STORYMIRROR

Titi Sarangi

Drama Tragedy

3  

Titi Sarangi

Drama Tragedy

ସୌଭାଗ୍ୟବତୀ

ସୌଭାଗ୍ୟବତୀ

2 mins
14.9K


"ନାନୀ ,ଶୋଇ ପଡିଲୁ ନା କ'ଣ?"

"ନାଁ ,ଶୋଇନି ।"

"ତା ହେଲେ ଏପଟକୁ ମୁହଁ କରୁନୁ ।କଥା ହବା ।ବହୁତ କଥା ତୋ ସାଥୀରେ ଅଛି ।"

"ନାଁ, ଶୋଇପଡେ ।ଏବେ ଗପ କଲେ ରାତିରେ ନିଦ ହବନି ।"

ସାନ ଭଉଣୀ ଦୀପ୍ତିକୁ ଆଭଏଡ୍ କରୁଥିଲା ତୃପ୍ତି ।ବେଶୀ ଗପିବାକୁ ତାର ଇଛା ନଥିଲା ।ସେ ଭଲକି ଜାଣିଛି ସାନ ଭଉଣୀ କଣ ଶୁଣିବାକୁ ଚାହୁଁଛି ।ଏତେ ବଡଗୋଟେ ଇଣ୍ଟରଭ୍ୟୁ ପାସ କରି ସେ ପାଇଥିବା ଚାକିରୀଟା ତାକୁ କେମିତି ଲାଗୁଛି ସେଇ କଥା ଶୁଣିବାକୁ ଚାହୁଁଥିଲା ଦୀପ୍ତି ।କିନ୍ତୁ ସତରେ କଣ ସେ ଚାକିରୀ ପାଇଛି ?

ମାତ୍ର ଦି ବର୍ଷ ସାନ ବଡ ସେମାନେ।ଭଉଣୀ ଯେତିକି ନୁହଁ ସାଙ୍ଗ ଭାବଟା ଅଧିକ ।ସ୍କୁଲରେ ପଢିଲା ବେଳୁ ସବୁ କଥା ସେମାନେ ସେୟାର୍ କରନ୍ତି ।ହେଲେ ଆଜି ତୃପ୍ତିର ଏମିତି ଆଚରଣ ତାକୁ ନିଶ୍ଚୟ ଖରାପ ଲାଗିଥିବ ।ହେଲେ ସେ କଣ କହିବ ?ଯୋଉଠି ଅଧିକାରର କଥା କହି କେବଳ କର୍ତ୍ତବ୍ୟ ଆଦାୟ କରାଯାଏ ସେଠି ସେ କି ଅନୁଭବ ନେଇ ଆସିଛି ବୋଲି ତା ସାନ ଭଉଣୀ କି କହିବ । ତାଆରି ଆଖି ଆଗରେ ସବୁ ହେଇଛି ।ହଁ ସେ ଚାକିରୀ ପାଇଛି "ବୋହୂ"ପୋଷ୍ଟରେ ।ବେଶୀ ପାଠ ପଢିନି ସିନା,କିନ୍ତୁ ତା ରୂପ ଆଉ ଗୁଣର ବିଶେଷତା ଅଛି ବୋଲି ଜନ୍ମରୁ ଶୁଣି ଆସିଛି ।ବିନା ଯୌତୁକରେ ତା ବାହାଘର ହେଇଯିବ ବୋଲି ସମସ୍ତେ କହନ୍ତି ।ସେଇଆ ହେଲା ବି ।ଅଫିସର୍ ପ୍ରସ୍ତାବ ତା ପାଇଁ ଆସିଲା ।କିନ୍ତୁ ଅଫିସର୍ ଙ୍କ ପ୍ରଥମ ପସନ୍ଦ ଥିଲା ସର୍ବଗୁଣସଂପନ୍ନା ସଂସ୍କାରି ପତ୍ନୀ ।ତା ଗୁଣର ପ୍ରଶଂସା ନିଶ୍ଚୟ ଅନ୍ୟଠୁ ଶୁଣିକି ସେମାନେ ପ୍ରସ୍ତାବ ଧରି ଆସିଥିବେ ।ଆଉ ଦେଖି ସାରିଲା ପରେ ରୂପ ବିଷୟରେ କନ୍ଫର୍ମ ବି ହେଇଥିବେ।ତା ପରେ ବି ଅନେକ ପ୍ରଶ୍ନର ତାଲିକା ତା ସାମ୍ନାରେ।ସବୁ ଦେଖିଛି ସାନ ଭଉଣୀ ।ଯଥା ସମ୍ଭବ ତାକୁ ସଜେଇ ସେଇ ତ ତାକୁ ଆଣିଥିଲା ସେମାନଙ୍କ ସାମ୍ନାକୁ ।ପ୍ରାୟ ସବୁ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ସେ ଦେଇଥିଲା ।

ସେଇଥିପାଇଁ ଖାଲି ସାନ ଭଉଣୀ ନୁହଁ ଘରେ ସମସ୍ତଙ୍କ ଆଗ୍ରହୀ ଦୃଷ୍ଟି ତା ଉପରେ। ସେମାନେ ଯେମିତି ଚାହୁଁଥିଲେ ସେମିତି ପ୍ରସ୍ତୁତ ହେଇ ତ ସେ ଯାଇଥିଲା ।ସୌଭାଗ୍ୟବତୀ ବୋହୂଟିଏ ସେ ନିଶ୍ଚୟ ହେଇଛି ।ଏଇ ଭଳି ପ୍ରତ୍ୟାଶା ସମସ୍ତଙ୍କ ମୁହଁରେ ।ପ୍ରଥମ କରି ତୃପ୍ତି ଆସିଛି ତା ଶାଶୁଘରୁ ।ପୁଣି ମାସେ ପରେ ।ସାତ ମଙ୍ଗଳାକୁ କଣ ଦିନ ଶୁଭ ନଥିଲା ବୋଲି ଆସି ପାରି ନଥିଲା ।ନିଜ ବାଲ୍ୟଭୂମିଟିକୁ ଆସି ସେ ହଜି ଯାଇଥିବା କୁଆଁରୀ ଦିନ ଗୁଡାକ ଖୋଜୁଥିଲା ।ସେ ଠି ସେ କେମିତି କାଟିଛି ମାସେ ଭୁଲି ଯିବାକୁ ଚାହୁଁଥିଲା ।କାରଣ ଅଫିସର୍ ସ୍ବାମୀ ସ୍ତ୍ରୀର ସଂଜ୍ଞା ବୁଝନ୍ତି କେବଳ କର୍ତ୍ତବ୍ୟ କରୁଥିବା ଏକ ମେଶିନ୍ ।ପତ୍ନୀ କେବେ ପ୍ରେମିକା ହେଇ ପାରିବନି ।ତାଛଡା ସ୍ତ୍ରୀକୁ ପ୍ରଶଂସା କରି କଥା କହିବା ତାଙ୍କ ନିୟମ ବିରୁଦ୍ଧ।କାରଣ ସେଥିରେ ସ୍ତ୍ରୀର ମୁହଁ ବଢିଯିବ ।ଏଇ ମାସେ ଭିତରେ ନିଜ ସାରା ଜୀବନର ଜଳଛବି ତୃପ୍ତୀ ଦେଖି ସାରିଛି ।ତାକୁ ସେଇ ଭଳି ଏକ ଅପ୍ରେମ ଦୁନିଆରେ ବଞ୍ଚବାକୁ ହେବ ।ଯୋଉ କାହାଣୀ ସେ ନିଜକୁ ବି କହିବାକୁ ଚାହୁଁନି ସେ କାହାଣୀ ସେ ଅନ୍ୟକୁ କହିବ କେମିତି ?ସମସ୍ତ ଜାଣିଛନ୍ତି ସେ ସୌଭାଗ୍ୟବତୀ ।ସେଇ ସୌଭାଗ୍ୟବତୀର ମିଛ ହସ ହସିବାକୁ ସେଇ ରାତିଟି ସେ ସମୟ ନେଇଥିଲା । କେବଳ ଦିପ୍ତୀ ନୁହଁ ଅନ୍ୟ ସମସ୍ତେ ବୁଝି ସାରିଲେଣି ସେ ବହୁତ ଭଲରେ ଅଛି ।କାରଣ ଏଇ ମାସେ ଘର କରଣାରେ ସେ ଫୁଲ ଭରା ଲତାରୁ କଢ ଧରି ସାରିଛି ।ହଁ ସେ ଯୋଉଠି ଗୋଡ ଥୋଉଛି ଆଦର ଯତ୍ନ ଅଜାଡି ପଡୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama