କାହାଣୀ ଏଠି ସରେନା
କାହାଣୀ ଏଠି ସରେନା
ମୁଁ ହେଉଛି ମନିଷା ରାୟ। ଏକ କୁଳୀନ କ୍ଷତ୍ରିୟ ପରିବାରରେ ମୋର ଜନ୍ମ। ମୁଁ ମୋ ବାପା ମାଆ ଙ୍କର ଏକମାତ୍ର କନ୍ୟା। ମୋର ବି ଜଣେ ବଡ ଭାଇ ଅଛନ୍ତି। ଆମେ ଭାଇ ଭଉଣୀ ଉଭୟ ଉଚ୍ଚ ଶିକ୍ଷା ପ୍ରାପ୍ତ ହୋଇ ନିଜର କର୍ମ କ୍ଷେତ୍ରରେ ଅଛୁ। ମୋ ଭାଇ ଏକ ସରକାରୀ ମହାବିଦ୍ୟାଳୟ ରେ ସହକାରୀ ପ୍ରଫେସର ଭାବରେ ଥିବା ବେଳେ ମୁଁ ମଧ୍ୟ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ପଦରେ ଅବସ୍ଥାପିତ ହୋଇଛି। ଜୀବନ ଏମିତି ଆଗକୁ ବଢ଼ି ଚାଲେ। ସୁଖ ଦୁଃଖ ର ଦିନ କେମିତି ଆସେ ଓ ଯାଏ, କିଛି ଜଣା ପଡ଼େନି। ବାପାଙ୍କ ବୟସ ତଥା ଇଚ୍ଛାକୁ ସମ୍ମାନ ଜଣାଇ ମୋ ବଡ଼ଭାଇ ଶ୍ୱେତ ପଦ ବିବାହ ବନ୍ଧନରେ ବି ଯୁକ୍ତ ହୋଇ ସାରିଛନ୍ତି। ସବୁ କିଛି ଠିକ ଠାକ୍ ଥିଲା ବେଳେ ମୁଁ କାହିଁକି ଏ ପର୍ଯ୍ୟନ୍ତ ବିବାହ କରିନି କି ଆଉ କେବେ ବିବାହ ପାଇଁ ରାଜି ହୋଇ ପାରିବିନି। ଏଇଠୁ ମୋ କାହାଣୀ ଆରମ୍ଭ ହୋଇଛି ଏବଂ ଏହା ସରିନି। ଚାକିରି ଖଣ୍ଡିଏ ଅଛି, ଭଲ ଅର୍ଥ ରାଶି ବି ମିଳୁଛି, ମୋ ଚେହେରାରେ ବି କୌଣସି ମଳିନତା ନାହିଁ, ଭଲ ଭଲ ପ୍ରସ୍ତାବ ମାନ ବି ଆସିଛି, ବାପା ମାଆ ଭାଇ ଓ ଭାଉଜଙ୍କ ବୁଝାଇବା ପରେ ମଧ୍ୟ ମୁଁ ମୋ ଜିଦରେ ହିମାଳୟ ସଦୃଶ୍ୟ ଅଟଳ ଓ ଅଚଳ ରହିଲି। ପ୍ରଦିଦିନ ଦୁଇ କିମ୍ବା ତିନୋଟି ଖବର କାଗଜ ପାଠ କରିବା ମୋର ଏକ ନିତ୍ୟ ନୈମିତ୍ତିକ ଅଭ୍ୟାସରେ ପରିଣତ ହୁଏ। ଖବର କାଗଜ ପଢିବା ଓ ତହିଁରୁ ଗୁରୁତ୍ୱ ପୂର୍ଣ୍ଣ ଖବର କୁ ଟିପା ଖାତାରେ ଟିପି ରଖିବାକୁ ମୋତେ ଭାରି ଭଲ ଲାଗେ। ସାରା ଖବର କାଗଜ ପୃଷ୍ଠା ପ୍ରତି ନଜର ଦେଲେ ମୋ ଆଖି ଆଗରେ ପଡେ କେଉଁଠି ନବ ବିବାହିତା ବଧୂ କୁ ହତ୍ୟା କରାଯାଉଛି ତ, କେଉଁଠି ଯୌତୁକ ନିର୍ଯାତନା ଅଭିଯୋଗ ହୋଇଛି,ଅବା ଯୁବତୀ ପ୍ରତି ଧର୍ଷଣ କରାଯାଇଛି, ବସରେ ଏକ କମ୍ ବୟସର ଝିଅ କୁ ଗଣ ଧର୍ଷଣ କରାଯାଇଛି ତ ରାତି ଅଧରେ ଗୋଟିଏ ଜାରରୁ ଯୁବତୀକୁ ଜବରଦସ୍ତ ଉଠାଇ ଆଣି ଧର୍ଷଣ କରି ତାହାକୁ ହତ୍ୟା କରି ନଦୀରେ ଫିଙ୍ଗି ଦିଆ ଯାଇଛି, ଏଭଳି ଅନେକ ନାରକୀୟ ଓ ଜଘନ୍ୟ କାଣ୍ଡ କାରନାମା ସାମ୍ନାକୁ ଆସିଛି ଇତ୍ୟାଦି। ଏହି ଖବର ଗୁଡ଼ିକ ପାଠ କରି ସାରିବା ପରେ ମୋର ଆମ ପୁରୁଷ ପ୍ରଧାନ ସମାଜ ପ୍ରତି ଆଶା ଓ ବିଶ୍ୱାସ ତୁଟିଯାଏ। ମନରେ ବଡ ବିତୃଷ୍ଣା ଆସେ, ମୁଁ ଝିଅ ଟିଏ ହୋଇଥିଲେ ହେଁ ଘର ସଂସାର ପ୍ରତି ମୋ ମନ ଆଦୌ ଯାଏ ନାହିଁ। ମୁଁ ଭୟଭୀତ ହୋଇ ପଡ଼େ। ବହୁ ମାତ୍ରାରେ ଭାବେ ଯେଉଁ ବଧୂ, ଝିଅ, ସାବାଳିକା ଅବା ନାବାଳିକା ଅପହରଣ ଓ ଦୁଷ୍କର୍ମ ରେ ପୀଡିତ ଥିବେ ସେମାନେ କେତେ ଯେ ଯନ୍ତ୍ରଣା ଭୋଗୀ ନ ଥିବେ! ବାସ୍ତବିକ ଏହାର ନକାରାତ୍ମକ ପ୍ରଭାବ ମୋତେ କବଳିତ କରି ରଖିଛି, ଯାହା ଦ୍ୱାରା ମୁଁ ଆଜି ପର୍ଯ୍ୟନ୍ତ ବିବାହ କରି ପାରି ନାହିଁ। ଏବେ ମୁଁ ପିତୃ ମାତୃ ଛେଉଣ୍ଡ ହୋଇ ଯାଇଛି। ଗୋଟିଏ ବର୍ଷ ମଧ୍ୟରେ ବାପା ଓ ମାଆ ଆଗ ପଛ ହୋଇ ସଂସାର ଛାଡ଼ି ଆର ପାରିକୁ ଚାଲି ଗଲେଣି। ଏବେ ମୁଁ ଭାଇ ଭାଉଜଙ୍କ ଆଶ୍ରିତ। ସେମାନଙ୍କ ଠାରୁ ଏ ପର୍ଯ୍ୟନ୍ତ କୌଣସି ଖରାପ ବ୍ୟବହାର ର ଶିକାର ହୋଇନି। ମୋର ଦେହପା ଖରାପ ହେଲେ ଉଭୟ ମୋର ଅତି ଯତ୍ନ ନିଅନ୍ତି। ଅବଶ୍ୟ ମାସ ଶେଷରେ ପାଉଥିବା ବେତନ ରାଶି ମୁଁ ଭାଇ ଓ ଭାଉଜଙ୍କ ହାତକୁ ବଢାଇ ନିଏ। କିନ୍ତୁ ସେମାନେ ଗ୍ରହଣ କରନ୍ତି ନାହିଁ। ପଚାରିବସିଲେ କୁହନ୍ତୁ, ବାପା, ତୋ ନାଁରେ ଏକ ବିପୁଳ ଅର୍ଥ ତୋର ଯାବତ୍ ଜୀବନ ପାଇଁ fixed କରି ଯାଇ ଛନ୍ତି। ଯାହା ଆମେ ସମସ୍ତେ ନିଜ ନିଜର ଦରମା ଖର୍ଚ୍ଚ ନ କରି ବଡ଼ ସୁରୁଖୁରୁରେ ଚଳି ଯାଇ ପାରିବା। ସେ ଦୃଷ୍ଟିରୁ ମୁଁ ମୋର ଦିବଂଗତ ପିତା ମାତା ଙ୍କ ପାଖେ ଚିର ଋଣୀ ରହୁଛି। କାହାଣୀ ଏଠି ସରେନା। ଏଇ ଅଳ୍ପ ଦିନ ତଳେ ଗୋଟିଏ ଅନାଥାଶ୍ରମର କର୍ତ୍ତୃପକ୍ଷ ମୋ ସାହାଯ୍ୟ ଲୋଡ଼ିବାକୁ ଆସିଥିଲେ। ସେ ମୋ ଭାଇ ଭାଉଜଙ୍କ ସହ କଥା ହୋଇ ମୋ ପରାମର୍ଶ ଲୋଡ଼ିଥିଲେ। ସେ ଯାହା ହେଉ ମୁଁ ମୋର ଅବସର ସମୟରେ ଅନାଥା ଆଶ୍ରମକୁ ଯାଇ ଅନାଥ ପିଲା ମାନଙ୍କ ପାଠ ପଢା ଦାୟିତ୍ୱ ନେବାକୁ ରାଜି ହେଲି। ପ୍ରତି ବଦଳରେ ସେମାନେ ମୋ ସ୍ୱାସ୍ଥ୍ୟର ଯତ୍ନ ନେବେ, ଏପରିକି ମୋର ପ୍ରୌଢା ବୟସର ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ। ଏବେ ମୁଁ ଇଶ୍ଵର ଙ୍କ କୃପାରୁ ଭଲରେ ଅଛି। ଆଗକୁ କଣ ଘଟିବ ମୁଁ ଯଦିଓ କହି ପାରୁନି, ତଥାପି ଆଶା ରଖିଛି ମୋ କାହାଣୀ ଏଇ ମାତ୍ର ଆରମ୍ଭ ହେଲା, ତଥାପି ସରେନା।
