ସମ୍ପର୍କରେ ଅନିଶ୍ଚିତତା
ସମ୍ପର୍କରେ ଅନିଶ୍ଚିତତା
ସରିତା ଦେବୀ ଏବେ ୫୦ ବର୍ଷ ବୟସର ହେଲେଣି ଓ ମାନସିକ ଯନ୍ତ୍ରଣାରେ ଖାଲି ଛଟପଟ ହେଉଛନ୍ତି | ନିଜ ପାଇଁ ବହୁତ ସ୍ୱପ୍ନ ଦେଖିଥିଲେ ଯୌବନରେ ପାଦ ଦେଉ ଦେଉ | ତାଙ୍କର ବିବାହ ଅମର ଚୌଧୁରୀଙ୍କ ସହିତ ହୋଇଥିଲା | ବିବାହର ଗୋଟିଏ ବର୍ଷ ପରେ ଯେତେବେଳେ ତାଙ୍କ କନ୍ୟା ଅଳକା ଗର୍ଭରେ ଥିଲା, ସେତେବେଳେ ଅମର ବାବୁ ଚାକିରୀ କରିବାକୁ କାନାଡ଼ା ଚାଲି ଯାଇଥିଲେ ଆଉ କହି କରି ଯାଇଥିଲେ ଖୁବ ଶୀଘ୍ର ସେ ସରିତା ଦେବୀଙ୍କୁ ସେଠାକୁ ନେଇଯିବେ | ସରିତା ଦେବୀ ବହୁତ ଖୁସି ହେଇ ଯାଇଥିଲେ ବିଦେଶରେ ଯାଇ ରହିବାର କଥା ଭାବି | ଅଳକା ଜନ୍ମ ହେବାର ଖବର ଅମର ବାବୁ ପାଇ ବହୁତ ଖୁସି ହେଇ ଯାଇଥିଲେ ଓ କହିଥିଲେ ଏବେ ତାଙ୍କୁ ଓ ଝିଅକୁ ନେଇ କାନାଡ଼ାରେ ଖୁସିରେ ରହିବେ | ହେଲେ ଅଳକାକୁ ଆସି ୨୫ ବର୍ଷ ହେଇ ଗଲାଣି, କିନ୍ତୁ ସରିତା ଦେବୀ ଓ ଅଳକା ଏପର୍ଯ୍ୟନ୍ତ କାନାଡ଼ା ଯାଇନାହାନ୍ତି | ପ୍ରଥମେ ଦୁଇ ତିନି ବର୍ଷ ଅମର ବାବୁ କିଛି ଆର୍ଥିକ ସାହାଯ୍ୟ କରୁଥିଲେ, ପ୍ରାୟ ସବୁ ସପ୍ତାହରେ କଥା ହେଉଥିଲେ | କିନ୍ତୁ ତାପରେ ସେ ସବୁ ବି ଧୀରେ ଧୀରେ ବନ୍ଦ ହୋଇଗଲା | ସରିତା ଦେବୀଙ୍କ ପାଖରେ ନିଜ ପରିବାର ଚଳାଇବାକୁ କିଛି ଉପାୟ ନଥିଲା, ବାଧ୍ୟ ହୋଇ ସେ ଗୋଟିଏ ବିଦ୍ୟାଳୟରେ ଚାକିରୀ କଲେ | ପାଖରେ ଶାଶୁ ଶ୍ୱଶୁର ଓ ତାଙ୍କର ସାନ ନଣନ୍ଦ ୧୦ ବର୍ଷର ଆରତୀ ଥିଲା | ଶ୍ୱଶୁର ଅରୁଣ ବାବୁ ଗାଆଁରେ ଥିବା ନିଜ ଜମିରେ ଚାଷ କରୁଥିଲେ ଓ ଶାଶୁ ଅମୃତା ଦେବୀ ଜଣେ ଗୃହିଣୀ ଥିଲେ | ଅମୃତା ଦେବୀ ଅଳକା ଓ ଆରତୀ ଦୁଇ ଜଣଙ୍କର ଯତ୍ନ ନେଉଥିଲେ, କିନ୍ତୁ ପୁଅ ଅମରକୁ ବହୁତ ଝୁରି ହେଉଥିଲେ |ବେଳେ ବେଳେ ସେ ନିଜ ଭାଗ୍ୟକୁ ଦୋଷ ଦେଉଥିଲେ | ଯେତେବେଳେ ଝିଅ ଆରତୀକୁ ୨୦ ବର୍ଷ ବୟସ ଅମୃତ ଦେବୀ ଏହି ଦୁନିଆରୁ ସବୁଦିନ ପାଇଁ ଚାଲି ଯାଇଥିଲେ | ତାଙ୍କର ଚାଲିଯିବା ପରେ ଅରୁଣ ବାବୁ ବି ଟିକେ ଭାଙ୍ଗି ପଡ଼ିଥିଲେ | ସରିତା ଦେବୀ ଚାକିରୀ ସହିତ ପରିବାରର ସମସ୍ତଙ୍କର ଦାୟିତ୍ୱ ନେଇ ଠିକ ଭାବରେ ନିର୍ବାହ କରିବାକୁ ଆପ୍ରାଣ ଚେଷ୍ଟା କରୁଥିଲେ | ଅମୃତ ଦେବୀ ମୃତ୍ୟୁ ବରଣ କରିବାର ଖବର ବି ଅମର ବାବୁଙ୍କୁ ଦିଆ ଯାଇଥିଲା, କିନ୍ତୁ ସେ ଆସିନଥିଲେ | ଶାଶୁ ଅମୃତ ଦେବୀଙ୍କ ଚାଲି ଯିବାର ଦୁଇ ବର୍ଷ ପରେ ଆରତୀର ବାହାଘର ପାଇଁ ସରିତା ଦେବୀ ପ୍ରସ୍ତାବ ଦେଖିବାକୁ ଆରମ୍ଭ କଲେ, ହେଲେ ଶେଷରେ ଆରତୀ କହିଥିଲା, '' ମୁଁ ଜନନାଙ୍କୁ ବହୁତ ଭଲପାଏ ଓ ସେ ଅଷ୍ଟ୍ରେଲିଆରେ ରହୁଛନ୍ତି | ଆମେ ଉଭୟଙ୍କୁ ଅନଲାଇନରେ ଦେଖିଚୁ ଓ ନିଶ୍ଚୟ କରିଛୁ ଭରଚୁଆଲ ବାହାଘର ପାଇଁ | ତେଣୁ ମୋ ପାଇଁ କିଛି ପ୍ରସ୍ତାବ ଦେଖିବାର ଆବଶ୍ୟକତା ନାହିଁ |''ଆରତୀର ଏହି କଥା ଶୁଣି ପ୍ରଥମେ ଅରୁଣ ବାବୁ କିଛି ବୁଝି ପାରି ନଥିଲେ କି ଭରଚୁଆଲ ବାହାଘର କଣ ବୋଲି | ସରିତା ତାଙ୍କୁ ଯେତେବେଳେ ସବୁ ବୁଝାଇ କହିଲେ କି ବାହାଘର କମ୍ପ୍ୟୁଟର ମାଧ୍ୟମରେ ଅନ୍ଲାଇନରେ ହେବ ବୋଲି, ସେତେବେଳେ ଅରୁଣ ବାବୁ ମୁଣ୍ଡରେ ହାତ ଦେଇ ଦେଇଥିଲେ | ତାଙ୍କୁ ବୁଝା ପଡୁ ନଥିଲା କି କେମିତି ବର ବରଯାତ୍ରୀ ନ ଆସି ବେଦିରେ ନ ବସି ଏହି ବାହାଘର ହେବ ? ଆଉ ବରକୁ କେହି ଦେଖିବେନି କି ଜାଣିବେନି ବା ଛୁଇଁପାରିବେ ନାହିଁ ବନ୍ଦାପନା ପାଇଁ ! ପୁଣି ଆରତୀ ବାହା ହୋଇ କେବେ ଶାଶୂଘରକୁ ଯିବ, ସେ ବିଷୟରେ କିଛି ନିର୍ଦ୍ଦିଷ୍ଟ ସମୟ ବି ନାହିଁ | ଅରୁଣ ବାବୁ ବହୁତ ବିରୋଧ କଲେ ଏହି ବାହାଘର ପାଇଁ, କିନ୍ତୁ ଆରତୀର ଜିଦ ପାଇଁ ଶେଷରେ ସମସ୍ତେ ରାଜି ହୋଇଗଲେ | ଆରତୀ ନିଜ ଇଚ୍ଛାରେ ବିକ୍ରମଙ୍କୁ ଭରଚୁଆଲ ବିବାହ କଲେ | ଏହି ବାହାଘରର ଦୁଇ ତିନି ମାସ ପରେ ବନ୍ଧୁ ବାନ୍ଧବ ଓ ସାଇ ପଡିଶା ଆରତୀକୁ ଦେଖି କଟୁ ମନ୍ତବ୍ୟ ଦେବାରୁ ଆରତୀ ଗୋଟିଏ ଚାକିରୀ ପାଇ ଦୂର ଏକ ସହରକୁ ଚାଲିଗଲା | ସେ ସରିତା ଦେବୀ ଓ ଅରୁଣ ବାବୁଙ୍କୁ ଖବର ଦେଉଥାଏ କି ବିକ୍ରମ ଆସି ତା ସହିତ ରହି ଅଷ୍ଟ୍ରେଲିଆ ଯାଇଛନ୍ତି ଓ ଖୁବ ଶୀଘ୍ର ସେ ତାଙ୍କ ପାଖକୁ ଯିବ | ଆରତୀର ବାହାଘରର ତିନି ବର୍ଷ ପରେ ଅରୁଣ ବାବୁ ଦେହତ୍ୟାଗ କଲେ | ସରିତା ଏବେ ବିଲକୁଲ ଏକ ପଡିଗଲା | ଝିଅ ଅଳକାକୁ ସେ ଭଲ ଯାନ୍ତ୍ରିକ ବିଦ୍ୟାଳୟରେ ପଢ଼ାଇଲା ଓ ଅଳକା ସେଠାରୁ ପାସ କରି ଗୋଟିଏ ଘରୋଇ କମ୍ପାନୀରେ ବାଙ୍ଗାଲୁରରେ ଚାକିରୀ କଲା | ସରିତା ଏବେ ଏକା ଏକା ଖାଲି ବଞ୍ଚି ରହିଥାଏ ସବୁ ସମ୍ପର୍କର ଅନିଶ୍ଚିତତାକୁ ସାଙ୍ଗରେ ଧରି |ପ୍ରଥମେ ନିଜ ସ୍ୱାମୀ ଅମର ବାବୁ, ଯାହାଙ୍କର ଏବେବି କିଛି ଖବର ନାହିଁ, ନଣନ୍ଦ ଆରତୀର ବାହାଘର ଓ ସେହି ସମ୍ପର୍କ, ଏବେ ଝିଅ ଅଳକା ବି ତାଠାରୁ ଦୁରକୁ ଚାଲିଗଲା | ଯନ୍ତ୍ରଣା ଭିତରେ ଘଣ୍ଟି ହେଉଥାନ୍ତି |
ଅଳକା ଚାକିରୀ କରିବାର ଦୁଇ ବର୍ଷ ପରେ ଆଜି ସରିତା ଦେବୀଙ୍କୁ ଗୋଟିଏ ଚିଠି ଲେଖିଛି ଓ ଜଣାଇଛି, '' ମାଆ, ମୁଁ ଓ ରାଜେଶ ପରସ୍ପରକୁ ଭଲ ପାଉ | ରାଜେଶ ବି ଜଣେ ଯନ୍ତ୍ରୀ | ଏବେ ରାଜେଶ ଲଣ୍ଡନରେ ରହୁଛନ୍ତି | ତାଙ୍କ ସହିତ ମୋର ତିନି ବର୍ଷ ହେବ ଫେସବୁକ ଜରିଆରେ ଜଣାଶୁଣା ଓ ସେଥିରୁ ଆମର ଘନିଷ୍ଠତା ବଢ଼ିଲା | ଆମେ ଭିଡ଼ିଓ ଜରିଆରେ ଉଭୟଙ୍କୁ ଦେଖୁ ଓ କଥା ହେଉ | ମୁଁ ଓ ସେ ଆମ ଉଭୟଙ୍କ ବିଷୟରେ ସବୁ ଏହି ଭିଡ଼ିଓ କଥା ବାର୍ତ୍ତା ମାଧ୍ୟମରେ ଜାଣିଛୁ | ଯେହେତୁ ସମୟର ଅଭାବ ଓ ରାଜେଶ ଶୀଘ୍ର ଆସି ପାରିବେ ନାହିଁ ବା ମୁଁ ବି ଲଣ୍ଡନ ଯାଇ ପାରିବି ନାହିଁ, ସେଥିପାଇଁ ଆମେ ଦୁଇଜଣ ଏବେ ଭରଚୁଆଲ ବିହାଘର କରାଇ ନେବୁ ଓ ପରେ ଆମ ରୀତି ହିସାବରେ | ଆଗାମୀ ପାଞ୍ଚ ଦିନ ପରେ ଆମର ଏହି ବାହାଘର ହେବ | ତୁମେ ଆସି ପାରିଲେ ବହୁତ ଭଲ ହେବ, ନାହିଁ ତ ତୁମେ ଅନ୍ଲାଇନରେ ରହି ଦେଖିପାରିବ | ମୋତେ ଭୁଲ ବୁଝିବ ନାହିଁ |'' ଝିଅ ଅଳକାର ଏହି ଚିଠି ପଢି ସରିତା ଖାଲି କାନ୍ଦିବାକୁ ଲାଗିଲେ | ସେ କାହାକୁ କହିବେ ତାଙ୍କ ଦୁଃଖର କଥା ? କିଏ ବା ଶୁଣିବ ?ଏତେ ଗୁଡିଏ ସମ୍ପର୍କର ଅଂଶଛତାତ ସାଙ୍ଗରେ ଏବେ ତାଙ୍କ ଝିଅ ଅଳକା ଏବେ ତାର ଏହି ଭରଚୁଆଲ ବାହାଘର କରାଇ ଆଉ ଗୋଟିଏ ଅନିଶ୍ଚିତତା ଯୋଡିବାକୁ ଯାଉଛି | ଆରତୀର ବାହାଘରରେ ଯେଉଁ ସମ୍ପର୍କର ଅନିଶ୍ଚିତତା ସୃଷ୍ଟି ହେଇଥିଲା ତାହା ଏବେ ବି ସଜାଇ ହେଇପାରୁନି ଆଉ ଏବେ ଅଳକା ପୁଣି ସେଇ ଆଡକୁ ଯାଉଛି | ବାହାଘରରେ ଯେ କେତେ ସମ୍ପର୍କ ଗଢା ହୁଏ ଏମାନେ କେହି ବୁଝୁ ନାହାନ୍ତି | ଖାଲି ଆଧୁନିକତାର ଦ୍ୱାହି ଦେଇ ଏହି ଭରଚୁଆଲ ବାହାଘରରେ ମାତିଛନ୍ତି | ପ୍ରତ୍ୟକ୍ଷ ଭାବରେ କେହି କାହାକୁ ଦେଖିବେ ନାହିଁ, କେହି କାହା ସାଙ୍ଗରେ ମିଶିବେ ନାହିଁ, କେହି କାହାର ସମ୍ପର୍କୀୟଙ୍କୁ ଜାଣିବେ ନାହିଁ, ତେବେ ଏଥିରୁ କେଉଁ ସମ୍ପର୍କ ଗଢି ହେବ |ଆଉ ଏହି ବାହାଘର କେତେ ଦିନ ପରେ ନିଶ୍ଚିତ କରିବ ପୁଣି ତାଙ୍କର ପାରିବାରିକ ସମ୍ପର୍କକୁ ? ଏହି ସବୁ ଭାବି ସରିତା ବହୁତ ବିଚଳିତ ହୋଇ ଖାଲି ଭଗବାନଙ୍କୁ ଡାକି କାନ୍ଦିବାରେ ଲାଗିଲେ | ଏହି ସବୁ ସମ୍ପର୍କର ଅନିଶ୍ଚିତତା କେବେ ଦୂର ହେବ ସେ ଜାଣି ନାହାନ୍ତି, କିନ୍ତୁ ମନରେ ଆଶା ବାନ୍ଧିଲେ |
