Narayan chandra Senapati

Inspirational Others

3  

Narayan chandra Senapati

Inspirational Others

ଶେଷରେ ମାନିଲେ ଶେଷଦେବ ବାବୁ

ଶେଷରେ ମାନିଲେ ଶେଷଦେବ ବାବୁ

3 mins
2.7K


ଓଃ ଶେଷଦେବ ବାବୁଙ୍କର କି ଗର୍ବ । ହେବନି କେମିତି ଯେ,ସେ ପରା ଗାଁ ମୁଖିଆ । ଖାଲି ସେତିକି ନୁହଁ ଅତିବେଶୀ ସାତ ଖଣ୍ଡ ପଞ୍ଚାୟତର ସେ ନାମଜାଦା ଲୋକ । ଧନରେ,ଜ୍ଞାନରେ,ବଳରେ । ଏଣେ ପୁଣି ସାତ ସାତଟା ପୁଅର ବାପା ବୋଲି ଗର୍ବରେ ଫାଟି ପଡନ୍ତି,ବେଳେ ବେଳେ ବି ଛାତି ଫୁଲେଇ ନିଶକୁ ମୋଡି ଛାତିକି ଚାପୁଡା ମାରି କୁହନ୍ତି ମୁଁ ସାତ କା ବାପ,କୁଛ୍ ମତ ବୋଲ୍, ହୋ ଯା ଚୁପ୍ ଚାପ୍ । ବାପ୍ ରେ ବାପ୍,ବିଜୁଳି ବି ତାଙ୍କ ତେଜ ଦେଖି ଡରିଯିବ । ମାତ୍ର ଶେଷଦେବ ବାବୁଙ୍କର କେବଳ ଗୋଟିଏ ଜିନିଷରେ ମନ ଦୁଃଖ..ସେ ଗୋଟିଏ କନ୍ୟାର ବାପା ବି ।

ସେ ଝିଅମାନକୁ ଘୃଣା କରନ୍ତି,କହନ୍ତି ଝିଅଗୁଡାକ ସମାଜର କଳଙ୍କ । ଯଦି କିଏ କହେ "ଦୁହିତା ଦୁଇ କୁଳକୁ ହିତା"ସେ ଝଗଡା କରନ୍ତି,ଗାଳି ବି ଦିଅନ୍ତି,କହନ୍ତି ଦୁହିତା ଦୁଇ କୁଳକୁ ପିତା । ଜନ୍ମ ହୋଇ ବାପା ମା'ଙ୍କୁ ସର୍ବସାନ୍ତ କରନ୍ତି ପୁଣି ଶାଶୁଶ୍ୱଶୁର ଘରେ ଯଦି ଝିଅ ଜନ୍ମ କରନ୍ତି ତାଙ୍କ ଉପରେ ବୋଝ ମୁଣ୍ଡାନ୍ତି । ଏଭଳି ଉଦ୍ଭଟ ଚିନ୍ତାଧାରା ପାଇଁ ତାଙ୍କ ପତ୍ନୀ ସୁମତିଙ୍କୁ ମାଡ ଗାଳି ଓ ଅତ୍ୟାଚାର ସହିବାକୁ ପଡେ । ଖାଲି ସେତିକି ନୁହଁ କାହିଁକି ଅଲକ୍ଷ୍ମୀ ଜନ୍ମ ହୋଇଛୁ କହି ବାପା ଯେବେ ମାଡ ଗାଳି ଦିଅନ୍ତି ବିଚାରୀ ଝିଅ ନନ୍ଦିନୀଟି କାନ୍ଦି କାନ୍ଦି ଆଖିର ଲୁହକୁ ଆଖିରେ ସୁଖେଇ ଦିଏ ।

ଶେଷଦେବ ବାବୁ ସାତ ପୁଅଙ୍କୁ ବହୁତ ଆଦର କରନ୍ତି,ସେମାନେ ଯାହା ଚାହାଁନ୍ତି ସବୁ ପୁରଣ କରନ୍ତି;ହେଲେ ଝିଅ ନନ୍ଦିନୀକୁ ଭଲ ଖାଇବା ତ ଦୂରର କଥା ଭଲ ଜାମା ଖଣ୍ଡେ ବି ଦିଅନ୍ତି ନାହିଁ । ପୁଅମାନଙ୍କୁ କୁଟା ଖଣ୍ଡକୁ ଦି ଖଣ୍ଡ କରେଇ ଦିଅନ୍ତିନି ମାତ୍ର ଝିଅକୁ ଚାକରାଣୀ ପରି ଖଟାନ୍ତି । କୁହନ୍ତି ବାହା ବେଳେ ତ ସବୁ ନେଇ ମୋତେ ଦରିଦ୍ର କରିଦେବ..ପୁଣି ରାଣୀ ପରି ଖୁଆଇ ପିଆଇ ବଢେଇବି । ପୁଅମାନଙ୍କୁ ପାଠ ପଢାନ୍ତି ଟ୍ୟୁସନ୍ ଦିଅନ୍ତି..ସବୁ ପାଠ ଉପକରଣ ଯୋଗାନ୍ତି..କିନ୍ତୁ ଝିଅକୁ ପାଠ ପଢେଇବାକୁ ନାରାଜ । ସୁମତି ଜିଦ୍ କଲେ କି ଗୁହାରୀ କଲେ କୁହନ୍ତି..ତୁ ଟା କୁମତି..ଦୁର୍ମତି..ଆରେ ଝିଅ ଜନମ ପରଘରକୁ..ୟାକୁ ପଢେଇଲେ ପଢୁଆ ବର ଦରକାର...ପୁଣି ବେଶୀ ଯୌତୁକ । ବାପକୁ ଶୋଷି ଶୋଷି ପରକୁ ପୋଷିବେ । ଯା ହେଉ ହତଭାଗିନୀ ନନ୍ଦିନୀଟା ଗାଁ ସ୍କୁଲ୍ ରେ ପଢେ,ଘରର କାମଦାମ କରେ । ସମସ୍ତଙ୍କ କଥା ମାନେ । ପୁଅମାନେ ସ୍ୱତନ୍ତ୍ର ଓଲଟା । ମଣିଷକୁ ମାନନ୍ତି ନାହିଁ,ନିଜକୁ ରାଜପୁତ୍ର ବୋଲି ଭାବନ୍ତି । ଗୁରୁ,ଗୁରୁଜନଙ୍କୁ ଭକ୍ତି ଓ ସମ୍ମାନ ତାଙ୍କ ପାଇଁ ସ୍ୱପ୍ନ । ଝିଅଟି ନମ୍ର, ଧୀର,ବ୍ୟବହାର ଚାଲିଚଳନ ମାର୍ଜିତ । ଖୁବ୍ ସୁନ୍ଦର ପାଠ ପଢେ ସେ । ସମସ୍ତର ଆଦର କରନ୍ତି ନନ୍ଦିନୀକୁ॥

ସମୟର ସ୍ରୋତ ଆଗକୁ ଆଗକୁ ମାଡି ଚାଲେ । ପିଲାମାନେ ବଢନ୍ତି ବନ୍ୟାର ସୁଅ ପରି । ଶେଷଦେବଙ୍କର ଅହଂକାର ବାଆଟା ଧି୍ର ହୋଇଯାଏ । ପୁଅମାନେ ସ୍ୱାଧିନତାକୁ ସ୍ୱେଚ୍ଚାଚାରୀତା ଭାବି ବାପା,ମା' କାହାକୁ ବି ମାନନ୍ତି ନାହିଁ । ନିୟମିତ ମଦ୍ୟପାନ କରି ବିଭିନ୍ନ ନିନ୍ଦା ଅପବାଦ ଘରକୁ ଆଣନ୍ତି । ବାପା ପ୍ରତିବାଦ କଲେ ସେମାନେ ବାପାଙ୍କୁ ବି ନିସ୍ତୁକ ପିଟନ୍ତି । ମୁଣ୍ଡକାନ ଆଉଁସି ଯେତେବେଳେ ଅସହାୟତାର ମହୁ ଚାଟୁଥାନ୍ତି ଶେଷଦେବ ;ଝିଅ ନନ୍ଦିନୀ ହିଁ ତାଙ୍କ ସେବା କରନ୍ତି । ହେଲେ ଗର୍ବ ଅହଙ୍କାରର ଖଣ୍ଡିଆଭୂତ ତାଙ୍କ ଠାରୁ ଛାଡି ଯାଇ ନ ଥାଏ କି ଝିଅକୁ ଘୃଣା କରିବାର ଚିନ୍ତା ତାଙ୍କୁ ଜାବୁଡି ଧରିଥାଏ ।

ବିବାହ ବୟସ ଉପନୀତ ହେଲା ନନ୍ଦିନୀର,ମାତ୍ର ଶେଷଦେବ ବାବୁଙ୍କର ଘୃଣା ଓ ହେୟଜ୍ଞାନ ତାକୁ ସେ ସୁଯୋଗ ଦେଲାନି । ମା' ସୁମତି ଝିଅ ବିବାହ ଉଠାଇବାରୁ ତାକୁ ପ୍ରହାର ସହିବାକୁ ପଡିଲା । ହେଲେ ୟା ଭିତରେ ନନ୍ଦିନୀ ଯୁକ୍ତ ତିନି କଳାରେ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥାଏ । ଆହୁରି ପଢିବାକୁ ଇଚ୍ଛା ହେଲେ ସୁଯୋଗ ଦେଲେନାହିଁ ବାବୁ ଶେଷଦେବ ।

ଯାହାର କେହି ସାହା ନାହିଁ ଭଗବାନ ତା'ର ହିଁ ସାହା । ପାଖ ଗାଁର ମଦନ ବାବୁ ଜଣେ ଅବସରପ୍ରାପ୍ତ ଶିକ୍ଷକ..ପୁଅ ସତ୍ୟଜିତ୍ ପୋଲିସ୍ ଇନିସପେକ୍ଟର । ସତ୍ୟସହ ଏକ ସଭାରେ ଦେଖା । ନନ୍ଦିନୀର ଉପସ୍ଥାପନା ଶୈଳୀ ଭିତରେ ସେ ସ୍ୱଭାବର ବାସନାରେ ବିମୋହିତ ହୋଇ ପ୍ରଥମ ଦେଖାରେ ଯାଚିଥିଲେ ପ୍ରେମ ନିବେଦନ । ସାଦରେ ଗ୍ରହଣ କରିଥିଲା ନନ୍ଦିନୀ । ହେଲେ ଭୟ ଓ ଆଶଙ୍କାର ଭୂତ ଗୋଡାଉଥିଲା ତା ଅମଣିଷ ବାପା ଓ ଅସାମାଜିକ ଭାଇମାନଙ୍କ ପାଇଁ । ଯାହେଉ ଶେଷଦେବ ଯୌତୁକରୁ ରକ୍ଷା ପାଇବା ଜାଣି ରାଜି ହେଲେ ମାତ୍ର ଟଙ୍କାଟିଏ ବାହାଘରରେ ଖର୍ଚ୍ଚ କରିବାକୁ ରାଜି ନହେବାରୁ ସତ୍ୟଜିତ୍ ତାକୁ କୋର୍ଟ ମେରେଜ କଲା ।

ଏଣେ ଶେଷଦେବର ବିଷବୃକ୍ଷ ପୁଅମାନେ ବାପାଠାରୁ ପିଟିମାରି ସବୁ ସମ୍ପତ୍ତି ବ୍ୟାଜାପ୍ତ କରିଦେଲେ । ବିବାହ କରି ପରସ୍ପର କଳିଝଗଡାରେ ଲିପ୍ତ ରହି ଅଲଗା ହୋଇଗଲେ । ଶେଷଦେବର ଛାତିକୁ ଚାପୁଡା ମାରା ନିମିଷକେ ମିଳେଇଗଲା ପୁଅଙ୍କ ଖାଇବା ପାଳିରେ ଓ ବୋହୂମାନଙ୍କ କଟୁ ଭତ୍ସନାରେ । ବାକି ଘର ଖଣ୍ଡକ ।

ଏପଟେ ନନ୍ଦିନୀ ସତ୍ୟଜିତଙ୍କ ଉତ୍ସାହରେ କଠିନ ପରିଶ୍ରମ କରି ଆଇ.ଏ.ଏସ୍.ଟପ୍ପର । ତଥାପି ସେ ଜନ୍ମକଲା ମା'ବାପାଙ୍କୁ ଭୁଲି ନ ଥାଏ । ପୁଅମାନଙ୍କର ଅମଣିଷ ପଣିଆ ଓ ସ୍ୱାମୀର ଔଦ୍ଧତ୍ୟାମି ଯୋଗୁ ସଢି ସଢି ଆର ପାରିକୁ ଚାଲିଗଲେ ସୁମତି । ମା'ର କ୍ରିୟାକର୍ମ କଲେ ଝିଅ ନନ୍ଦିନୀ । ଧିରେ ଧିରେ ଗର୍ବରେ ଛାତି ଫୁଲେଇ ଛିଡା ହୋଇଥିବା ନଡିଆଗଛ ଝଡରେ ନଇଁଲା ପରି ଶେଷଦେବ ବାବୁଙ୍କର ମୁଣ୍ଡ ନଇଁ ଆସୁଥାଏ । କେତେକ ବି ତାଙ୍କୁ ଦେଖି ପରିହାସ କରି କହୁଥାନ୍ତି ପୁଅ ଜନମ ବଡ କରମ, ଧର ପଲମ ଶେଷ ଗରମ ॥

ୟା ଭିତରେ ଅକର୍ମା ପୁଅମାନେ ବାପକୁ ପିଟି ମାରି ଘରକୁ ନିଲାମ କଲେ । ବିଚରା ଶେଷଦେବ ମୁଣ୍ଡକାନ ଆଉଁସି ବୁଲୁଥାଏ । ହଠାତ୍ ଦେଖାହୋଇଗଲା ନନ୍ଦିନୀ ସହ । ଲଜ୍ଜାରେ ପାଟିରୁ କଥା ବି ବାହାରୁ ନଥାଏ ତା'ର । କ'ଣ କହିବ ସେ..ତା'ର କ'ଣ ମୁହଁ ଅଛି.. । ଝିଅ ସବୁ ଶୁଣିଲା ପରେ ନିଲାମରେ ବାପାଙ୍କ ଘରଟି ମୁକୁଳାଇ ପାରିଲା । ଭାଇମାନଙ୍କ ଅସହାୟତା ଜାଣି ସେମାନଙ୍କୁ ବାଟକୁ ଆଣିଲା ।

ହେଲେ ଶେଷଦେବଙ୍କ ମନରେ ଉଙ୍କି ମାରିଥିଲା ଅତୀତର କଟୁକଥା,ଅତ୍ୟାଚାର ଓ ଝିଅମାନଙ୍କୁ ଘୃଣା ମନ୍ତବ୍ୟ । ସେ ନିଜ ଝିଅକୁ ହାତଯୋଡି କହିଲେ..ଝିଅ ମୋତେ କ୍ଷମା କର । ଆଖିରୁ ଝରିପଡିଲା ଝିଅର ଅନନ୍ଦାଶ୍ରୁ । ବାପାଙ୍କୁ କୁଣ୍ଢେଇ ପକାଇ କହିଲା ବାପା ..ତୁମେ ପରା ମୋ ବାପା.. । ବାପା ପରା ସ୍ୱର୍ଗଠୁ ଉଚ୍ଚା । ହେଲେ....

ଶେଷଦେବ ବୁଝିପାରିଲେ...ମୁଣ୍ଡ ନୁଆଁଇ କହିଲେ... ମୋ ଆଖି ଆଜି ତୁ ଖୋଲି ଦେଇଛୁ ଝିଅ । ସତରେ ଦୁହିତା ଦୁଇ କୁଳକୁ ପିତା ନୁହଁ..ଦୁଇ କୁଳକୁ ହିତା ।

ନାରାୟଣ ଚନ୍ଦ୍ର ସେନାପତି

ଶିକ୍ଷକ,ସରକାରୀ ଉ.ପ୍ରା. ବିଦ୍ୟାଳୟ ଡିମିରିଆ, ତେଲକୋଇ,କେନ୍ଦୁଝର

ପିନ୍-୭୫୮୦୧୯


Rate this content
Log in

Similar oriya story from Inspirational