Kalyani Nanda

Tragedy

3  

Kalyani Nanda

Tragedy

ଶୂନ୍ଯ ଜୀବନ

ଶୂନ୍ଯ ଜୀବନ

3 mins
274



ଦ୍ବି ପ୍ରହରର ସୂର୍ଯ୍ୟ ମୁଣ୍ଡ ଉପରେ ଦାଉ ଦାଉ ହୋଇ ଜଳୁଥାଏ । ଇଟା ଭାଟିରେ ଏତେ ଖରା ଆଉ ଗରମରେ ବି ରାମ ଲାଲ ମାଟି ହାଣି ଇଟା ଗଢୁଥବା ଲୋକଙ୍କ ପାଖରେ ପହଞ୍ଚାଇ ଦେଉଥାଏ । ଏଇଟା ତାର ନିତି ଦିନିଆ କାମ ।ଆଜି ଠିକାଦାର ବାବୁଙ୍କୁ ସେ କହିଛି ଦୁଇ ଘଣ୍ଟା ଅଧିକ କାମ କରିବ ।ତା ହେଲେ ତାକୁ କିଛି ଅଧିକ ପଇସା ମିଳିବ । ସ୍ତ୍ରୀ ତାର ବହୁତ ବେମାର । ପେଟ ବଥା ରୋଗରେ ବହୁତ କଷ୍ଟ ପାଉଛି । ତା ପେଟ ଅପରେସନ କରିବାକୁ ପଡିବ ବୋଲି ଡାକ୍ତର କହିଛନ୍ତି। ନ ହେଲେ ସେ ଭଲ ହେବନି । ଯେତେ ଶୀଘ୍ର ଅପରେସନ ହୋଇପାରିବ ରୋଗୀ ପାଇଁ ଭଲ । ସେଥିପାଇଁ ରାମ ଲାଲ ଅଧିକ କାମ କରି ଶୀଘ୍ର ବେଶି ପଇସା ରୋଜଗାର କଲେ ତା ସ୍ତ୍ରୀ ର ଚିକିତ୍ସା କରି ପାରିବ । ବହୁତ ଭଲ ପାଏ ସେ ତା ସ୍ତ୍ରୀ କୁ । ତା ସଂସାର କହିଲେ ତା ସ୍ତ୍ରୀ ଓ ସେ । ଛୁଆ ପିଲା କିଛି ହୋଇନଥିଲା ।ରାମ ଲାଲ ର ସ୍ତ୍ରୀ କଥା ମନେ ପଡି ଯିବାରୁ ଶୀଘ୍ର ଶୀଘ୍ର କାମ ସାରିବାକୁ ଲାଗିଲା । କିନ୍ତୁ ଟାଣ ଖରା ଯୋଗୁ ତାକୁ ଅବଶ ଲାଗୁଥାଏ ତଥାପି ପାଣି ମୁନ୍ଦେ ମୁନ୍ଦେ ପିଇ ସେ ତା କାମ କରି ଚାଲୁଥାଏ । ଏଇ କେତେ ଦିନ ଭିତରେ ଅଧିକ ସମ୍ମାନ କାମ କରି ବେଶ କିଛି ପଇସା ସେ ସଞ୍ଚି ଥାଏ।ଏମିତି ଆଠ ଦିନ କାମ କଲା ପରେ ସେ ତା ସ୍ତ୍ରୀ କୁ ଦେଖାଇବା ପାଇଁ କିଛି ପଇସା ଜମା କରିଥାଏ ।

ରାମ ଲାଲ ଭାବୁଥାଏ ଆଜି ଶୀଘ୍ର ଯାଇ ତା ସ୍ତ୍ରୀ କୁ ଡାକ୍ତର ପାଖକୁ ନେବ କିନ୍ତୁ ତା ଠିକାଦାର ଆଉ ଦୁଇ ଘଣ୍ଟା ଅଧିକ କାମ କରିବା ପାଇଁ ତାକୁ ଅଟକାଇ ଦେଲା। ରାମ ଲାଲର କୌଣସି କଥା ଶୁଣିଲାନି । ବାଧ୍ଯ ହୋଇ ରାମ ଲାଲ ସେଇ ଟାଣ ଖରାରେ ନ ଖାଇ ନପାଇ କାମ କରୁଥାଏ । କିନ୍ତୁ ମନ ଥାଏ ତା ସ୍ତ୍ରୀ ପାଖରେ । ଗଲା ରାତିରେ ତା ସ୍ତ୍ରୀ ର ଦେହ ବେଶି ଖରାପ ଥାଏ । ସନ୍ଧ୍ଯା ହୋଇନଥାଏ ତା ଘର ପାଖର ନଟିଆ ଆସି ଖବର ଦେଲା ଯେ ତା ସ୍ତ୍ରୀ ଦେହ ବହୁତ ଖରାପ । ରାମ ଲାଲ ସେ ଖବର ପାଇ ଆଉ କାହା କଥା ନ ଶୁଣି ଘରକୁ ଯାଇ ଦେଖେ ଯେ ତା ସ୍ତ୍ରୀ ର ଚେତା ନାହିଁ । ଡେରି ନ କରି ସାଂଗେ ସାଂଗେ ତାକୁ ନିଜ କାନ୍ଧରେ ବୋହି ଡାକ୍ତରଖାନା ଆଡକୁ ମୁହାଁଇଲା । ଯାହା ପଇସା ସଞ୍ଚି ଥିଲା ସବୁତକ ଡାକ୍ତର ବାବୁଙ୍କୁ ଦେଇ ତା ସ୍ତ୍ରୀ ର ଚିକିତ୍ସା କରିବାକୁ ନେହୁରା ହେଲା ।ଡାକ୍ତର ବାବୁ ତା ସ୍ତ୍ରୀ କୁ ଡାକ୍ତରଖାନାରେ ଭର୍ତ୍ତି କରିଦେଲେ ଓ ରାମ ଲାଲକୁ ଶୀଘ୍ର ଅପରେସନ କରିବା ପାଇଁ ଟଙ୍କା ଜମା କରିବାକୁ କହିଲେ । କିନ୍ତୁ ରାମ ଲାଲ ପାଖରେ ଆଉ ପଇସା ନ ଥିଲା । ପଇସା ଜମା ନ ହେଲେ ଅପରେସନ ହୋଇ ପାରିବନି ଜାଣି ତା ମୁଣ୍ଡରେ କିଛି ବୁଦ୍ଧି ଆସିଲାନି । କଣ କରିବ କିଛି ଭାବି ପାରୁ ନ ଥାଏ। ଶେଷରେ ଠିକାଦାର ପାଖକୁ ଯାଇ ବହୁତ କାକୁତି ମିନତି ହୋଇ କିଛି ଟଙ୍କା ଧାର ଦେବାକୁ କହିଲା। ପରେ ଅଧିକ କାମ କରି ସବୁ ଶୁଝିଦେବ କହିଲା। କିନ୍ତୁ ଠିକାଦାର ତା କଥା ନ ଶୁଣି ଓଲଟା ବିଦ୍ରୁପ କରି କହିଲା," ଆବେ ଯା, କାଇଁ ଏମିତି ହଉଛୁ? ମରିଗଲେ , ମରିଯିବ, ଆଉ ଗୋଟିଏ ବାହା ହେଇ ପଡିବୁ ।" ଏମିତି ବିଦ୍ରୁପ କରି ହୋ ହୋ ହେଇ ହସୁଥାଏ । ରାମ ଲାଲ ତା କଥା ନ ଶୁଣି ଡାକ୍ତରଖାନା ଗଲା । କିନ୍ତୁ ସେତେବେଳକୁ ସବୁ ଶେଷ ହୋଇ ଯାଇଥିଲା । ରାମ ଲାଲର ସ୍ତ୍ରୀ ର ଆଉ ଜୀବନ ନ ଥିଲା। ରାମ ଲାଲ ହତାଶ ହୋଇ ଡାକ୍ତରଖାନାର ପିଣ୍ଡା ଉପରେ ସ୍ଥାଣୁ ହୋଇ ବସି ପଡିଲା । ତା ସଂସାର ଉଜୁଡି ସାରିଥିଲା । ସ୍ଥିର ହୋଇ ଯାଇଥିଲା ତା ସଂସାର । ସତରେ ଗରିବ ହେବା କଣ ପାପ ? ହାତରେ ଧନ ନ ଥିଲେ କେହି ପଚାରନ୍ତିନି। ଗରିବର ଭାଗ୍ୟରେ ହିଁ ସବୁ ଦୁଃଖ ଲେଖା ଥାଏ । ଡାକ୍ତରଖାନାର କର୍ମଚାରୀ ଆସି ତାକୁ ଲାଶ ନେଇଯିବାକୁ ତାଗିଦ କରୁଥାନ୍ତି । ରାମ ଲଲ ଭାବୁଥାଏ କେମିତି କରିବ ତା ସ୍ତ୍ରୀର ଦାହ ସଂସ୍କାର ? ହାତ ଯେ ତାର କପର୍ଦ୍ଦକ ଶୂନ୍ଯ । ଶୂନ୍ଯ ଆଖି ଦୁଇଟି ତାର ଶୂନ୍ଯ ଆକାଶକୁ ଅନାଇ ଥାଏ, ମନେ ମନେ କହୁଥାଏ, " ତୋତେ ମୁଁ ବଞ୍ଚାଇ ପାରିଲିନି । ବହୁତ ଚେଷ୍ଟା କଲି କିନ୍ତୁ କିଛି କରି ପାରିଲିନି । ଶେଷରେ ତୁ ମୋତେ ଏକା କରି ଦେଇଗଲୁ।" ଶୂନ୍ଯତା ସଂସାର, ଶୂନ୍ଯ ହୃଦୟ, ଶୂନ୍ଯ ଜୀବନ ନେଇ ରାମ ଲାଲ ଆଉ କିଛି ଭାବି ପାରୁନଥାଏ ।



Rate this content
Log in

Similar oriya story from Tragedy