ସବୁ ଶୋଇଗଲା ପରେ
ସବୁ ଶୋଇଗଲା ପରେ
ସବୁ ଶୋଇଗଲା ପରେ ସେ ଚେଇଁ ଉଠେ । ଧୀର ପାଦରେ ଘର ଭିତରକୁ ପ୍ରବେଶ କରେ ।ଦିନ ବେଳେ ତାକୁ ଘର ଭିତରକୁ ପ୍ରବେଶ କରିବାର ସୁଯୋଗ ନଥାଏ । କାରଣ ଦିନ ବେଳା ସମସ୍ତେ ଥାନ୍ତି, ଘର ସାରା ଲୋକ ଭର୍ତ୍ତି । ଏତେ ସାରା ଲୋକ ଦେଖି କାହିଁକି କେଜାଣି ତାକୁ ଅଣ ନିଶ୍ୱାସୀ ଲାଗୁଥାଏ।କଣ ହେଇଛି କେଜାଣି ? ଏଇ କିଛିଦିନ ହେଲା ସୂର୍ଯ୍ୟଙ୍କର ପ୍ରଚଣ୍ଡ କିରଣ ତାଙ୍କୁ ଆଉ ଭଲ ଲାଗୁ ନାହିଁ ।ରାତି ର ନିସ୍ତଵତା ଓ ଚନ୍ଦ୍ରମା ଙ୍କ ଶୀତଳତା ତାକୁ ଭଲ ଲାଗୁଛି । ନିଜ ଶୟନ କକ୍ଷ ରେ ପିଲା ଟିର ବିକଳ ରେ ରୋଦନ ଦେଖି ଶାଶୁ ମା ଙ୍କୁ ଉଠେଇ ବାକୁ ଚେଷ୍ଟା କରି ଡାକୁଛି ସେ, ପିଲାଟି ରାହା ଧରି କାନ୍ଦୁଛି ମା' ,ତାକୁ ଟିକେ କୋଳକୁ ନିଅ କହି ।କିନ୍ତୁ କେହି ଶୁଣିପାରୁ ନାହାଁନ୍ତି ତାରି ଡାକ । ଆସି ଶୋଇପଡୁଛି ତା କୁନି ଝିଅ ପାଖରେ। କୋଳକୁ ଟାଣି ଆଣି କ୍ଷୀର ଦେବାକୁ ଚେଷ୍ଟା କରୁଛି । ଥନ ରେ ତାର କ୍ଷୀର ଭର୍ତ୍ତି ।କିନ୍ତୁ କୁନି ଛୁଆ ଟିକୁ କୋଳେଇ ପାରୁନାହିଁ କି ଖୁଆଇ ପାରୁ ନାହିଁ ।ବହୁତ କଷ୍ଟ ହେଉଛି ତାକୁ ପିଲାଟି କୁ କାନ୍ଦୁଥିବାର ଦେଖି।ଘରେ ବାହାରେ ସମସ୍ତେ କୁହା କୁହି ହେଉଛନ୍ତି ଯେ ସେ କୁଆଡେ ମରିଯାଇଛି ବୋଲି ।କିନ୍ତୁ ସେମିତି ତ କିଛି ଅନୁଭବ ହେଉନାହିଁ ତାର । ସେ ଚାଲି ପାରୁଛି ,ବସି ପାରୁଛି ,ଶୋଇ ପାରୁଛି, ଦେଖି ପାରୁଛି ।ହଁ ଗୋଟେ ଦ୍ଵନ୍ଦ ସେ କିଛି ବି ସ୍ପର୍ଶ କରିପାରୁନି। ତାର ନୟନ ପିତୁଳା କୁ ହାତରେ ଧରି ମନ ଭରି ଗେଲ କରି ପାରୁନାହିଁ । ତାହେଲେ ସମସ୍ତେ କହୁଥିବା କଥା କଣ ସତ ! ,ସତରେ କଣ ମରିଯାଇଛି ସିଏ ? ଏହି ପ୍ରଶ୍ନ ବାରମ୍ବାର ଆନ୍ଦୋଳିତ କରୁଛି ତାର ସୁକ୍ଷ୍ମ ମସ୍ତିଷ୍କ ର ଭାବନା ତନ୍ତ୍ରୀରେ। ସବୁ ତ ଠିକ ଥିଲା, ସେ ତ ହସ୍ପିଟାଲ ଯାଇଥିଲା ଝିଅ ବି ଜନ୍ମ ହେଇଥିଲା ? ତା ପରେ ପୁଣି କଣ ହେଲା ? କିଛି ବି ଜଣା ପଡୁନଥିଲା ତାକୁ । ସେ ଘରୁ ଗଲାପରେ ସବୁ ଅବ୍ୟବସ୍ଥା ହୋଇ ଯାଇଛି ।ଘର ସାରା ସବୁ ଜିନିଷ ଯେମିତି ସେମିତି ଆଲୁରା ବାଲୁରା ହୋଇ ବିକ୍ଷିପ୍ତ ହୋଇ ପଡିଛି।
ସ୍ୱାମୀ ତlର ପିଲା ଟିକୁ କୋଳରେ ଧରି ଶୋଇଯାଇଛନ୍ତି ଶୟନ କକ୍ଷ ରେ ପଡିଥିବା ଖଟ ଉପରେ ,।ଆଖି କୋଣରେ ଚକ ମକ କରୁଛି ଲୁହ ର ଦୁଇ ବୁନ୍ଦା ତାଙ୍କର ।ପିଲା ଟି କାନ୍ଦୁଥିବାର ଦେଖି ନିଦରୁ ଉଠି ବୋତଲ ଦେଇ ଚୁପ କରିବାକୁ ଚେଷ୍ଟା କରୁଥାନ୍ତି ।ପିଲାଟି ତୁନି ହେଇଯାଉଛି ବାପା ,ମା ଉଭୟଙ୍କୁ ପାଖରେ ପାଇ ।କୁନି କୁନି ହାତ ଗୋଡ ବାଡେଇ ଖେଳୁଛି ଏବଂ ଧୀରେ ଧୀରେ ହସୁଛି ତାକୁ ଦେଖି ।ଏଇ ଦିନକୁ ଦୀର୍ଘ ଦଶ ମାସ ହେଲା ଅପେକ୍ଷା କରିଥିଲା ସେ ,କେତେ କଣ କରିଵ ବୋଲି ସ୍ୱପ୍ନ ଦେଖିଥିଲା। ପିଲା ଟି ତା ଆଡ଼କୁ ଦେଖି ହାତ ଗୋଡ଼ ହଲାଉଥିବାର ଦେଖି ସେ ବି ହାତ ବଢଉଛି କୁନି କୁନି ହାତ କୁ ଧରି ପିଲା ଟିକୁ ଗେଲ ଟିକେ କରିବା ପାଇଁ ।କିନ୍ତୁ ସ୍ପର୍ଶ କରିପାରୁ ନାହିଁ ।ମନ ତାର ଦୁଃଖରେ ଭରି ଯାଉଛି। ସ୍ୱାମୀ ଙ୍କ କାନ୍ଦୁରା ମୁହଁ ଓ ଆଲୁରା ବାଲୁରା କେଶ ରାଶି କୁ ସଜାଡି ଦେବାକୁ ବହୁତ ଚେଷ୍ଟା କରୁଛି ଏବଂ ନିଜ ର ଉପସ୍ଥିତକୁ ପ୍ରତି ମୁହୂର୍ତ୍ତରେ ଜାହିର କରିବାକୁ ଚେଷ୍ଟା କରୁଛି କିନ୍ତୁ ହାଏ ରେ ବିଧାତା ! ସେ କିଛି ଜାଣିପାରୁ ନାହାଁନ୍ତି ? ଭାରି ବାଧୁଛି ତାକୁ ।ମନେ ମନେ ଠାକୁର ଙ୍କୁ ଡାକୁଛି, କି ନିଷ୍ଠୁର ପ୍ରଭୁ ତୁମେ ?କଣ ଏମିତି କଲ ଯେ ,କି ଦୋଷ କରିଥିଲି ମୁଁ ତୁମର ?କଅଁଳା ନିଷ୍ପାପ ପିଲା ଟି ର ମୁଖରେ କ୍ଷୀର ଟିକେ ଦେବାକୁ ବି ମୁଁ ଅସମର୍ଥ ! ଏ ଯାଏଁ ଯାହାର ମନର ଭାବନା ବିଷୟରେ ଲେଖି ଆସୁଥିଲି ସେ ହେଉଛନ୍ତି ଅର୍ଚ୍ଚିତା ।ସ୍ୱାମୀ ସରୋଜ ଓ ,ଶାଶୁ ଙ୍କୁ ନେଇ ହସଖୁସିରେ ସଂସାର ଥିଲା ତାଙ୍କ ର।ସ୍ୱାମୀ ତ ଦେବତା ତାଙ୍କର ।ଶାଶୁ ବି ଥିଲେ ତାଙ୍କ ନିଜ ବୋଉ ଠାରୁ ବି ଅଧିକ।କୋଉଥିରେ କିଛି ଉଣା ରଖିନଥିଲେ ସ୍ନେହ ଦେବାରେ।ନିଜ ଇଚ୍ଛା ରେ ବାହା ହେଇ ଆସି ଥିଲେ ବୋଲି ପରିବାର ଲୋକ ସିନା ସବୁ ସମ୍ପର୍କ କାଟି ସାରିଥିଲେ, ଏଇ ଶାଶୁ ମା ତାକୁ କୋଳେଇ ନେଉଥିଲେ ,ଯେତେବେଳେ ସେ ଅତ୍ୟନ୍ତ ମନଦୁଃଖ ରେ ରହୁଥିଲେ ।ଯାହାହେଲେ ବି ପୁଅ ତାଙ୍କର ପସନ୍ଦ କରି ଆଣିଛି ସୁନା ନାକୀ ବୋହୂ ଟି ଏ , ସେ ବା କାହିଁକି ନା ପସନ୍ଦ କରିବେ।
ବହୁତ ହସ ଖୁସିରେ ଦିନ ସବୁ କଟି ଯାଉଥିଲା । ସେଦିନ ଥିଲା ତାଙ୍କର ପ୍ରଥମ ମାଣବସା ଗୁରୁବାର । ଶାଶୁଙ୍କ ସହ ମିଶି ସବୁ ପ୍ରକାର ପିଠା ପଣା ପ୍ରସ୍ତୁତ କରି ରଖିଥିଲେ ସେ। ପୂଜା ଘରେ ପୂଜା ପାଇଁ ସବୁ ପ୍ରକାର ସାଜସଜ୍ଜା କରି ଭୋଗ ବାଢି ରଖୁଥିଲେ ଶାଶୁ ମା ମା ଙ୍କ ପୂଜା ଅଧା ଅଧି ଚାଲିଥିବା ସମୟରେ, ହଟାତ ଅର୍ଚ୍ଚିତା ଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା ।ଛଟ ପଟ ହୋଇ କାନ୍ଦୁଥିବାର ଦେଖି ସରୋଜ ତୁରନ୍ତ ଯାଇ ଆମ୍ବୁଲାନ୍ସ ଡାକି ଆଣିଥିଲେ । ।ଯନ୍ତ୍ରଣା ରେ ଦେହ ମୁଣ୍ଡ କଣ ହେଇଯାଉଥାଏ ତାଙ୍କର। କ୍ରମେ କ୍ରମେ ଯନ୍ତ୍ରଣା ବଢୁଥିଲା।ହସ୍ପିଟାଲ ରେ ଗାଡି ପହଞ୍ଚିଥିଲା। ଛୁଆ ଜଲଦି ହେବା ପାଇଁ ,ସବୁ ତକ ଡିପସ (ଇଞ୍ଜେକ୍ସନ)ଦେବା ପରେ ବି ଛୁଆ ଜନ୍ମ ହେବାର ନା ହିଁ ଧରୁ ନଥିଲା।ଡାକ୍ତର ପରାମର୍ଶ ଦେଇଥିଲେ ତୁରନ୍ତ ଅସ୍ତ୍ରୋପଚାର ପାଇଁ ।ଆଉ ସନ୍ତକ ବି କରେଇ ନେଇଥିଲେ, ଅସ୍ତ୍ରୋପଚାର ପରେ, ଯଦି ମା ଓ ପିଲା ଭିତରୁ କେହି ବି ଜଣେ ମୃତ୍ୟୁ ବରଣ କରନ୍ତି ସେଥିପାଇଁ କେହି ଦାୟୀ ନୁହଁନ୍ତି କହି ।ମା ଓ ପିଲା ଦୁଇ ଜଣ ଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିଲା ।କାହାକୁ ବି ଜଣକୁ ବଞ୍ଚେଇ ହବ ।ସରୋଜ କିନ୍ତୁ କହିଥିଲେ ମତେ ମା, ଦରକାର।ସେ ଥିଲେ ପୁଣି ଥରେ ମୋର ଦ୍ୱିତୀୟ ଛୁଆ ଆସିପାରିବ।ଅର୍ଚ୍ଚିତା କିନ୍ତୁ ଆକୁଳ ହୋଇ କହିଥିଲେ ଦଶ ମାସ ଦଶ ଦିନ ତାକୁ ଗର୍ଭ ରେ ଧରିଛି ମୁଁ ଡାକ୍ତର, ମୁଁ ତା ମା' ,ତାକୁ ମୃତ ଅବସ୍ଥାରେ ମୁଁ ଦେଖିପାରିବି ନାହିଁ, ମତେ ମୋ ଛୁଆ ଦରକାର । ମୋର ପଛକେ ଯାହା ବି ହେଇ ଯାଉ ।ଈଶ୍ୱର ଙ୍କ ଉପରେ ଭରସା ରଖିବାକୁ କହି ଅସ୍ତ୍ରୋପଚାର ଗୃହ କୁ ନିଆଯାଇଥିଲା ଅର୍ଚ୍ଚିତାଙ୍କୁ। ଅସ୍ତ୍ରୋପଚାର ସଫଳ ହୋଇଥିଲା ।ଖୁବ ସୁନ୍ଦର ଗୁଲୁଗlଲିଆ ଝିଅ ଟିଏ ଜନ୍ମ ନେଇଥିଲା। କିନ୍ତୁ ବେଳକୁ ବେଳ ଅର୍ଚ୍ଚିତା ଙ୍କର ଅବସ୍ଥା ଖରାପ ଆଡ଼କୁ ଗତି କରିଥିଲା।ଅତ୍ୟଧିକ ରକ୍ତ ସ୍ରାବ କୁ ରୋକିବାକୁ ,ଡାକ୍ତର ମାନଙ୍କ ର ସବୁ ଉଦ୍ୟମ ବିଫଳ ହୋଇଥିଲା।ନିଜ ନିଜ ଭିତରେ ସେମାନେ କଥା ହେଉଥିଲେ ଆଉ କିଛି କରିହେବନି କହି । ଚାରିଆଡେ ଅନ୍ଧାର ଦେଖା ଯାଇଥିଲା ତାଙ୍କୁ, ଭୀଷଣ ଶୋଷ ବି ଲାଗୁଥିଲା ।ହଟାତ ତାଙ୍କୁ ଅନୁଭବ ହୋଇଥିଲା ତାଙ୍କ ଶରୀର ବହୁତ ହାଲୁକା ହୋଇ ଯାଇଛି ।ନିଦ ବି ପ୍ରବଳ ଲାଗୁଛି ତା ପରେ ସେ ଶୋଇ ପଡ଼ିଥିଲେ ଚିର ନିଦ୍ରାରେ । ପିଲାଟିର ବିକଳ କ୍ରନ୍ଦନ ତାଙ୍କ ନିଦ୍ରା ଭଙ୍ଗ କରିଥିଲା ଦୌଡ଼ି ଯାଇଥିଲେ ସେ ଘର ଭିତରକୁ।

