Sachidananda Kar

Tragedy

3  

Sachidananda Kar

Tragedy

ଶେଫାଳିର ସ୍ୱୀକାରୋକ୍ତି

ଶେଫାଳିର ସ୍ୱୀକାରୋକ୍ତି

3 mins
198



           ଭଲପାଇବାରେ ଥାଏ ଜୀବନ, ଘୃଣାରେ ମୃତ୍ୟୁ।


           ଏବେ ମର୍ମେମର୍ମେ ଏକଥା ଅନୁଭବ କରୁଥିଲା ଶେଫାଳି।


           ସେ ଫେରିଆସନ୍ତେ କି !ପୁଣି ଆରମ୍ଭ ହୋଇପାରନ୍ତା କି ଆମର ଯୁଗ୍ମ ଜୀବନ ! - ଏମିତି ଭାବନା ବାନ୍ଧି ହୋଇ ରହିଥିଲା ତା'ର ମନରେ।


           ସେ ଅପେକ୍ଷା କରୁଥିଲା ଦିନେ ତାକୁ ଖୁବ୍ ଭଲ ପାଉଥିବା ତା'ର ପ୍ରିୟ ମଣିଷକୁ।ହେଲେ ସେ ଆସୁ ନ ଥିଲେ।


           ଦାଣ୍ଡ ପଟରୁ କିଛି ଗୋଟିଏ ଶଦ୍ଦ ହେଲେ ସେ ଧାଇଁ ଯାଉଥିଲା।ଇଏ ଆସିଲେ କି ! ଭାବୁଥିଲା ଏମିତି।ହେଲେ କେହି ସେଠାରେ ନ ଥିଲେ।


           ଶୁଭୁଥିଲା ତାଙ୍କ ହସ।ଚିପା ଚିପା କଥା।ସେ ଏଣେତେଣେ ଚାହିଁ ଖୋଜୁଥିଲା।କେହି କେଉଁଠି ନ ଥିଲେ।


           ଇଏ କ'ଣ ଭୋଜବାଜି ତେବେ ? ସେ ନିଜକୁ ନିଜେ ପ୍ରଶ୍ନ କରୁଥିଲା।ସେଠାରୁ ଫେରି ଆସୁଥିଲା।


           ଆକାଶସାରା ଅସଂଖ୍ୟ ତାରା ଏକାଠି ଟୁପ୍ ଟାପ୍ ହେଲା ଭଳି ଏବେ ଯେମିତି ସମସ୍ତେ ଏକାଠି ହୋଇ ତା' ନାଆଁରେ ଟୁପ୍ ଟାପ୍ ହେଉଥିଲେ।ହେଲେ ଏମାନେ ସବୁ ସେତେବେଳେ ଥିଲେ କୁଆଡ଼େ ଯେତେବେଳେ ଦାମ୍ପତ୍ୟ ସୁଖର ଆଲୋକରେ ଉବୁଟୁବୁ ହେଉଥିଲା ସେ !


          ଏମିତି ଭାବୁଥିଲା ସେ।ଭାବିଲେ ବି ତା'ର ମନଟା ସେଆଡକୁ ଚାଲି ଯାଉଥିଲା।ଗୁଡ୍ ପୁଡ୍ ହେଉଥିଲା।ଲୋକଙ୍କ କାମ ହେଲା କହିବା।କହିବେ ସେମାନେ।ଏମିତି ଭାବି ପୁଣି ମନକୁ ବୁଝାଉଥିଲା ସେ।ଚୁପ୍ ରହୁଥିଲା।


           ଏଠି ବଡ ବଡ କଥା ବି ମିଳେଇଯାଏ,କିନ୍ତୁ ଛୋଟ କଥାଟିଏ ମିଳାଏ ନାହିଁ।କହନ୍ତି - ହାତୀ ଗଳିଯାଏ,ପିମ୍ପୁଡି ଗଳିପାରେନା।କାହିଁକି ଲୋକମାନେ ଏମିତି ହୁଅନ୍ତି କେଜାଣି ! ପ୍ରେମ ନୁହେଁ, ହିଂସା, ଘୃଣା, ଭୟ,ଅସହିଷ୍ଣୁତା - ଏସବୁ ବିକ୍ରି କରିବାକୁ ତ ଏଠି ଲୋକ ହାଉଯାଉ।ଏମାନଙ୍କ ପାଇଁ ବଜାର ସଂଖ୍ୟା ବି କମ୍ ନୁହେଁ ଏଠି।


           ନିଜ ମନକୁ ଟିକେ ଆଶ୍ୱାସନା ଦେବା ପାଇଁ ସେ ତା'ର ଏମିତି ସବୁ ଭାବନାର ଆଶ୍ରୟ ନିଏ।ତା'ର ନିଃଶ୍ୱାସ ପ୍ରଶ୍ୱାସ ଚାଲେ।


           ଆଉ ସେ ଶୁଣି ପାରୁ ନ ଥିଲା ଆଣ୍ଟି କିମ୍ବା ମାଇଁ ଡାକ।କେହି ତାକୁ ଆଉ ଭାଉଜ ବୋଲି ମଧ୍ୟ ଡାକୁ ନ ଥିଲେ।ଡାକ କଥା ପଛକୁ ଥାଉ କେହି ତା' ଘର ଆଡେ ଟିକେ ବି ଆସୁ ନ ଥିଲେ।ତା'ର ବି କୋଉ ଘର ଥିଲା ଯେ ! ସେ'ତ ବେଘର କେବେଠୁ।କେବେ ସିନା ତା'ର ସୁନ୍ଦର ଘରଟିଏ ଥିଲା, ଏବେ କିନ୍ତୁ ନାହିଁ।ଭାଙ୍ଗିଯାଇଛି ସେ ଘର।ଦୁଷ୍ଟ ,ହିଂସୁକ ଓ ଈର୍ଷାଳୁ ଲୋକମାନେ ମିଳିମିଶି ତାକୁ ଭାଙ୍ଗି ଦେଇଛନ୍ତି।ସାତ ବର୍ଷର ପ୍ରେମ - ଘର ଓ ତିନି ବର୍ଷର ଦାମ୍ପତ୍ୟ - ଘର ମାଟିରେ ମିଶିଯାଇଛି।ଏବେ ଯେମିତି ଗୋଟିଏ ଦୁଃସମୟରେ ସେ ଅଛି, ସେମିତି ଭାବୁଥିଲା ସେ।


           ସଂପଦ ବେଳେ ସର୍ବେ ସଖା

           ବିପଦେ ନ ଦିଅନ୍ତି ଦେଖା ।।


           ଏବେ ଏହି ଆପ୍ତ ପଦଟି ତା'ର ବାରମ୍ବାର ମନେ ପଡୁଥିଲା।ଧୀରେ ଧୀରେ ଉପଶମ ହେଉଥିଲା ପୀଡା।।ବଢୁଥିଲା ସହନଶୀଳତା।


           ନିଜକୁ ନିଜେ ପତି ପରିତ୍ୟକ୍ତା ବୋଲି ସ୍ୱୀକାର କରିବାକୁ ଆଉ ତା' ମନରେ ଦ୍ୱିଧା ନ ଥିଲା।ସେ ଭାବୁଥିଲା ବିଡମ୍ବନା ତା' ଜୀବନରେ ଏତିକି ଯେ ଜୀବନକୁ ଜାଣୁ ଜାଣୁ ସରିଗଲା ସମୟ।ନା ଠିକଣା ବାଟରେ ବଞ୍ଚି ପାରିଲା ସେ ନା ବଞ୍ଚେଇ ପାରିଲା ସୌରଭଙ୍କ ସହିତ ତମାମ୍ ସଂପର୍କକୁ।


           ସବୁ ପ୍ରେମ ବିବାହ ସଫଳ ହୁଏନାହିଁ।ତାହା ହିଁ ହୋଇଥିଲା ତା' ଜୀବନରେ।


           ଫଗୁଣର କୋହ,ଶ୍ରାବଣର ଲୁହ, ଜାଡର ନିରବତା ଓ ନିଦାଘର ନିଷ୍ଠୁର ପଣ - ନିଜ ଭିତରେ ଅନେକ ଦିନରୁ ସାଇତିଥିବା ଏସବୁକୁ ଏବେ ରଖିବାକୁ ଜାଗା ଖୋଜିଲା ସେ।ଏଥିପାଇଁ ତା' ଭିତରେ ଆକୁଳତା ଥିଲା ଯେତିକି ବିକଳତା ଥିଲା ସେତିକି।


           ଗୋଟିଏ ସରଳ,ସାଧାରଣ ଜୀବନ ଜୀଇବାକୁ ଚାହୁଁଥିଲା ତା'ର ମନ।ବାଟଟିଏ ଖୋଜୁଥିଲା ସେ।


           ଦିନେ ନିଃଶଦ୍ଦରେ ସୌରଭଙ୍କ ଉଦ୍ଦେଶ୍ୟରେ ତା' ପାଟିରୁ ବାହାରିଗଲା -


            - " ଦେଖ,ତୁମେ ମତେ ପର କରିଦେଲେ କ'ଣ ହେବ,ଏ ସଂସାରରେ ମୋର ବହୁତ ନିଜର ଅଛନ୍ତି।ମତେ ଦେଖିଲେ ଆନନ୍ଦରେ ମୋ ପାଖକୁ ଧାଇଁ ଆସୁଛି ଆମ ପୋଷା କୁକୁର।ଗୁଣ୍ଡୁଚି, ନେଉଳ,ଶୁଆ,ବିରାଡ଼ି, କୁମ୍ଭାଟୁଆ,ଆମ ଛାତ ଉପରେ ଥିବା କୁଣ୍ଡର ଫୁଲ, ଟିକି ଚଢେଇ, ମୋ ହାତ ତିଆରି କୁନି କୁନି ସୁନ୍ଦର ଗଛ ମତେ ବହୁତ ଭଲ ପାଉଛନ୍ତି।ଆଦର କରୁଛନ୍ତି।ତେଣୁ ସେମାନଙ୍କ ମେଳରେ ବଞ୍ଚି ପାରିବି ମୁଁ।ସୁଖରେ ରହିପାରିବି।କାହିଁକି ଝୁରିବି ତୁମକୁ ? ତୁମେ ଏବେ ମୋର ଅତୀତ।ଅତୀତକୁ ଝୁରିବାରେ ଲାଭ ଥାଏ କି ? ଏକଥାକୁ ତୁମେ ସ୍ୱୀକାର କର କି ନ କର,ମୋର ଏତିକି ସ୍ୱୀକାର କରିବାର ଥିଲା।ମୁଁ କରିଦେଲି। "


           କହିବା ବାହୁଲ୍ୟ ଯେ ତା' ପରଠାରୁ ବେଶ୍ ଗୋଟିଏ ସରଳ ଓ ସାଧାରଣ ଜୀବନ ବଞ୍ଚୁଥିଲା ଶେଫାଳି।


           ଭଲପାଇବାରେ ବଞ୍ଚିହୁଏ ଜୀବନ,ଘୃଣାରେ ନୁହେଁ।


Rate this content
Log in

Similar oriya story from Tragedy