ମୋର ହୋଇ ଅଛି ?

        କେଉଁ ବନ୍ଧୁର ବିଧବା ସ୍ତ୍ରୀ ସହିତ ତା'ର ଯେଉଁ ସଂପର୍କ !

        ବେଶ୍ ତୀବ୍ର ଥିଲା ସୁବର୍ଣ୍ଣାର ସ୍ବର ।

        ସଧବା ପରି ରହୁନୁ କାହିଁକି ? - ଜଣେ ପଡୋଶିନୀଙ୍କ ଏ ପ୍ରଶ୍ନରେ ଏସବୁ ଥିଲା ତା'ର ଉତ୍ତର ।

        ପଡୋଶିନୀ ସ୍ତବ୍ଧ ହେଲେ । ପରେ କହିଲେ - ' ହଁ,ଦେଖୁଛି ତୋର ଯେତେ ଯାହା ଆବଶ୍ୟକତା ତୁ ନିଜେ ହିଁ ପୂରଣ କରୁଛୁ । '


         - ' ଦୁଇଟି ପିଲାର ମାଆ ମୁଁ । ସେମାନଙ୍କ ମୁହଁକୁ ଚାହିଁ ସବୁକିଛି କରିବାକୁ ପଡୁଛି । ସେ ସିନା ମୋତେ ଆବଶ୍ୟକ ମନେ କଲେନି । ପିଲା ଦୁହିଙ୍କ ପାଇଁ ତ ମୁଁ ନିହାତି ଆବଶ୍ୟକ ହୋଇ ପଡିଛି । ' ସୁବର୍ଣ୍ଣା କହିଲା ।


         ସ୍ବାମୀ ପାଇଁ ସ୍ତ୍ରୀକୁ ଏଠି ବହୁତ କିଛି ସହିବାକୁ ହୁଏ । ଶଙ୍ଖା , ସିନ୍ଦୂରର ବନ୍ଧନକୁ କାଟି ପାରେନାହିଁ ସେ । ତୋ ଭାଗ୍ୟ । କ'ଣ କରିପାରିବୁ ତୁ ? ' ପଡୋଶିନୀ ଦୁଃଖ ପ୍ରକାଶ ଭଙ୍ଗୀରେ କହିଲେ ।


         - ' ତୁମେ ଏ ମାଟିର କଥା କହୁଛ । କହୁଛ ସଭ୍ୟତାର କଥା । ଏହା ସତ ଯେ ଆମ ଚଳନୀ,ଆମ ପରମ୍ପରା ଆମକୁ ଏ ଶିକ୍ଷା ଦେଇଛି । ହେଲେ ବେଶୀ ଦିନ ଏପରି ଚାଲି ପାରିବନି । ମୋତେ କିଛି ଗୋଟିଏ ନିଷ୍ପତ୍ତି ନେବାକୁ ପଡିବ ନିଶ୍ଚୟ । ' ସୁବର୍ଣ୍ଣା କହିଲା ।

          ସୁଦାମ ଘରକୁ ଆସୁ ନଥିଲା ।


          ଯେନତେନ ପ୍ରକାରେଣ ଜୀବନ ବଞ୍ଚୁଥିଲା ସୁବର୍ଣ୍ଣା । ହେଲେ ତା' ଭିତରେ ଗୋଟିଏ କ୍ରୋଧ ବଢୁଥିଲା ।


         ମନେ ପଡୁଥିଲା ଅତୀତ । ନିଜକୁ ନିରାପଦରେ ରଖିବା ପାଇଁ କେତେ ଯେ ଚେଷ୍ଟା କରି ନଥିଲା ସେ । ଜାଣିଥିଲା ଦିନେ ନା ଦିନେ ତାକୁ ତା'ର ସତୀତ୍ବ ପାଇଁ ଅଗ୍ନି ପରୀକ୍ଷା ଦେବାକୁ ପଡିବ । ଦେଇଥିଲା ସେ । ଉତ୍ତୀର୍ଣ୍ଣ ବି ହୋଇଥିଲା । ହେଲେ ସେସବୁ ଏବେ ମୂଲ୍ୟହୀନ ପରି ତାକୁ ଲାଗୁଥିଲା ।


          ପିଲା ଦୁହିଙ୍କ ମୁହଁରେ ହସ ଖୁସି ନ ଥିଲା । କେତେ ସହିବ ସେ ! ତା'ର ମା' ମନ ବୁଝିଲା ନାହିଁ । ନିଜର ନାରୀ ମର୍ଯ୍ୟାଦାକୁ ଜଳାଞ୍ଜଳି ଦେଇ ଆଉ ଥରେ ବାହା ହେବାପାଇଁ ସେ ନିଷ୍ପତ୍ତି ନେଇଗଲା ।


         ନିଃସଙ୍ଗ ଜୀବନ ବିତାଉଥିବା ଜଣେ ପୁରୁଷ ଦିନେ ଆସି ତା' ପାଖରେ ପହଞ୍ଚିଲେ । ତ' ସହିତ ସଂପର୍କ ବଢାଇଲେ । ଶେଷରେ ତାକୁ ବିବାହ କରିବାକୁ ପ୍ରସ୍ତାବ ଦେଲେ ।

          ପିଲା ଦୁହିଙ୍କ ମୁହଁକୁ ଚାହିଁ ସେ ତାଙ୍କ ପ୍ରସ୍ତାବରେ ରାଜି ହୋଇଗଲା ।

          ଏବେ ତା' ମଥାରେ ପୁଣି ଶୋଭା ପାଇଲା ସିନ୍ଦୂର । ହାତରେ ଶୋଭା ପାଇଲା ଚୁଡି । ପିଲା ଦୁହିଙ୍କ ମୁହଁରେ ହସ ଫୁଟି ଉଠିଲା । ସୁଖରେ, ସ୍ବଚ୍ଛନ୍ଦରେ ବଞ୍ଚିବା ପାଇଁ ସ୍ବପ୍ନ ଦେଖିଲା ସେ ।


          ସୁଦାମ ମରିଛି କି ବଞ୍ଚିଛି ତା'ର କୌଣସି ଖବର ନ ଥିଲା । ସଧବା ନାରୀ ପରି ବଞ୍ଚୁଥିଲା ସୁବର୍ଣ୍ଣା । କେହି ପଚାରିଲେ କହୁଥିଲା - ' ମଲେ ମରିଥାଉ । ମୁଁ ବିଧବା ସାଜିବି କାହିଁକି ? '

         ସମୟ କ୍ରମେ ବୁଢ଼ୀ ହୋଇଗଲା ସେ । ହେଲେ ତା' ଶଙ୍ଖା, ସିନ୍ଦୂର ତା' ସହିତ ଥିଲା । କେହି ତା'ର ସଧବା ଚେହେରାକୁ ନେଇ ଆଉ ପ୍ରଶ୍ନ ଉଠାଉ ନ ଥିଲେ ।


         ଦିନେ ସୁଦାମ ଫେରିଲା ତା' ପାଖକୁ । ସ୍ବାମୀ ବୋଲି ପରିଚୟ ରଖିଲା । ହେଲେ ସେ ଆଶ୍ଚର୍ଯ୍ୟ ନ ହୋଇ ନିର୍ଭୀକ ଭାବରେ ଓ କ୍ରୋଧିତ ସ୍ବରରେ କହିଲା - ' ସେଇ ବିଧବାର ଆବଶ୍ୟକତା ପାଇଁ ତୁମ ପାଖରେ ଆଉ କିଛି ନ ଥିଲା ବୋଧହୁଏ । ସେ କ'ଣ ତଡିଦେଲା ତୁମକୁ ? '


          ନିରୁତ୍ତର ସୁଦାମର ଆଖି ଲୁହ ଛଳଛଳ ଦିଶିଲା ।

          - ' ମୋର ସମସ୍ତ ଆବଶ୍ୟକତା ପୂରଣ ହୋଇ ସାରିଛି । ଏବେ ତୁମେ ମୋ ପାଇଁ ମୂଲ୍ୟହୀନ ହୋଇ ପଡିଛ । ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି କରିଥିଲ ତାହା ପୂରଣ ହୋଇ ସାରିଛି । ଫେରିଯାଅ ସେଇଠିକି , ଯେଉଁଠି ଆଜିଯାଏ ଥିଲ । ମୋତେ ଶାନ୍ତିରେ ବଞ୍ଚିବାକୁ ଦିଅ । '

        ନିଜର କଥା ଶେଷରେ ତା'ର ଆଖି ଲୁହ ଛଳଛଳ ହୋଇଗଲା ।

        ଅନ୍ୟ ଉପାୟ ନ ଥିଲା । ମୁହଁ ବୁଲେଇ କାନ୍ଦ କାନ୍ଦ ହୋଇ ନିଜର ଫେରନ୍ତା ପାଦ ଆଗକୁ ପକାଇଲା ସୁଦାମ ।

        ପଛକୁ ବୁଲି ଚାହିଁଲା ସେ ।

        ଠିଆ ହୋଇଥିଲା ତା'ର ପଛ ସ୍ବାମୀ ।

        ହେଲେ ତା'ର ଏ ସ୍ବାମୀ ତାକୁ ସେ ସ୍ବାମୀ ପରି ଲାଗୁ ନ ଥିଲା ।


Rate this content
Log in

Similar oriya story from Tragedy