ସ୍ବର୍ଗଦ୍ବାର
ସ୍ବର୍ଗଦ୍ବାର
ଯୁଆଡେ ଯାଇଥାଏ ନା କାହିଁକି ଘରକୁ ଫେରି ଆସି ମା' ପାଖରେ ପହଞ୍ଚିଗଲେ ମୋ ମନଟା ଖୁବ୍ ହାଲୁକା ଲାଗେ । ତା'ର ଅମାୟିକ ହସ,ତୁ ଭଲରେ ଫେରିଲୁ ତ ବୋଲି ପ୍ରଶ୍ନ ମୋତେ ଖୁସି କରିଦିଏ । ପୁଣି ଯେତେବେଳେ ସେ ତା'ର ହାତକୁ ମୋ ମୁଣ୍ଡ ଉପରେ ଥାପି ଦିଏ,ମୋ ହାତ ଆକାଶକୁ ପାଇଯାଏ ।
ମୋ ପାଇଁ ମୋ ମା' ମୋର ପୃଥିବୀ । ସେଥିପାଇଁ ମୋ ଭିତରେ ତା' ପାଇଁ ରହିଥାଏ ଗୋଟେ ସମର୍ପଣ ଭାବ । ଯୁଆଡେ ଗଲେ ବି ତା' ବିନା ମୋତେ ଏକୁଟିଆ ଲାଗେ । ଅଦୃଶ୍ୟରେ ହେଲେ ବି କେଉଁଠି ସେ ଥାଏ ମୁଁ ବାରିପାରେ ।
କାହିଁକି କେଜାଣି ଦିନେ ସେ ମୋତେ କହିଲା - " ଶୁଣ୍ ,ମରିବାକୁ ମୋର ଆଦୌ ଇଚ୍ଛା ନାହିଁ । ହେଲେ ମୁଁ ଜାଣେ ଦିନେ ନା ଦିନେ ନିଶ୍ଚେ ମୋତେ ଏଇ ସ୍ୱର୍ଗସୁଖରୁ ବଞ୍ଚିତ ହେବାକୁ ହେବ ହିଁ ହେବ । "
- " ମିଛ । ସ୍ୱର୍ଗସୁଖରୁ ବଞ୍ଚିତ ହେବି ମୁଁ । ତୁମେ କାହିଁକି ହେବ ? ତୁମେ ଯେଉଁଠି ରହିବ ସେଇଟା ହିଁ ସ୍ୱର୍ଗ । " ମୁଁ କହିଲି ।
ଦେଖିଲି ତା'ର ଆଖି ଦୁଇଟି ଓଦା ଓଦା ଦିଶିଲା । କୋହରେ ତା'ର କଣ୍ଠ ରୁନ୍ଧି ହୋଇଗଲା କି କ'ଣ ସେ ଆଉ କିଛି ବି କହି ପାରିଲାନି ।
ଜାଣିଥିଲି ଏମିତି ଗୋଟେ ଦିନ ଆସିବ , ସେ ଥିବ ଦୁଆର ବନ୍ଧ ଆରପଟେ,ତାକୁ ବିଦାୟ ଦେଇ ମୁଁ ଏକା ଏକା ଫେରି ଆସିଥିବି ଘରକୁ । ଏବଂ ତା'ପରେ ମୋର ପାଦ ଦୁଇଟିରେ ମୋତେ ଏକା ଏକା ଚାଲିବାକୁ ହେବ । ତେଣୁ ମୋ କଥାରେ ଆଗକୁ ନ ବଢି ମୁଁ ମଧ୍ୟ ଚୁପ୍ ରହିଲି ।
ମୋ ମାଆକୁ ସ୍ୱର୍ଗରେ ଜାଗା ଟିକିଏ ମିଳିବା ଦରକାର । ଯିଏ ସ୍ୱର୍ଗ ସୁଖ ଚାଖିଲାଣି ତାକୁ ଆଉ କେଉଁ ଜାଗା ଭଲ ଲାଗିବ ଯେ !
ବାପାଙ୍କ ଅବର୍ତ୍ତମାନରେ ତା'ର ପ୍ରତ୍ୟେକ ଦାୟିତ୍ୱ ମୋ କାନ୍ଧରେ ଥିଲା । କେବେ ହେଳା କରୁ ନ ଥିଲି । ଏବେ ତାକୁ କିପରି ସ୍ୱର୍ଗ ମିଳିପାରିବ,ମୋର ଖାଲି ଥିଲା ସେହି ଚିନ୍ତା ।
ମୋ ପଢାବହିରୁ ଧୂଳି ସେ ପୋଛିଦେଇଛି ।
ମୋତେ କାଖରେ ବସେଇ ଆକାଶର ତାରା ଦେଖେଇଛି ।
ମୁଁ ଖାଇଲେ ସେ ଖାଇବ ବୋଲି ଭୋକରେ ବସିଛି ।
ମୋ ପାଦ ତଳିପାରେ ସେ ଉଷୁମ ତେଲ ଘଷିଛି ।
ମୋ ପାଇଁ ସେ ରାତିରେ ନିଦ ଭାଙ୍ଗି ଉଠି ବସିଛି ।
ସ୍ନେହରେ ଶ୍ରଦ୍ଧାରେ ଆଗ୍ରହରେ ମୋତେ ସେ ନିଜ ଛାତିରେ ଜାକି ଧରିଛି । ବୋକ ଦେଇଛି ।
.....ତେଣୁ ଚିନ୍ତା ନ କରିବି କେମିତି !
ଯାହା ଘଟିବ ଘଟିବ ବୋଲି ସବୁଦିନେ ଡରୁଥିଲି,ଦିନେ ଠିକ୍ ସେଇକଥା ହିଁ ହେଲା । ସେ ଆଖି ବୁଜି ଚିରନିଦ୍ରାରେ ଶୋଇଗଲା ।
ମାଆକୁ ସ୍ୱର୍ଗଦ୍ବାର ନେଇଯିବା ପାଇଁ ସମସ୍ତେ କହିଲେ । ମୋର ମଧ୍ୟ ତାହା ହିଁ ଇଚ୍ଛା ଥିଲା । ମୋ ଭିତରେ ଗୋଟିଏ ଅତୁଟ ବିଶ୍ୱାସ ଥିଲା ଯେ ସ୍ୱର୍ଗରୁ ନିଶ୍ଚୟ ଗୋଟିଏ ସିଡ଼ି ଲମ୍ବି ଆସିବ,ଏବଂ ମୋ ମାଆ ପାଇଁ ମୁକ୍ତିର କବାଟ ଖୋଲିଯିବ । ତାକୁ ସ୍ୱର୍ଗ ପ୍ରାପ୍ତି ହେବ ।
ହେଲେ ସମ୍ବଳ ଅଭାବରୁ ମୁଁ ସେପରି କରି ପାରିଲିନି । ଗାଆଁ ମଶାଣିରେ ତା'ର ଶବ ଦାହ କରିଦେଲି । କିଛି ସମୟ ଭିତରେ କେତେ ମୁଠା ପାଉଁଶରେ ପରିଣତ ହୋଇଗଲା ସେ ।
ମୋ ମାଆକୁ ସ୍ୱର୍ଗରେ ଜାଗା ଖଣ୍ଡିଏ ମିଳିଲା ତ ? - ଏବେ ଏଇ ପ୍ରଶ୍ନ ପଚାରିଲି ନିଜକୁ । ଇଚ୍ଛା ନ ଥିଲେ ବି କାହିଁକି କେଜାଣି ମନକୁ ସନ୍ଦେହ ପଶି ଆସୁଥିଲା । ମୁଁ ଦୁଃଖୀ ହେଉଥିଲି ।
ତୁମେ ଯେଉଁଠି ରହିବ ସେଇଟା ହିଁ ସ୍ୱର୍ଗ । - ମନେ ପଡିଲା ଦିନେ ତାଙ୍କୁ କହିଥିବା ମୋର ଏହି କଥା ।
ଏବେ ସ୍ୱର୍ଗଦ୍ବାରକୁ ନେଇ ଦୀର୍ଘଦିନରୁ ମୋ ଭିତରେ ଥିବା ଅତୁଟ ବିଶ୍ବାସଟି ତୁଟିବାକୁ ଲାଗିଲା ଧୀରେ ଧୀରେ । ସେଠାକୁ ମାଆର ଶବ ଦାହ ପାଇଁ ନେଇ ପାରି ନ ଥିବାରୁ ଆଉ ଦୁଃଖୀ ହେଉ ନ ଥିଲି ମୁଁ ।
କାହିଁକି ଦୁଃଖୀ ହୋଇଥାନ୍ତି ଯେ ! ! !