Mamatamanjari Das

Tragedy Inspirational

3  

Mamatamanjari Das

Tragedy Inspirational

ସେହି ଗରୀବ ସ୍ତ୍ରୀ ଲୋକଟି

ସେହି ଗରୀବ ସ୍ତ୍ରୀ ଲୋକଟି

2 mins
409


ଅସ୍ତଗାମୀ ସୂର୍ଯ୍ୟଙ୍କର ସୁନେଲି କିରଣ ବିଛାଡି ହୋଇ ପଡିଥିଲା ପୃଥିବୀ ରାଣୀ ଉପରେ । ବାଡିରେ ଫୁଟିଥିବା ଗେଣ୍ଡୁ ଫୁଲରେ ସୁନେଲି କିରଣ ଆହୁରି ମନମୁଗ୍ଧ କରୁଥିଲା ଶୀତୁଆ ସଂଧ୍ୟାକୁ । ବାଲ୍କୋନୀର ଗୋଟାଏ କୋଣରେ ଛିଡ଼ା ହୋଇ ପ୍ରକୃତି ରାଣୀର ଏହି ଅପୂର୍ବ ଶୋଭାକୁ ଉପଭୋଗ କରୁଥିଲେ ଶୁଭ୍ରା ଦେବୀ ।


"ମାଆ ଗଣ୍ଡେ ଖାଇବାକୁ ଦିଅ ମାଆ,ଆଉ ପୁରୁଣା ଲୁଗା ଖଣ୍ଡେ ଥିବ ଦିଅ" । ହଠାତ ଏପରି କରୁଣ ଡାକରେ ରାସ୍ତାକୁ ଚାହିଁଲେ ଶୁଭ୍ରା ଦେବୀ । ଦେଖିଲେ ପଡିଶା ଘର ଗେଟ୍ ପାଖରେ ଛିଡା ହୋଇଛି ସ୍ତ୍ରୀ ଲୋକଟିଏ,କାଖରେ ଗୋଟିଏ ପିଲା । ପିନ୍ଧିଛି ସାତସିଆଁ ମଇଳା ଲୁଗା ଖଣ୍ଡେ । ତା'ଡାକରେ ଉତ୍କ୍ଷୀପ୍ତ ହୋଇ ଧାଇଁ ଆଶିଲେ ପଡୋଶୀ ମଦନ ବାବୁ । ଆଉ ଋକ୍ଷ କଣ୍ଠରେ କହିଲେ "କଣ ପାଇଁ ଏତେବଡ ପାଟିଟା କରୁଛୁ ? ଏମାନଙ୍କୁ କାମଧନ୍ଦା କିଛି ମିଳୁନି ଚାଲି ଆସୁଛନ୍ତି ଘର ଘର ବୁଲି ମାଗିବା ପାଇଁ । ଆରେ ସରକାର ତ ତୁମର ସବୁ ସୁବିଧା କରିଦେଲେ

ମାଗଣାରେ ଖାଇବା ପାଇଁ ବି ଦେଲେ ପୁଣି କଣପାଇଁ ମାଗି ବୁଲୁଛ ?ଯା କିଛି ନାହିଁ । " ଏତିକ କହି ଧଡ କରି ଗେଟ୍ ପକେଇ ଚାଲିଗଲେ ।


ବହୁତ ନେହୁରା ହେଲା ସ୍ତ୍ରୀ ଲୋକଟି । ହେଲେ ଧନୀ ଲୋକଙ୍କ ପାଖରେ ଏ ନେହୁରାର ମୂଲ୍ୟ ବା କଣ ?ସେତ ସୈଖିନ୍ ଘରେ ଅୟସ ଆରାମରେ ରହିଲେ । ଗରୀବ ଲୋକଙ୍କ ଯନ୍ତ୍ରଣା ଜର୍ଜରିତ ଜୀବନ ତାଙ୍କ ଉପରେ କି ପ୍ରଭାବ ପକାଇବ ଯେ ?


ବାଲ୍କୋନୀରୁ ତଳକୁ ଯାଇ ସେ ସ୍ତ୍ରୀ ଲୋକଟିକୁ ପାଖକୁ ଡାକିଲେ ଶୁଭ୍ରା ଦେବୀ । ଡରି ଡରି ଆସିଲା ସେ ,ଆଉ କହିଲା "ମାଆ ପୁରୁଣା ଲୁଗା ଥିବ ଖଣ୍ଡେ ଦିଅନ୍ତନି, ଶୀତରେ ଛୁଆଟା ମୋର ଥରୁଛି , ଘୋଡେଇ ହୁଅନ୍ତା । ଭଗବାନ ତୁମର ମଙ୍ଗଳ କରନ୍ତେ" । " ହଁ ସବୁ ଦେବି ଯେ ଆଗେ କହିଲୁ ଏ ସଂଧ୍ୟା ବେଳଟାରେ ପୁଣି ଶୀତରେ ଛୁଆଟିକୁ ନେଇ ତୁ' ବାହାରକୁ କାହିଁକି ଆସିଛୁ "?ଶୁଭ୍ରା ଦେବୀଙ୍କ କଥା ଶୁଣି ଭୋ ଭୋ ହୋଇ କନ୍ଦି ପକାଇଲା ସେ । ଆଉ କହିଲା "ଗରୀବ ଲୋକଟିଏ ପାଇଁ ଶୀତ କଣ ଖରା କଣ ମାଆ ? ଖୋଲା ଆକାଶର ଛାତ ହିଁ ଆମର ଆଶ୍ରୟ ସ୍ଥଳ । ମୋ ସ୍ୱାମୀ ଜଣେ ଦିନ ମଜୁରିଆ । ଜାହା ରୋଜଗାର କରେ ଅଧା ଯାଏ ତାର ମଦ ପିଆରେ । ଆଉ ଅଧାରେ ଯାଇ ତାଇ ଚଳିଯାଉ । ହେଲେ ଏଇ କେତେଦିନ ହେଲ ବାତ୍ୟାରେ ଆମର ଝାଟି ମାଟି ଘରଟି ଭାଙ୍ଗି ଯାଇଛି, ଯାହା ଲୁଗାପଟା ସବୁ ନଷ୍ଟ ହୋଇଗଲା । ମୋ ମରଦକୁ ଜର ଯେ ଭଲ ବି ହେଉନି । ଯାହା ଟଙ୍କା ପଇସା ଥିଲା ଓଷଦ ପାଣିରେ ସରିଗଲାଣି । ସେଥିପାଇଁ ଭାବିଲି ଯାଉଛି କୋଉଠୁ କଣ ଟିକେ ମାଗି ଆଣିବି ।


ତା' ର କଥା ଶୁଣି ଶୁଭ୍ରାଙ୍କ ଆଖିରେ ଲୁହ ଚାଲି ଆସିଲା । ସେ ଭାବୁଥିଲେ ସତରେ ଗରୀବ ହେବା କେତେ କଷ୍ଟ ?ହେଲେ ତାଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିଲା । ଗରୀବ କଣ କେହି ଜାଣି ଶୁଣି ହୁଏ ? ତେବେ ଏଇ ବଡ ବଡିଆ ଙ୍କର ଗରୀବ ମାନଙ୍କ ପ୍ରତି ଏତେ ତାତ୍ସଲ୍ୟ କଣ ପାଇଁ ? ତାଙ୍କ ଭାବନା ରେ ପୂର୍ଣଛେଦ ଟାଣି ସ୍ତ୍ରୀ ଲୋକଟି କହିଲା "ମାଆ ତୁମେ ବି କିଛି ଦେବ ନା ସେ ବାବୁଙ୍କ ପରି କଟୁ କଥା କହି ତଡି ଦେବ"? ପ୍ରକୃତିସ୍ଥ ହୋଇଗଲେ ଶୁଭ୍ରା ଦେବୀ । ଘର ଭିତରକୁ ଯାଇ କିଛି ଖାଦ୍ୟ ଓ ଲୁଗା ଦୁଇଟି ଆଣି ଧରାଇ ଦେଲେ ସେହି ଗରୀବ ସ୍ତ୍ରୀ ଲୋକଟି ହାତରେ...... ।



Rate this content
Log in

Similar oriya story from Tragedy