ସବୁକିଛି ପୂର୍ବ ନିର୍ଦ୍ଦାରିତ
ସବୁକିଛି ପୂର୍ବ ନିର୍ଦ୍ଦାରିତ


ଘର ଦୁଆରେ ତାଲା !
ସାମ୍ନାରେ ଠିଆହୋଇ ରହିଥିଲା ଦୁଃଖିଆ।ଭିତରକୁ ଯିବାପାଇଁ ଇଚ୍ଛା କରୁଥିଲା।କାହିଁ କେତେ ଦିନରୁ ପଡି ରହିଥିବା ସେହି ଭଙ୍ଗା ଘରଟିକୁ ଜୀବନ୍ତ କରିବାକୁ ଚାହୁଁଥିଲା ସେ।
ତାଲାରେ ଜଙ୍କ ଲାଗି ଯାଇଥିଲା।ମନେ ହେଉଥିଲା ଯେମିତି ଅନେକ ଦିନରୁ ତାହା ଖୋଲା ଯାଇନାହିଁ।
ଦିନେ ସେହି ଘରେ ନିଜର ଗୋଟିଏ ସୁଖୀ ପରିବାର ଗଢିଥିଲା ସେ।ଅନେକ ସ୍ବପ୍ନ ଦେଖିଥିଲା।
ସବୁଥିରେ ତାକୁ ଶକ୍ତି, ସାହସ, ପ୍ରେରଣା, ଉତ୍ସାହ ଯୋଗାଇଥିଲା ତା'ର ସ୍ତ୍ରୀ ସୁକାନ୍ତି।ଜୀବନ ତ ଏକ ଲକ୍ଷ୍ୟହୀନ ତରୀ ନୁହେଁ।ନିର୍ଦ୍ଦିଷ୍ଟ ପଥରେ ତରୀଟିକୁ ଦୁହେଁ ବାହି ବାହି ଚାଲିଥିଲେ।
ପୁଅ,ଝିଅ ଦୁହେଁ ପାଠ ପଢିଲେ।ଝିଅର ବାହାଘର ହେଲା।ପୁଅ ଚାକିରି ପାଇ ସହରକୁ ଆସିଲା।ପରେ ପରେ ତା'ର ମଧ୍ୟ ବାହାଘର ହେଲା।ଘରକୁ ବୋହୂ ଆସିଲା।ଖୁସି ଦୁଇ ଗୁଣ ହେଲା।
ବର୍ଷ ପରେ ବର୍ଷ ବିତିବାକୁ ଲାଗିଲା।
ହଠାତ୍ ଘଟିଗଲା ଘଟଣାଟିଏ।ସୁକାନ୍ତି ସବୁଦିନ ପାଇଁ ଆକାଶର ତାରା ହୋଇଗଲା।
ଅନେକ କଥା ଅଧା ଅକୁହା ହୋଇ ରହିଗଲା।ଜୀବନ ଉପରେ ଘଟଣାର ପ୍ରଭାବ ଥାଏ।ତାହା ହିଁ ହେଲା।
ପୁଅ କହିଲା - " ବାପା ! ତୁମେ ମୋ ପାଖକୁ ଚାଲିଆସ। "
ସୁକାନ୍ତି ସହିତ କେବେ ଆଉ ଦେଖା ଚାହାଁ ହେବନାହିଁ।ଅଗତ୍ୟା ପୁଅ ପାଖକୁ ତାକୁ ଆସିବାକୁ ହେଲା।
ସଂପର୍କ ତ ସବୁବେଳେ ସେହିପରି।କେବେ ଛିଡି ଯାଉଥାଏ ତ କେବେ ଯୋଡି ହେଉଥାଏ।
ପୁଅ,ବୋହୂଙ୍କ ପାଖରେ ଆସି ରହିଲା ଦୁଃଖିଆ।
ଧୀରେଧୀରେ ବୟସ ବଢିଲା।ମୁଣ୍ଡ ବାଳ ତୋଫା ଧଳା ଦିଶିଲା।ଦୃଷ୍ଟି ଶକ୍ତି କ୍ଷୀଣ ହେଲା।ମ୍ଳାନ ଦିଶିଲା ମୁଖ ମଣ୍ଡଳ।ଏହାପରେ ଅଲୋଡ଼ା ହେବାକୁ ବସିଲା ସେ।
କିଏ ବା ଚାହେଁ ଏଠି ଅଲୋଡ଼ା ହୋଇ ରହିବାକୁ ! ଦିନେ ସେ ତା' ନିଜ ଘର ପାଖକୁ ଫେରିଲା।ଘର ପାଖରେ ପହଞ୍ଚି ସୁକାନ୍ତିକି ଢେର୍ ଖୋଜିଲା।ଘର ଭିତରକୁ ଯିବା ପାଇଁ ଉଦ୍ୟମ କଲା।
- " କାହାକୁ ଖୋଜୁଛ ? ତାଲା ବନ୍ଦ ଥିବା ଦୁଆର ପାଖରେ ଏମିତି ଠିଆ ହୋଇ ରହିଛ ଯେ ? ତାଲା କାଠି ସାଙ୍ଗରେ ଆଣିନାହଁ କ'ଣ ? " କେହି ଜଣେ ପ୍ରଶ୍ନ କଲେ।
ଦୁଃଖିଆ ନିରୁତ୍ତର ରହିଲା।
- " ଘର ଛାତରୁ ଛେଲା ଛେଲା ସିମେଣ୍ଟ ଗଳି ପଡିଲାଣି।ପାହାଚ ଭାଙ୍ଗିରୁଜି ଯାଇଛି।ଚାରିପଟେ ଅନାବନା ଗଛ।ଘର ଭିତରେ ହୁଏ ତ ଜନ୍ତୁଜୁନ୍ତା ଲୁଚି ରହି ଥାଇପାରନ୍ତି।ତୁମେ ଭିତରକୁ ଯିବନା କ'ଣ ? " ପୁଣି ଜଣେ ପ୍ରଶ୍ନ କଲେ।
ଏତିକିବେଳେ ଦୁଃଖିଆର ମନେପଡିଲା ଯେ ତାଲା ଖୋଲିବାର କାଠିଟି ତା' ପାଖରେ ନାହିଁ।କେଉଁଠି ତାହାକୁ ହଜାଇ ଦେଇଛି ସେ।
ପରିସ୍ଥିତି ଆଦୌ ତା' ନିୟନ୍ତ୍ରଣରେ ନ ଥିଲା।
ଅନେକ ବାଟରୁ ଆସିଥିଲା ସେ।ଅନେକ ପଥଶ୍ରମ ବି ହୋଇଥିଲା।ତେଣୁ ଫେରିଯିବା କଥା ହଠାତ୍ ମନକୁ ଆଣିପାରିଲା ନାହିଁ।
କାଠି ହଜି ଯାଇଥିବା ତାଲାଟିକୁ ବେଳେବେଳେ ଭାଙ୍ଗିବାକୁ ପଡିଥାଏ। ଏବେ ସେ ତାହାକୁ ଭାଙ୍ଗିଦେବାକୁ ଇଚ୍ଛା କଲା।ହେଲେ ସେଥିପାଇଁ ଯେଉଁ ଶକ୍ତି, ସାହସ,ପ୍ରେରଣା, ଉତ୍ସାହ ଦରକାର ତାହା ସେ ଜୁଟାଇ ପାରିଲା ନାହିଁ।
ସୁକାନ୍ତି ଯିବା ପରେ ପରେ ସେସବୁ ଆଉ କେଉଁଠି ତା' ପାଖରେ ଥିଲା ଯେ !ଘର ଦୁଆରେ ତାଲା। ତା'ର ଇଚ୍ଛା ଇଚ୍ଛାରେ ରହିଲା।ଅନିଚ୍ଛା ସତ୍ତ୍ୱେ ସେ ପୁଣି ତା'ର ପୁଅ,ବୋହୂଙ୍କ ପାଖକୁ ଫେରିଲା।
ଏଠି ମଣିଷର ଇଚ୍ଛାରେ କିଛି ଘଟେ ନାହିଁ।ସବୁକିଛି ପୂର୍ବ ନିର୍ଦ୍ଧାରିତ।
କିଏ ଜାଣେ ଏହାପରେ ତାକୁ କେଉଁଠିକି ଯିବାକୁ ହେବ !
...ଜରା ନିବାସକୁ ନୁହେଁ ତ ?