STORYMIRROR

MANAS KUMAR KAR

Classics Fantasy Inspirational

3  

MANAS KUMAR KAR

Classics Fantasy Inspirational

ଶ୍ରୀମନ୍ଦିର ରେ ବଳଭଦ୍ର ଜନ୍ମ ନୀତି

ଶ୍ରୀମନ୍ଦିର ରେ ବଳଭଦ୍ର ଜନ୍ମ ନୀତି

2 mins
201


ଶ୍ରୀମନ୍ଦିର ରେ ବଳଭଦ୍ର ଜନ୍ମ ନୀତି :

ତତଃ ଶ୍ରାବଣ ପୌର୍ଣ୍ଣିମାଂ ପ୍ରାତଃ ପୂଜା ବସାନତଃ ।

ଚତୁଃସମ ବିଲେପଂ ଚ କୃତ୍ଵା ବେଶଂ ମନୋହରଂ ।


ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା ଦିନ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମୋତ୍ସଵ ପାଳନ କରା ଯାଇଥାଏ। ଏହି ପବିତ୍ର ଜନ୍ମୋଉତ୍ସଵ ବିଧିବଧାନର ସହ ଶ୍ରୀମନ୍ଦିର ରେ ଅନୁଷ୍ଠିତ ହୋଇଥାଏ। 

ଏହି ଦିନ ଭୋଗ ମଣ୍ଡପ ବଢିବା ପରେ ଶ୍ରୀଜୀଉମାନଙ୍କର ମଇଲମ ହୋଇ ମହାସ୍ନାନ ବଢିଥାଏ। ତତ୍ପରେ ତିନୋଟି ରୂପା ପିଙ୍ଗନରେ ଚନ୍ଦନ ବିଜେ ହୋଇ ସିଂହାସନ ଉପରେ ସଂସ୍କାର ପୂର୍ବକ ସର୍ବାଙ୍ଗ ଲାଗି କରାଯାଇଥାଏ ଏବଂ ବୋଇରାଣୀ ପଟନୀ ଲୁଗା ଲାଗି ହୋଇ ମଧ୍ୟାହ୍ନ ଧୂପ ବେଶ କରାଯାଇଥାଏ। 

ଶ୍ରୀବିଗ୍ରହମାନଙ୍କୁ ୩ଖଣ୍ଡ ଆଜ୍ଞାମାଳ , ଚାରିଖଣ୍ଡ ପାଟ ରାକ୍ଷୀ ଓ ଗୁଆର ମାଳି ଲାଗି କରାଯାଏ। ଭିତରେ ପାଣି ପଡି ବଡ଼ ବାଡ଼ଙ୍କ ସମ୍ମଖ ତଳେ ଷଷ୍ଠୀ ଦେଵୀ , ମାର୍କଣ୍ଡ ଓ ବରୁଣ ପୂଜା ପାଇଁ ମୁରୁଜ ଠା କରାଯାଏ। ରୋଷକୁ ମଧ୍ୟାହ୍ନ ଧୂପ ସହ ଯାତ୍ରାଙ୍ଗୀ ଭୋଗ ଛାମୁକୁ ଆସେ ଏବଂ ପୂଜାପଣ୍ଡା ୩ ଜଣ ଷୋଡଶ ଉପଚାର ରେ ପୂଜା ମଣୋହି କରନ୍ତି । ଟେରା ଫିଟି ଆଳତି ହୁଏ । ପୁନଶ୍ଚ ଭିତରେ ପାଣି ପଡି ଧୋ ପଖାଳ ହୁଏ। ତତ୍ପରେ ଜନୈକ ପୂଜାପଣ୍ଡା ସେବକ ବଡ଼ ବାଡ଼ରେ ମଙ୍ଗଳାର୍ପଣ କରିଥାନ୍ତି ଏହାପରେ ମୁଦିରସ୍ତ , ପୂଜାପଣ୍ଡା ଓ ପତି ମହାପାତ୍ର ତିନି ବାଡ଼ରେ ବନ୍ଦାପନା କରିଥାନ୍ତି। ଏହାପରେ ଆଜ୍ଞାମାଳ ପାଇ ଶ୍ରୀଦେବୀ , ଭୂଦେବୀ , ଶ୍ରୀମଦନମୋହନ ଝୁଲଣ ମଣ୍ଡପ କୁ ବିଜେ କରିଥାନ୍ତି ।


ଆଜ୍ଞା ଦେହି ରମାକାନ୍ତ ସ୍ତମ୍ଭ ରୁପ ସୁଦର୍ଶନ |

ଜନ୍ମୋତ୍ସବାର୍ଥଂ ଚ ତଥା ଦେବର୍ଷି ପୂଜନେ ||


ଚଳନ୍ତି ଦିଅଁ ଝୁଲଣ ମଣ୍ଡପ ବିଜେ ହେବା ପରେ ପାଲିଆ ଖୁଣ୍ଟିଆ ଲଣ୍ଡାବର୍ତ୍ତ ଠାରେ ସୁଦର୍ଶନ ବିଜେ ନିମନ୍ତେ ଦଇତାପତି ମାନଙ୍କୁ ଡାକିଥାନ୍ତି। ଦଇତାମାନେ ସିଂହାସନ ଉପରକୁ ଯିବା ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ୧ଟେ ଆଜ୍ଞାମାଳ ଶ୍ରୀ ସୁଦର୍ଶନଙ୍କୁ ଦିଆ ଯାଇଥାଏ ଏବଂ ଦଇତାମାନେ ଶ୍ରୀ ସୁଦର୍ଶନଙ୍କୁ ଚୋଉଦୋଳ ରେ ବିଜେ କରାଇଥାନ୍ତି । ଚାଙ୍ଗଡ଼ା ମେକାପ ଦେଇଥିବା ପାଟ , ପତନୀ ତଥା ଦୟଣାମାଳି ସେବାୟତ ଦେଇଥିବା ଚୂଳ ପାଳିଆ ଖୁଣ୍ଟିଆ ଠୁ ନେଇ ସୁଦର୍ଶନଙ୍କୁ ଲାଗି କରାଯାଇଥାଏ। ଏହାପରେ ଭଣ୍ଡାର ମେକାପ ଯୋଗାଇଥିବା ସ୍ବର୍ଣ୍ଣ ଅଳଙ୍କାର ଯଥା କମର ପଟି ଓ ହରଡ଼ ମାଳି ସୁଦର୍ଶନଙ୍କୁ ଲାଗି କରାଯାଇଥାଏ। ଏହା ପରେ ବିମାନବଡୁ ସେବକ ସୁଦର୍ଶନଙ୍କୁ ଚଉଦୋଳ ରେ ନେଇ ମାର୍କଣ୍ଡ କୁ ଯାଇଥାନ୍ତି ଓ ସେଠାରେ ଥିବା ଚକଡ଼ା ଉପରେ ବିଜେ କରିଥାନ୍ତି। 

ଚକଡ଼ା ଉପରେ ଥିବା ଗୋଲ ଚକା ଉପରେ କୁମ୍ଭାର ବିଶୋଇ ଦେଇଥିବା ଚିକିଟା ମାଟି ରେ ସୁଦୁସୁଆର ବଳଭଦ୍ର ଙ୍କ ମୂର୍ତ୍ତି ନିର୍ମାଣ କରିଥାନ୍ତି। ଏହାପରେ ପୂଜାପଣ୍ଡା ସାମନ୍ତ ତାହାଙ୍କୁ ଜୀବନ୍ୟାସ ଦେଇ ବିଧିମୁତାବକ ତାଙ୍କ ଜାତକର୍ମ କରିଥାନ୍ତି। ଏହାପରେ ମୁଦିରସ୍ତ ପ୍ରସାଦ ଲାଗି ଓ ପୂଜାପଣ୍ଡା ପଂଚଉପଚାର ରେ ଶୀତଳ ଭୋଗ ମଣୋହି କରିଥାନ୍ତି। ଏହାପରେ ଉକ୍ତ ପ୍ରତିମାକୁ ବିସର୍ଜନ କରାଯାଇଥାଏ। 

ନୀତି ସମ୍ପନ ପରେ ଶ୍ରୀସୁଦର୍ଶନ ବାକି ୩ଆଶ୍ରମ କୁ ବିଜେ କରିଥାନ୍ତି ଏହାପରେ ଶ୍ରୀମନ୍ଦିର ବାହୁଡା ବିଜେ କରିଥାନ୍ତ। ବାହୁଡା ବିଜେ ପରେ ରତ୍ନସିଂହାସନ ଉପର ଧୁଆ ଯାଇଥାଏ। ତତ୍ପରେ ମହାସ୍ନାନ ନୀତି ବଢିଥାଏ। ଏହାପରେ ପାଳିଆ ପୁଷ୍ପାଳକ ମଇଲମ କରି ସଂଧ୍ୟା ଆଳତି କରିଥାନ୍ତି । 

ପୂଜାପଣ୍ଡା ସେବକ ସନ୍ଧ୍ୟଧୂପ ନୀତି ବଢିବାପରେ ସୁଦର୍ଶନଙ୍କ ବାଡ଼ରେ ବନ୍ଦାପନା ଓ ପ୍ରସାଦ ଲାଗି ହୋଇଥାଏ।

ଏହାପରେ ଅନ୍ୟାନ୍ୟ ନୀତି ହୋଇ ପହୁଡ଼ ନୀତି ହୋଇଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics