STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ସମ୍ପର୍କର ଶେଷ ପୃଷ୍ଠା

ସମ୍ପର୍କର ଶେଷ ପୃଷ୍ଠା

2 mins
5

  ଶ୍ୟାମ ସୁନ୍ଦର ଓ ବୀଣାପାଣି ଘର ସଂସାର କରିବାର ଅନେକ ବର୍ଷ ବିତି ଗଲାଣି। ସେଦିନ ବାସର ରାତି ରେ ପରସ୍ପର କଥା ହୋଇଥିଲେ ଜୀବନର ଶେଷ ପର୍ଯ୍ୟନ୍ତ ଏକାଠି ରହିବେ, ସହଯୋଗ ଭିତ୍ତିରେ, ମନାନ୍ତର ନ ହୋଇ। ଦୁଇଟି ଆତ୍ମାର ଲୌକିକ ମିଶ୍ରଣ ଫଳରେ ବୈବାହିକ ଜୀବନରେ ଉଭୟଙ୍କ ଦୁଇଟି ପୁତ୍ର ଓ ଏକ କନ୍ୟା ସନ୍ତାନକୁ ସଂସାରର ଆଲୋକ ଦେଖାଇବାକୁ ସକ୍ଷମ ହୋଇ ଥିଲେ। ଏବେ ପରିବାର କହିଲେ ଦୁଇ ପୁଅ ହରିହର, ବିଦ୍ୟାଧର ଓ ଏକମାତ୍ର କନ୍ୟା ଶ୍ରାବଣୀ ଏବଂ ବାପା ମାଆ ଶ୍ୟାମ ସୁନ୍ଦର ତଥା ବୀଣାପାଣିଙ୍କୁ ହିଁ ବୁଝାଏ। ଶ୍ୟାମ ସୁନ୍ଦର ଙ୍କ ପିତା ମାତା କେବେଠୁ ଆରପାରିକୁ ଚାଲି ଗଲେଣି। ସ୍ୱଭାବ ଓ ଅଭାବ ମଧ୍ୟରେ ଏକ ମଧ୍ୟବିତ୍ତ ପରିବାରର ଦିନ ଗୁଡ଼ିକ ବିତି ବିତି ଯାଇଛି। ସମୟ ଓ ବୟସ ଅନୁପାତରେ ଝିଅ ଶ୍ରାବଣୀ ର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। କେବଳ ଏତିକି ନୁହେଁ, ତହିଁ ସାଙ୍ଗକୁ ଦୁଇ ପୁତ୍ର ଭଲ ଭଲ ଘରେ ବି ବିବାହ କରି ବିଦେଶ ମାଟିରେ କର୍ମ କ୍ଷେତ୍ରରେ ଅଛନ୍ତି। ସମୟ ଆଗକୁ ଆଗ ଗଡି ଚାଲେ। ବୟସ ବି ବଢ଼େ। ନିଜ ଘରେ ଶ୍ୟାମ ସୁନ୍ଦର ଓ ବୀଣାପାଣିଙ୍କ ବ୍ୟତୀତ ଅନ୍ୟ କେହି ନ ଥାନ୍ତି। ପଡ଼ିଶା ଘରର ଝିଅ ଟି ମଝିରେ ମଝିରେ ଆସି ଭଲ ମନ୍ଦ ଟିକେ ବୁଝିନିଏ। ସୁଖ ଦୁଃଖ ର ସଂସାର ଏମିତିକା ବହିଯାଏ। ଶରୀର ଯେଉଁଠି ରୋଗ ବାଧକ ସେଇଠି। ଶ୍ୟାମ ସୁନ୍ଦର ଟିକେ ଜିଦ ଖୋର ସ୍ୱଭାବର। ତାଙ୍କ ର ଏହି ସ୍ୱଭାବକୁ ବୀଣାପାଣି ଆଜି ପର୍ଯ୍ୟନ୍ତ ଚଳାଇ ଆସିଛନ୍ତି। ପୁଅ ଝିଅ ମାନଙ୍କୁ କିଛି ବି କେତେବେଳେ ହେଲେ ଜଣାଇ ନାହାନ୍ତି। ଏବେ ବୀଣାପାଣି ଙ୍କୁ ବାର୍ଦ୍ଧ୍ୟକ ଗ୍ରାସିଛି, ଆଣ୍ଠୁ ଗଣ୍ଠି ବିନ୍ଧା ହୁଏ, ଛାତିରେ ଯନ୍ତ୍ରଣା ହେଲାଣି। ଆଉ ଆଗ ଭଳି କୋଉ କାମକୁ ଆଉ ପାରୁ ନାହାନ୍ତି। ଏମିତି ଗୋଟିଏ ରାତିରେ ବୀଣାପାଣି ଙ୍କୁ ଭୁବନେଶ୍ୱର ର ଏକ ବେସରକାରୀ ଡାକ୍ତର ଖାନାରେ ଶଯ୍ୟାଶାୟୀ ହେବାକୁ ପଡ଼ିଲା। ପିଲା ମାନେ ସମସ୍ତେ ଘର ବାହାରେ। ସାଇ ପଡ଼ୋଶୀଙ୍କ ସହାୟତାରେ ଏହି ସବୁ ଚିକିତ୍ସା ହୁଏ। ଶ୍ୟାମ ସୁନ୍ଦର ମଧ୍ୟ ପାଖେ ପାଖେ ରହି ସବୁ କଥା ବୁଝୁ ଥାନ୍ତି। ତାଙ୍କ ଭିତରେ ସମ୍ପର୍କ ଏତେ ଅନାବିଳ ଯେ କେହି କାହା ପାଖ ଛାଡୁ ନାହାନ୍ତି। ଛାତିରେ ଯନ୍ତ୍ରଣା ବେଶୀ ବେଶୀ ହେବାରୁ ବୀଣାପାଣି ତାଙ୍କୁ ପାଖକୁ ଡାକି କହିଲେ, ମୋର ଯଦି କିଛି ହୋଇଯାଏ, ତେବେ ପିଲାମାନଙ୍କ ପାଖରେ କୌଣସି ଜିଦ୍ କରିବ ନାହିଁ, ନିଜକୁ ବୁଝାଇ ଭଲରେ ଚଳିବ। ସେହି ବାସର ରାତିରେ ଦେଇ ଥିବା କଥାକୁ ମନରେ ରଖିବ। ଶ୍ୟାମ ସୁନ୍ଦର ବହୁ ସମୟ ପର୍ଯ୍ୟନ୍ତ କାନ୍ଦିଲେ, କୋହକୁ ନିଜ ଭିତରେ ଚାପି ରଖି ବୀଣାପାଣି ଙ୍କୁ ଦୁଇ ହାତରେ ଜାବୁଡ଼ି ଧରିଲେ। ରାତି ବଡି ବଢି ଯାଉଛି, ବୀଣାପାଣିଙ୍କ ଶରୀର ଶିଥିଳ ପଡି ଗଲାଣି, ତାଙ୍କୁ ଶକ୍ତ ଭାବରେ ଜାବୁଡ଼ି ଧରି ଥିବା ଶ୍ୟାମ ସୁନ୍ଦର ବି ନିର୍ବାକ ମନେ ହେଲେଣି। ରାତି ଡ୍ୟୁଟି କରୁଥିବା ନର୍ସ ଜଣଙ୍କ ଡାକ୍ତର ଙ୍କୁ ଯାଇ ଏହା ଜଣାଇଲା ବେଳକୁ ଶ୍ୟାମ ସୁନ୍ଦର ଓ ବୀଣାପାଣି ସମ୍ପର୍କ ର ଶେଷ ପୃଷ୍ଠାରେ ଏକତ୍ର ଯୋଡ଼ି ହୋଇ ବାସର ରାତିରେ ସେହି କଥୋପକଥନକୁ ସାକାର କରିଛନ୍ତି। ଏହାହିଁ ଥିଲା ସେମାନଙ୍କ ମଧ୍ୟରେ ସମ୍ପର୍କର ଶେଷ ପୃଷ୍ଠା। ,,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action