ସବାଖିଆ
ସବାଖିଆ


ସେ ସବୁ କିଛି ଖାଏ। ଯାହା ସାଧାରଣ ଲୋକ ଚିନ୍ତିବି ପାରିବେ ନାହିଁ। ସେଥିପାଇଁ ନାଁ ତାର ସବାଖିଆ। ଶୁକୁଟା ସବାଖିଆ! ମୋ ଜାଣିବାରେ କେବଳ ମଣିଷକୁ ଛାଡି ଆଉ ସବୁ ଜୀବଜନ୍ତୁଙ୍କ ମାଂସ ଖାଏ ସେ। ସାପ ବେଙ୍ଗ ଗେଣ୍ଡା ଗୋଧି ନେଉଳ ଆଦି ତାର ଜଳଖିଆ! ତଥାପି ତାର ପେଟ ପୁରେନି। ସେଇଥିପାଇଁ ଘର ଘର ବୁଲି ବୁଲି ମାଗି ଖାଉଥାଏ ସେ।
ଦେଖିବାକୁ ବଡ଼ ଭୟଙ୍କର ଲୋକଟେ, ଛଅ ଫୁଟରୁ ଅଧିକ ଉଚ୍ଚତାର କଳା ମଚ୍ ମଚ୍ ମୋଟା ମଣିଷ ଟିଏ ଶୁକୁଟା। ଥନ୍ତଲା ପେଟଟି ତାର ଗୋଟେ ଛୋଟିଆ ଧାନ ଉଁସୁଆଁ ହାଣ୍ଡି ପରି ଓହଳି ପଡିଥିବ। ଦେହରେ ପିନ୍ଧିଥିବ କେବଳ ଗୋଟିଏ କଳା ଗାମୁଛା, ଅଣ୍ଟାରେ ଦଉଡିଟେ ବନ୍ଧାହୋଇଥିବ। ସେଥିରେ ଝୁଲୁଥିବ ନାନା ରକମର ମାଳି ଓ କଉଡି, ଛୋଟିଆ ଛୁରୀଟେ ବି ଥିବ ସେଥିରେ। ହାତରେ ମୋଟା ରସ କଢ଼ା, ମୁହଁରେ ଯତନରେ ବଢ଼ିଥିବା ଦାଢ଼ି ଆଉ ଅସୁରଙ୍କ ପରି ନିଶ, ରଡ଼ ନିଆଁ ପରି ଜଳୁଥିବା ଲାଲ୍ ଲାଲ୍ ଆଖି ଯୋଡ଼ିକ, ଯେକେହି ବି ଦେଖିଲେ ଡରିବା ଥୟ।
ସବୁଦିନ ସକାଳୁ ସକାଳୁ ଶୁକୁଟା ବାହାରି ଯାଏ ଭିକ୍ଷା କରିବାକୁ ଆଖପାଖରେ ଥିବା ଗାଁ ଗଣ୍ଡାକୁ ହାତରେ ରସ କଂସାଟିଏ ଧରି। ସବୁଦିନ ସେଇ ଏକା ଗାଁକୁ ଯାଏନି ସେ। ପାଳି କରି ଭିନ୍ନ ଭିନ୍ନ ଗାଁକୁ ଯାଏ ବାର ଅନୁଯାୟୀ। ତାର ଏଭଳି ଭୟଙ୍କର ରୂପ ଦେଖି ଲୋକେ ଡରରେ ତାଟି କବାଟ କିଳି ଲୁଚନ୍ତି। ସେ କିନ୍ତୁ ବିକଟାଳ ରଡି ଛାଡି ଛାଡି ଗାଁ ଦାଣ୍ଡରେ ଚାଲିଯାଏ... "ବାବୁ କିଛି ଖାଇବାକୁ ଦିଅ, ମାଆ କିଛି ଖାଇବାକୁ ଦିଅ"...
ସବୁ ଲୋକ ତ ଆଉ ଏକାପରି ନୁହଁନ୍ତି। କିଛି ଲୋକେ ତା ଡାକ ଶୁଣି ଖାଇବାକୁ ଦିଅନ୍ତି। ଦାଣ୍ଡରେ ହିଁ ସେ ଖାଏ ମଞ୍ଜ କଦଳୀ ପତ୍ରଟେ ପାରିଦେଇ। ଗାଁଉ ଗାଉଁ କରି ଗଉଣୀଏ ଚାଉଳର ଭାତ ଖାଇଦିଏ ଦି ଚାରି ମିନିଟରେ, କଂସାରେ କଂସାଏ ପାଣି ପିଇବ ତାପରେ । ଖାଇ ସାରି ଛାଇରେ ଘଡିଏ ଶୁଏ, ଚାକୁଣ୍ଡା ଗଛର ଗଣ୍ଡି ପରି ଦିଶେ ଶୋଇବା ବେଳେ। ଘୁଙ୍ଗୁଡ଼ିରେ ତାର ଛୋଟ ଗାଁଟା ଆମର କମ୍ପି ଉଠେ। ଛାଇ ଓଳି ପଡ଼ିଲେ ତା ବସାକୁ ଲେଉଟି ଯାଏ। ଏମିତି ତାର ଜୀବନ ଚର୍ଯ୍ୟା।
ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଲୋକେ ଶୁକୁଟାକୁ ଦେଖି ଡରୁଥିଲେ ବି ଛୋଟ ପିଲାଙ୍କୁ ନଜର ନଲାଗିବା ପାଇଁ ଡେଉଁରିଆ ରଖନ୍ତି ତା ଠାରୁ ପଇସା ଦେଇ। ହୁଏତଃ ଶୁକୁଟା ଡରରେ ଆଉ ସବୁ ଭୁତ ପ୍ରେତ ପିଶାଚ ପିଶାଚୁଣୀ ଡାହାଣୀ ଚିରୁଗୁଣୀ ଡରିକରି ସେଇ ଜାଗା ଛାଡି ପଳାଉଥିବେ ବୋଲି ଆମେ ଭାବୁ! କିନ୍ତୁ ମନ ଭିତରେ ଗୋଟେ ଆଲଗା ପ୍ରକାରର ଭୟ ଘର କରି ରହିଥିଲା ଶୁକୁଟା ପାଇଁ। କେବେ କେବେ ତା ବିଷୟରେ ଭାବିଦେଲେ ଛାତି ଥରିଉଠେ, ତଣ୍ଟି ଶୁଖିଯାଏ।
ସେତେବେଳେ ମୁଁ ନବମ କି ଦଶମ ଶ୍ରେଣୀରେ ପଢୁଥାଏ। ଦିନେ ଉପରଓଳି ମୁଁ ଯାଇଥାଏ ସୋମନାଥ ହାଟକୁ ଘର ପାଇଁ ସଉଦା ଆଣିବା ପାଇଁ। ଫେରିବା ବେଳକୁ ଖଣ୍ଡେ ବାଟ ଆସିଛି କି ନାହିଁ କାହିଁ କେଉଁ ଆଡୁ ଘୋଟି ଆସିଲା ଘନ ଅନ୍ଧକାର ସହ କଳା ହାଣ୍ଡିଆ ମେଘ। ଘଡ଼ଘଡ଼ି ସହ ତୀବ୍ର ଗତିରେ ପବନ, ଧୂଳି ମଳି ସବୁ ଏକାକାର ହୋଇ ଉଡୁଥିଲେ ଆକାଶକୁ ଖଣ୍ଡିଆ ଭୂତ ପରି। ରାସ୍ତାଘାଟ କିଛି ବି ଦିଶୁନଥିଲା ଅନ୍ଧାର ଘୋଟି। ଅଚାନକ ମୂଷଳଧାରାରେ ବର୍ଷିବା ଆରମ୍ଭ ହୋଇଗଲା। ଆଖପାଖରେ ଆଶ୍ରୟ ନେବା ପାଇଁ କିଛି ବୋଲି କିଛି ବି ନଥିଲା। ବାଧ୍ୟ ହୋଇ ମୁଁ ସାଇକେଲଟା ଗଡେଇ ଗଡେଇ ରାସ୍ତାକଡରେ ଥିବା ଗୋଟେ ଘରର ହତା ଭିତରକୁ ପଶିଗଲି ବିନା ବିଚାରରେ, ବିନା କାହାର ଅନୁମତିରେ।
ଶରୀରଟା ପୁରା ଭିଜିଯାଇଥାଏ ବର୍ଷାରେ। ଯାହା ଯେମିତି ହୋଇ ପୋଛା ପୋଛି ହେଲି। ବାରଣ୍ଡାକୁ ଆଉଜି ଠିଆ ହେଇଥାଏ ମୁଁ। ଅଜଣା ଘର ଅଗଣାରେ ପଶିଥିବାରୁ ଶଙ୍କା ବି ଥାଏ ମନରେ। ଆଖି ହାଲୁକା ବନ୍ଦ ଥାଏ କ୍ଳାନ୍ତ ହୋଇପଡ଼ିଥିବାରୁ। ସହସା ଅନୁଭବ କଲି କେଉଁ ଏକ ଅଜଣା ହାତର ସ୍ପର୍ଶ! ଯୁଗପତ୍ ଭୟ ଓ କୌତୁହଳରେ ବୁଲି ପଡି ପଛକୁ ଚାହିଁଲି ମୁଁ। ଆଉ ଯାହା ଦେଖିବାକୁ ପାଇଲି ମୋ ହୋଶ୍ ଉଡିଗଲା।
ଘର ଭିତରେ ଠିଆ ହୋଇ ଶୁକୁଟା ସବାଖିଆ ମୁଣ୍ଡ ଟୁଙ୍ଗାରି ଡାକୁଛି ଭିତରକୁ ଆସିବା ପାଇଁ, ଯେମିତି ବିକଟାଳ ଅସୁରଟାଏ ଶିଶୁଟିକୁ ତାର ଭୋଜନ କରିବା ପାଇଁ ଟାକି ବସିଛି। ଶୁକୁଟା ସବାଖିଆକୁ ସାମ୍ନାରେ ଦେଖି ମୁଁ ବରଡା ପତର ପରି ଥରିବାକୁ ଲାଗିଲି ଡରରେ। ଲାଗିଲା ସତରେ ଆଜି ସେ ମୋତେ ମାରି ମୋ ମାଂସ କଞ୍ଚା ଖାଇଯିବ ଲୁଣ ଲଙ୍କା ମଡେଇ! ଯେବେ ସେ ଆମ ଗାଁକୁ ଆସେ ଆମ ଦାଣ୍ଡରେ ଖାଏ, ଥରେ ଅଧେ ଦେଖିଛି ସେ ମୋତେ। ଖାଇଲା ବେଳେ ମୋତେ ଅଜବ ନଜରରେ ଦେଖେ ସେ। ମୋତେ ଡର ମାଡେ, ମୁଁ ଘରଭିତରକୁ ପଳାଏ।
"ଆରେ ବାବା, ଏତେ ଭାବୁଛ କଣ? ଭିତରକୁ ଆସ।" କର୍କଶ କଣ୍ଠରେ କହିଲା ଶୁକୁଟା। ବାହାରେ ବଢୁଥିଲା ଧୂମାଳର ଗତି। ନିରୂପାୟ ହୋଇ ଡରି ମରି ମୁଁ ଘର ଭିତରେ ପାଦ ରଖିଲି। ଘର ତ ନୁହେଁ ସେ ଥିଲା ଯେମିତି ଗୋଟେ ପୁରୁଣା ଜମିଦାରୀ କୋଠି। ସୌଖୀନ ଆସବାବପତ୍ରର ସାଜସଜ୍ଜା ଦେଖି ଆଖି ମୋର ଖୋସି ହୋଇଗଲା। ଆଁ କରି ଚାହିଁ ରହିଥାଏ ମୁଁ। ମୋତେ ଏମିତି ଦେଖି ଶୁକୁଟା କହିଲା,"ବସ ବାବୁ ଏଇଠି!"
ଯନ୍ତ୍ରବତ୍ ମୁଁ ବସିପଡିଲି ଗୋଟିଏ କାଠ ଚୌକିରେ, ବେଶ୍ କମକୁଟ କାମ ହୋଇଥିଲା ସେଥିରେ। ଶୁକୁଟା ପଚାରିଲା ମୋତେ, "କଣ ଖାଇବ ବାବୁ?" ଏକଥା ଶୁଣି ମୁଁ ବଡ ଦ୍ବିଧାରେ ପଡିଗଲି। ଯଦି ଖାଇବାରେ କଣ ମିଶେଇ କରି ଦେଇ ଦେବ ଆଉ ମୁଁ ଖାଇ କରି ଶୋଇଯିବି ଆଉ ମୁଁ ଶୋଇଗଲା ପରେ... ଏମିତି ଭାବୁ ଭାବୁ ମୋ ମୁଣ୍ଡ ବୁଲାଇ ଦେଲା, ଦେହ ହାତ ଝିମ୍ ଝିମ୍ ହୋଇଯାଉଥାଏ। ଗଳା ଶୁଖି ଯାଉଥାଏ କଥା ପଦଟିଏ ବି ବାହାରୁ ନଥାଏ। ମହା ବିପଦରେ ପଡି ମନେ ମନେ ଠାକୁରଙ୍କୁ ଡାକୁଥାଏ, ଏ ଶୁକୁଟା ସବାଖିଆ ଠାରୁ ଆଜି ବଞ୍ଚିଲେ ଶହେଆଠ ନଡିଆ ଚଢେଇବି, କାଳୀ ଗାଈ କ୍ଷୀରରେ ଅଭିଷେକ କରାଇବି ଇତ୍ଯାଦି ଇତ୍ୟାଦି।
ମୁଁ କିଛି କହିବା ଆଗରୁ ଶୁକୁଟାର ଝିଅ ଗୋଟିଏ ଥାଳିଆରେ କିଛି ଶୁଷ୍କ ଖାଦ୍ୟ ଖାଇବାକୁ ଧରି ଆସିଲା ଓ ମୋ ଆଗରେ ପଡିଥିବା ଟେବୁଲ ଉପରେ ରଖିକରି ଭିତରକୁ ଚାଲିଗଲା। ବଡ ସୁନ୍ଦରିଆ ଝିଅଟିଏ ସିଏ! ସୂର୍ଯ୍ୟମୁଖୀ ଫୁଲ ପରି ହସହସ ମୁହଁ, ହରିଣୀ ପରି ଆଖି, ପାଚିଲା କଇଁଚି କାକୁଡି ପରି ଓଠ! ଅପଲକ ନୟନରେ ଚାହିଁ ରହିଥିଲି ମୁଁ ତାର ମୁଖମଣ୍ଡଳକୁ। ଏବେ ମନରେ ମୋର ଭୟ ପ୍ରତିବଦଳରେ ଜିଜ୍ଞାସା। ପରୀ ରାଇଜ କାହାଣୀ ପରି ଲଗୁଥାଏ ମୋତେ। ଏମିତିଆ କାଳିଆ ଲୋକ ଠାରୁ ଏତେ ସୁନ୍ଦର ଝିଅ କେମିତି ଜନ୍ମ ହୋଇପାରେ? କିନ୍ତୁ ପଚାରିବି ବା କାହାକୁ?
ଶୁକୁଟା କହିଲା, "କଣ ଭାବୁଛ ବାବୁ? ଜଲଦି ଖାଇଦିଅ। ଚାହା କରି ଆଣୁଚି ଝିଅ। ଆରାମରେ ବସ। ଧୂମାଳ ଛାଡିଲେ ଘରକୁ ଯିବ।" ମୁଁ ତା କଥାରେ ନୁହେଁ ବରଂ ତା ଝିଅକୁ ଦେଖି ସବୁ କିଛି ଖାଇ ଦେଲି ଆଖି ବୁଜି। ଯାହା ହବ ତ ହବ ପରେ ଦେଖିବା ଭାବି। ଯଦି କିଛି ହେଲା ବି ଝିଅଟିର ସାନିଧ୍ୟ ତ ମିଳିବ ନା? ଝିଅ ହୁଏତଃ ତା ବାପା ଠାରୁ ମୋର ଜୀବନ ରକ୍ଷା କରିବା ପାଇଁ ନେହୁରା ହେବ ଆଉ ମୋ ସାଥିରେ ରହିବ ଚିରଦିନ! ଏପରି ରୋମାଞ୍ଚିତ ଭାବନାରେ ଡୁବିଗଲି ମୁଁ।
ଏଇ ଭିତରେ ଚାହା ଆସିଯାଇଥିଲା ଆଉ ଧୁମାଳ ବି କମିଯାଇଥିଲା। ମୁଁ ବାହାରି ପଡିଲି ସହଳ ଘର ଅଭିମୁଖେ। ବାଟସାରା ଭାବୁଥିଲି ଖାଲି ଶୁକୁଟାର ଝିଅ କଥା ଯାହା, ନା କାହା ଆଗରେ କହିପାରୁଥିଲି ଯେ ସବାଖିଆ ଘରେ ଖାଇଛି ବୋଲି ନା ତା ଝିଅକୁ ମନେ ମନେ ଭଲପାଉଛି ବୋଲି....