Goutam Mohanty

Tragedy Inspirational Others

3  

Goutam Mohanty

Tragedy Inspirational Others

ସ୍ବର୍ଗ ରୁ ଜେଜେ ଙ୍କ ଚିଠି

ସ୍ବର୍ଗ ରୁ ଜେଜେ ଙ୍କ ଚିଠି

5 mins
196


ସେହ୍ନ ର ଧନ,


ମୁଁ ଏଠି (ସ୍ୱର୍ଗ) ଆସି ଭଲରେ ପହଞ୍ଚିଲି , ତୁମ ମାନଙ୍କୁ ଛାଡି ଆସିଛି ମନ ଟା ଭଲ ଲାଗୁନି । ତୋ କଥା , ତୋ ଡାଡି କଥା , ତୋ ମମି କଥା ଭାରି ମାନେପଡୁଛି। ଆଶା କରେ ତମେ ସବୁ ଭଲରେ ଥିବ।

ତତେ ବହୁତ ଥର କିଛି କହିବାପାଇଁ ଭାବିଛି ହେଲେ କହିପାରିନି । ସବୁ ବେଳେ ତୋ ମମି ଇଂଫେକ୍ସନ ହେବ ବୋଲି ମୋ ଠୁ ତତେ ଦୁରେଇକି ରଖୁଥିଲା। ଆଜି ଏ ଚିଠି ଖଣ୍ଡିକ ଏଠୁ ଥାଇ ଲେଖୁଛି । ତୁ ଇଂଲିଶ ମେଡିଉମ ରେ ପଢ଼ୁଛୁ ଓଡ଼ିଆ ପଢିପାରିବୁକି ନାହିଁ ଜାଣେନା ଆଶା କରେ ସମୟ ବାହାର କରି ଟିକେ ପଢ଼ିବୁ । ମୁଁ ଚାହେଁନି ମୋ ସହ ଯାହା ହୋଇଛି ସେ ସବୁ ମୋ ପୁଅ ବୋହୁ ଙ୍କ ସହ ହେଉ। ଯେତେହେଲେ ମୋର ବାପା ର ହୃଦୟ ନା ।


ଧନରେ, ମୋ କଥା କୁ ମନ ଦେଇ ଶୁଣୁ ....... ମୋ ସ୍ୱଳ୍ପ ଦରମା ରେ ପେଟ ରୁ କାଟି ଯଥା ସାଧ୍ୟ ତୋ ଡାଡି କୁ ପାଠ ପଢେଇ ଗୋଟେ ମାଜିଷ୍ଟ୍ରେଟ କରେଇଥିଲି। ଚାକିରୀ କଲା ପରେ ପ୍ରେମ ବିବାହ କରିବାକୁ ଚାହିଁଲା । ମୋ ଅଫିସ ବଡ ବାବୁ ଙ୍କ ଝିଅ ସହ ମୁଁ ତାର ବିବାହ ପାଇଁ କଥା ଦେଇଥିଲି ହେଲେ ନିଜ କଥା କୁ ନ ରଖି ପାରି ଲଜ୍ଜିତ ହେଲି ହେଲେ କେବେ ନିଜ ଇଚ୍ଛା କୁ ତାର ଭବିଷ୍ୟତ ସହ ଚାପି ଦେଇନି । ତା ପରେ ତୋର ଜନ୍ମ ଏଇ ଭୁବନେଶ୍ୱର ମାୟା ନଗରୀରେ ।


 ମୁଁ ଆଉ ତୋ ଜେଜେ ମା ଗାଁ ରେ ରହୁଥିଲୁ । ମଣିଷ ମାତ୍ର କେ ସ୍ନେହ ପ୍ରେମ ର ମୋହ ଆମେ ବା କେମିତି ବାଦ ପଡ଼ିବୁ କହ । ଆମର ବି ଇଛା ହେଉଥିଲା ପୁଅ ବୋହୂ ନାତି ସହ ପୁରିଲା ସଂସାର ରେ ରହି ଆଉ ବାକି ଜୀବନ କଟିଦେବା ପାଇଁ। ହେଲେ ଆମେ କୁଆଡେ ଗାଉଁଲି ମଫୁ ତୋ ଡାଡି ମମି ଙ୍କ ସୋସିଆଲ ରେଶପେକ୍ଟ କ୍ଷୁର୍ଣ୍ଣ ହେବ । ଆମେ ବି ସେ ସହରୀ ଜଳ ବାୟୁରେ ରେ କୋଉ ଚାଲିପାରିବୁ !!! ତୋ ମମି ର କଥା କୁ ତୋ ଡାଡି ମାଧ୍ୟମରେ ଫୋନ ଯୋଗେ ଆମକୁ ରୋକ ଥୋକ ଜଣେଇ ଦିଆଗଲା। ତଥାପି ମୁଁ ଭାଙ୍ଗି ପଡିନି । ମାସ କୁ ମାସ ପଇସା ପଠେଇବେ ଆମେ ଗାଁ ଘର ଜଗି ସେଠି ରହିବୁ । 


ଏସବୁ କଥା ତୋ ଡାଡି ମୁହଁ ରୁ ଫୋନ ଯୋଗେ ଶୁଣିସାରିଲା ପରେ ତୋ ଜେଜେ ମା ତା ମା ପଣିଆ କୁ ଶତ ଧିକ କଲା। ତା ପର ଠୁ ତା ମନ ଟା ଦୁର୍ବଳ ହେଇ ଆସିଲା । ଆସ୍ତେ ଆସ୍ତେ ଚୁପଚାପ ହେଇଗଲା। ଆଉ ହଠାତ ଦିନେ ସକାଳୁ ଉଠିଲା ବେଳକୁ ତୋ ଜେଜେ ମା ଆଉ ନାହିଁ , ମତେ ଏକା କରି ଚାଲିଯାଇଛି । କ୍ରିୟା କର୍ମ କରିବା ପାଇଁ ତୋ ଡାଡି ଆସିଥିଲା ଗାଁ କୁ । ଦଶ ବାର ଦିନ ରହିବା ପାଇଁ ପଡିବ...... ତୋ ମମି କୁଆଡେ ବିନା ଏସି ରେ ଘଡ଼ିଏ ରହିପାରେନି । ସେଥିପାଇଁ ତମ ଦୁହିଁ ଙ୍କୁ ସାଙ୍ଗରେ ଆଣିନଥିଲା।


ଯୋଉ ଦିନ ଗାଁ ରୁ ବାହାରିଲା ଭୁବନେଶ୍ୱର ଆସିବା ପାଇଁ .... ଗାଁ ର ଭଦ୍ରଲୋକ ମନେ କହିଲେ ଏକା କୁଆଡେ ଯାଉଛୁ ତୋ ବୁଢା ବାପା ଙ୍କୁ ସାଙ୍ଗରେ ନେଇକି ଯା । ଭାରି କଷ୍ଟ ରେ ସେମାନଙ୍କ କଥା କୁ ନ କାଟି ପାରି ମତେ ସାଙ୍ଗରେ ଆଣିଲା। ମୋର ବି ଇଚ୍ଛା ନଥିଲା ତୋ ଡାଡି ର ମୁହଁ କୁ ଦେଖି ଆସିବା ପାଇଁ ତମ ସୋସାଇଟି କୁ କିନ୍ତୁ ମୋ ସହ ବାର୍ଦ୍ଧକ୍ୟ ଦାଉ ସାଧୁଥିଲା ଆଉ ମତେ ବାଧ୍ୟ କରୁଥିଲା ନିର୍ଭରଶୀଳ ହେବାପାଇଁ ।


ମୁଁ ଏଠି ପହଞ୍ଚିଲା ପରେ ମତେ ଦେଖି ତୁ ଭାରି ଖୁସି ଥିଲୁ । ମୋ ପାଖକୁ ଆସିବାକୁ ଚାହିଁଲୁ ହେଲେ ତୋ ମମି ଡେଣା ଧରି ଜବରଦସ୍ତ ତତେ ତୋ ପଢା ଘରେ ଛାଡ଼ି ଦେଲା ଏବଂ ବାହାରୁ ଲକ କରି ଦେଲା। ମୁଁ ଅପେକ୍ଷା କରିଥିଲି ତମ ଡ୍ରଇଂ ରୁମ ରେ .... ମୋତେ ଗାଁ ରୁ ଏଠାକୁ ନେଇ ଆସିବା ବିଷୟ କୁ ନେଇ ତୋ ମମି ପାପା ଙ୍କ ଭିତରେ ଲାଗିଥିଲା ପ୍ରବଳ ଯୁକ୍ତି ତର୍କ ତାଙ୍କ ବେଡ଼ ରୁମ ରେ। ମୋ କାନ ରେ ଅବଶ୍ୟ ବାଜୁଥିଲା କିଛି କିଛି ହେଲେ ମୁଁ ନିରୁପାୟ ଥିଲି ।


ବାକି ଜୀବନ ର ଯେତିକି ଦିନ ସେଠି ରହିଲି ଭାରି କଷ୍ଟ ଦାୟକ ନିସଙ୍ଗ ଜୀବନ ଜିଇଁଲି । ତୋ ଡାଡି ମମି ଙ୍କ ର ସମୟ ନଥିଲା କେବେ ମୋ ଭଲ ମନ୍ଦ ବୁଝିବା ପାଇଁ ସେମାନେ ନିଜ ନିଜ କାମରେ ବ୍ୟସ୍ତ ରହୁଥିଲେ । ବାସ ଖାଲି ତମ କାମବାଲୀ ଯାହା ଦିନରେ ଆଉ ରାତିରେ ଖାଇବା ମୁଠାଏ ଆଣି ମୋ ରୁମ ରେ ଥୋଇ ଦେଇ ଯାଉଥିଲା । ତୁ ତୋ ପାଠ ପଢା ଓ ଖେଳ ରେ ବ୍ୟସ୍ତ ରହୁଥିଲୁ । ମୁଁ ତତେ ଦୂର ରୁ ଦେଖି ତୋ କୁନି ପାଟିର କଥା ଶୁଣି ଖୁସି ହେଉଥିଲି। ଯା ହୋଉ ଶେଷରେ ନିସ୍ତାର ପାଇଲି ସେ ବନ୍ଦୀ ଦୁଃଖ ଦାୟକ ଜୀବନ ରୁ। ଭଗବାନ କରନ୍ତୁ କାହା ଜୀବନ ରେ ସେମିତି ଦିନ ନ ଆସୁ।


ବାବୁ ରେ ମୋ ଚିଠିର ଗୁରୁତ୍ୱପୂର୍ଣ୍ଣ କଥା ଟି ଏବେ ଲେଖୁଛି । ମୋ କଥା ରଖିବୁ ବୋଲି ମୋର ବିଶ୍ୱାସ । 


କାଲି ଯେତେବେଳେ ତୋ ଡାଡି ମମି ତାଙ୍କ ଜୀବନ ର ଶେଷ ପାହାଚ ଆଡକୁ ଯାଉଥିବେ ମୋର ବିଶ୍ୱାସ ସେତେବେଳେ ତାଙ୍କୁ ବୁଝିବାର ଧର୍ଯ୍ୟ ତୁ କେବେ ହରେଇବୁ ନାହିଁ କି ତାଙ୍କ ମନ ରେ କେବେ ଦୁଃଖ ଦେବୁନାହିଁ। 


ତାଙ୍କ ଥରୁଥିବା ହାତ ରୁ ଯଦି କିଛି ଖସି ପଡେ କେବେ ରାଗିବୁନି, ପିଲା ବେଳେ କେତେ ଖେଳନା ଭାଙ୍ଗିଛି ତୋ ହାତରୁ ପଡି ...... 


ଯଦି ସେ କାହାକୁ ଚିନ୍ହି ପାରିବେ ନାହିଁ କି କିଛି ମନେ ପକେଇ ପାରିବେନାହିଁ ଭାବିବୁ ଦେଖିବା ଶକ୍ତି ଓ ମନେରଖିବା ଶକ୍ତି ସେମାନଙ୍କ ର କମି ଆସିଲାଣି ..... ସେତେବେଳେ ସେମାନଙ୍କ ଉପରେ ବିରକ୍ତ ହେବୁନି। ତୁ ବୁଝିନେବୁ ବୟସ୍କ ମାନେ ବେଶ ଭାବପ୍ରବଣ ଓ ଅଭିମାନି । ତୁ ଯଦି ବିରକ୍ତି ହେବୁ ସେମାନେ ବହୁତ କଷ୍ଟ ପାଇବେ। କାରଣ ମୁଁ ବି ବହୁତ କଷ୍ଟ ପାଉଥିଲି।


ଯଦି ସେମାନେ ତୋ କଥା ଠିକ ଭାବରେ ଶୁଣି ପାରିବେନି ତେବେ ତାଙ୍କୁ ବଧିର କହି ତତ୍ଛଲ୍ୟ କରିବୁନି ବରଂ ଶୁଣିଲା ପରି ଆଉଥରେ ବଡ ପାଟିରେ କହିବୁ। ସେତେବେଳେ ସେମାନେ ଏଥିଲାଗି ଖୁବ ଦୁଃଖିତ ଥିବେ ଆଉ ନିରୁପାୟ ମଧ୍ୟ। 


ବୟଶାଧିକ ଓ ଅସୁସ୍ଥତା ଯୋଗୁଁ ସେମାନେ ଯଦି ଚାଲିବାରେ କିଛି ଅସୁବିଧା ଅନୁଭବ କରନ୍ତି ତେବେ ତାଙ୍କ ହାତ ଧରି ତାଙ୍କୁ ଚାଲିବାରେ ସାହାଯ୍ୟ କରିବୁ , ଯେମିତି ଛୋଟ ବେଳେ ସେମାନେ ତୋ ହାତ ଧରି ଚାଲିବାରେ ସାହାଯ୍ୟ କରୁଥିଲେ।


ଯଦି ସେମାନେ ଛୋଟ ମୋଟ କିଛି ଭୁଲ କରି ଦିଅନ୍ତି ତୁ ସେକଥା କୁ ଗୁରୁତ୍ୱ ଦେଇ ଜମା ତାଙ୍କୁ ରାଗିବୁନି । ଯେମିତି ପିଲା ବେଳେ ତୋର କେତେ ଭୁଲ କୁ ସେମାନେ କ୍ଷମା କରିଥିଲେ।


ତୁ ଟିକେ ସମୟ ବାହାର କରି ତୋ ବ୍ୟସ୍ତ ବହୁଳ ଜୀବନ ରୁ ତାଙ୍କ ସହ କଥା ହେବୁ , ତାଙ୍କ ଭଲ ମନ୍ଦ ବୁଝିବୁ। ସମୟ ନାହିଁ .... ବାହାନା କରି ତାଙ୍କୁ ହତାଦର କରିବୁନାହିଁ। ସେ ସମୟରେ ଭାରି ଏକା ଏକା ଲାଗେ ରେ ....ମୁଁ ଅଙ୍ଗେ ନିଭେଇଛି।


ମୁଁ ଜାଣେ ତୁ ସେତେବେଳେ ତୋ କାମରେ ବହୁତ ବ୍ୟସ୍ତ ଥିବୁ ହେଲେ ତାଙ୍କ କଥା ଶୁଣିବା ପାଇଁ ଟିକେ ଧର୍ଯ୍ୟ ରଖିବୁ। ସେମାନେ ଯେତେବେଳେ ବେଶୀ ଅସୁସ୍ଥ ହୋଇଯିବେ ତାଙ୍କ ସେବା ପାଇଁ ଟିକେ ସମୟ ଦେବୁ। ସେମାନେ ସଂସାର ଛାଡିବା ଆଗରୁ ତୁ ତାଙ୍କ ପାଖେ ପାଖେ ଥିବୁ ଯେମିତି ସେମାନେ ନିର୍ବିଘ୍ନ ରେ ମୃତ୍ୟୁ କୁ ସାମ୍ନା କରିବେ.... ତାଙ୍କୁ ଶକ୍ତି ମିଳିବ। ମୋ ମୃତ୍ୟୁ ବେଳେ କେତେ ଖୋଜିଛି ତମସମସ୍ତ ଙ୍କୁ ଦେଖିବା ପାଇଁ ହେଲେ ମୁଁ କତରା ରେ ପଡି ଛଟ ପଟ ହେଲା ବେଳେ ମୋ ଆବାଜ ତୋ ଡାଡି ମମି ଙ୍କ ଏସି ରୁମ ଭିତରକୁ ପହଞ୍ଚି ପାରୁନଥିଲା।


ମୋ ଗେଲହୁ ......ମୋ ଧନ ........ ମୋର ବିଶ୍ୱାସ ତୁ ମୋର ସବୁ କଥା ଗୋଟି ଗୋଟି କରି ରଖିବୁ । ମୁଁ ଯେଉଁ କଷ୍ଟ କୁ ଅତିପାଖରୁ ଦେଖିଛି ଆଉ ସେ ଯନ୍ତ୍ରଣା କୁ ଅନୁଭବ କରିଛି ମୋ ପିଲା ମାନେ ସେମିତି କେବେ କଷ୍ଟ ନପାନ୍ତୁ ତାଙ୍କ ପରିଣତ ବୟସରେ ସେଥିପାଇଁ ତୁ ଟିକେ ଯତ୍ନବାନ ହେବୁ । ମୋ ହୃଦୟ ରୁ ଆଶୀର୍ବାଦ ସବୁ ବେଳେ ତୋ ସହ ରହିଛି ଏବଂ ରହିବ।


ଇତି 

ତୋର ଜେଜେ ବାପା ।


Rate this content
Log in

Similar oriya story from Tragedy