କୁଆଁରୀ ମା
କୁଆଁରୀ ମା
କଦବା କେମିତି ଉଭୟଙ୍କ ଦେଖା ହୁଏ ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀ ବିହାର ର ଗ୍ଲାସ କ୍ୟାଣ୍ଟିନ ଭିତରେ। କନକ ମଞ୍ଜରୀ ଗୋଟିଏ ପଟେ ସକାଳର ଜଳଖିଆ ଖାଉଥିବା ବେଳେ, ଅନ୍ୟ ପଟେ ବସି ଚା ପାନରେ ଥାନ୍ତି ଦେବବ୍ରତ। କନକ ମଞ୍ଜରୀ ରାଉତ ଓ ଦେବବ୍ରତ ପ୍ରଧାନ, ଉଭୟ ରାଜନୀତି ବିଜ୍ଞାନ PG ର ଶେଷ ବର୍ଷ ର ଛାତ୍ର ଓ ଛାତ୍ରୀ। ପ୍ରଥମ ଦେଖାରେ ପରସ୍ପର ମଧ୍ୟରେ କେବଳ ଚାହିଁ ଚାହିଁ ରେ କିଛି ଦିନ ବିତିଯାଏ। ସକାଳ ଭୋଜନ ପରେ ଯେ ଯାହାର ହଷ୍ଟେଲ କୁ ଚାଲି ଯାଆନ୍ତି। ଏହି ଦେଖା ଚାହାଁ ପ୍ରେମର ପ୍ରଥମ ସୁରାକ ହିଁ ଆଣିଥିଲା। ପୁଣି ଦେଖା ହୁଅନ୍ତି ଶ୍ରେଣୀ ପ୍ରକୋଷ୍ଠରେ। ଯଦିଓ ଭାବ ବିନିମୟ ନ ଥାଏ, ତଥାପି ଅନେକ କ୍ଷେତ୍ରରେ ଚାରି ଚକ୍ଷୁ ର ମିଳନ ହୁଏ। ବଡ ନୀରବ ଭାବେ ଦିନ ଗୁଡ଼ିକ କେମିତି ବହି ଯାଏ ଉଭୟଙ୍କ ଅଲକ୍ଷ୍ୟରେ। ଜଣା ପଡ଼େନି। ଅତି ନିକଟତର ହେବା କୁ ଚେସ୍ଟା କରନ୍ତି। ହଠାତ ଦିନେ ପରଜା ଲାଇବ୍ରେରୀ ରେ ଦୀର୍ଘ ସମୟ ଧରି ଏକାଠି ବସି ଥିବାର ଆବିଷ୍କୃତ ହୁଅନ୍ତି। ପାଠାଗାର ବନ୍ଦ ହେବା ସମୟ ହୋଇ ସାରି ଥାଏ। ଗ୍ରନ୍ଥାଗାରିକ ଙ୍କ ଡାକରେ ଉଭୟେ ସଚେତନ ହେଲେ ଏବଂ ତାଙ୍କୁ କ୍ଷମା ଭିକ୍ଷା କରି ଯେ ଯାହାର ହଷ୍ଟେଲ କୁ ପ୍ରସ୍ଥାନ କଲେ। ପ୍ରେମ ଓ ଯୌବନ କୌଣସି ପ୍ରତିବନ୍ଧକ ମାନେନା। ସେଥିପାଇଁ ତ କୁହାଯାଏ ଯୌବନ ହେଉଛି ବଡ ବିଷମ କାଳ। କନକ ମଞ୍ଜରୀ ଓ ଦେବବ୍ରତ ଦୈହିକ ପ୍ରେମର ଦୁର୍ବଳତା ପାଇଁ ସବୁ କିଛି ଭୁଲି ଯାଆନ୍ତି। ପରବର୍ତ୍ତୀ ପରିଣାମ କଣ ହେବ ସେଥି ପ୍ରତି ଧ୍ୟାନ ରଖନ୍ତି ନାହିଁ। ସତ୍ୟ କେବେ ଲୁଚି ରହେନା। ଆପେ ଆପେ ପ୍ରଘଟ ହୋଇଯାଏ। ବାଣୀ ବିହାର ସାରା ତାଙ୍କ କଥା ଚର୍ଚ୍ଚା ହୁଏ। ସେମାନଙ୍କ ପାଇଁ କିଛି ଫରକ ପଡେନି। ଏବେ ଶେଷ ବର୍ଷର ସେମିନାର ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଭୟ ଦିନେ ସେହି ଗ୍ଲାସ କାଣ୍ଟିନି ରେ ଶପଥ ନେଲେ ଯେ ପରୀକ୍ଷା ନ ସରିବା ପର୍ଯ୍ୟନ୍ତ କେହି କାହା ସହିତ ଜଡିତ ହେବେ ନାହିଁ। ଅବାଧ ମିଳାମିଶା ର ଭଟ୍ଟା ପଡ଼ିଯାଏ। କିନ୍ତୁ ପଞ୍ଚମ ବର୍ଷ ର ଅଧ୍ୟୟନ ସମୟରେ କନକ ମଞ୍ଜରୀ ଓଡ଼ିଶା ସଚିବାଳୟ ସେବା ନିମନ୍ତେ ଗୃହ ବିଭାଗ ପକ୍ଷରୁ ହୋଇଥିବା ଏକ ଆସିଷ୍ଟାଣ୍ଟ ପଦ ପାଇଁ ପରୀକ୍ଷା ଦେଇ ଥିଲେ। ବର୍ଷେ ବିତି ଗଲାଣି। ତାର ଫଳାଫଳ ପ୍ରକାଶିତ ହୋଇନି। ଏହି କଥା ସେ ଆଜି ପର୍ଯ୍ୟନ୍ତ କାହାକୁ କହିନି। ସେମି ଷ୍ଟାର ପରୀକ୍ଷା ଶେଷ ହେଲା। ଏହାର ଫଳାଫଳ ପ୍ରକାଶିତ ହେବାକୁ ଆହୁରି କିଛି ମାସ ସମୟ ଲାଗିବ। କନକ ମଞ୍ଜରୀ ସ୍ଥିର କରନ୍ତି ଯେ ହଷ୍ଟେଲ ରେ ରହି ଖର୍ଚ୍ଚାନ୍ତ ହେବାର ଆଉ ଆବଶ୍ୟକତା ନାହିଁ। ତେଣୁ ନିଜ ଗ୍ରାମ ସୁବଳୟା କୁ ଫେରିଯିବେ। ଗ୍ରାମରେ ତ ବାପା ମାଆ ଙ୍କ ଛଡ଼ା ଆଉ କେହି ନାହାନ୍ତି। ନିଜର ଭାଇ କେହି ନାହାନ୍ତି। ସେ ଏକମାତ୍ର ଝିଅ ଭାବେ ସମସ୍ତ ସ୍ନେହ ଓ ଆଦର ର ଅଧିକାରିଣୀ ହୋଇଛନ୍ତି। ବାପା ଜଣେ ସଫଳ ଚାଷୀ ଭାବେ ତାଙ୍କର ରୋଜଗାରକୁ କନକ ମଞ୍ଜରୀ ଙ୍କ ଉଚ୍ଚ ଶିକ୍ଷା ରେ ହିଁ ବିନିଯୋଗ କରନ୍ତି। ଅପର ପକ୍ଷେ ଦେବବ୍ରତ ପ୍ରଧାନ ମଧ୍ୟ କେନ୍ଦ୍ରାପଡ଼ା ର ଚାନ୍ଦୋଳ ଗ୍ରାମର ବାସିନ୍ଦା। ସାତ ଭାଇ ଭଉଣୀ ମାନଙ୍କ ମଧ୍ୟରେ ସେ ହେଉଛନ୍ତି ସାନ ମଝିଆ। ତାଙ୍କ ବାପାଙ୍କ ଜମିବାଡ଼ି ରେ ସମଗ୍ର ପରିବାର ସୁନ୍ଦର ଭାବରେ ପ୍ରତି ପାଳିତ ହୁଅନ୍ତି। ସେ ବି ମନସ୍ଥ କରିଛନ୍ତି ନିଜ ଗ୍ରାମକୁ ଫେରିଯିବେ। ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ପୁଣି ସେହି ଗ୍ଲାସ କ୍ୟାଣ୍ଟିଁନ ପରିସରରେ ଉଭୟ ଦେଖା ହୁଅନ୍ତି। ଅନ୍ତରଙ୍ଗ ଆଳାପ ଆଲୋଚନା କରନ୍ତି। କଥା ଛଳରେ କନକ ମଞ୍ଜରୀ କୁହନ୍ତି, ଯଦି ତୁମର ସନ୍ତକ ତାଙ୍କ ଗର୍ଭରେ ସ୍ଥାନ ପାଆନ୍ତି, ତେବେ ତାହାଙ୍କୁ ପରିଚୟ ଦେବା ପାଇଁ ପ୍ରସ୍ତୁତ ତ ? ଏହି କଥାରେ ଦେବବ୍ରତ ଘାବରେଇ ଗଲେ ଓ ବହୁ ସମୟ ନୀରବ ରହିଲେ, ପାଟିରୁ ବଚନ ସ୍ପ୍ରୁରିଲା ନାହିଁ। ତାପରେ ପ୍ରସଙ୍ଗ ବାଆଁ ରେଇ ଅନ୍ୟ ପ୍ରସଙ୍ଗକୁ ଗଲେ। ସନ୍ଧ୍ୟା ଆଗମନ ପୂର୍ବରୁ ଉଭୟ ନିଜ ନିଜର ହଷ୍ଟେଲକୁ ବାହୁଡ଼ି ଗଲେ। ରାତି ପାହି ସକାଳ ହେଲା। କନକ ମଞ୍ଜରୀ ନିଜ ପ୍ରସ୍ତୁତିରେ ନିଜ ଗ୍ରାମକୁ ଫେରିଗଲେ। ସେହି ଦିନ ଠାରୁ ପରସ୍ପର ଆଉ କଥା ବାର୍ତ୍ତା ହୋଇ ନାହାନ୍ତି କି କେଉଁଠି ସାକ୍ଷାତ ହେବାର ଅବସର ପାଇ ନାହାନ୍ତି। କନକ ମଞ୍ଜରୀ ନିଜ ଗ୍ରାମରେ ଓ ନିଜ ଗୃହରେ ରହିବାର ତିନି ମାସ ବିତି ଗଲାଣି। ମୁଣ୍ଡ ଟିକେ ଭାରି ଭାରି ମାଗୁଛି, ବାନ୍ତି ବି ହେଉଛି। କିନ୍ତୁ ତାଙ୍କ ମାଆ ଙ୍କ ଦୃଷ୍ଟିରେ ଏହି ଲକ୍ଷଣ ସବୁ ଧୀରେ ଧୀରେ ଗୋଚର ହେଲାଣି। କୌଣସି କଥା ନ ଲୁଚାଇ ମାଆ ଙ୍କୁ ସବୁ ସତ କଥା କହି ଦେଲେ। ଯେତେ ବୁଝାଇଲେ ମଧ୍ୟ ଗର୍ଭ ନଷ୍ଟ କରିବାକୁ ଆଦୌ ଚାହିଁଲେ ନାହିଁ। ବାପାଙ୍କ କାନକୁ କଥା ବି ଗଲାଣି। ଗୋଟିଏ ବୋଲି ତ ଝିଅ, କହିବେ କାହାକୁ? ଧୀରେ ଧୀରେ କଥାଟି ସାଇ ପଡ଼ିଶା ସମସ୍ତେ ଜାଣି ଗଲେଣି। ଖବର ପଠାଗଲା ଦେବବ୍ରତ ଙ୍କୁ, କିନ୍ତୁ ତାଙ୍କ ଘରେ ଏହି ପ୍ରସଙ୍ଗକୁ କେହି ବି ସ୍ୱୀକାର କଲେନି। ଦେବବ୍ରତ ବି ବଡ ଧୋକା ଦେଲେ। ସୁବଳୟା ଗ୍ରାମରେ ସମସ୍ତେ ଏବେ ଟାହି ଟାପରା ଆରମ୍ଭ କରି କନକ ମଞ୍ଜରୀ ଙ୍କୁ କୁଆଁରୀ ମା ବୋଲି ତାତ୍ସଲ୍ୟ କଲେଣି। ସବୁ ସହି ତାଙ୍କ ପରିବାର ଦାଣ୍ଡରେ ମୁଣ୍ଡ ଟେକି ବାଟ ଚାଲି ପାରନ୍ତି ନାହିଁ। ସବୁଦିନ ସମୟ କାହାର ସମାନ ଯାଏନି। ଅବସ୍ଥାରେ ବି ପରିବର୍ତ୍ତନ ଆସେ। କିଛି ଦିନ ପରେ ଡାକ ମାଧ୍ୟମରେ କନକ ମଞ୍ଜରୀ ଙ୍କ ଘର ଠିକଣାରେ ଚିଠି ଟିଏ ଆସିଲା। ଡାକ ପିଅନ ଠାରୁ ଚିଠି ଟି ନେଇ କନକ ମଞ୍ଜରୀ ଙ୍କ ମାଆ ଝିଅକୁ ଦେଲେ ପଢିବା ପାଇଁ। ତାଙ୍କ ବାପା ପାଖରେ ଥିଲେ। ସଚିବାଳୟର ଗୃହ ବିଭାଗ ରେ ଏକ ଆସିଷ୍ଟାଣ୍ଟ କିରାଣୀ ଚାକିରି ରେ ଯୋଗ ଦେବା ପାଇଁ ଚିଠିଟି ଆସିଛି। ଘରେ ସମସ୍ତେ ଖୁସି ହେଲେ। ଏହା ମଧ୍ୟ ଗାଆଁ ସାରା ରାଷ୍ଟ୍ର ହୋଇଗଲା। କିଛି ଦିନ ଅନ୍ତେ କନକ ମଞ୍ଜରୀ ଙ୍କ ପରିବାର ଭୁବନେଶ୍ୱର ଚାଲିଗଲେ। ଗାଆଁ ଘର ନିଜ କୁଟୁମ୍ବ ଓ ସାଇ ପଡ଼ିଶା ଙ୍କୁ ଜିମା ଦେଇ ଗଲେ। କନକ ମଞ୍ଜରୀ ଚାକିରିରେ ଯୋଗ ଦେବା ପର ଠାରୁ ତାଙ୍କ ଭାଗ୍ୟରେ ବ୍ୟାପକ ପରିବର୍ତ୍ତନ ଆସିଲା। ସମସ୍ତେ ତାଙ୍କ କାର୍ଯ୍ୟ କୁଶଳତା ଯୋଗୁଁ ଭଲ ପାଇବା ସଙ୍ଗେ ତାଙ୍କୁ ସାହାଯ୍ୟ ର ହାତ ବଢ଼େଇଲେ। କନକ ମଞ୍ଜରୀ ଏବେ ମାଆ ହୋଇ ଛନ୍ତି, କୁଆଁରୀ ମା। ପୁତ୍ର ସନ୍ତାନ ର ଜନନୀ। କୁଆଁରୀ ମା ହେଲେ ହେଁ ସେ ତାଙ୍କ ଗ୍ରାମର ଅନେକ ଶିକ୍ଷିତ ଯୁବକ ଓ ଯୁବତୀ ମାନଙ୍କୁ ସଚିବାଳୟ ର ବିଭିନ୍ନ ପଦ ପଦବୀରେ ନିଯୁକ୍ତିରେ ସହଯୋଗ କରିଛନ୍ତି। ଗ୍ରାମରୁ ଯେ କୌଣସି ବ୍ୟକ୍ତି ଭୁବନେଶ୍ୱର ଗଲେ ସେମାନଙ୍କ ସୁଖ ଦୁଃଖ ରେ ଭାଗୀଦାର ହୋଇଛନ୍ତି। ତେଣୁ ତାଙ୍କୁ ଲୋକେ ଆଉ ଟାହିଟାପରା କରନ୍ତି ନାହିଁ। ଏମିତିକା ସମୟ ବିତି ଯାଏ। ପୁଅଟିର ନାମ ଦେଇଛନ୍ତି ଦେବବ୍ରତ। ଏବେ ଦେବବ୍ରତ ସାତ ବର୍ଷ ହେଲାଣି। କନକ ମଞ୍ଜରୀ ନିଜ ପୁଅ ପାଇଁ ମାଆ ଓ ବାପା ଉଭୟର ଭୂମିକା ତୁଲାନ୍ତି। ସଚିବାଳୟ ନିକଟସ୍ଥ ଏକ ଜଳଖିଆ ଦୋକାନ ରେ କିଛି ଜଳପାନ ସମୟରେ ଦୈବାତ ଦେବରାଜ ଙ୍କ ସହିତ ଭେଟ ହୋଇଗଲା। ଆଗ ର ଚେହେରା ଆଉ ନାହିଁ। ବଡ ଦୁର୍ବଳ ଓ କ୍ଷୀଣ ହୋଇ ଯାଇ ଛନ୍ତି। କନକ ମଞ୍ଜରୀ ଙ୍କୁ ଦେଖିଲା ପରେ ଆଖିରୁ କେତେ ଧାର ଲୁହ ଝରି ଗଲା। ପଦୁ ଟିଏ କହିବା ପାଇଁ ବି ସାହସ ଜୁଟିଲା ନାହିଁ। ଦୀର୍ଘ ସମୟ ପରେ କନକ ମଞ୍ଜରୀ ଟିକି ନିଖି ପଚାରି ବୁଝି ଜାଣିଲେ ଯେ ଦେବରାଜ ଙ୍କ ବାପା ମାଆ ଇହ ଧାମରୁ ଚାଲି ଗଲେଣି, ଭାଇ ମାନେ ବାପ ସମ୍ପତ୍ତି ବାଣ୍ଟି ଅଲଗା ଅଲଗା ଚଳୁ ଛନ୍ତି। ଦେବରାଜ ଯାହାଙ୍କୁ ବିବାହ କରିଛନ୍ତି ସେ ବନ୍ଧ୍ୟା ଦୋଷ ରେ ପୀଡିତ ଅଛନ୍ତି, ପିଲାପିଲି କିଛି ନାହାନ୍ତି। ନିଜର ରୋଜଗାର କହିଲେ କିଛି ନାହିଁ, ଜମିବାଡ଼ି ର ଆୟରୁ ଯାହା ଯେମିତି ସଂସାର ଚଳୁଛି। ଆହୁରି ପଦେ ଅଧେ କଥା ହେବା ବେଳକୁ ଅଫିସ ରୁ ଡାକରା ଆସିବାରୁ କନକ ମଞ୍ଜରୀ ଚାଲିଗଲେ। ଯିବା ପୂର୍ବରୁ ପଦେ କହିଗଲେ ଯେ ସେ ଜଣେ କୁଆଁରୀ ମାଆ। ତାପରେ ଆଉ କେବେ ବି ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇନି। ଦେବବ୍ରତ ନିଜ ଭାଗ୍ୟ ଓ ନିଜକୁ ନିନ୍ଦା କରି ଫେରି ଗଲେ।
