STORYMIRROR

Sachidananda Kar

Tragedy

3  

Sachidananda Kar

Tragedy

ସେଇ ନିରାଶାର ବାର୍ତ୍ତାଟି

ସେଇ ନିରାଶାର ବାର୍ତ୍ତାଟି

3 mins
201

    ନର୍ମଦାର ସେଦିନର ସକାଳ ସବୁଦିନର ସକାଳ ପରି ନଥିଲା ।  


    ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲା ସେ ।  


    ସେଦିନ ସକାଳେ ନା ତା'ର ଦେଖିବାକୁ ଇଚ୍ଛା ଥିଲା ବୃକ୍ଷଲତାର ସ୍ୱଚ୍ଛତା,ନା ଶୁଣିବାକୁ ଇଚ୍ଛା ଥିଲା ପକ୍ଷୀମାନଙ୍କର କଳରବ ।  


    ତା' ପାଇଁ ଆମ୍ବୁଲାନ୍ସ ମଗା ଯାଇଥିଲା । ଆମ୍ବୁଲାନ୍ସ କେତେବେଳେ ଆସିବ ସେଥିପାଇଁ ଅପେକ୍ଷା କରୁଥିଲା ସେ ।  


    ମନ ଆଉ କେଉଁଠି ନ ଥିଲେ ବି ଥିଲା ମନୋରଞ୍ଜନ ପାଖରେ । ମନୋରଞ୍ଜନ ତା'ର ସାଥି, ସ୍ୱପ୍ନ, ପ୍ରୀତିଭରା ସ୍ପନ୍ଦନ ଓ ପ୍ରେମିକ ।  


    ମନୋରଞ୍ଜନ ପାଇଁ ନିଜକୁ ସଳିତା କରି ପ୍ରେମରେ ଅହରହ ଜଳୁଥିଲା ସେ । ଫୁଲର ବଗିଚାରେ ବୁଲୁଥିଲା । ଅସରନ୍ତି ଇଚ୍ଛାକୁ ପାପୁଲିରେ ଧରି ରଖି ସମୟ କାଟୁଥିଲା ।  


    ସେ ମନୋରଞ୍ଜନକୁ ଫୋନ୍ କଲା ଓ ନିଜର ଅସୁସ୍ଥତା ବିଷୟରେ କହିଲା । ଆଶା ରଖିଲା ମନୋରଞ୍ଜନ ନିଶ୍ଚେ ତା'ର ଏ ଅସୁସ୍ଥତା ସମୟରେ ହସପିଟାଲ୍ ଆସିବ । ତାକୁ ଦେଖା କରି ତା'ର ଭଲମନ୍ଦ ବୁଝିବ । ଧୈର୍ଯ୍ୟ ଓ ସାହସ ଦେବ । ତା' ପାଇଁ ହୃଦୟରୁ ଶ୍ରଦ୍ଧା ଓ ସହାନୁଭୂତି ଅଜାଡ଼ି ଦେବ ।  


    ଆମ୍ବୁଲାନ୍ସ ପହଞ୍ଚିଲା । ସେ ହସପିଟାଲ୍ ଆସିଲା ।  


    ସୁସ୍ଥ ହୋଇଯିବି ତ ? ମନୋରଞ୍ଜନ ଆସିବେ ତ ? ମୋର ଅସୁସ୍ଥତା ଆମ ସଂପର୍କକୁ ମୋଡ଼ିମକଚି ଦେବନି ତ ? - ହସପିଟାଲ୍ ବେଡ଼୍ ଉପରେ ଶୋଇ ଏମିତି କିଛି ଭାବୁଥିଲା ସେ ।  

    ଦିନ ଯାଇ ରାତି ହେଲା । ତଥାପି ମନୋରଞ୍ଜନ ଆସି ନ ଥିଲା । ଏତିକିବେଳେ ଝରକା ବାଟେ ତାକୁ ଜହ୍ନ ଦିଶିଲା । ସେ ସ୍ଵପ୍ନ ବିଭୋର ହେଲା । ନିଜର ଅସୁସ୍ଥତାକୁ ଭୁଲି ମନୋରଞ୍ଜନକୁ ମନେ ପକାଇଲା । ତାକୁ ଶ୍ରଦ୍ଧାରେ ନମ . . . ନମ ଡାକୁଥିବା ଗୋଟେ ଚିହ୍ନାସ୍ୱର ତା' କାନରେ ପଡ଼ିଲା । ସମ୍ପୂର୍ଣ୍ଣ ଅନ୍ୟମନସ୍କ ରହିଲା ସେ ।  


    ତା' ପାଖରେ ତା'ର ପ୍ରିୟ ପରିଜନ ଥିଲେ । ଡାକ୍ତର, ନର୍ସ ମଝିରେ ମଝିରେ ଆସୁଥିଲେ । ଏସବୁ ସତ୍ତ୍ୱେ ମନୋରଞ୍ଜନର ଅନୁପସ୍ଥିତି ଅନୁଭବ କରୁଥିଲା ସେ । ମନେମନେ ତାକୁ ଖୋଜୁଥିଲା ।  


    ଜହ୍ନରୁ ଆଖି ଫେରାଇ ପାରୁ ନ ଥିଲା ସେ । ତାକୁ ମନୋରଞ୍ଜନ ଦିଶୁଥିଲା । କ'ଣ ହେବାର ଥିଲା, ଅଥଚ କ'ଣ ହେଲା ବୋଲି ନିଜକୁ ପ୍ରଶ୍ନ କରୁଥିଲା ସେ ।  


    - 'ତୁମେ ପାରାଲିସିସ୍ ଆକ୍ରାନ୍ତ । ତୁମକୁ ଏବେ ଏଠାରେ କିଛି ଦିନ ରହିବାକୁ ପଡ଼ିବ ।' ଡାକ୍ତର କହିଥିଲେ ।  


    ମେଘ,ରୋଗ - ଅଚାନକ ଆସି ପହଞ୍ଚନ୍ତି ।  


    - ' କ'ଣ ହେଇଛି ? କାଲି ଅଫିସ୍ କାମରେ ବ୍ୟସ୍ତ ଥିବାରୁ ଆସି ପାରିଲିନି ।' ପରଦିନ ଫୋନ୍ କରି କହିଲା ମନୋରଞ୍ଜନ ।  


    ନର୍ମଦା ସବୁ ସତ କହିଦେଲା । କହିଲା - 'ତୁମେ ବ୍ୟସ୍ତ ହେବନି । ଡାକ୍ତର କହୁଛନ୍ତି ମୁଁ ଭଲ ହୋଇଯିବି ବୋଲି । ତୁମେ ଆସିବ, ମନୋରଞ୍ଜନ ।' 


    - ' ପାରାଲିସିସ୍! ' ଚମକି ଗଲା ମନୋରଞ୍ଜନ । ଫୋନ୍ ରଖିଲା ।  


    ସେଦିନ ସବୁ ଭିତରେ ବି ମନୋରଞ୍ଜନକୁ ଅପେକ୍ଷା କଲା ସେ । ତା'ର ଆସିବା ବାଟକୁ ଚାହିଁ ରହିଲା । ନିଃସଙ୍ଗ ମୁହୂର୍ତ୍ତ କାଟିଲା ।  


    ମନୋରଞ୍ଜନର ତଥାପି ଦେଖା ନ ଥିଲା ।  


    ରାତି ହେଲା । ଝରକା ଫାଙ୍କରେ ଜହ୍ନ ଦିଶିଲା । ହେଲେ ଜହ୍ନରେ ସେ ମନୋରଞ୍ଜନକୁ ଦେଖିପାରିଲା ନାହିଁ ।  


    - 'କ'ଣ ହେବାର ଥିଲା, ହେଲେ କ'ଣ ହେଇଯାଉଛି! 'ମନକୁମନ କହିଲା ସେ । ତା'ର ମନେହେଲା ଯେମିତି ମନୋରଞ୍ଜନ ସହିତ ସଂପର୍କର ସୂତାଟିକୁ ଅଚାନକ ଘୂର୍ଣ୍ଣି ଛିଡ଼ାଇଦେଇଛି । ଦୁହେଁ ଅଲଗା ଅଲଗା ହୋଇ ଅନ୍ତରୀକ୍ଷରେ ଘୂରି ବୁଲୁଛନ୍ତି ।  


    ବେଡ଼୍ ଉପରେ ଆଶାରେ ଆଶାରେ ଦୁଃଖର ସମୟ ବିତୁଥିବା ବେଳେ ଜଣେ ଅପରିଚିତ ଗୋଟିଏ ଲଫାପା ଆଣି ତାକୁ ଦେଇଗଲା । ସେ ଆଶ୍ଚର୍ଯ୍ୟ ହୋଇ ଲଫାପାଟିକୁ ଖୋଲିଲା ।' ତୁମ ସହିତ ଏତିକି । ମୋତେ ଭୁଲ୍ ବୁଝିବନି । ମୁଁ ମୋ ନିଜକୁ ବୁଝାଇ ପାରିଲିନି । ' ମନୋରଞ୍ଜନ ଲେଖିଥିଲା ।  


    - ' ଫୋନ୍ କରି ପାରିଥାନ୍ତେ । ନ ହେଲେ ଗୋଟେ ମେସେଜ୍ ଦେଇ ପାରିଥାନ୍ତେ । ଏତେ ଘୃଣା!ତେବେ କ'ଣ ବୁଝିବାକୁ ହେବ ଯେ ଏଠି ସ୍ୱାର୍ଥ ଥିଲେ ସମ୍ପର୍କ ଥାଏ, ନ ହେଲେ ନାହିଁ । ' ବାର୍ତ୍ତାଟିକୁ ପଢ଼ିସାରି ମନକୁମନ କହିଲା ସେ । ବହେ କାନ୍ଦିଲା । ତା' ଆଖିରୁ ଟପ୍ ଟପ୍ ହୋଇ ପଡୁଥିବା ଲୁହରେ ବାର୍ତ୍ତାର କାଗଜଟି ଭିଜିଗଲା । ଅକ୍ଷର ସବୁ ଦରଲିଭା ଦିଶିଲେ ।  


    ମନକୁ ବୁଝାଇ ଧୀରେ ଧୀରେ ପ୍ରକୃତିସ୍ଥ ହେଲା ସେ । ଚଷମା କାଚ ପୋଛି ପୁଣି ଥରେ ବାର୍ତ୍ତାଟିକୁ ପଢ଼ିବାକୁ ଚାହିଁଲା ।  


    ଭିଜା ଭିଜା କାଗଜରେ ବାର୍ତ୍ତାର ଦରଲିଭା ଅକ୍ଷରଗୁଡ଼ିକ ଆଦୌ ପଢ଼ି ହେବା ଅବସ୍ଥାରେ ନ ଥିଲେ । ତଥାପି କାଗଜ ଉପରେ ମନୋରଞ୍ଜନ ଲେଖିଥିବା ସେଇ ନିରାଶାର ବାର୍ତ୍ତାଟିକୁ ସେ ସ୍ପଷ୍ଟ ଭାବରେ ପଢ଼ି ପାରୁଥିଲା ।  


    ସେଇ ନିରାଶାର ବାର୍ତ୍ତାଟି । 



Rate this content
Log in

Similar oriya story from Tragedy