STORYMIRROR

Sachidananda Kar

Tragedy

4.0  

Sachidananda Kar

Tragedy

ସବୁ ସୀମା ଟପିଗଲା ପରେ

ସବୁ ସୀମା ଟପିଗଲା ପରେ

2 mins
180


     ଖୁବ୍ ରାଗିଥିଲି ସେଦିନ । 


     ସେଥରକୁ ମିଶାଇ ଏହା ଭିତରେ କେତେଥର ଯେ ତାଙ୍କ ଉପରେ ରାଗିଥିଲି, ତା'ର ହିସାବ ରଖିନଥିଲି । 


     ଦେହ,ମନ,ଯୌବନ କଥା ଛାଡ । ହସ,ଖୁସି, ଆନନ୍ଦ - ମନ ବୁଝି ଅଯାଚିତ ଭାବରେ, ପରମ ତୃପ୍ତିରେ ସେ ମୋତେ ଦେଉଥିଲେ । ତଥାପି ମୋର କ'ଣ ହେଉଥିଲା କେଜାଣି ମୁଁ ତାଙ୍କ ଉପରେ ଅସମ୍ଭବ ଭାବରେ ରାଗି ଯାଉଥିଲି । 


      ସେ ଜଣେ ନାରୀ । - ଏମିତି ଗୋଟିଏ ଭାବନା ମୋ ଭିତରେ ବଦ୍ଧମୂଳ ହୋଇ ଯାଇଥିଲା । 


      ସେ ଦୁର୍ବଳା । - ଏମିତି ଏକ ଅମୂଳକ ଧାରଣାର ବଶବର୍ତ୍ତୀ ହୋଇ ଯାଇଥିଲି ମୁଁ । 


      ସେ ସହିପାରନ୍ତି । ଯାହା ବି କହିଲେ ପାଟି ଫିଟାଇବେ ନାହିଁ । ବନ୍ଧା ଗୋରୁ ଭଳିଆ ଘରେ ପଡି ରହିଥିବେ । - ଏମିତି କିଛି ହୀନ ଓ ନୀଚ ମାନସିକତା ମୋ ଭିତରେ ବସା ବାନ୍ଧି ରହିଥିଲା କେବେଠୁ । 


      କିଏ ବା ତାଙ୍କର ଅଛି ! କେଉଁଠିକି ବି ଆଉ ଯିବେ ସେ ! - ବେଳେବେଳେ ଏମିତି ଭାବୁଥିଲି ମୁଁ । 


      ବାସ୍ ! ଏଇ କାରଣରୁ ତାଙ୍କର ସୋରିଷ ପ୍ରାୟ ଭୁଲ ମୋତେ ପର୍ବତ ପରି ଦିଶୁଥିଲା । ଗୋଟେ ପୁରୁଷର ଅହଂ ଓ ସ୍ୱାଭିମାନ ନେଇ ମୁଁ ଖୁବ୍ ରାଗି ଯାଉଥିଲି । ମନ ଇଚ୍ଛା ବକୁଥିଲି । ତାଙ୍କ ସାତପୁରୁଷ ଯାଏ ଉଝାଳି ଦେଉଥିଲି । 


      ଉଁ କି ଚୁଁ କହୁ ନ ଥିଲେ ସେ । ସିଲେଇକରା ପାଟିଟେ ଧରି ମେଞ୍ଚାଏ କାଦୁଅ ଭଳି ବସି ରହୁଥିଲେ । 


      କେତେ ବକିବି ! ଆପଣାଛାଏଁ ଶାନ୍ତ ପଡୁଥିଲି - ଯେମିତି ଭୋ ଭୋ ଭୁକୁଥିବା କୁକୁରଟା କିଛି ସମୟ ପରେ ନିଜେ ଶାନ୍ତ ପଡିଯାଏ । 


      ହେଲେ ସେଦିନ ଏତେ ରାଗି ଯାଇଥିଲି ଯେ ପ୍ରବଳ ପାଟିତୁଣ୍ଡ କରି ଭାତଥାଳି ପାଖରୁ ଉଠିଗଲି । 


      ବର୍ଷା ଆରମ୍ଭ ହୋଇ ଯାଇଥିଲା ସେତେବେଳକୁ । ପ୍ରବଳ ବର୍ଷା । ଛାଡିବା ଯାଏ ମୋତେ ଅପେକ୍ଷା କରିବାକୁ ପଡିଲା । 


 &nb

sp;    ଧୀରେଧୀରେ ଶାନ୍ତ ପଡି ଆସୁଥିଲା ମୋ ରାଗ । ଅହଂ ଓ ସ୍ୱାଭିମାନ କିନ୍ତୁ ଯେପରି ସେପରି ଅବସ୍ଥାରେ ଥିଲେ । ମୋତେ ଆସି ଡାକନ୍ତେ କି ସେ ! ଭାବୁଥିଲି ମୁଁ । 


      ହେଲେ ସେମିତି କିଛି ହେଉନଥିଲା । ମୁଁ ଟିକେ ବୁଲି ପଡି ଦେଖିଲାବେଳକୁ ସେ ଦୁଆର କିଳି ଦେଇଥିଲେ । 


      କିଛି ବୁଝି ନ ପାରି ଧୀରେଧୀରେ ଦୁଆର ପାଖକୁ ଚାଲି ଆସିଲି । ଶୁଣିଲି ଭିତରେ ଥାଇ ଭୋ ଭୋ କାନ୍ଦୁଛନ୍ତି ସେ । ଭଲ ହୋଇଛି । ମନେମନେ କହି ଖୁସି ହେଲି । ଟିକିଏ ଶାନ୍ତି ଅନୁଭବ କଲି । 


      ଏବେ କାହିଁକି କେଜାଣି ନିଃସଙ୍ଗ ଅନୁଭବ କରୁଥିଲି ମୁଁ । ଏତିକିବେଳେ ବର୍ଷା ଛାଡିଲା । ମୁଁ ବାହାରିଗଲି । 


      ବାହାରେ ବୁଲି ବୁଲି ସଂଜ ହେଲା । ଭୋକ ଲାଗିଲା । ଭାବିଲି ଘରକୁ ଫେରି ଆସିବି । ଫେରି ଆସିଲି । 


      ଆସି ଦେଖେ ତ ଘରଟା ବେଶ୍ ଖାଁ ଖାଁ ଲାଗୁଛି । ଭାତହାଣ୍ଡି ପଖଳା ହୋଇନି । ଠାକୁରଘର କାନ୍ଥକୁ ଆଉଜି ପଡି ଭୋକିଲା ମଣିଷ ପରି ନିଃସ୍ତେଜ ଚେହେରା ଧରି ବସିଛନ୍ତି ସେ । ମନେମନେ ଖୁବ୍ ଆଶ୍ଚର୍ଯ୍ୟ ହେଲି । 


      ହେଲେ ଯେତେବେଳେ ଦେଖିଲି ଯେ ସେ ତାଙ୍କ ସିନ୍ଥିରେ ଟିକେ ଅଧିକ ସିନ୍ଦୂର ଦେଇଛନ୍ତି ଓ ମୁଣ୍ଡ କୁଣ୍ଡାଇ ଯତ୍ନ କରି ସୁନ୍ଦର ଖୋସାଟେ ଗଢିଛନ୍ତି,ସେତେବେଳେ ମୁଁ ଆହୁରି ଆଶ୍ଚର୍ଯ୍ୟ ହେଲି । 


      ମନେମନେ ଅନୁତାପ କଲି । ପାଖକୁ ଲାଗି ଆସି ତାଙ୍କୁ ହଲେଇ ଦେଇ କହିଲି - " ମୋର ଭୁଲ ହୋଇଛି । ଆସ ଆମେ ସାଙ୍ଗ ହୋଇ ଖାଇବା । "


      କେତେବେଳୁ ଯେ ତାଙ୍କର ଶେଷନିଃଶ୍ୱାସ ବାହାରି ଯାଇଥିଲା କେଜାଣି, ଗଛଟେ ପଡିଲା ପରି ସେ ମୋ ଉପରେ ପଡିଗଲେ । 


      ନିରେଖି ଦେଖିଲି । ଆଦୌ କ୍ଳାନ୍ତ ହୋଇ ନ ଥିବା ମଣିଷଟେ ପରି ମୋ ଛାତି ଉପରେ ଶୋଇ ରହିଥିଲେ ସେ । ସୁଖର ସ୍ୱପ୍ନରେ ହସୁଥିଲେ । 


      ହାୟ ! କ'ଣ କଲି ମୁଁ ! କାହିଁକି ସବୁ ସୀମା ଟପିଗଲି ! - ନିଃଶଦ୍ଦରେ ମୋ ପାଟିରୁ ବାହାରିଗଲା । 



Rate this content
Log in

Similar oriya story from Tragedy