Goutam Mohanty

Tragedy Inspirational

2  

Goutam Mohanty

Tragedy Inspirational

ସାଥୀ...ଜନ୍ମ ଜନ୍ମାନ୍ତରର🌹🌹🌹

ସାଥୀ...ଜନ୍ମ ଜନ୍ମାନ୍ତରର🌹🌹🌹

2 mins
104


ସ୍ୱାମୀଙ୍କର ବଦଳି ହୋଇ ଥାଏ । ଆମେ ନୂଆ ନୂଆ ଏହି ସହରକୁ ଆସି ଥାଉ । ଅଜଣା ସହର । କେହି ବି ଚିହ୍ନା ନଥାନ୍ତି । ପିଲା ଦୁଇ ଜଣ ହଷ୍ଟେଲରେରହୁ ଥାଆନ୍ତି । ସ୍ୱାମୀ ସୌମେଶ୍ ଅଫିସ୍ ଯିବା ପରେ ଘରେ ଏକା ଏକା କେତେ ବା ବସିବି ? ଭଲ ଲାଗୁନଥାଏ ।


    ପନ୍ଦର ଦିନ ହୋଇ ଗଲାଣି ଘରୁ ବାହାରକୁ ବି ବାହାରିନି । ସେଦିନ ସୋମବାର ଥାଏ । ଘରେ ଜଣେ ପିଅନ ଆସି କାମ କରେ । ତାକୁ ଶିବ ମନ୍ଦିରର ବାଟ ପଚାରି ବାହିରିଲି ଟିକେ ଦର୍ଶନ ପାଇଁ । ମନ୍ଦିର ପାଖାପାଖି ହୋଇଛି ହଠାତ୍ ଲାଗିଲା ମୋତେ କିଏ ଡାକୁଛି । ମନର ଭ୍ରମ ବୋଲି ଭାବିଲି । ଏଠାରେ କିଏ ମୋତେ ଜାଣିଛି ବା ଚିହ୍ନିଛି ଯେ । ତର ତର ହୋଇ ମନ୍ଦିର ବେଢାକୁ ପଶି ଯିବା ବେଳକୁ ମୋ କାନ୍ଧରେ କାହାର କର ସ୍ପର୍ଶ ପାଇ ଚକିତ ହେଲି । ବୁଲି ଦେଖେ ତ ଲିସା ଠିଆ ହୋଇଛି ମୋ ପାଖରେ । ବିଶ୍ୱାସ ନହେଲେ ବି ଅବିଶ୍ୱାସ ମଧ୍ୟ କରି ପାରୁନଥିଲି।


    ମୋତେ ହଲେଇ ଦେଇ ପଚାରିଲା ସେ "ସିପ୍ରା କ'ଣ ଚିହ୍ନି ପାରୁନୁ ?" ଜଲେଜ୍ ଛାଡିବା ଦିନଠୁ ଆମେମାନେ ପରସ୍ପରକୁ ଭେଟିନୁ ଯଦିଓ ଆମେ ଦୁହେଁ ଅନ୍ତରଙ୍ଗ ବାନ୍ଧବୀ ଥିଲୁ । 


    ଲିସା ବଡ ଘରର ଝିଅ ଥିଲେ ବି କେବେ ତା' ମନରେ ଗର୍ବ ନଥିଲା । ଦୁଇ ବାନ୍ଧବୀ ମନ୍ଦିରରେ ପୂଜା ସାରି ତା'ର ଅନୁରୋଧ କ୍ରମେ ତା' ଘରକୁ ଯାଇଥିଲି । ଭାବିଥିଲି ଗୋଟେ ବିରାଟ ବଡ ଘରର ବୋହୂ ହୋଇ ଥିବ ଲିସା । ହେଲେ ତା' ଘରକୁ ଯାଇ ଯାହା ଦେଖିଲି ସେଥିରେ ମୋର ସମସ୍ତ ଭାବନା ବଦଳି ଯାଇଥିଲା । 


    ଗୋଟେ ଛୋଟ ଘର ଭିତରେ ସ୍ୱାମୀ ସ୍ତ୍ରୀ ଦୁଇଜଣ ରହୁ ଥାଆନ୍ତି । ମୁଁ କିଛି ନବୁଝିବା ପରି ତାକୁ ଅନାଇ ଥାଏ । ବୋଧହୁଏ ସେ ମୋ ମନ କଥା ବୁଝି ପାରିଲା କି କ'ଣ , ମୋତେ ରୋଷେଇ ଘରକୁ ଡାକି ନେଲା । ଆଉ ତା'ର ସମସ୍ତ କାହାଣୀ କହିଲା । କିପରି ସେ ଜଣେ ଆର୍ମୀ ଅଫିସର୍ ଙ୍କୁ ବିବାହ କରିଥିଲା , କିପରି ତାଙ୍କର ଦୁର୍ଘଟଣା ଘଟିଲା, ଆଉ କିପରି ସେ ତାଙ୍କ ଗୋଟେ ଗୋଡ ହରାଇଲେ , କିପରି ସେ ତାକୁ ଅଲଗା ଜାଗାରେ ବାହା ହେବା ପାଇଁ ବାଧ୍ୟ କରୁଥିଲେ , ତାଙ୍କର ଏପରି ଅବସ୍ଥାରେ ତାଙ୍କ ଘର ଲୋକ କିପରି ତାଙ୍କୁ ପର କରିଦେଲେ , ସବୁ କିଛି । ସେ କିନ୍ତୁ କୌଣସି କଥାକୁ ଭ୍ରୂକ୍ଷେପ କରି ନଥିଲା । ଜନ୍ମ ଜନ୍ମାନ୍ତର ପାଇଁ ଯାହା ହାତ ଧରି ଥିଲା ଅଧା ରାସ୍ତାରେ ସେ କିପରି ବା ତାଙ୍କୁ ଛାଡି ଚାଲି ଯାଇ ଥାଆନ୍ତା ? ସେ ହିଁ ତା'ର ସବୁ କିଛି । ତାଙ୍କ ପାଖରେ ସେ ବହୁତ ଖୁସିରେ ଅଛି । ମୋତେ ଲାଗୁଥିଲା ଆଗରେ ମୋର ବାନ୍ଧବୀ ନଥିଲା ଯେପରି ଜଣେ ସ୍ନେହ ଓ ତ୍ୟାଗର ପ୍ରତିମୂର୍ତ୍ତି ଦଣ୍ଡାୟମାନ ଥିଲା । 


    ପ୍ରଶାନ୍ତିର ହସ ଟିକେ ଲାଖି ରହିଥିଲା ତା'ର ସରଳ ମୁଖଶ୍ରୀରେ। ଭାବୁଥିଲି ସତରେ ଏହି କ'ଣ ସେହି କୋଟିପତି ପିତାଙ୍କ ଅଲିଅଳି କନ୍ୟା ।


       

       

     



Rate this content
Log in

Similar oriya story from Tragedy