Madhabi Patel

Tragedy

3  

Madhabi Patel

Tragedy

ଶୀତ ରାତି

ଶୀତ ରାତି

3 mins
110


କେଜାଣି କାହିଁକି ଆଜି ସନିଆଁକୁ ଜମା ଭଲ ଲାଗୁନଥିଲା । ଦୁଇ ତିନିଦିନ ହେଲାଣି ଅଦିନିଆଁ ବର୍ଷାଟା ଆସି ଦାଉ ସାଧୁଛି । ବର୍ଷା ତ ବର୍ଷା ତା ସାଥୀରେ ପ୍ରବଳ ଥଣ୍ଡା ବି ବଢିଯାଇଛି । ହେମାଳ ପବନ ବହୁଛି । ଓଦା ଲୁଗା ତିନି ଦିନ ହେଲାଣି ଶୁଖା ହୋଇଛି ଫିର୍ ଫି ଶୁଖୁନି । ଗରିବ ଘରେ ଏତେ ଅଧିକ ଲୁଗା ବି ନାହିଁ ଯେ ବଦଳ ଉଦଳ କରି ପିନ୍ଧିହବ । ତିନିହଳ କପଡାରୁ ଅଧିକ ନାହିଁ କାହା ପାଖରେ । ମାଆ ବୁଢୀଟା ଏ ଶୀତରେ ବଡ ଗୁଲୁଗୁଲା ହେଉଛି । ଉହ୍ମେଇଟେ ଜଳେଇ ଦେଇଥିଲା ତା ବଖରାରେ । ପୁରୁଣା ରେଜେଇଟେ ଘୋଡେଇ ଦେଇଥିଲା ମାଆକୁ । ହେଲେ ଏବେ ମାଆ ଆଉ ପରିଶ୍ରା ପାଇଁ ଉଠି ପାରୁନି ଏ ଶୀତ ରେ । ହାତଗୋଡ ଥରଥର ହେଉଛି । ପାଦ ଠିକ୍ ଯାଗାରେ ପଡୁନି । ପ୍ଲାଷ୍ଟିକ ବାଲ୍ଟିଟେ ଦେଇଛି ତା ପାଖରେ । ଯେତେବେଳେ ନିହାତି ଦୁର୍ବଳ ଲାଗେ ସେଥିରେ ଏକ କରେ । ଥରେ ଥରେ ତ ଉଠି ପାରେନି ବୋଲି ରେଜେଇ ଓ କନ୍ଥା ବି ଓଦା କରିଦିଏ । ମାଆର ଏ ଅବସ୍ଥା ଦେଖି ମରୁଆ ବି ଆଉ ତାଙ୍କ ପାଖକୁ ଯାଉନି । ଯାହା କରିବା କଥା ପୁଅ ହିସାବରେ ସେ ନିଜେ କରୁଛି । ମରୁଆ ରାନ୍ଧିଦେଲେ ସେ ନେଇକି ମାଆକୁ ଖୁଆଇ ଦେଇ ଆସେ । ସକାଳେ ଓ ସଞ୍ଜରେ ନାଲିଚା ଟିକେ ମାଆକୁ ଦରକାର । ନହେଲେ ତାର ଶ୍ୱାସ ଓ କାଶ ବଢିଯାଏ । ଦିନ ଥିଲା ମାଆ ରାତି ଦଶଟା ଯାଏ ଘରକାମ କରୁ ଥିଲା । ପୁଣି ସକାଳ ଚାରିଟାରୁ ଉଠି ରାତିର ବତୁରାଧାନକୁ ଉଷୁନା କରି ପାଟେନରେ ଘାଣ୍ଟୁଥିଲା । ପୁଣି ଖରା ଦେଖାଉଥିଲା । ଭଲକି ଶୁଖିଲେ ପେଷେଇ ଚାଉଳ କରୁଥିଲା । ତା ସହିତ ବାଡିବଗିଚାର କାମ ବି କରୁଥିଲା । ଧାନ ମଡାବେଳେ ବାପାଙ୍କସହ ରାତିଅନିଦ୍ରା ରହି ଧାନ ମଡାରେ ସାହାଯ୍ୟ କରୁଥିଲା । । 

ତା ପରି ଏତେ ଶୀଘ୍ର କାମ କେହି କରି ପାରୁନଥିଲେ । ହେଲେ କାଳକ୍ରମେ ସେ ବୁଢୀ ହୋଇଗଲା । ଏବେ ଆଉ ହାତଗୋଡ ସାଥୀ ଦେଉ ନାହାଁନ୍ତି । ଥଣ୍ଡାରେ ପାଦ ଫାଟି ଆଁ କରିଛି । ବେଳେ ବେଳେ ରକ୍ତଝରୁଛି । ଭେସେଲିନ ଟେ ଆଣିବାକୁ କହିଥିଲା ସେଇଟାକୁ ସନିଆଁ ଆଣିଦେଇଛି ବୋଲି ଫଟାଜାଗାରେ ଲଗାଇ ଉହ୍ମେଇ ନିଆଁରେ ସେକୁଛି । 

ଏ ଥଣ୍ଡା ସାଙ୍ଗରେ କରୋନାର ସଂକ୍ରମଣ ବି ଚାରିଆଡେ ବ୍ୟାପିଛି । ଆଜି ସନିଆଁର ଦେହବି ଭୀଷଣ ଦରଜ ହେଉଥିଲା । ପରୀକ୍ଷା କଲାରୁ ସେ କରୋନା ପଜିଟିଭ ବାହାରିଲା । ଏବେ ସେ ଗୋଟିଏ ବଖରାରେ ବନ୍ଦୀ ରହିଛି । ମାଆର କଣ ହେଉଛି ସେ ଦେଖି ପାରୁନି । 

ରାତି ସାରା ବର୍ଷା ଲାଗିଛି । ମାଆର ଉହ୍ମେଇ ଜଳୁଛି କି ଲିଭି ଗଲାଣି କେଜାଣି? ମରୁଆକୁ ଭିତରୁ ଥାଇ କହିଥିଲା ମାଆ ଆଡକୁ ଧ୍ୟାନ ଦେବୁ ବୋଲି । ହେଲେ ମରୁଆ ଛୋଟ ଛୁଆଟା ରାତିସାରା ଥଣ୍ଡାରେ କାନ୍ଦିବାରୁ ଛାତିତଳେ ଜାକି ଶୋଇ ରହିଲା । ସେ ବି ମାଆ ହେବାର କର୍ତ୍ତବ୍ୟ ତୁଲାଇଲା । ହେଲେ ସନିଆଁ ପୁଅ ହେବାର କର୍ତ୍ତବ୍ୟ କରି ପାରିଲା ନାହିଁ । 

ସକାଳୁ ମରୁଆ ଚା ଧରି ଗଲାବେଳେ ମାଆ କେତେବେଳୁ ମରି ଶରୀର ଥଣ୍ଡା ପଡି ସାରିଥିଲା । ଏ ବର୍ଷା ଭିଜା ଶୀତରାତି ତାର ଜୀବନ ନେଇଗଲା । ପୌଷ ମାସର ଅଦିନିଆ ବର୍ଷା ବୁଢାବୁଢୀଙ୍କ ହାଡ ଭାଙ୍ଗିଦିଏ ଥଣ୍ଡାରେ । କାଶ ସର୍ଦ୍ଦି ଅସ୍ତାମା ବଢିଯାଏ ଆଉ ମୃତ୍ୟୁର କାରଣ ବନିଯାଏ । ତାର ସେ ପ୍ରତି ନିଘା ଦେବାର ଥିଲା । ହେଲେ ଏ କରୋନା ଆସି ମାଆର ଦାୟିତ୍ୱ ଠାରୁ ତାକୁ ଦୂର କରିଦେଲା । କରୋନା ପାଇଁ ସେ ଏକାନ୍ତବାସ କଲା ଆଉ ସେଆଡେ ମାଆ ତାକୁ ଛାଡି ଚାଲିଗଲା । ଶେଷ ସମୟରେ ମାଆ ତାକୁ ଖୋଜିଥିବ ନିଶ୍ଚୟ?ସେକଥା ଭାବି ମନରେ ତାର ହଜାରେ ଅବଶୋଶ ତାକୁ ଘାଣ୍ଟି ପକାଉଛି । ମାଆ ପ୍ରତ୍ୟେକ ସନ୍ତାନଙ୍କ ପାଇଁ କେତେ ମୂଲ୍ୟବାନ ମାଆ ମରିଗଲେ ଜଣାପଡେ । ଯାହାର ମାଆ ଅଛନ୍ତି ସେ ବଡ ଭାଗ୍ୟବାନ । ସେଥିପାଇଁ ମାଆ ଥିବା ଯାଏ ତାଙ୍କ ଯତ୍ନ ନିଅ, ମନ ଖୁସି କରି ରଖ । ସେ ଅଳ୍ପ ଦିନର ଅତିଥି ଆମ ପାଇଁ । କେତେବେଳେ ସନିଆଁର ମାଆ ପରି ଠକି ଚାଲିଯିବେ । 



Rate this content
Log in

Similar oriya story from Tragedy