STORYMIRROR

SUJATA MISHRA

Tragedy Inspirational

3  

SUJATA MISHRA

Tragedy Inspirational

ସାଉଁଟା ଖୁସି

ସାଉଁଟା ଖୁସି

3 mins
160

ଲମ୍ବା ପତଳା ଅଳ୍ପ ବୟସୀ ଝିଅ ଟିଏ...ଦେହରୁ ମୁଣ୍ଡ ଯାଏଁ ତାଳୁରୁ ତଳିପା ଯାଏଁ ପିନ୍ଧିଚି ପିପିଇ କିଟ୍.. ତା ମୁହଁରେ ମାସ୍କ ଆଉ ତା ପଛରେ କିଛି ମିଠା ମିଠା ହସ ବୋଳା କଥା...

ଆପଣ ମାନେ କଣ ପରସ୍ପରର ସମ୍ପର୍କୀୟ ?ଚେହେରାରୁ ଲାଗୁଚି ଦୁଇ ଭଉଣୀ ପରି!ଦୁଇ ଭଉଣୀ କି ସତରେ?... ଆମ ଡବଲ ରୁମ୍ ରେ ମୋ ସାଇଡ୍ ବେଡ୍ ରେ ଥିବା ମୋ ସାଙ୍ଗକୁ ଆଉ ମୋତେ ପଚାରୁ ଥିଲା ସେ...ଅକ୍ସିମିଟରରେ ରିଡ଼ିଂ ନେଉ ନେଉ..

ତାପରେ ଆମର ଖିଲି ଖିଲି ହସ..କାଶ, ଗଳା ବ୍ୟଥା, ଯନ୍ତ୍ରଣା କୁଆଡ଼େ ଦୂରେଇ ଯାଉଥିଲା ସେଇ ମୁହୂର୍ତ୍ତରେ...କୋଭିଡ ୱାର୍ଡର ସେଇ ରୁମ୍ ଭିତରେ କିଛି ଅନ୍ଧାରୁଆ ଅବସାଦ ଅପସରି ଯାଇ ଆଲୋକିତ ହୋଇ ଉଠୁ ଥିଲା ମନର କେଉଁ କୋଣ ଅନୁକୋଣ..


ଅଳ୍ପ କେତୋଟି ଦିନର ପରିଚୟ..ସୁନା ଝିଅ ସୋନାଲୀ ସାଥିରେ..ବୟସ କୋଡ଼ିଏ କି ବାଇଶି..କେତେ ଦୂରରେ ଥିବା ଗାଆଁ ରୁ ଆସି ରାଜଧାନୀରେ ୱର୍କିଙ୍ଗ ୱିମେନ୍ସ୍ ହଷ୍ଟେଲ ରେ ରହି ଏହି ବିପତ୍ତି କାଳରେ ରୋଗୀ ସେବା କରୁଛି...ଚାଲି ଯାଉ ଯାଉ ବୁଣି ଦେଇଛି ମୁଠାଏ ତାଜା ପଣ...ଚେନାଏ ମଧୁରତା..


"..ଆପ୍ ତୋ ଠିକ୍ ହୋ ଗୟେ ହେଁ.. ଶାୟଦ୍ ଆଜ୍ ଆପକୋ discharge କର୍ ଦେଙ୍ଗେ".. ମୋର ଅଣ ଓଡ଼ିଆ ସାଙ୍ଗକୁ ପଚାରିଲା ସୋନାଲି.."ନା ନା ହମ୍ ଲୋଗ୍ ଏକ ସାଥ ହି ଜାୟେଙ୍ଗେ"..ଆମେ ଦୁହେଁ ଏକାଠି କହି ଉଠିଲୁ..

"ଓ.. ଆପ ଦୋନୋ ଇତନୀ cute ହୋ କି ଆପ୍ କୋ ଛୋଡ ନେ କା ମନ ନହିଁ କର୍ ରହା ହୈ.".. ଖିଲି ଖିଲି ହସରେ ବୁଣି ହୋଇଗଲା ମୋତି ପୁଞ୍ଜାଏ..

"ଆରେ...ଘର ମେଁ ହମାରେ husbands ହମାରା ରାହ ଦେଖ ରହେ ହୋଙ୍ଗେ.. ତୁମ୍ହାରୀ ପ୍ୟାରି ପ୍ୟାରି ବାତ୍ ଶୁନ୍ କେ ହମ୍ ଇଧର କୈସେ ରହେଙ୍ଗେ.." ପୁଣି କଳ କଳ ହସର ଝରଣା ବହି ଗଲା...

ମୋ ହାତରେ ଇଣ୍ଟ୍ରାଭେନସ ଇଞ୍ଜେକସନ ଦେବା ପାଇଁ ପ୍ରସ୍ତୁତି କରୁ କରୁ ସୋନାଲି ଗପି ଚାଲି ଥିଲା ଆମ ସହ..ଏମିତି ଅନାବନା ମିଠା କଥା କିଛି..

କୁମାର ପୂର୍ଣ୍ଣିମାର ଜ୍ୟୋତ୍ସ୍ନା ଝରା ସନ୍ଧ୍ୟାରେ ପୁଣି ଆସି ପହଂଚି ଯାଇଥିଲା ରୂପାଲୀ...ବୋଉର ଗେହ୍ଲା ଝିଅ...ଉତ୍ସବମୁଖର ଏଇ ଜହ୍ନ ଉଇଁବାର ଲଗ୍ନରେ ଅଳତା ବୋଳା କୋମଳ ପାଦରେ ରୁଣୁଝୁଣୁ ପାଉଁଜି ପିନ୍ଧି ଚାନ୍ଦକୁ ଆଞ୍ଜୁଳି ଟେକିବାର ଏଇ ମୁହୂର୍ତ୍ତରେ ସେଇ ପତଳା ଛୋଟିଆ ଗଢ଼ଣର ମଧ୍ୟମ ଉଚ୍ଚତାର ଝିଅ ଡିଉଟି କରୁଥିଲା ହସ୍ପିଟାଲର କୋଭିଦ୍ ୱାର୍ଡରେ...ଆକାଶର ଜହ୍ନ ଥିଲା ଦୂରରେ ଆମ ପାଇଁ..କିନ୍ତୁ ଏଇଠି ରୂପାଲୀ ମେଲାଇ ଥିଲା

ଚୁଲବୁଲି ଖୁସି ଭିଜା ଗପର ଅସରା ପସରା ..ପିପିଇ କିଟ୍ ପିନ୍ଧି କେତେ ଅକ୍ଲାନ୍ତ ଭାବରେ ଏଇ କମ୍ ବୟସୀ ତରୁଣୀ ମାନେ ନିଜ କାମ କରି ଯାଉଥିଲେ ... ମାସ୍କ୍ ତଳେ ତାଙ୍କ ମୁହଁ ଦେଖା ନ ଗଲେ ବି ସେମାନଙ୍କ ହସର ଝଲକ ବେଶ୍ ପଢ଼ି ହେଉଥିଲା ମନର ଆଖିରେ...

ଜୀବନ ମରଣର ଏଇ କଠିନ ଘଡିରେ...ସାରା ବିଶ୍ବ ମହାମାରୀ ସହ ଲଢେ଼ଇ କଲା ବେଳେ ଏଇ ସୋନାଲୀ, ରୂପାଲୀଙ୍କ ପରି ଝିଅମାନେ ନିଜ ଜୀବନକୁ ବାଜି ଲଗେଇ ଏମିତି ସେବା କରି ଆସୁଛନ୍ତି ହସି ହସି..ଦୁଇ ଦିନରେ ଆପଣାର କରି ନେଇ ଥିବା ଏହି ଝିଅମାନଙ୍କ ମନରେ ସତରେ କେତେ ଉତ୍ସୁକତା..ପ୍ରଶ୍ନରେ କେତେ ଅନ୍ତରଙ୍ଗତା!

"ଆପଣ ସତରେ ଆଈ ହେଲେଣି..ନା ମ ଦେଖିଲେ ଲାଗୁ ନାହାନ୍ତି ତ!"କଳ କଳ ହସର ଫୁଆରା.."ଆପଣଙ୍କର ଏତେ ବଡ଼ ପୁଅ ଅଛି..ବିଶ୍ଵାସ ହେଉନି ..କେତେ ୟଙ୍ଗ ଦିଶୁଛନ୍ତି!"ଏମିତି କଥା ଶୁଣି ଆମେ ସମସ୍ତେ ହସୁଥିଲୁ ଆଉ ଉପଭୋଗ କରୁଥିଲୁ ସେଇ ମୁହୂର୍ତ୍ତକୁ,ଯେଉଁ ଥିରେ ଭୁଲି ହୋଇ ଯାଉଥିଲା ଦେହର କଷ୍ଟ..ମନର ଭୟ ..ଆଉ ହସ୍ପିଟାଲ ବେଡ୍ ରେ ପଡ଼ିଥିବା ରୋଗୀର ସେହି ଅକୁହା ଅସୁବିଧା..

ଏହା ବ୍ୟତୀତ ଥିଲେ ହାଉସ୍ କିପିଂ ର କାମିନୀ,ଯାହା ନାଆଁ ଶୁଣି ମୋର ସାଙ୍ଗ ମୋତେ ପଚାରିଲା,"ୟେ କୈସେ ନାମ୍ ହୈ,ୟାର..କମିନୀ!"ଆଉ ମଧ୍ୟ ଥିଲେ ରାକେଶ,ସୁଦୀପ ,.. କ୍ୟାଣ୍ଟିନରୁ ଚା କି ସୁପ୍ ନେଇ ଆସିଲେ ଏମିତି ଆକର୍ଷଣୀୟ ଢଙ୍ଗରେ ତାକୁ ପରିବେଷଣ କରୁଥିଲେ ଯେ,ରୁଚୁ ନ ଥିବା ପାଟି ବି ଲାଳେଇ ଉଠୁ ଥିଲା ସେଇ ସ୍ଵାଦ ହୀନ ଅଥଚ ପୁଷ୍ଟିକର ଖାଦ୍ୟ ଖାଇବା ପାଇଁ.." ରେଡି ମେଡ୍ ଚା ଆଣିଦେବି, ମ୍ୟାମ୍!""ଲେମନ୍ କୋରିଆଣ୍ଡର ସୁପ ଆଣିଚି,ବହୁତ୍ ଭଲ ଲାଗିବ ଆପଣଙ୍କୁ"..ସେଇ ସମସ୍ତେ କମ୍ ବୟସର ପିଲା..ସକାଳେ ରାଉଣ୍ଡ ମାରି ଯାଉଥିବା ଡକ୍ଟର ବି... ନିରବଚ୍ଛିନ୍ନ ଭାବରେ ସେମାନେ କାମ କରି ଚାଲିଥିଲେ ...ହସର ପାଖୁଡ଼ା ବୁଣି ଚାଲିଥିଲେ ମାସ୍କ ତଳେ ଲୁଚି ଥିବା ଚେହେରାରେ, ବ୍ୟକ୍ତିତ୍ଵରେ,ବ୍ୟବହାରରେ, ନିରଳସ ସେବାରେ...


ବିଦାୟର ଦିନ ଆସିଗଲା..ସୋନାଲି ନ ଥିଲା...ରୂପାଲୀ ଆମ ସହ ଫଟୋ ଉଠେଇଲା.."ତୁମ ମୁହଁ ବି ଆମେ ଟିକେ ଦେଖି ପାରିଲୁନି".."ସବୁ ବେଳ ପାଇଁ ମନେ ରହିବ ତୁମେ ମାନେ"..ଆମେ ଏହି ସବୁ କଥା କହି ବିଦାୟ ମାଗୁଥିଲୁ..କିଛି ଗୋଟେ ସୁନ୍ଦର ଜିନିଷ ଛାଡ଼ି ଦେଇ ଆସିଲା ପରି ଲାଗୁଥିଲା ସେଠି ...

"ଆପଣଙ୍କୁ ଆଉ କେବେ ବି ଏଠାକୁ ଆସିବାକୁ ନ ପଡୁ,ଆମେ ଏତିକି କାମନା କରୁଛୁ"...କହି ହାତ ହଲେଇ ବାୟ କରୁଥିଲା ରୂପା ଜହ୍ନ ରୂପାଲୀ...ଆହା!ମୋ ଜୀବନ ପଛେ ନର୍କେ ପଡ଼ି ଥାଉ ..ଜଗତ ଉଦ୍ଧାର ହେଉ...ଭୀମ ଭୋଇଙ୍କର ଏହି କାଳଜୟୀ ପଂକ୍ତିଟି ଏହିମାନଙ୍କ ଜୀବନ ଭିତରେ ସାକାର ହେଉ ନାହିଁ କି!

ମନ ତଳେ ଅଜସ୍ର ସ୍ନେହ ଆଉ ଆଶୀର୍ବାଦର ମଲ୍ଲୀ ଫୁଲ ଫୁଟି ଯାଉଥିଲା ଏହି ଅଳ୍ପ ଚିହ୍ନା ଅଥଚ ନିଜର ଲାଗୁଥିବା ସୋନାଲୀ,ରୂପାଲୀ ମାନଙ୍କ ପାଇଁ..


Rate this content
Log in

Similar oriya story from Tragedy