ଏକ ଅନୁପମ ସ୍ୱର୍ଗୀୟ ଅନୁଭୂତି
ଏକ ଅନୁପମ ସ୍ୱର୍ଗୀୟ ଅନୁଭୂତି
ଆଜି ଆକାଶରେ ଏକାଦଶୀର ଜହ୍ନ..ଜ୍ୟୋସ୍ନାରେ ଭିଜୁଛି ଆମ ସୋସାଇଟିର ଉତ୍ତଙ୍ଗ ଅଟ୍ଟାଳିକା ସବୁ..ହେମନ୍ତର କାକର ବିନ୍ଦୁ ଘାସ ପଡ଼ିଆରେ...ଫୁଲପାଖୁଡ଼ାରେ.ଛୋଟ ମନ୍ଦିରଟିର ପ୍ରାଙ୍ଗଣରେ କୋଳାହଳ.. ନବ ବଧୂଟିଏ ପରି ସଜ୍ଜିତ ହୋଇଚି ମନ୍ଦିର,ଯଜ୍ଞ ବେଦୀ ଆଉ ଆଲୋକ ମାଳାରେ ଝଲସୁଛି ନବନିର୍ମିତ ଶିବାଳୟ ଏବଂ ମା ମଙ୍ଗଳାଙ୍କ ପୀଠ..ଆଜି ସ୍ଥାନୀୟ ଜଗନ୍ନାଥଙ୍କ ମନ୍ଦିରର ସ୍ଵନକ୍ଷତ୍ର ଦିବସ ... ତା ସହ ଚାଲିଛି ନୂତନ ଦୁଇ ମନ୍ଦିରର ପ୍ରତିଷ୍ଠା ପାଇଁ ପ୍ରସ୍ତୁତିର କାର୍ଯ୍ୟକ୍ରମ ।
ଆମେ ତିନି ଯୋଡ଼ା କର୍ତ୍ତା, କର୍ତ୍ତ୍ରୀ ପୁରୋହିତ ପଣ୍ଡିତ ମହାଶୟଙ୍କ ସହ ଯଜ୍ଞ ମଣ୍ଡପ ଉପରେ..ପଣ୍ଡିତମାନଙ୍କ ଦ୍ଵାରା ସ୍ପଷ୍ଟ ଏବଂ ଗମ୍ଭୀର ସ୍ୱରରେ ମନ୍ତ୍ର ଉଚ୍ଚାରଣ କରି ବିଭିନ୍ନ ଦେବାଦେବୀଙ୍କୁ ଆବାହନ କରା ହେଉଥାଏ..ଯଜ୍ଞ ବେଦୀରେ ପବିତ୍ର ଅଗ୍ନି ଶିଖା ପ୍ରଜ୍ଜ୍ଵଳିତ ହୋଇ ଥାଏ...ସେଇ ସମୟରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ସାନ୍ଧ୍ୟ ଆଳତୀ ଆରମ୍ଭ ହେଲା
ଘଣ୍ଟି,ଘଣ୍ଟ ଧ୍ୱନୀରେ ପ୍ରକମ୍ପିତ ହେଲା ମନ୍ଦିର ପ୍ରାଙ୍ଗଣ ଚକା ଆଖିକୁ ଚାହିଁ ଭକ୍ତମାନେ ବିଭୋର ହୋଇ ହାତ ଯୋଡ଼ି ଠିଆ ଘଣ୍ଟର
ସେହି ଧ୍ଵନୀ ସହ ତାଳ ଦେଇ ତରୁଣୀ ଭକ୍ତ ଜଣେ ଯଜ୍ଞ ମଣ୍ଡପର ଅନତି ଦୂରରେ ଆଗକୁ ପଛକୁ ହଲିବାକୁ ଲାଗିଲା ଆଖିର ଦୃଷ୍ଟି ଏକଦମ୍ ଭାବଲେଶ ଶୂନ୍ୟ ।
ସୁସ୍ମିତା, ସ୍ନିଗ୍ଧା ନାନୀଙ୍କ ସହ ମୁଁ ଚକିତ ହୋଇ ଯଜ୍ଞ ବେଦୀ ଉପରୁ ଦେଖୁ ଥାଉ ଏହି ଅଦ୍ଭୁତ ଦୃଶ୍ୟ ଦେବୀ ମୂର୍ତ୍ତି ପରି ଆଶିଷ ମୁଦ୍ରାରେ ଝିଅର ଗୋଟିଏ ହାତ କିଛି ଦେବା ମୁଦ୍ରାରେ ଅନ୍ୟ ହାତ ଅଣ୍ଟା ପାଖରେ ଧୀରେ ଧୀରେ ଘଣ୍ଟ ଶବ୍ଦ ସହ ତାଳ ଦେଇ ତାହାର ଝୁଲିବାର ଗତି ବଢି ଚାଲି ଥାଏ.. ଇଶାରାରେ କିଛି ମାଗି ଯଜ୍ଞ ମଣ୍ଡପ ଆଡ଼କୁ ମାଡ଼ି ଆସିଲା ଝିଅ ଜଣକ ।
ସେହି ସମୟରେ ସନ୍ଧ୍ୟା ଦର୍ଶନ ଛାଡ଼ି ଉମା ଦୌଡ଼ି ଆସି କୋଳେଇ ନେଲା ତାକୁ ବଡ଼ କଷ୍ଟରେ ଧରି ଧରି ତାକୁ ଟିକେ ଦୂରକୁ ନେଇ ଗଲା ଝିଅଟିକୁ ସ୍ଥିର କରିବା ଦିଗରେ ଉମାର ପ୍ରୟାସ ବିଫଳ ହେଉ ଥିଲେ ମଧ୍ୟ ସେ ଚେଷ୍ଟା ଜାରି ରଖି ଥାଏ ।
ଇତି ମଧ୍ୟରେ ମୋ ଭିତରେ ଚାଲି ଥାଏ ଏକ ଅନନ୍ୟ ଅନୁଭୂତି ଅନ୍ତର ତଳେ ଖେଳୁ ଥାଏ ଆଧ୍ୟାତ୍ମିକ କିଛି ଅଦ୍ଭୁତ ଭାବନା ଅନବରତ ଭାବରେ ଝରି ଚାଲି ଥାଏ ଲୁହ ଭିତରେ ଛଟପଟ ଅନେକ ଆକୁଳ କୋହ କରୁଣାମୟୀ ମା ମଙ୍ଗଳାଙ୍କ ରୂପ ସ୍ମରଣ କରି ମୁଁ ଆତୁର ଭାବରେ ତାଙ୍କୁ ପଚାରୁ ଥାଏ କିଛି ପ୍ରଶ୍ନ ମନେ ମନେ କୁହ ମା !ତୁମକୁ ମୁଁ ଅନୁଭବ କରି ପାରୁଛି ମୋ ଆଖରେ ପାଖରେ ତୁମେ ବିରାଜମାନ,ଯଦିଓ ମୋର ସ୍ଥୂଳ ଆଖି ତୁମକୁ ଦେଖି ପାରୁ ନାହିଁ କିନ୍ତୁ ମୋ ହୃଦୟର ସ୍ପନ୍ଦନ,ମୋ ତନୁର ଶିହରଣ ଜଣେଇ ଦେଉଚି,ତୁମେ ଅଛ ଏଇଠି କୋଉଠି ତୁମେ ମୋର ସୁନ୍ଦର,କୋମଳ,ଦୟାମୟୀ ମା କାହିଁକି ମୋତେ ତୁମେ ତୁମର ଉଗ୍ର ରୂପ ଦେଖାଇଲା ପରି ଲାଗୁଚି, ଗୋ ମା! ତୁମର ସୌନ୍ଦର୍ଯ୍ୟର ତେଜରେ ମୋତେ ମୁଗ୍ଧ କର,ମା!ମୋ ଭିତରୁ ସବୁ ଭୟ ଆଉ ସନ୍ଦେହର ଭାବନା କାଢ଼ି ନେଇ ମୋତେ ତୁମ ଭକ୍ତିରେ ଛଳଛଳ କରି ଦିଅ,ମା ! ଲୁହ ଆଉ କୋହରେ ମୁଁ ଏକାକାର ଆତ୍ମହରା ବିହ୍ୱଳ ଜାଣେନା,କୋଉଠି ମୁଁ ଆଉ କେହି କୋଉଠି .ଳବନ୍ଦ ଆଖିର ଆବେଗ ଆଉ ଓଠର ନୀରବତା ଭିତରେ ମୋର ହୃଦୟ ବାର୍ତ୍ତାଳାପ କରୁ ଥାଏ ମା ମଙ୍ଗଳାଙ୍କ ସହ ।
ଅଚାନକ ନାରୀ କଣ୍ଠର ଏକ ଚିତ୍କାର ସହ କିଛି ପଡ଼ିଯିବାର ଶବ୍ଦ କାନରେ ପଡ଼ିଛି ପରେ ଜାଣିଲୁ ଯେ,ଜଣେ ଭକ୍ତ ସେଇ ଝିଅକୁ ଜଳନ୍ତା ସଳିତା ଟିଏ ଦେଇଛନ୍ତି ଏବଂ ସେଇଟିକି ପାଟିରେ ପୂରେଇ ସେ ବେହୋସ୍ ହୋଇ ତଳେ ପଡ଼ି ଯାଇଛି କିଛି ସମୟ ପରେ ଅନ୍ୟମାନଙ୍କ ସହାୟତାରେ ଉଠି କିଛି ନ ହୋଇ ଥିବା ପରି ନିଜ ଘରକୁ ଚାଲି ଯାଇଛି
ଏହା ମଧ୍ୟରେ ସ୍ନିଗ୍ଧା ନାନୀ,ସୁସ୍ମିତା,ମୋର ପତି ଦେବ ଏବଂ ଅନ୍ୟମାନେ ମୋତେ ଆଶ୍ବସ୍ତ କରିବା ପାଇଁ ମୋର ପିଠି ଆଉଁସି ମୋତେ ଏକ ପିଢ଼ା ଉପରେ ବସେଇ ଦେଇଛନ୍ତି । କଣ ହେଲା ବୋଲି ସେମାନେ ବି ବୁଝି ନ ପାରି ବ୍ୟସ୍ତ ହୋଇ ମୋତେ ପ୍ରଶ୍ନିଳ ଆଖିରେ ଚାହିଁ ଛନ୍ତି ।ଟିକେ ନିଜକୁ ସମ୍ଭାଳି ନେବା ପରେ ମୁଁ ସେମାନଙ୍କୁ ମୋର ଅନ୍ତର ଭିତରେ ଚାଲି ଥିବା ସଂଶୟର ସଂଘର୍ଷ ବିଷୟରେ ପଦେ ଦି ପଦ କହିଛି । ସେହି ସମୟରେ ସୁସ୍ମିତା ମୋ କାନ୍ଧରେ ହାତ ପକେଇ କହିଛି ଯେ,"ମା'ଙ୍କର କେତେ ରୂପ ଅଛି,ନାନୀ! ସୁନ୍ଦର ପଦ୍ମଲୋଚନୀ ରୂପ,ଅସ୍ତ୍ରଧାରିଣୀ ଉଗ୍ର ରୂପ,ଚନ୍ଦ୍ରର
ଜୋଛନା ପରି ଶାନ୍ତ ସୁଶୋଭନ ରୂପ ସବୁ ରୂପ ସୁନ୍ଦର..ସବୁ ରୂପକୁ ଭଲ ପାଇବା କଥା ,ନା!"ମୋର ଛଟପଟ ଭାବନାର ନିଆଁ ଉପରେ ସେଇ ମଧୁର ପଣର କଥା ପଦକ ସତେ ଯେମିତି ପାଣି ଢାଳେ ଢାଳି ଦେଇ ଯାଇଛି ।ମନ ହୋଇ ଯାଇଛି ଏକଦମ୍ ଶାନ୍ତ .ସ୍ଥିର...ଧୈର୍ଯ୍ୟରେ
ସଜଳ ।ସତରେ କଣ ସୁସ୍ମିତା ସେ ସବୁ କଥା ମୋତେ କହିଛି ତାର ତ ମନେ ନାହିଁ...ମୋତେ କାହିଁକି ଲାଗୁଛି,ମୋ ମନର ସଂଶୟ ଦୂର କରିବା ପାଇଁ ମା ଠାକୁରାଣୀ ନିଜେ ଆସି ତା କଣ୍ଠରେ ମୋତେ ଏ ସବୁ କହି ନାହାନ୍ତି ତ! ମଙ୍ଗଳମୟୀ ମା ମଙ୍ଗଳା!ଏବେ ବି ତୁମ ସ୍ମରଣରେ ଦେହରେ ମନରେ ଭୟ,ଭକ୍ତି ଆଉ ଭଲ ପାଇବାର ରୋମାଞ୍ଚ ଜାତ ହେଉଛି ଗୋ!ମୋର ଏହି ଦିବ୍ୟ ଅନୁଭବ ଭିତରେ ତୁମର ଶୁଭାଶିଷ ଲାଲ ରଙ୍ଗର ମନ୍ଦାର, ଲାଲ୍ ଚୁଡ଼ି,ଲାଲ୍ ଓଢ଼ଣୀ ତଳୁ ଏମିତି ଝରୁ ଥାଉ ଆମ ସଭିଙ୍କ ଉପରେ କୋଟି ଦଣ୍ଡବତ,ଲୋ ମା !
