STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ସ୍ୱପ୍ନ ମୟ ଜୀବନ କିଛି ପୁରା କିଛି ଅଧୁରା

ସ୍ୱପ୍ନ ମୟ ଜୀବନ କିଛି ପୁରା କିଛି ଅଧୁରା

5 mins
1

 ମଣିଷ କିଛି ଧାର୍ଯ୍ୟ ଓ ସ୍ଥିରୀକୃତ ଆୟୁଷ ନେଇ ଏହି ଜଗତରେ ଜନ୍ମ ନିଏ, ନିଜର ଅଭିନୟ ସରିଗଲେ ତାର ଜନ୍ମ ସରିଯାଏ। ସେ ମରଣ ଲଭେ। ସଂସାର ଯାତ୍ରାରୁ ଅପସରି ଯାଏ। ଏହି ପ୍ରକ୍ରିୟା ସୃଷ୍ଟିର ନିୟମ ଓ ଏହା ଏ ପର୍ଯ୍ୟନ୍ତ କ୍ରମାଗତ ଭାବେ କାର୍ଯ୍ୟ କରି ଆସୁଅଛି। ହିସାବକୁ ନେଲେ କେତେ ମଣିଷ ଜନ୍ମ ନେଇ ଛନ୍ତି ଓ ବିଦାୟ ବି ନେଇ ଛନ୍ତି। ମଣିଷ ମାତ୍ରକେ କଳ୍ପନା ବିଳାସୀ, ସେ ସ୍ୱପ୍ନ ଦେଖେ , ଜୀବନରେ ଦେଖୁ ଥିବା ସବୁ ସ୍ବପ୍ନ କଦାପି ପୂରଣ ବା ସାକାର ହୁଏନା। ଗୋଟିଏ ଗୋଟିଏ ସ୍ୱପ୍ନ ସାକାର ହେବାକୁ ଜୀବନର ଆୟୁଷ ସମାପ୍ତ ହୋଇ ଯାଏ, ତେଣୁ କିଛି ସ୍ୱପ୍ନ ପୂରା ହୋଇଥିବା ବେଳେ ଆଉ କିଛି ଅଧୁରା ରହିଯାଏ। ଭଙ୍ଗା ଗଢ଼ା ର ଜୀବନ, ଛାଇ ଆଲୁଅର ଲୁଚକାଳି ଖେଳ ଏ ଜୀବନ। ପ୍ରତ୍ୟେକ ବର୍ଗ, ପ୍ରତି ବୟସର, ପିଲାଟି ଠାରୁ ବୁଢ଼ା ପର୍ଯ୍ୟନ୍ତ ସ୍ୱପ୍ନ ଦେଖନ୍ତି, ନିୟତି ର ଇଚ୍ଛା ହିଁ ସର୍ବଦା ବଳବତ୍ତର ରହେ। ବଡ କଥା ହେଉଛି କିଏ କେତେ ପରିମାଣରେ ନିଜକୁ ସ୍ୱ ନିୟନ୍ତ୍ରଣ ରେ ରହି ସ୍ୱପ୍ନ ଗୁଡିକୁ ସାକାର କରିବାକୁ କେମିତି ଚେଷ୍ଟା କରୁଛନ୍ତି , ତାହା ନିରୀକ୍ଷଣ କରିବା ର କଥା। କେବଳ ସ୍ଵପ୍ନ ଦେଖିଲେ ତାହା ପୂରଣ ହୁଏ ନାହିଁ, ଅଦ୍ୟମ ଚେଷ୍ଟା କରିବାକୁ ହେବ। ମନେ ରଖିବା କୁ ପଡିବ ଯେ ରୋମ ନଗରୀ ଗୋଟିଏ ରାତିରେ ଗଢ଼ା ଯାଏନି। ଦିନେ କଟକ ଚିନ୍ତା ବାଇ ମୁଣ୍ଡି ର ଥିଲା , ହେଲେ କାଠ ଯୋଡ଼ିର ସେତୁ ନିର୍ମାଣ ପରେ କୁହା ଗଲା ଯେ କଟକ ବାସୀଙ୍କ ସ୍ୱପ୍ନ ସାକାର ହୋଇଛି। ଦିନେ ହଠାତ ବାଟରେ ଜଣେ ପ୍ରାକ୍ତନ ବନ୍ଧୁଙ୍କୁ ଦେଖା ହୋଇ ଗଲା। ନିଜର ଅଧ୍ୟାପନା ବୃତ୍ତିରୁ ସେବା ନିବୃତ୍ତ ହେବାର ଆଠ ବର୍ଷ ସମ୍ପୂର୍ଣ୍ଣ ହେଲାଣି। ଦେଖା କରି ବଡ ଖୁସି ହେଲେ, କିନ୍ତୁ ମନଟା ତାଙ୍କର ବଡ ଉଦାସିଆ ଲାଗିଲା। ପଚାରିଲି, ବଂଧୁ, ଅବସର ତ ନେଲ, ମାସିକ ପେନସନ ରାଶି ସୁବିଧାରେ ବି ପାଉଛ, ତେବେ ଅନ୍ୟ କିଛି ସମସ୍ୟା ଅଛିକି? ବଡ ଉଦାସ ଜଣା ପଡୁଛି। ସେ ତାଙ୍କର କଥା ଗପିବାକୁ ଆରମ୍ଭ କରି କହିଲେ, ସବୁ ଠିକ, କେବଲ ସାନ ପୁଅଟି ବାହା ନ ହେବାକୁ ଜିଦ୍ ଧରିଛି। ଯେତେ ବୁଝାଇଲେ ଜମାରୁ ବୁଝୁ ନାହିଁ। ଇଶ୍ଵର ସବୁ ସ୍ବପ୍ନ ପୂରଣ କରିବାକୁ ମୋତେ ସୁଯୋଗ ଦେଲେ, କିନ୍ତୁ ଏଇ ପୁଅଟି ପାଇଁ ମୋର ଅବସର ଗ୍ରହଣ ପରର ଜୀବନ ବଡ ଦୁଃଶ୍ଚିନ୍ତା ଭିତରେ ଗତି କରୁଛି। ଏ ଥିଲା ଜଣେ ବନ୍ଧୁଙ୍କ ଉତ୍ତର। ସମାଜର ପ୍ରତିଟି ମଣିଷ ପାଇଁ ଏମିତିକା ଅନେକ ସମସ୍ୟାକୁ ଯଦି ତର୍ଜମା କରିବା ତେବେ ଏହା ଏକ ବିଶାଳ ପୋଥି ହେବ। ନିଜ କଥା ବ୍ୟତୀତ ଆଉ କାହା କଥାରେ ମୁଣ୍ଡ ପୁରାଇବାକୁ ସମୟ ନାହିଁ। ମଣିଷର ସ୍ଵପ୍ନ ବିଳାସୀ ମନ ଭାଙ୍ଗି ଯାଏ। କିଛି ସ୍ୱପ୍ନ ପୂରା ହୋଇଥିବା ବେଳେ ଆଉ କିଛି ଅଧୁରା ରହିଯାଏ ଏହାହିଁ ପ୍ରତି ମଣିଷର ନିୟତି। କେଡ଼େ ସୁନ୍ଦର ସତ୍ୟ ଟିଏ, ସମସ୍ତେ ଗ୍ରହଣ କରି ନେବା ଉଚିତ । ଯେତିକି ଦିନ ବଞ୍ଚିବା ଭଲରେ ବଞ୍ଚିବା, ନିରର୍ଥକ ଜୀବନରେ କିଛି ଲାଭ ନ ଥାଏ। ଏହି ସତ୍ୟ ସୂଚାଏ ଯେ ଇଶ୍ଵର ଯାହା ଦେଇଛନ୍ତି ତାହା ଆମେ ଅତି ସହଜରେ ଓ ସରଳ ଜୀବନ ଜୀଇଁ ପାରିବା। ସୀମିତ ସମ୍ବଳ ର ସୀମା ମଧ୍ୟରେ ରହି ଅନେକ ସ୍ୱପ୍ନ ସାକାର ହେବାକୁ ଚେଷ୍ଟା କରିବା ଉଚିତ। ଦୁର୍ବାର ଓ ଅସମ୍ଭବ ସ୍ୱପ୍ନ ଠାରୁ ଦୂରେଇ ଯାଇ ଜଣେ ସାଧାରଣ ମଣିଷ ଭାବେ ସମାଜରେ ଚଳି ଅନ୍ୟ ମାନଙ୍କୁ ସମ୍ୟକ ସେବା ଯୋଗାଇ ଦେଇ ସ୍ମରଣୀୟ ତ ହୋଇ ପାରିବା? କହି ରଖିବାକୁ ଚାହେଁ ପ୍ରତ୍ୟେକ ମଣିଷ ଙ୍କ ନିକଟରେ କିଛି ନା କିଛି ଭଲ ଗୁଣ ରହିଛି। ଧରାଯାଉ ଜଣେ ବ୍ୟକ୍ତି ସେ ପୁରୁଷ କିମ୍ବା ମହିଳା ହୁଅନ୍ତୁ, ଭଲ ଲେଖା ଲେଖି କରନ୍ତି। ସୃଜନଶୀଳତାର ବିକାଶ ପାଇଁ ସେ ସେବା ପ୍ରଦାନ କରି ପାରିବେ। ଜଣେ ବୁଣାକାର ହସ୍ତତନ୍ତ୍ର ବ୍ୟବହାର କରି ଉତ୍ତମ ବସ୍ତ୍ର ଯୋଗାଇ ଦେଇ ପାରିବ। ଜଣେ ସଫଳ ଚାଷୀ ଫସଲ ଉପୁଜାଏ, ଜଣେ ସୈନିକ ଦେଶ ସେବା କରିବାର ସଂକଳ୍ପ ନିଏ, ବିଶ୍ୱ ବିଦ୍ୟାଳୟର ଜଣେ ଦକ୍ଷ ପ୍ରଫେସର ତାର ଶିକ୍ଷା ଦାନ ମାଧ୍ୟମରେ ଦେଶର ଭବିଷ୍ୟତ ନାଗରିକ ମାନଙ୍କୁ ଗଢ଼ି ପାରେ, ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ଦେଶକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ଦୃଢ ମନା ହୋଇ ପାରନ୍ତି। ବିଚାରପତି ମାନେ ବିଭିନ୍ନ ନ୍ୟାୟାଳୟ କ୍ଷେତ୍ରରେ ଉତ୍ତମ ଓ ନିରପେକ୍ଷ ନ୍ୟାୟ ପ୍ରଦାନ କରି ନ୍ୟାୟପାଳିକାର ଗୌରବକୁ ଅକ୍ଷୁର୍ଣ୍ଣ ରଖି ପାରନ୍ତି। ମନେ ରଖିବାକୁ ପଡିବ ଆମ ସମାଜରେ କୌଣସି କର୍ମ ବଡ ନୁହେଁ କି ଛୋଟ ନୁହେଁ। ପ୍ରତ୍ୟଗୁରୁତ୍ୱ ରହିଛି। ଆମେ ନିଜ ନିଜର ଶକ୍ତି ତଥା ସାମର୍ଥ୍ୟ ଅନୁଯାୟୀ ଯେ କୌଣସି କର୍ମ କରି ସମାଜକୁ ସେବା ଯୋଗାଇ ଦେଇ ପାରିବା। ଏଥିରେ ପରମାର୍ଥିକ ଆନନ୍ଦ ଅଛି। ଫଳରେ ଜୀବନ ସୁଖ ମୟ ଓ ମଧୁମୟ ତଥା ଅମୃତମୟ ହୋଇ ପାରିବ। ବହୁ ସ୍ୱପ୍ନ ପୂରା ନ ହେଲେବି ଏହି ଦିବ୍ୟ କାର୍ଯ୍ୟ ମନରେ ପ୍ରଶାନ୍ତି ଭରି ଦେବ। କବି, କଳାକାର, ଶିଳ୍ପୀ, ଶିଳ୍ପପତି, ଲେଖକ, ଔପନ୍ୟାସିକ, ଦେଶୀ ଓ ବିଦେଶୀ ଗୁଣଗ୍ରାହୀ ସମସ୍ତେ କୋଣାର୍କର କୀର୍ତ୍ତି ଓ କୃତି କୁ ପ୍ରଶଂସା କରନ୍ତି। ଏହି ମନ୍ଦିର ନିର୍ମାଣ ପଛରେ ଥିବା ବାରଶହ ବଢ଼େଇ ଙ୍କ ଅବଦାନ ଓ ଧର୍ମପଦଙ୍କ ଅସୀମ ତ୍ୟାଗ ରହିଛି, ଏହା ଆଦୌ ଭୁଲି ଯିବା ଉଚିତ ନୁହେଁ। ଚିନ୍ତା କରନ୍ତୁ ତ, ଵାର ଶହ ଶିଳ୍ପୀ ଦୀର୍ଘ ବର୍ଷ ର ସାଧନା ଓ ନିଷ୍ଠା ବଳରେ ଏହି ମନ୍ଦିରକୁ ବିଶ୍ୱର ସପ୍ତ ଆଶ୍ଚର୍ଯ୍ୟ ମଧ୍ୟରେ ଏକ କରି ଗଢି ପାରିଥିଲେ, ଏ କମ୍ ବଡ କଥା ନୁହେଁ। ସେହି ଶିଳ୍ପୀ ମାନେ ନିଜ ନିଜର ଯୌବନ କୁ ତିଳ ତିଳ କରି ଚନ୍ଦ୍ରଭାଗା ତୀରରେ ବିତାଇ ଛନ୍ତି, ସେହି ସମୟ ହିଁ ସାକ୍ଷୀ ରହିଛି। ଅବଶ୍ୟ ରାଜା ନରସିଂହ ଦେବ ପ୍ରଜା ମାନଙ୍କ ରାଜ୍ୟସ୍ଵ ବିନିଯୋଗ କରି ନାଁ କମାଇଛନ୍ତି, ମନ୍ତ୍ରୀ ଶିବେଇ ସାନ୍ତରା ସହଯୋଗ କରିଥିଲେ। ଏସବୁ ଭିତରେ ଆମକୁ ଏହାର ପ୍ରଛଦ ପଟର କଳାକାର ଓ ଶିଳ୍ପୀ ମାନଙ୍କ ଅସୀମ ତ୍ୟାଗ ଓ ଧୈର୍ଯ୍ୟ ରହିଛି। ସେହି ମାନଙ୍କ ବ୍ୟକ୍ତିଗତ ସ୍ୱପ୍ନ ରାଜକୀୟ ସ୍ୱପ୍ନ ସହିତ ଏକାକାର ହୋଇଯାଇଛି। ଷୋହଳ ବର୍ଷ ଧରି ପରିଶ୍ରମ ଶେଷରେ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣର ସ୍ୱପ୍ନ ସାକାର ହୋଇ ପାରିଲା । କେତେ ଯୁଗ ଗଲାଣି, ସେ ରାଜା ନରସିଂହ ଦେବ ଓ ମନ୍ତ୍ରୀ ଶିବେଇ ସାମନ୍ତରାୟ ଆଉ ନାହାନ୍ତି କି ସେହି ବାରଶ ବଢ଼େଇ ଆଉ ବଞ୍ଚି ନାହାନ୍ତି। ସବୁ କାଳ ଗର୍ଭରେ ମିଶି ଯାଇଛି। ହେଲେ କୋଣାର୍କ ମନ୍ଦିର ଏବେବି ଜୀବିତ ରହି ସେହି ମଣିଷ ମାନଙ୍କୁ ମନେ ପକାଇ ଝୁରି ହେଉଛି। ସାମୂହିକ ଚେଷ୍ଟା କେବେ ବିଫଳ ହୁଏନା। ସାମୂହିକ ସ୍ୱପ୍ନ କେବେ ଫସର ଫାଟେନା। ସ୍ୱପ୍ନ ଦେଖୁଥିବା ମଣିଷ ପାଇଁ ରାତି ପାହି ଯାଏ ସିନା କିନ୍ତୁ ସ୍ୱପ୍ନ ସରେ ନାହିଁ। ଆମକୁ ବାସ୍ତବ ବାଦୀ ହେବାକୁ ପଡ଼ିବ। ପ୍ରତିଦିନ ବିଛଣାରୁ ଉଠି ପୁଣି ରାତିରେ ବିଛଣା କୁ ଯିବା ପର୍ଯ୍ୟନ୍ତ ଯେଉଁ ଗୋଟିଏ ଦିନର ଦିନଲିପି ବୋଲି କୁହାଯାଏ ତାହାକୁ ନିଜ ହାତ ମୁଠାରେ ନିୟନ୍ତ୍ରଣ କରି ରଖିବାକୁ ପଡିବ। ଛୋଟ ଛୋଟ କାମ ଧରି ବହୁ ଲୋକଙ୍କୁ ସେବା ଯୋଗାଇ ଦେଇ ପାରିବା। ଆମର ସ୍ଵପ୍ନ ହେଉ ନିକଟସ୍ଥ ସମାଜ ଓ ତହିଁରେ ବାସ କରୁଥିବା ଲୋକଙ୍କ ସେବା କରିବା। ପ୍ରତି ଦିନର ଭାବନାରେ ଏହା ରହୁ। ଧୀରେ ଧୀରେ ଆଗକୁ ବଢ଼ିବା, ଅନେକ ବାଧା ବିଘ୍ନ ଓ ପ୍ରତିରୋଧ ଆସିବ, ସେଗୁଡ଼ିକ କ୍ଷଣସ୍ଥାୟୀ, ଆସିବେ ଓ ଯିବେ, କିନ୍ତୁ କାର୍ଯ୍ୟରତ ମଣିଷ ଜଣ ଙ୍କ ନିଜକୁ ନିଜ କର୍ମରେ ଅଚଳ ଓ ଅଟଳ ରହି ଆଗକୁ ଯାଇ ପାରିଲେ ସେ ଦେଖୁଥିବା ସ୍ୱପ୍ନ ସାକାର ହୋଇ ପାରିବ। ଯେତେ ସବୁ ବଡ ଲୋକ ଓ ମହାପୁରୁଷ ମାନେ ଛୋଟ କାମ କରିବା ଆରମ୍ଭ କରି ଲୋକଙ୍କ ନିକଟତର ହୋଇଥିଲେ। ସମୟ, ଧୈର୍ଯ୍ୟ ଓ ନିଷ୍ଠାପର ଉଦ୍ୟମ ପ୍ରତି ମଣିଷ ର ଦେଖୁଥିବା ସ୍ୱପ୍ନକୁ ସମୟ ଅନୁଯାୟୀ ସାକାର କରିପାରିବ। ଜୀବନ ସ୍ଵପ୍ନମୟ ହେଲେ ହେଁ କିଛି ସ୍ୱପ୍ନ ପୂରା ହୁଏ କିଛି ଅଧୁରା ରହିଯାଏ। ,,,,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action