ଶେଷ ନିଷ୍ପତ୍ତି
ଶେଷ ନିଷ୍ପତ୍ତି
ଧରମାର କଥାରେ ତାଙ୍କ ମାଆ ସନ୍ମତ ହେଲେ। ଧରମାର କଥା ରହିଲା। ବାଡ଼ି ବରକୋଳି ଓ ସାଥିରେ ବଳିଆ କୁକୁରକୁ ଧରି ସେ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରା କଲେ। ଧରମା ଜନ୍ମ ବେଳୁଁ ନିଜ ବାପା ବିଶୁ ମହାରଣା କୁ ଦେଖିନି। କିନ୍ତୁ ମାଆଙ୍କ ଠାରୁ ଶୁଣିଛି ଯେ ତାର ବାପା କୁଆଡ଼େ ଵାର ବର୍ଷ ହେଲାଣି କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣର ମୁଖ୍ୟ ବିନ୍ଧାଣୀ ଭାବେ କାର୍ଯ୍ୟ କରୁଛନ୍ତି। ମନ୍ଦିର କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେଲେ ଯାଇ ସେ ଗୃହକୁ ପ୍ରତ୍ୟାବର୍ତ୍ତନ କରିବେ, ତା ପୂର୍ବରୁ ନୁହେଁ। ତେଣୁ ଧରମା ତାର ଜନ୍ମିତ ପିତାଙ୍କୁ ଥରେ ଦେଖିବ ବୋଲି ଜିଦି କରି ସେ ଯାଉଛନ୍ତି ଚନ୍ଦ୍ରଭାଗା ଅଭିମୁଖେ। ବର୍ଷେ ନୁହେଁ, ଦୁଇ ବର୍ଷ ନୁହେଁ, ଏମିତି ଵାର ବର୍ଷ ବିତି ଗଲାଣି। କୋଣାର୍କ ମନ୍ଦିରର ମୁଣ୍ଡି ମରା ଯାଇ ପାରୁନି। ଲାଙ୍ଗୁଳା ନରସିଂହଦେବ ତାଙ୍କ ଜନନୀଙ୍କ କଥା ରଖି ଚନ୍ଦ୍ରଭାଗା ସମୁଦ୍ର ନିକଟରେ ସୂର୍ଯ୍ୟ ଦେବଙ୍କ ପୂଜା ପାଇଁ କୋଣାର୍କ ମନ୍ଦିର ନିର୍ମାଣ କରୁଛନ୍ତି। ମନ୍ତ୍ରୀ ଶିବେଇ ସାମନ୍ତରାୟ ଏହାର ବୁଝାସୁଝା କରୁଛନ୍ତି। ଧରମା ବାଟ ପଚାରି ପଚାରି ଦିନେ ସଂଜ ବେଳେ ପହଞ୍ଚି ଯାଇଛନ୍ତି ଚନ୍ଦ୍ରଭାଗା ତୀରରେ, ଯେଉଁଠାରେ ଵାର ଶହ ବଢ଼େଇ ପଥର ମୂର୍ତ୍ତୀ ନିର୍ମାଣରେ ରାତି ଦିନ ଏକା କାର କରି ଦେଇ ଛନ୍ତି। ଏତେ ସଂଖ୍ୟକ ମହାରଣା ବଢ଼େଇ ଙ୍କ ମେଳରେ ବିଶୁ ମହାରଣା ଙ୍କୁ ତାଙ୍କ ପାଳିତ କୁକୁର ବଳିଆ ହିଁ ଚିହ୍ନାଇ ଥିଲା, ବାଡ଼ିର ବରକୋଳି ଚାଖି ବିଶୁ ମହାରଣା ଧରମାକୁ ଚିହ୍ନି ଅତି ଗେହ୍ଲାରେ ନିଜ ପାଖରେ ରଖି କାର୍ଯ୍ୟରେ ବ୍ୟସ୍ତ ରହିଲେ। ଏବେ ଏବେ ରାଜା ନରସିଂହ ଦେବ ଙ୍କ ଏକ କଡ଼ା ହୁକୁମ ଆସିଛି। ରାଜାଙ୍କର ନିର୍ଦ୍ଦେଶ ଏହା ଯେ ଆସନ୍ତା କାଲି ମନ୍ଦିରର ମୁଣ୍ଡି ମରା ନ ହୋଇ ପାରିଲେ ବାରଶହ ବଢ଼େଇ ଙ୍କ ମୁଣ୍ଡ କାଟ ହେବ। ଏତେ ଲମ୍ବା ବର୍ଷ ଅର୍ଥାତ ୧୬ ବର୍ଷର ରାଜସ୍ୱ ଏହି ମନ୍ଦିର କାର୍ଯ୍ୟରେ ବିନିଯୋଗ ହୋଇଛି, ତାହା ବିଫଳ ହୋଇ ଯିବ, ରାଜସ୍ୱର ବିପୁଳ କ୍ଷୟ କ୍ଷତି ଘଟିବ,ସ୍ଵଂୟ ରାଜାଙ୍କର ବଦନାମ ହେବେ। ତଡ଼ିତ ବେଗରେ ରାଜାଦେଶ ସମସ୍ତ ବଢ଼େଇ ମାନଙ୍କ ପାଖରେ ପହଞ୍ଚି ଯିବାରୁ ସମସ୍ତେ ମ୍ରିୟମାଣ ହୋଇ ପଡ଼ିଲେ। ବଢ଼େଇ କୁଳରେ ଭାଳେଣି ପଡ଼ିଗଲା। ବଢ଼େଇ କୁଳ ବିଶୁ ମହାରଣା ଙ୍କୁ ଭୟ ଓ ଆଶଙ୍କାରେ ଅନାଇ ରହିଲେ। ସମସ୍ତ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଧରମା ତାଙ୍କ ପିତା ବିଶୁ ମହାରଣା ଙ୍କ ସହିତ ସେହି ରାତ୍ରର ନିଶୁନ ପ୍ରହରରେ କଥା ହେଲେ ଏବଂ ପୁତ୍ର ହିସାବରେ ତାଙ୍କୁ ଯଦି ଅନୁମତି ଦିଅନ୍ତେ, ତେବେ ରାତ୍ର ନ ପାହିବା ପୂର୍ବରୁ ମନ୍ଦିର ମୁଣ୍ଡି ମରା ସମୂର୍ଣ୍ଣ ହୋଇ ପାରନ୍ତା। ବିଶୁ ମହାରଣା ପୁଅର କାର୍ଯ୍ୟ ଓ ନିଷ୍ପତ୍ତି ଉପରେ ବିଶ୍ୱାସ ସ୍ଥାପନ କରି ପାରୁନି, ବାଲ୍ୟ କାଳରେ ତାର ଜ୍ଞାନ ଗାରିମା ଓ ବଢ଼େଇ କାର୍ଯ୍ୟ ଉପରେ ନଜର ନ ଥିବାରୁ ଏଭଳି ଅବିଶ୍ୱାସ ମନରେ ଉଙ୍କି ମାରୁଛି। ସନ୍ଦେହ ର ଦୋ ଛକିରେ ଥାଇ ଧରମା କୁ ଅନୁମତି ଦେଲେ। ଶେଷରେ ଧରମା ମନ୍ଦିର ର ଚୂଳ ଉପରକୁ ଉଠେ, ହାତରେ ନିହଣ, କଳା କୁଶଳରେ ଭରପୂର ତାର ହାତ, ଅନ୍ଧାର ବେଳକୁ ବେଳ ଘନୀଭୂତ ହେଉଛି, ରାତ୍ରର ଘନ ଅନ୍ଧକାର ବକ୍ଷ ଭେଦି ନିହଣର ଶବ୍ଦକୁ ଵାର ଶହ ଶିଳ୍ପୀ ଶୁଣି ପାରୁଛନ୍ତି। ମନ୍ଦିରର ମୁଣ୍ଡି ମରା କାମ ସରିଲା, ନିହାଣ ଶବ୍ଦ ଆଉ ଶୁଭିଲା ନାହିଁ। ବିଶୁ ମହାରଣା ଙ୍କୁ ଖବର ଦିଆ ଗଲା ଯେ ରାତ୍ର ପାହିବାକୁ ଆହୁରି ଘଡ଼ିଏ ବାକି ଅଛି। ରାଜା ନିଜେ ଚନ୍ଦ୍ରଭାଗା ତୀରରେ ବିଜେ ହେବେ, ନିରୀକ୍ଷଣ କରିବେ। ବର୍ତ୍ତମାନ ଶିଳ୍ପୀ କୁଳ ବିଶୁ ମହାରଣା ଙ୍କୁ ଘେରି ରହିଛନ୍ତି ଏବଂ ପ୍ରଶ୍ନ ପଚାରୁଛନ୍ତି _ ବିଶୁଏ, ପୁଅରେ ଦାୟ ନା ବାରଶ ବଢ଼େଇ ରେ ଦାୟ। ନିଷ୍ପତ୍ତି ଯଦି ପୁଅରେ ହେବ, ତେବେ ବାରଶ ବଢ଼େଇ ଙ୍କ ମାନ ଓ ସମ୍ମାନ ଭୂଲୁଣ୍ଠିତ ହେବ। ମନ୍ଦିର ମୁଣ୍ଡି ମରା ପରେ ଧରମା ସେଇ ଠାରେ ହିଁ ଜଣାଇ ଦେଲେ, ବାରଶ ବଢ଼େଇ ରେ ଦାୟ ଶିଳ୍ପୀ କୁଳ ଅମର ହେଉ, କୋଣାର୍କର ଗାରିମା ଦିଗନ୍ତ ବିସ୍ତାରିତ ହେଉ। ଏହା ହିଁ ଧରମାର ନିଷ୍ପତ୍ତି। ତାପରେ ସେ ମନ୍ଦିର ଚୂଡା ରୁ ଚନ୍ଦ୍ରଭାଗା ସମୁଦ୍ରର ଅତଳ ଗର୍ଭଲୁ ଲମ୍ପ ପ୍ରଦାନ କରି ନିଜର ଜୀବନ ହାରି କାଳ କାଳକୁ ନାମ ରଖି ଗଲେ। ସେ ଦିନର ବିଶୁ ମହାରଣାଙ୍କ ପୁଅ ଧରମା ଆଜି ଧର୍ମପଦ ହୋଇ କୋଣାର୍କର କୀର୍ତ୍ତି ଓ ଗାଥାର ଗୁରୁତ୍ୱ ବହନ କରୁଛି। ଧନ୍ୟ ସେ ଧରମା, ଧନ୍ୟ ତା ଶେଷ ନିଷ୍ପତ୍ତି।
