Dharitri Das

Tragedy

3.5  

Dharitri Das

Tragedy

ସମ୍ପର୍କ

ସମ୍ପର୍କ

2 mins
138


   ଯେତେବେଳେ ଗୀତା ସପ୍ତମ ଶ୍ରେଣୀରେ ପଢ଼ୁଥିଲା, ସେତେବେଳେ ଗୌତମ ନାମକ ଏକ ସହପାଠୀ ସହ ତାର ବନ୍ଧୁତା ଗଢି ଉଠିଥିଲା । ଦୁହେଁ ଭିନ୍ନ ଗ୍ରାମର ପିଲାଥିଲେ । ତେଣୁ ଶ୍ରେଣୀ କକ୍ଷ ମଧ୍ୟରେ ପ୍ରବେଶ କରୁ କରୁ ଦୁହେଁ ଦୁହିଁଙ୍କୁ ଆଗ ଖୋଜୁଥାନ୍ତି । ଖୋଜିବାର ଅନ୍ତ ଘଟିଲେ ଯାଇ ସେମାନଙ୍କ ମନରେ ଖୁସି ଦେଖିବାକୁ ମିଳେ । ଦୁହେଁ ସାଙ୍ଗ ହୋଇ ନିଜ ନିଜର ଟିଫିନ୍ ଖାଇବା କତିରୁ ଆରମ୍ଭ କରି ବହିଖାତା ଦେବା ନେବା କରିବା ଆଦି ସବୁକିଛି ମିଳିମିଶି କରୁଥିଲେ । ଦୁହିଁଙ୍କ ଭିତରେ ସୁସମ୍ପର୍କ ଗଢ଼ି ଉଠିଥିଲା । ଦୁହେଁ ଏକା ହାଇସ୍କୁଲ୍ ଓ ଏକା କଲେଜରେ ମଧ୍ୟ ଅଧ୍ୟୟନ ରତ ହୋଇଥିଲେ । ତେଣୁ ସେମାନଙ୍କର ସମ୍ପର୍କ ନିବିଡ଼ତ୍ତର ହେବା ସ୍ଵାଭାବିକ ଥିଲା । 

   ଦୁହେଁ ଦୁହିଁଙ୍କୁ ନେଇ ସ୍ୱପ୍ନ ଦେଖିବା ମଧ୍ୟ ଆରମ୍ଭ କରି ଦେଇଥିଲେ । ଏପରିକି ବୈବାହିକ ସମ୍ପର୍କରେ ବାନ୍ଧି ହେବା ନିମିତ୍ତ ଦୁହେଁ ଦୁହିଁଙ୍କୁ ନିଜର ଅନ୍ତର କଥା ମଧ୍ୟ କହି ସାରିଥିଲେ । ଏକଥା କେବଳ ସେ ଦୁହିଁଙ୍କ ମଧ୍ୟରେ ସୀମିତ ହୋଇ ରହି ନ ଥିଲା । ଦୁହିଁଙ୍କର ପରିବାର, ବନ୍ଧୁବାନ୍ଧବଙ୍କ ପାଖରେ ମଧ୍ୟ ଏ ଖବର ପହଞ୍ଚି ଯାଇଥିଲା । 

   ଏମାନଙ୍କର ଏତାଦୃଶ ପବିତ୍ର ସମ୍ପର୍କକୁ ଦେଖି ତାଙ୍କର ଜଣେ ଭୈରବ ନାମକ ସହପାଠୀ ଈର୍ଷାରେ ଜଳି ଯାଉଥିଲା । ସେ ସୁଯୋଗ ଖୋଜି ବୁଲୁଥିଲା ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିବା ନିମିତ୍ତ । ହଠାତ୍ ଦେଖିଲା ଦିନେ ଗୀତା ତା ସାଙ୍ଗ ମିନା ସହିତ ଏକ ରେଷ୍ଟୁରାଣ୍ଟ ଯାଇଥିଲା । ତାଙ୍କ ସାଥିରେ ମିନାର ବୟ ଫ୍ରେଣ୍ଡ୍ ଭରତ ବି ଥିଲା । ସଭିଏଁ ମିଶି ଚା ପିଇବାକୁ ଯାଇଥିଲେ । ଚା ପିଇବା ସମୟରେ ସେ ତାର ଯୋଜନା ମୁତାବକ ରେଷ୍ଟୁରାଣ୍ଟର ଜଣେ ପିଲାକୁ ପଠାଇ ମିନାକୁ ବାହାରେ କେହି ଜଣେ ଡାକୁଛନ୍ତି କହି କିଛି ସମୟ ପାଇଁ ବାହାରକୁ ଡାକି ଆଣି ଥିଲା । ଏବଂ ଏହି ସମୟ ଭିତରେ ସେ ଦୁଷ୍ଟ ଗୀତା ଓ ଭରତର ଚା ପିଇବା ସମୟର ଫଟୋ ଉଠାଇ ନେଇଥିଲା । 

  ଅନ୍ୟ କିଛି ଦୁଷ୍ଟ ପିଲାଙ୍କ ସହ ମିଶି ସେହି ଫଟୋ ଓ କିଛି ମିଛ ସାକ୍ଷୀଙ୍କ ସହାୟତାରେ ଗୌତମକୁ ଦେଖାକରି ତା ମନରେ ସନ୍ଦେହର ମଞ୍ଜି ବୁଣି ଦେଇଥିଲା।

   ସେହି ମଞ୍ଜିକୁ ହାଲୁକା ଭାବରେ ନ ନେଇ ଗୌତମ ଗୀତା ପାଖରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରି ତାକୁ ଖୋରାକ ଯୋଗାଇଥିଲା ଗଜା ବାହାରିବା ପାଇଁ।

   ଗୌତମର ଏପରି ବ୍ୟବହାର ଦେଖି ବ୍ୟଥିତ ହୋଇ ଯେତେ ଚେଷ୍ଟା କଲେ ବି ତା ସହ କଥା ହୋଇ ସମସ୍ୟାର ସମାଧାନ କରିବାକୁ ଗୀତା ବିଫଳ ହୋଇଥିଲା।କାରଣ ଗୌତମ ଏକ ଯିଦିଆ ପ୍ରକୃତିର ପିଲା ଥିଲା।ସେ ଅନ୍ଧ ଭଳି ଭୈରବର କଥାକୁ ବିଶ୍ୱାସ କରି ଯାଇଥିଲା।

   ଗୀତାର ସ୍ୱପ୍ନ ଅଧା ଗଢା ହୋଇ ରହିଗଲା । ମାତ୍ର ଯେତେ ଚେଷ୍ଟା କଲେ ବି ସେ ଗୌତମକୁ ନିଜ ହୃଦୟରୁ ବାହାର କରି ପାରୁ ନଥିଲା । ଚିରଦିନ ପାଇଁ ଗୌତମର ସ୍ମୃତିକୁ ପାଥେୟ କରି ସାରା ଜୀବନ ଅବିବାହିତ ରହି ଜୀବନ ନିର୍ବାହ କରିଥିଲା।

   ଏପଟେ ପରିବାର ଓ ପରିସ୍ଥିତିର ଚାପରେ ପଡ଼ି ନିଜ ଇଚ୍ଛା ବିରୁଦ୍ଧରେ ଗୌତମ ଅନ୍ୟତ୍ର ବିବାହ କରିଥିଲା ସତ ମାତ୍ର ସେ ସୁଖୀ ହୋଇ ପାରି ନଥିଲା । ସବୁବେଳେ ଅନୁତାପ ନିଆଁରେ ନିଜକୁ ଜାଳି ଜାଳି ଗୀତାର ସ୍ମୃତିକୁ ଭୁଲିବାକୁ ଚେଷ୍ଟା କରୁଥିଲା।

   ବାସ୍ତବରେ ନିବିଡ଼ ଏବଂ ପବିତ୍ର ସମ୍ପର୍କ ଭିତରକୁ ସନ୍ଦେହ ଆଣିବା ଉତ୍ତମ ମଣିଷର ଆଦତ ବାହାରେ ହେବା ଉଚିତ୍ । ଯଦି କେବେ ସନ୍ଦେହ ଆସେ ତେବେ ଆପୋଷ ଆଲୋଚନା ମାଧ୍ୟମରେ ତାର ସମାଧାନ ଯଥାଶୀଘ୍ର କରିନେବା ଉଚିତ୍ । ଏହାଦ୍ୱାରା ସମ୍ପର୍କ ସଦା ସର୍ବଦା ଅତୁଟ ରହିବ । ନଚେତ୍ ଏହି ଗୀତାର ସ୍ୱପ୍ନ ପରି ସ୍ୱପ୍ନ ଅଧାଗଢ଼ା ହୋଇ ରହିଯିବ । ଜୀବନରେ କେବଳ ଦୁଃଖ ହିଁ ଦୁଃଖ ମିଳିବାଟା ସାର ହେବ ସେଥିରେ ବ୍ୟତିକ୍ରମ ନାହିଁ ।



Rate this content
Log in

Similar oriya story from Tragedy