ସମ୍ପର୍କ ପର ଆପଣାର
ସମ୍ପର୍କ ପର ଆପଣାର
ସକାଳର ଖୋଲା ପବନ ଆଉ ସୂର୍ଯ୍ୟର ନରମ କିରଣରେ ଭିଜି ଘରକୁ ଫେରି ଆସିଲେ ଅମରେନ୍ଦ୍ର ବାବୁ...ପାପୁନି ଗେଟ୍ ଖୋଲି ଦେଇ ବଗିଚାରେ ପଡ଼ିଥିବା ସଫା ଚେୟାର ଟିର କାଳ୍ପନିକ ଧୂଳି ଝାଡ଼ି ଦେଇ କହିଲା," ବସ..ଅଜା ବାବୁ!" ସକାଳ ଭ୍ରମଣର ସାଥୀ ଏଇ ଆଠ ବର୍ଷର ବାଳକ...ସବୁ ଦିନେ ଆସିକି ପହଞ୍ଚି ଯାଏ ସାଢ଼େ ଛଅଟା ବାଜୁ ବାଜୁ...ଏଇ ଗଳି ମୁଣ୍ଡରେ ଘର ତାର...ବାପା ରଘୁଆ ଆଉ ମାଆ କାମିନୀଙ୍କ ଏକୋଇର ବାଳା...ରାସ୍ତା ସାରା ଗପି ଗପି ଚାଲିଥାଏ...ନଜର ରଖିଥାଏ ଅଜା ବାବୁଙ୍କ ଚାଲି ଉପରେ.."ଦେଖି କରି ଚାଲ,ଅଜା ବାବୁ!ଆଗରେ ଛୋଟ ଗାତ" ..."ହେଇ ପଥର ଉପରେ ଗୋଡ଼ ପକେଇ ଦେଇ ଥାନ୍ତ... ବଙ୍କୁଲି ବାଡ଼ି ଟା ଠିକ୍ ରେ ଧରିଚ ତ!..ମାସ୍କ୍ ଠିକ୍ ରେ ପିନ୍ଧିଚ ନା..!" .. .ଭାରୀ ସ୍ନେହୀ କାମିନୀ ଭଳି..ଭାରୀ ସଜାଗ ରଘୁ ପରି..
ଭଲ ପାଇବାର ହସ ଟିକେ ଖେଳି ଗଲା ଅମର ବାବୁଙ୍କ ମୁହଁରେ...ମଲ୍ଲୀ ଆଣି ଗରମ୍ ଚା, ବିସ୍କୁଟ ରଖିଲାଣି ଛୋଟ ଟି ପୟ ଉପରେ..ପାପୁନି ବଗିଚା କଳରେ ଗୋଡ଼ ହାତ ଧୋଇ ଅମର ବାବୁଙ୍କ ହାତରେ ସାନିଟାଇଜର ଦୁଇ ଟୋପା ଦେଲା... ପ୍ଳେଟରୁ ବିସ୍କୁଟ ଦୁଇ ଖଣ୍ଡ ଧରି ବାହାରିଲା ଘରକୁ.. ଅନ୍ ଲାଇନ୍ କ୍ଲାସ୍ କରିବ...ସ୍କୁଲ୍ ତ ଯିବାର ନାହିଁ... "ଵାଏ,ଅଜା ବାବୁ!" କହି ଦୌଡିଲା ଘର ଆଡ଼କୁ..."ଆରେ ..ପାପୁନୁ ଧୀରେ ଯା...ରାସ୍ତାରେ ଗାଡି ମଟର ଆସୁଥିବ"...ଅଭିଭାବକ ସୁଲଭ ସ୍ନେହରେ କହି ଉଠିଲେ ଅମର ବାବୁ...
..."ଜେଜେ ସାଆନ୍ତେ!" ଦରୋଟି କଣ୍ଠରେ ଡାକି ପହଞ୍ଚି ଗଲା ଟୁକୁନୁ ..ମଲ୍ଲୀର ପାଞ୍ଚ ବର୍ଷର ପୁଅ..ପୂଜା ପାଇଁ ଫୁଲ ତୋଳିବ ସେ ଜେଜେଙ୍କ ସହ ମିଶି ..ବଗିଚାର ମାଲିକ ହେଲା ଟୁକୁନୁର ବାପା ରଞ୍ଜନ..ଏତେ ଯତ୍ନରେ ଏତେ ସମର୍ପଣର ଭାବନା ନେଇ ମୁଣ୍ଡ ଝାଳ ତୁଣ୍ଡରେ ମାରି ଯେ ବଗିଚାରେ ବାର ମାସ ଫୁଲ,ଫଳ, ପରିବା ଉପୁଜାଏ,ସେ ମାଲିକ ନୁହେଁ ତ କଣ ମାଳୀ ଟିଏ ଖାଲି!ରଞ୍ଜନ,ମଲ୍ଲୀ, ଟୁକୁନୁ,ମିମି ରହନ୍ତି ଆଉଟ୍ ହାଉସ୍ ରେ...ମଲ୍ଲୀ ଅମର ବାବୁଙ୍କ ଘର କଥା ବୁଝି ଦେଇ ନିଜ ଘରକୁ ଯାଏ...ଖରା ବେଳ ସାରା ସିଲେଇ କରେ...ଆଖପାଖ ପଡିଶା ଲୋକେ ତା ହାତ କାମ,ସିଲେଇ,ଏମ୍ବ୍ରୋଡରୀକୁ ପସନ୍ଦ କରି ଥାଆନ୍ତି ...ତେଣୁ ତାର କାମର ଅଭାବ ନ ଥାଏ... ମିମି ସରସ୍ଵତୀ ବିଦ୍ୟା ମନ୍ଦିରର ଛାତ୍ରୀ... ତାର ପାଠ ପଢା, ପ୍ରୋଜେକ୍ଟ କାମ ସବୁ ବୁଝନ୍ତି ଜେଜେ ସାଆନ୍ତେ...ଟୁକୁନୁର ପଢା କଥା ବୁଝେ ତାର ବାପା ରଞ୍ଜନ...ମେଟ୍ରିକ୍ ପାସ୍ କରିଥିବା ପିଲା ସେ..ଯନ୍ତ୍ରପାତି ମରାମତି କାମ ବି ଜାଣିଚି...ସେ ସବୁ କରି ସେ ଦୁଇ ପଇସା ରୋଜଗାର ବି କରିଥାଏ I
ଅମର ବାବୁ ଏବେ ଅଶି ବର୍ଷ ବୟସ୍କ...ସୁଲୋଚନା ଦେବୀଙ୍କ ସ୍ୱର୍ଗ ବାସ ହେବାର ତିନି ବର୍ଷ ହୋଇଗଲାଣି... ପୁଅ, ବୋହୂ, ନାତୁଣୀ ଆମେରିକାରେ... ଝିଅ, ଜୋଇଁ, ନାତି ବାଙ୍ଗାଲୋରରେ... ଛୁଟିରେ ଘରକୁ ଆସିଲେ ଘର ପୂରି ଉଠେ କୋଳାହଳ ହସଖୁସିରେ ...ପୁଣି କିଛି ଦିନ ପରେ ନୀରବତା...କିନ୍ତ୍ ଅମରେନ୍ଦ୍ର ବାବୁଙ୍କୁ ନିସଙ୍ଗତା ଖାଇ ଗୋଡାଏ ନାହିଁ..ଏଇ ସହରରେ ଏଇ ଗଳି ରେ ଆଖପାଖରେ ତାଙ୍କର କେତେ ନାତି ନାତୁଣୀ ଅଛନ୍ତି...ଛାଇ ଲେଉଟିଲା ବେଳେ ସବୁ ଆସି ହାଜର ହୁଅନ୍ତି ତାଙ୍କ ଅଗଣାରେ... ଲୁଡୋ,କଉଡ଼ି,ଲୁଚକାଳି ଖେଳନ୍ତି ତାଙ୍କ ସହ...କାହାର ସେ ଅଜା ବାବୁ ତ କାହାର ଜେଜେ ସାଆନ୍ତେ..ପୁଣି ପରିବା ବିକାଳୀ ବୁଢ଼ା ନିଧିଆ, ରିକ୍ସା ବାଲା ରେଡ୍ଡୀ, ଗାରେଜ୍ ବାଲା ରବି ଏମାନେ ବି ଆସନ୍ତି ଦୁଇ ଚାରି ଦିନରେ ଥରେ...କେତେ ଗପସପ ଥାଏ ...କେତେ ପରାମର୍ଶ ମାଗିବାର ଥାଏ...ତାହାଠାରୁ ବେଶୀ.. ସେମାନେ ସମୟ ବିତେଇବାକୁ ଭଲ ପାଆନ୍ତି ଏଇ ବୁଢ଼ା ବାବୁଙ୍କ ସହ I
ଅମର ବାବୁଙ୍କ ସାଙ୍ଗ ସାଥୀ,ବଡ଼ ଭାଇ,ଭିଣୋଇ ସମସ୍ତେ ଏବେ ବାର୍ଦ୍ଧକ୍ୟରେ ଉପନୀତ... କରୋନା ସମୟ କଥା ଛାଡ଼... ନର୍ମାଲ ଟାଇମରେ ବି ବେଶୀ ଦେଖା ସାକ୍ଷାତ ହୋଇପାରେ ନାହିଁ... ଫୋନରେ ଗପସପ କରି ସୁଖ ଦୁଃଖ ବାଣ୍ଟି ନିଅନ୍ତି ସେମାନେ...ନିଜ ବିପି, ସୁଗର୍, ଆଣ୍ଠୁ ଗଣ୍ଠି ବ୍ୟଥା, ମେଡ଼ିସିନ୍ ଭିତରେ ପୁରୁଣା କଥା ଟିକେ ମନେ ପକେଇ ହୋ ହୋ ହସନ୍ତି...ଜିଇଁ ଯାଆନ୍ତି କେତୋଟି ମୁହୂର୍ତ୍ତ ପୁରୁଣା ସ୍ମୃତି ଭିତରେ...ଏବେ ତ କରୋନା କିଛି ବୟୋଜ୍ୟେଷ୍ଠ ପରିଚିତଙ୍କୁ ସ୍ୱର୍ଗକୁ ନିର୍ବାସିତ କରି ସାରିଲାଣି...ଆଉ ଅନ୍ୟ ଯେଉଁ ମାନେ ଅଛନ୍ତି, ସମସ୍ତେ ଭୟର ବାତାବରଣ ଭିତରେ ଗୃହ ବନ୍ଦୀ ହୋଇ ରହିଛନ୍ତି I
କୋଡ଼ିଏ ବର୍ଷ ଆଗରୁ ଜୀବନ ଆଉ ପ୍ରକାରେ ବିତୁଥିଲା... ଅମର ବାବୁ ଉଚ୍ଚ ପଦବୀର ସରକାରୀ ଚାକିରୀରୁ ଅବସର ନେବା ପରେ ସାଙ୍ଗ ସାଥି,ଭାଇ ବନ୍ଧୁଙ୍କ ଘରକୁ ବୁଲିବାକୁ ଯାଉଥିଲେ ସସ୍ତ୍ରୀକ...କେବେ କେବେ ରୋଷେଇ ବାସ କରି ସାଙ୍ଗ ସାଥିଙ୍କୁ ନିମନ୍ତ୍ରଣ କରୁଥିଲେ.. ଖୁସି ମଉଜ ମସ୍ତିରେ ବେଳ କଟିଯାଉଥିଲା... ଏହି ସମୟରେ ତାଙ୍କ ମନ କାହିଁକି ଗାଆଁ ଆଡ଼କୁ ଢଳିଲା...ଗାଡ଼ି ଧରି ସ୍ଵାମୀ, ସ୍ତ୍ରୀ ଆଖ ପାଖର ଗାଁ ସବୁ ବୁଲିଲେ, ପଲ୍ଲୀ ପ୍ରକୃତିର ସୌନ୍ଦର୍ଯ୍ୟରେ ବିଭୋର ହେଲେ, ଗାଆଁର ବାସହୀନ, ପତିତ, ଗରିବ ଲୋକଙ୍କ ଦୁଃଖରେ ବିଚଳିତ ବି ହେଲେ...ସେଇ ସମୟରେ ଅମର ବାବୁ ଆଉ ସୁଲୋଚନା ଏଇ ପାପୁନିର ମା କାମିନୀ ଆଉ ତାର ପରିବାର ଅର୍ଥାତ୍ ରୋଗଣା ବାପା, ଦୁଇ ସାନ ଭାଇ ଭଉଣୀଙ୍କୁ ଆପଣେଇଥିଲେ...
ମାସକୁ ମାସ କାମିନୀ ଘରକୁ ଯାଇ ଚୂଡା, ଚାଉଳ, ଔଷଧ ପତ୍ର, ଦରକାର ବେଳେ ଲୁଗା, ଚାଦର ଦେଇ ଆସୁଥିଲେ...କାମିନୀ ଆଉ ସାନ ଭାଇ, ଭଉଣୀଙ୍କ ବହି, ଖାତା, ପେନ୍ କିଣିଦେଉଥିଲେ... ମେଟ୍ରିକ ପାସ କରିବା ପାରେ କାମିନୀକୁ ନର୍ସିଂ ଟ୍ରେନିଂ ଏବଂ ତା ଭାଇକୁ ଶିଳ୍ପ ତାଲିମ ଦେବାରେ ସାହାଯ୍ୟ କରିଥିଲେ...ଖାଲି କାମିନୀ ନୁହେଁ, ତା ପାଖ ଗାଆଁର ଝରିଆ ଆଉ ତା ଭଉଣୀ ଝୁଲିଆକୁ ମଧ୍ୟ ଟେଲରିଂ ଶିଖାଇ ଆତ୍ମ ନିର୍ଭରଶୀଳ କରିବାରେ ସାହାଯ୍ୟ କରିଥିଲେ...ତାଙ୍କ ସାଙ୍ଗ ସାଥୀ ମାନେ ମଧ୍ୟ ଏଇ ସବୁ କାମରେ ଅମର ବାବୁଙ୍କୁ ସାହାଯ୍ୟ କରୁଥିଲେ..ରଞ୍ଜନ, ସନିଆ,ଭାନୁଆ ଭଳି ଅନେକ ଗରିବ ପିଲାଙ୍କୁ ଯନ୍ତ୍ରପାତି ମରାମତି କାମ ଶିଖାଇବାକୁ ବିଭିନ୍ନ ସଂସ୍ଥାକୁ ପଠାଇ ଥିଲେ..., ଯାହା ଦ୍ଵାରା ସେମାନେ ଆଜି ନିଜ ଗୋଡ଼ରେ ଠିଆ ହୋଇ ନିଜ ପରିବାର ପୋଷଣ କରିବାରେ ସକ୍ଷମ ହୋଇ ପାରୁଛନ୍ତି...ପରିବା ବିକାଳୀ ନିଧିର ଝିଅ ବାହାଘର ବେଳେ ଆର୍ଥିକ ସହାୟତା କରିବା ହେଉ, ଅବା ରିକ୍ସା ବାଲା ରେଡ୍ଡୀର ବନ୍ଧା ପଡ଼ିଥିବା ରିକ୍ସା ମୁକୁଳେଇବା ବେଳେ ହେଉ,ଆମର ବାବୁ ଆଉ ତାଙ୍କ ସାଙ୍ଗ ସାଥୀ ମାନେ କିଛି ଅର୍ଥ, କିଛି ପରାମର୍ଶ, କେବେ କେବେ କାହାକୁ ପ୍ରଭାବିତ କରି ସହାୟତାର ହାତ ବଢ଼େଇ ଥିଲେ..
ବର୍ତ୍ତମାନ ସେହିମାନେ ହିଁ ତାଙ୍କର ମିତ୍ର, ପରିଜନ, ବନ୍ଧୁ ବାନ୍ଧବ...ନିଜ ପରିବାରର ଅନୁପସ୍ଥତିରେ ସେହି ସରଳ, କୃତଜ୍ଞ ମଣିଷଗୁଡ଼ିକ ତାଙ୍କର ସବୁ ଭଲ ମନ୍ଦ ବୁଝନ୍ତି...ରାତି ଅଧରେ ଦରକାର ପଡିଲେ ବି ଦୁଆରେ ଆସି ଠିଆ ହୋଇ ଯାଆନ୍ତି..ତାଙ୍କରି କୁନି କୁନି ପୁଅ ଝିଅ ଏବେ ବୁଢ଼ା ବାବୁଙ୍କ ଖେଳ ସାଥୀ...ଜେଜେ ସାଆନ୍ତ/ଅଜା ବାବୁଙ୍କ ଆଦରର ନାତି, ନାତୁଣୀ..ସେଇ କିଚିରି ମିଚିରି କୋଳାହଳ ଭିତରେ ଘର ତାଙ୍କର ନନ୍ଦନ ବନ...
"ଜେଜେ ସାଆନ୍ତେ"...ମଧୁରିଆ ଡାକଟିଏ ଶୁଭିଲା..."ଚାଲ, ପୂଜା କରିବନି କି..ଉଛୁର ହେଲାଣି ପରା!" ହାତ ଧରି ଟାଣିଲାଣି ଟୁକୁନୁ...ସ୍ନେହ ବୋଳା ହସ ଟିଏ ହସି ଫୁଲ ଚାଙ୍ଗୁଡି ଗୋଟିଏ ହାତରେ ଆଉ କୁନି ହାତଟିକୁ ଅନ୍ୟ ହାତରେ ଧରି ଘର ଭିତରକୁ ପଶିଲେ ଅମର ବାବୁ...
