ରଥ ନିର୍ମାଣ: ଏକ ଦିବ୍ୟତାର ପ୍ରତୀକ
ରଥ ନିର୍ମାଣ: ଏକ ଦିବ୍ୟତାର ପ୍ରତୀକ
ଶ୍ରୀ ଜଗନ୍ନାଥ ହେଉଛନ୍ତି ଜଗତ ଠାକୁର, ସେ ବି ପତିତ ପାବନ। ଜଗତ ବାସୀଙ୍କ କଲ୍ୟାଣ ପାଇଁ ତାଙ୍କର ଲୀଳା ଖେଳା ଓ ଅବତାର ଗ୍ରହଣ। ସେ କେବଳ ଓଡ଼ିଆ ମାନଙ୍କ ପ୍ରାଣ ପ୍ରିୟ ଦେବତା ନୁହନ୍ତି, ବରଂ ସମଗ୍ର ବିଶ୍ୱରେ ଥିବା ପତିତ ମାନଙ୍କୁ ପାବନ କରିବା ସକାଶେ ସେ ବର୍ଷକୁ ଥରେ ପୁରୀ ବଡ ଦାଣ୍ଡରେ ରଥାରୂଢ଼ ହୋଇ ଦର୍ଶନ ଦିଅନ୍ତି। ଚାରି ଧାମ ମଧ୍ୟରୁ ନୀଳାଚଳ ଧାମ ପୁରୀ ହେଉଛି ଏକ ଶ୍ରେଷ୍ଠ ଧାମ , ଏହା ମଧ୍ୟ ପ୍ରଭୁ ଜଗନ୍ନାଥ ଙ୍କ ଭୋଗ କ୍ଷେତ୍ର। ବର୍ଷକ ବାର ମାସ ରେ ଏହି ପବିତ୍ର ଧାମରେ ତେର ପର୍ବ ଧୁମ ଧାମରେ ପାଳିତ ହୁଏ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଘୋଷ ଯାତ୍ରା ବା ରଥ ଯାତ୍ରା ଏକ ପ୍ରମୁଖ ଯାତ୍ରା। ଏଥି ପାଇଁ ତିନୋଟି ସୁସଜ୍ଜିତ ରଥର ନିର୍ମାଣ ର ଆବଶ୍ୟକତା ରହିଛି। ରଥ ନିର୍ମାଣ କାର୍ଯ୍ୟ କୁ ଏକ ଦିବ୍ୟତାର ପ୍ରତୀକ ଭାବେ ବିବେଚନା କରାଯାଏ। ତିନି ରଥ ର ସାରଥୀ, ଘୋଡ଼ା, ପାର୍ଶ୍ୱ ଦେବତା, କଳସ, ବ୍ରେକ କାଠ ଓ ରଥର ଠେଲା ବାଡ ଇତ୍ୟାଦି ପ୍ରତ୍ୟେକ ବର୍ଷ ନିର୍ମାଣ କରା ଯାଏ ନାହିଁ। ଯେଉଁ ବର୍ଷ ନବ କଳେବର ପଡ଼େ ସେହି ବର୍ଷ ରଥ ନିର୍ମାଣ ବେଳେ ଏ ସମସ୍ତ ନିର୍ମାଣ ହୁଏ। ରଥ ନିର୍ମାଣ ରେ ଯେଉଁ କାଠ ବ୍ୟବହୃତ ହୁଏ, ସେହି କାଠ ମଧ୍ୟରେ ଫାଶୀ, ଧରରା, ଅସନ ଇତ୍ୟାଦି ଅନ୍ୟତମ। ରଥର ତୁମ୍ଭ, ବଣ୍ଡା ଓ ଅଖ, ଗୟଳ ଓ ଅରମୁଣ୍ଡି ପାଇଁ ଏହି ସବୁ କାଠ ଗୁଡିକର ନିହାତି ଆବଶ୍ୟକ ପଡ଼େ। ଯେତେବେଳେ ରାଜା ରାଯୁଡ଼ା ଶାସନ ଥିଲା ସେତେବେଳେ ଏହି କାଠ ଦଶପଲ୍ଲା, ନୟାଗଡ଼ ଓ ରଣପୁର ଜଙ୍ଗଲରୁ ପୁରୀ ଧାମକୁ ଠାକୁର ରାଜାଙ୍କ ଆଜ୍ଞା ପାଳନ ପୂର୍ବକ ଯୋଗାଇ ଦିଆ ଯାଉ ଥିଲା। କିନ୍ତୁ ଏବେ ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ରଥ ନିର୍ମାଣ ପାଇଁ ସମସ୍ତ କାଠ ବିନା ମୂଲ୍ୟରେ ଶ୍ରୀ ମନ୍ଦିର ପ୍ରଶାସନକୁ ଯୋଗାଇ ଦିଅନ୍ତି। ରଥ କାଠ ପୁରୀରେ ଆସି ପହଞ୍ଚିବା ଓ ରଥ ନିର୍ମାଣ ରେ ବିଭିନ୍ନ ପର୍ଯ୍ୟାୟ ପାଇଁ କେତେକ ତିଥି ନିର୍ଦ୍ଧିଷ୍ଟ ବା ଧାର୍ଯ୍ୟ ହୋଇଛି। ଉଦାହରଣ ସ୍ୱରୂପ, ରଥ କାଠ ପୁରୀରେ ପହଞ୍ଚିବା ଅନୁକୂଳ ସମୟ ହେଉଛି ଶ୍ରୀ ପଞ୍ଚମୀ, କାଠ ଚିରା ଶ୍ରୀ ରାମ ନବମୀ , ରଥ ନିର୍ମାଣ ଅନୁକୂଳ ଅକ୍ଷୟ ତୃତୀୟା, ଚକ ତିଆରି ହୋଇ ଦିଅଁ ଙ୍କ ଆଜ୍ଞାମାଳ ଲାଗେ ଭଉଁରୀ ଦିନ, ଗୁଜ ଅନୁକୂଳ ନୃସିଂହ ଚତୁର୍ଦ୍ଦଶୀ, ଚାରି ନାହାକ ଡେରା ଅନୁକୂଳ ଦେବସ୍ନାନ ପୂର୍ଣ୍ଣିମା, ରଥ ଖଳାରୁ ସିଂହ ଦ୍ୱାର ଯାଏ ରଥ ଟଣା ହୋଇ ରହି ଥାଏ ରଥ ଯାତ୍ରା ପୂର୍ବ ଦିନ ଇତ୍ୟାଦି। ଶ୍ରୀ ବଳଭଦ୍ର ଙ୍କ ରଥର ନାମ ତାଳଧ୍ୱଜ, ମାଆ ସୁଭଦ୍ରା ଙ୍କ ରଥ ହେଉଛି ଦେବଦଳନ ଏବଂ ଶ୍ରୀ ଜଗନ୍ନାଥ ଙ୍କ ହେଉଛି ନନ୍ଦିଘୋଷ ରଥ। ଏହି ତିନୋଟି ରଥ ନିର୍ମାଣ ପାଇଁ ୧୦ ଜଣ ମହାରଣା ( ବଢ଼େଇ) ,୬ ଜଣ ଭୋଇ,୩ ଜଣ କମାର,୩ ଜଣ ସୂପକାର,୩ ଜଣ ଚିତ୍ରକର, ଓ ଜଣେ କରତି କାମ କରନ୍ତି। ଏ ମାନଙ୍କ ସେବା ବଂଶାନୁକ୍ରମିକ।୧୦ ଜଣ ମହାରଣା ଙ୍କୁ ସାହାଯ୍ୟ କରିବାକୁ ପ୍ରତ୍ୟେକ ରଥ ପାଇଁ ୨୦ ଜଣ ଲେଖାଏଁ ୬୦ ଜଣ ବଢ଼େଇ ରହନ୍ତି। ଏମାନଙ୍କୁ ଭାଇ ପୁଅ ହିସାବରେ ନିଆଯାଏ। କିନ୍ତୁ ଏମାନେ ବିଧିବଦ୍ଧ ସେବକ ନୁହନ୍ତି। ପ୍ରତ୍ୟେକ ରଥ ପାଇଁ ୪ ଲେଖାଏଁ ମୋଟ ସର୍ବାଧିକ ୧୨ ଟି ରଥ ଟଣା ଦଉଡ଼ି ଆବଶ୍ୟକ ପଡ଼େ। ପ୍ରତ୍ୟେକ ବର୍ଷ କିଛି କିଛି ନୂଆ ଦଉଡ଼ି କିଣା ହୁଏ। କେରଳ ସରକାରଙ୍କ କତା କର୍ପୋରେସନ ସହିତ ଯୋଗାଯୋଗ କରାଯାଇ ରଥ ଟଣା ଦଉଡ଼ି କିଣା ଯାଏ। ରଥ ଟଣା ଦଉଡ଼ି କତାରେ ତିଆରି ଓ ତୈଳାକ୍ତ। ଏହାର ଗୋଲେଇ ୮ ଇଞ୍ଚ ଓ ଲମ୍ବା ୨୫୦ ଫୁଟ। ରଥ ଟଣା ଦଉଡ଼ି ବ୍ୟତୀତ କେତେକ ଘେର ଦଉଡ଼ି ବି ଲୋଡ଼ା ହୁଏ। ଏହା ମଧ୍ୟ କତାରେ ତିଆରି କିନ୍ତୁ ତୈଳାକ୍ତ ନୁହେଁ। ଏହି ଦଉଡ଼ି ର ଗୋଲେଇ ୩ ଇଞ୍ଚ ଓ ଲମ୍ୱା ୨୫୦ ଫୁଟରୁ ୪୫୦ ଫୁଟ ଯାଏ ହୋଇଥାଏ। ବଡ ଠାକୁର ଙ୍କ ରଥ ତାଳଧ୍ୱଜ ରେ ନାଲି ଓ ସବୁଜ କନା ଲାଗେ। ଶ୍ରୀ ଜଗନ୍ନାଥ ଙ୍କ ରଥ ନନ୍ଦିଘୋଷରେ ନାଲି ଓ ହଳଦିଆ କାନା ଏବଂ ସୁଭଦ୍ରା ଙ୍କ ରଥ ଦେବଦଳନ ରେ ନାଲି ଓ କଳା କନା ଲାଗେ। ତାଳଧ୍ୱଜ, ନନ୍ଦିଘୋଷ ଓ ଦେବଦଳନ ରଥ ମାନ ଯଥାକ୍ରମେ ୧୪,୧୬ ଓ ୧୨ ଚକ ବିଶିଷ୍ଟ। ଚକର ଉଚ୍ଚତା ଯଥାକ୍ରମେ ୬ ଫୁଟ ୬ ଇଞ୍ଚ,୬ ଫୁଟ ଓ ୬ ଫୁଟ ୮ ଇଞ୍ଚ। ରଥର ଉଚ୍ଚତା କଳସ ଠାରୁ ଭୂମି ଯାଏ ହେଲା ତାଳଧ୍ୱଜ ର ୪୬ ଫୁଟ ୪ ଇଞ୍ଚ, ନନ୍ଧିଘୋଷ ର ୪୫ ଫୁଟ ୧୧ ଇଞ୍ଚ, ଓ ଦେବୀଦଳନ ର ୪୨ ଫୁଟ। ରଥର ନିର୍ମାଣ ପରେ ରଥ ଯାତ୍ରା ପାଇଁ ରଥ ଗୁଡ଼ିକ ଯାନ୍ତ୍ରିକ ଦୃଷ୍ଟିରୁ ଉପଯୁକ୍ତ ବୋଲି ପୁରୀ ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମଧ୍ୟ ଫିଟନେସ ସାର୍ଟିଫିକେଟ ପ୍ରଦାନ କରନ୍ତି। ସେ ବିଭିନ୍ନ ସମୟରେ ମଧ୍ୟ ରଥ ନିର୍ମାଣ କାର୍ଯ୍ୟ ତଦାରଖ କରିଥାନ୍ତି। ଶ୍ରୀ ମନ୍ଦିର ପ୍ରଶାସନ, ସହକାରୀ ପ୍ରଶାସନ ରଥ ନିର୍ମାଣ, ରଥ କାଠ ଆସିବା ଓ ମହାରଣା ଏବଂ ଲୋକ ମାନଙ୍କ ମଜୁରୀ ତଥା ଅନ୍ୟାନ୍ୟ ପ୍ରାପ୍ୟ ପାଉଣା କଥା ବୁଝି ଥାନ୍ତି। କହିବାକୁ ଗଲେ ଅକ୍ଷୟ ତୃତୀୟା ଦିନ ଠାରୁ ରଥ ନିର୍ମାଣ ଅନୁକୂଳ ହୋଇ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଟି କାର୍ଯ୍ୟ ଏକ ଦିବ୍ୟ ପରିବେଶରେ ହିଁ ହୋଇ ଥାଏ। ମହାପ୍ରଭୁ ହିଁ ତାଙ୍କ କାମ କରନ୍ତି, ସେବକ ମହାରଣା ନିମିତ୍ତ ମାତ୍ର । ଏହି ଦିବ୍ୟ କାର୍ଯ୍ୟ ଚାଲୁ ଥିବ ଯେ ପର୍ଯ୍ୟନ୍ତ ନୀଳାଚଳ ଧାମ ରେ କାଳିଆ ସାଆନ୍ତ ବିଜେ ରହିଥିବେ,। ଭକ୍ତ ଓ ଭଗବାନଙ୍କ ମିଳନ ଘଟୁଥିବ, ଶରଧା ବାଲି ଭକ୍ତ ମୟ ହୋଇ ପଡୁଥିବ, ଶ୍ରୀ ମନ୍ଦିର ନେତ ଫର ଫର ହୋଇ ମହାନନ୍ଦେ ଉଡୁଥିବ, ଏମିତି କେତେ କଣ କଳ୍ପନା ସାଧାରଣ ଭକ୍ତ ଟିଏ କରୁଥିବ ଏବଂ ଗଦଗଦ ଭାବେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି କହୁଥିବ, ହେ ମହାବାହୁ, ତୁମ ରଥ ଏମିତି ନିର୍ମାଣ ଚାଲିଥାଉ ଯୁଗ ଯୁଗାନ୍ତର ପାଇଁ। ,,,,
