Kulamani Sarangi

Tragedy

3  

Kulamani Sarangi

Tragedy

ସମ୍ପର୍କର ହିସାବ

ସମ୍ପର୍କର ହିସାବ

2 mins
176



ରମେଶ ମେସେଜ୍ କରିଥିଲା... ଭାଇନା,ଏମାସରେ ଫର୍ମ ପୂରଣ ହବ।ତମେ ଯେଉଁ ପାଞ୍ଚଶ ଟଙ୍କା ପଠେଇ ଥିଲ,ମେସ'ର ଖର୍ଚ୍ଚ ଆଉ ଅନ୍ୟାନ୍ୟ ଖର୍ଚ୍ଚ ରେ ଲାଗିଗଲା।ଆଉ ହଜାର ଟଙ୍କା ମୋ ଆକାଉଣ୍ଟରେ କ୍ରେଡିଟ କରିଦବ, ନହେଲେ ଫର୍ମ ପୂରଣ ହୋଇପାରିବ ନାହିଁ କି ପରୀକ୍ଷା ଦେଇ ପାରିବି ନାହିଁ।


ପଇସା କୁଆଡୁ ଯୋଗାଡ଼ କରିବେ ବୋଲି ଚିନ୍ତାରେ ଥିଲେ ଅନୁପ୍ ବାବୁ।ମାଷ୍ଟ୍ର ଚାକିରି,କେତେ ବା ଦରମା? ଛୋଟ କାନି, ନାଁ ପିଠିକି ପାଉଛି, ନାଁ ପିଚାକୁ।ବାପା ଚାଲିଗଲା ପରେ ସାନଭାଇ ରମେଶର ପଢା ଖର୍ଚ୍ଚ ତାଙ୍କୁ ତୁଲେଇବାକୁ ପଡୁଛି,ତାଛଡା ପୁଅ ଝିଅଙ୍କର ପାଠପଢ଼ା ଖର୍ଚ୍ଚ। ସ୍ତ୍ରୀ ସୁନୀତା ପଚାରିଲେ ..କଣ ଏମିତି ଭାବୁଚ?


ଅନୁପ ବାବୁ କହିଲେ.. ରମେଶ ହଜାର ଟଙ୍କା ମାଗିଚି ଫର୍ମ ପୂରଣ କରିବାକୁ।ତମ ପାଖରେ ଯଦି ଅଛି ଦେଇଥାଅ, ମୁଁ ଆରମାସରେ ତମକୁ ଦେଇଦେବି।

ସୁନୀତା କହିଲେ..ତମେ ଯାହା ଦେଇଥିଲ ତାହା ହିଁ ଅଛି।ସେଥିରୁ ଦେଲେ ତମ ଘର ଚଳିବ କେମିତି?କୁନୁ ଆଉ ରୁନୁର ବି ଆର ମାସର ଟିଉସନ ପଇସା ଦିଆ ହେଇନି।


ପୁଣି କିଛି ସମୟ କ'ଣ ଭାବି ସୁନୀତା ବେକରୁ ସୁନାଚେନଟା ବାହାର କରି କହିଲେ..ଗୋଟେ କାମକର,ଏଇଟା ବନ୍ଧା ପକେଇ ଟଙ୍କାଆଣି ରମେଶ ପାଖକୁ ପଠେଇ ଦିଅ। ପଇସା ହେଲେ ଉଠେଇ ଆଣିବା।


ଅନୁପ ବାବୁ କୃତଜ୍ଞତା ପୂର୍ଣ୍ଣ ଆଖିରେ ସୁନୀତାଙ୍କୁ ଚାହିଁ କହିଲେ.. ଧନ୍ୟବାଦ ସୁନୀତା। ରମେଶ ପଢା ସାରି ଚାକିରୀ କଲେ ଆମର ଆଉ କ'ଣ ଅଭାବ ରହିବ?


କିଛି ନକହି ହସିଦେଲେ ସୁନୀତା।

      

ପାଠପଢା ଶେଷ ହେବା ପରେ ରମେଶ ଚାକିରୀ କରିଛି। କୌଣସି ଏକ ବ୍ୟାଙ୍କରେ ଅଫିସର। ଚାକିରୀ ପରେ ପରେ ବାହାଘର ହେଇଯାଇଚି। ସ୍ତ୍ରୀ କୁ ନେଇ ରମେଶ ରହୁଚି ଭୁବନେଶ୍ୱରରେ।ଭାଇର ପାଠପଢ଼ା, ବାହାଘର ଆଉ ଭଉଣୀର ବାହାଘର କାମରେ କରଜ ବାରଜ କରି ଅନୁପ ବାବୁ ତଣ୍ଟିଆଣି।ବିଲ ଚାରିମାଣରୁ ଯାହା କିଛି ଧାନ ମିଳୁଥିବାରୁ କୌଣସି ପ୍ରକାରେ ଚଳିଯାଉଛନ୍ତି।ନିଜର ଏବଂ ପତ୍ନୀଙ୍କର ଡାଇବେଟିସ ରୋଗରେ ମାସିକ ଔଷଧ ଖର୍ଚ୍ଚ ଆଖପାଖ ତିନିହଜାର ଟଙ୍କା। 

ସୁନୀତା ସ୍ବାମୀ ଙ୍କୁ କହିଲେ..ଏତେ ହଇରାଣ ହଉଚ,ରମେଶଙ୍କୁ କହୁନ କିଛି ସାହାଯ୍ୟ କରିବ।

ଅନୁପ ବାବୁ କହିଲେ.. ଠିକ୍ ଅଛି,ରମେଶ କାଲି ଆସିବାର ଅଛି,କହିବି।


ତା ପରଦିନ ରମେଶ ଆସି ପହଞ୍ଚିବା ପରେ ଭାଇଙ୍କ ହାତକୁ ପୁଡାଟିଏ ବଢ଼େଇ ଦେଇ କହିଲା..ତମେ ଯେଉଁ ଔଷଧ ଆଣିବାକୁ କହିଥିଲ,ନିଅ।ମୋଟ ତିନି ହଜାର ଟଙ୍କା। ଯିବାଆସିବା ଗାଡ଼ି ଭଡ଼ା ତା ସହିତ ମିଶାଇ ତିନି ହଜାର ଶହେ ଟଙ୍କା ତମେ ମତେ ଦବ।" 

ରମେଶ ମୁହଁକୁ ବଲ ବଲ କରି ଚାହୁଁଥିଲେ ଅନୁପ୍ ବାବୁ।

ତାପରେ ରମେଶ କହିଲା.. ଭାଇନା, ମୋ ସ୍ତ୍ରୀ କହୁଥିଲା,ଆମର ଧାନ ଭାଗଟା ମିଲ'ରେ ଚାଉଳ କରେଇ ଦେଲେ ମୁଁ ଗଲାବେଳେ ନେଇ ଯାଆନ୍ତି।

ଅନୁପ୍ ବାବୁ ନିର୍ବାକ ହୋଇ ଚାହିଁ ରହିଲେ। 

ସୁନୀତା କହିଲେ..ଆଉ ତୁମକୁ ପାଠ ପଢେଇ ମଣିଷ କରିବା ଖର୍ଚ୍ଚଟା ? 

ରମେଶ କହିଲା..ସେଇଟା ତମର କର୍ତ୍ତବ୍ୟ;ଆଜି ପର୍ଯ୍ୟନ୍ତ ତ ଜମିରୁ ଯାହା ଆଦାୟ ହେଉଥିଲା,ତମେ ଖାଉଥିଲ ନାଁ ନାହିଁ?"


ସୁନୀତା କହିଲେ..ପ୍ରକୃତରେ ହିସାବରେ ତମେ ପୋଖତ, ବ୍ୟାଙ୍କ ଚାକିରିଆ ତ ।


రచనకు రేటింగ్ ఇవ్వండి
లాగిన్

Similar oriya story from Tragedy