ସାର ଥିଲେ ବୋଲି
ସାର ଥିଲେ ବୋଲି
ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକରେ ନରି ସାରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ।
ନୂଆ ନୂଆ ସପ୍ତମ ଶ୍ରେଣୀରେ ପଠା ପଢା ଆରମ୍ଭ ହେଇଥାଏ l ନରି ସାର କ୍ଲାସ ଭିରରକୁ ପଶି ଆସିଲେ l ବାସୁ ସାର ଆମ ଗଣିତ ଶିକ୍ଷକ l ଟିକେ ଭୟ ଲାଗିଲା ଆମ ପାଇଁ ଏଇଟା ନରି ସାରଙ୍କ ଥିଲା ପ୍ରଥମ କ୍ଲାସ l
ଷଷ୍ଠ ଶ୍ରେଣୀରେ ସାର ଆମ କ୍ଲାସ କେବେ ନେଇ ନଥିଲେ l ଆମେ ସବୁ ଚୁପଚାପ ବସିଥିଲୁ l ସାର ତାଙ୍କ ସ୍ଵଭାବ ସୁଲଭ ଭଙ୍ଗୀରେ ଟିକେ ହସିଦେଇ କହିଲେ ପିଲାଏ ଆଜି ଗୋଟେ ସଂଖ୍ୟାର ବର୍ଗମୂଳ କେମିତି ବାହାର କରାଯାଏ ଆମେ ଶିଖିବା କ୍ଲାସ ସରିବା ବେଳକୁ କିଛି ପ୍ରଶ୍ନ ଦେଲେ ସମାଧାନ କରିବାକୁ ଆଉ ମତେ କହିଲେ ବେହେରା ତୁ ଏସବୁ ପ୍ରଶ୍ନକୁ ସମାଧାନ କରି ଆସିଥିବୁ ସବୁ ପିଲାମାନେ ତୋ ଉତ୍ତର ସହ ସେମାନଙ୍କ ଉତ୍ତରକୁ ମିଳେଇବେ l ବାକି କ୍ଲାସରେ ମନ ଲାଗିଲା ନାହିଁ l ବଡ ଚିନ୍ତାରେ ଘରକୁ ଫେରିଲି l ବାଟସାରା ଭାବି ଭାବି ଆସିଲି କେମିତି ପ୍ରଶ୍ନର ସମାଧାନ କରିବି l ସାର ବୋଧେ ଜାଣିନଥିଲେ ମୁଁ ପାଠରେ ଅତ୍ୟନ୍ତ ଦୁର୍ବଳ ଥିଲି l ଷଷ୍ଠ ଶ୍ରେଣୀରେ ଗଣିତରେ ମୁଁ ଶହେରୁ ତିନି ନମ୍ବର ରଖିଥିଲି l କାଲି ଭଳି ମନେଅଛି ନମିତା(କୁନି )ମତେ ପଚାରିଥିଲା ହେମନ୍ତ ତୁ ଅଙ୍କରେ କେତେ ନମ୍ବର ରଖିଛୁ, ମୁଁ ବିନା ଦ୍ଵିଧାରେ ତାକୁ କହିଥିଲ ତିନି ନମ୍ବର l ପ୍ରତ୍ୟୁଷ କ୍ଲାସରେ ଫାଷ୍ଟ ହଉଥିଲା ଆଉ ସେଇ ପରୀକ୍ଷାରେ ଅଙ୍କରେ ଛସ୍ତରି ନମ୍ବର ରଖିଥିଲା l ମୁଁ ଓଡିଆ, ଇଂଲିଶ ଆଉ ସାଇନ୍ସକୁ ଛାଡିଦେଲେ ସବୁ ବିଷୟରେ ଫେଲ ହୋଇଥିଲି ।
ସେଦିନର ସକାଳ ମୋର ଆଜିବି ମନେଅଛି lନରି ସାର କ୍ଲାସକୁ ଆସିଲେ ମତେ କହିଲେ ବେହେରା ତୁ ଉତ୍ତର ଡାକ, ଅନ୍ୟମାନେ ତୋ ଉତ୍ତର ସହ ଉତ୍ତର ମିଳେଇବେ l ସେଇ ଦିନହିଁ ମୋ ଜୀବନର ଗତି ପଥକୁ ବଦଳେଇ ଦେଇଥିଲା l ସେଇ ବର୍ଷ ପରୀକ୍ଷାରେ ପ୍ରତ୍ୟୁଷ ଗଣିତ ଆଉ ବିଜ୍ଞାନରେ ପୁରା କ୍ଲାସରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ଏବଂ ସେକ୍ସନରେ ସବୁ ବିଷୟରେ ପ୍ରଥମ ହୋଇଥିଲା l ଏହାପରେ ମୁଁ ଆଉ ପଛକୁ ଫେରି ଚାହିଁ ନାହିଁ l ଯେଉଁ ତିନି ଜଣ ଶିକ୍ଷକ ମୋର ପାଠ ପଢା ପ୍ରତି ଆଗ୍ରହ ସୃଷ୍ଟି କରିଥିଲେ, ସେମାନେ ହେଲେ ନରି ସାର, ଜନାର୍ଦନ ସାର ଆଉ କୁରପାସିନ୍ଧୁ ସାର (ହିନ୍ଦୀ ସାରେ)l ସେମାନଙ୍କ ପ୍ରତି ମୁଁ ଚିର କୃତଜ୍ଞ, ସେମାନଙ୍କବିନା ମୁଁ ହୁଏତ ଆଜି ମାଟ୍ରିକ ଫେଲ ହେଇ ଗାଁରେ ବୁଲୁଥାନ୍ତି l
ମାଟ୍ରିକ ପାସ କଲାପରେ ଆମେ ସବୁ ବିଭିନ୍ନ ସହରରେ ଥିବା ଅଲଗା ଅଲଗା କଲେଜ ଗଲୁ ପଢିବାକୁ l କିନ୍ତୁ ସାରଙ୍କ ସହ ସମ୍ପର୍କ ଅତୁଟ ରହିଥିଲା l ସାରଙ୍କ ପୁତୁରା ରଞ୍ଜିଆ ମୋର ଘନିଷ୍ଠ ସାଙ୍ଗ l ପ୍ରତି ଛୁଟିରେ ମୁଁ ସାଲୁଆ, ଭାଗା, ଟୁକୁନି ସାଙ୍ଗ ହେଇ ରଞ୍ଜିଆ ଘରକୁ ଯାଉ, ସେଠି ସାର ସମସ୍ତଙ୍କ ପାଠା ପଢା ବିଷୟରେ ପଚାରି ବୁଝନ୍ତି l ମତେ ବହୁତଥର କହିଛନ୍ତି ବିଲେଇକୁ ଟିକେ ବୁଝା ସିଏ ଆଉ ଟିକେ ମନ ଦେଇ ପଢୁ l ପ୍ରତି ଛୁଟିରେ ଆମେ ସାରଙ୍କ ଘରେ ଏଖାଟି ହଉ, ସେଠୁ ଯାଇ ସ୍କୁଲ ପାଖରେ ରାତି ନଟା ଯାଇ ବସି ଗପ କରୁ l ସେଇ ସମୟରେ ମୁଁ ଗୋଟେ କବିତା ଲେଖିଥିଲି, ପ୍ରତିଦିନ କବିତା ଲେଖା ହୁଏ , ମୁଁ ପଢେ, ଅନ୍ୟମାନେ ଶୁଣନ୍ତି l ସାର ବୋଧେ ଆମମାନଙ୍କୁ ଭଲ ଭାବେ ଜାଣିଥିଲେ, ଥରେ କେବେବି କହିନାହାନ୍ତି ପାଠ ନପଢି କାହିଁକି ସମୟ ନଷ୍ଟ କରୁଛ ।
ସମୟ ଗଡିଚାଲିଲା ଆମେ ସବୁ ଚାକିରି କଲୁ, ସଂସାରରେ ବାନ୍ଧି ହେଇଗଲୁ l ମୁଁ ଗାଁକୁ ଯାଇଥିଲି, ଟୁକୁନି କୁ ଫୋନ କରି କହିଲି ତୁ ସ୍କୁଲପାଖକୁ ଆସ, ମୁଁ ଯାଇ ପହଁଚୁଛି l ମୁଁ ଭାଇଙ୍କ ସ୍କୁଟର ନେଇ ବାହାରିଲି l ସାରଙ୍କ ଘର ପାଖରେ ଆପେ ଆପେ ସ୍କୁଟର ରହିଗଲା l ସାର ସେମିତି ଘର ବାହାରେ ବସିଥିଲେ, ଚେହେରା ପୂର୍ବଭଳି ଥିଲା କିନ୍ତୁ ମ୍ଳାନ ପଡି ଯାଇଥିଲା l ମୁଁ ଦୂରରୁ ସାରଙ୍କୁ ପ୍ରଣାମ କଲି l ବହୁଦିନ ଧରି ସାରଙ୍କ ସହ ଦେଖା ହେଇନଥିଲା, କେଜାଣି କାହିଁକି ତାଙ୍କ ସାମ୍ନାକୁ ଆଉ ଥରେ ସାରଙ୍କୁ ନମସ୍କାର କରି ଫେରିଲି l କିଛିଦିନ ପରେ ଖବର ପାଇଲି ସାର ଆଉ ନାହାନ୍ତି l ମନ ଦୁଃଖ ଆଉ ଗ୍ଳାନିରେ ଭରିଗଲା ମୁଁ ଯାଇଥିଲି ଅଥଚ ସାରଙ୍କ ସାଙ୍ଗରେ ଟିକେ ଦେଖା କରିପାରିଲିନି?
ମୁଁ ବୋଧେ ଚାଁହୁଥିଲି ମୁଁ ସେମିତି ସପ୍ତମ ଶ୍ରେଣୀର ଛାତ୍ର ହେଇ ରହିଥାଏ ଆଉ ସାର ମତେ ବିଜ୍ଞାନ ପଢାଉ ଥାନ୍ତୁ ସାରା ଜୀବନ l ବୋଧେ ସାରଙ୍କ ବିବଶ ଦେହ, ମନକୁ ସାମ୍ନା କରିବାର ସାହସ ଆଉ ମାନସିକ ପ୍ରସ୍ତୁତି ମୋର ନଥିଲା, ସେଇଥିପାଇଁ ମୁଁ ଶେଷ ଥର ପାଇଁ ସାରଙ୍କୁ ଦେଖା କରି ପାରିନଥିଲି l
ମୋହନପୁର ସ୍କୁଲର ଛାତ୍ର, ଶିକ୍ଷକ ପରମ୍ପରା ବୋଧେ ଆଉ କୌଣସି ସ୍କୁଲରେ ନାହିଁ l ଏଠି ଯିଏ ପାଠ ପଡିଛି ସିଏ ପ୍ରକୃତରେ ଭାଗ୍ୟବାନ l
ଯଦି କେବେ ମୋର କୌଣସି ସାଙ୍ଗ, ବଡଭାଇ କିମ୍ବା ସାନଭାଇ (ସ୍କୁଲର ) ସହ ଦେଖା ହେଇଯାଏ ମୁଁ ଖୁସିରେ ଆତ୍ମହରା ହୋଇଯାଏ, ମତେ ଲାଗେ ମୁଁ ମୋ ସ୍କୁଲଦିନକୁ ଫେରିଯାଇଛି ଆଉ ସବୁତକ ସୁଖ ମୋ ପାଖରେ ଆଉଥରେ ଅଜାଡି ହେଇପଡ଼ିଛି l ମତେ ଯଦି କେବେ କିଏ ମୋର ପରିଚୟ ମାଗେ, ମୁଁ କହିବି ମୁଁ ମୋହନ ପୁର ସ୍କୁଲର ଜଣେ ସାଧାରଣ ଛାତ୍ର, ନିଜ ଶିକ୍ଷକ, ଶିକ୍ଷା, ସାଙ୍ଗ, ବଡଭାଇ ଆଉ ସାନଭାଇମାନଙ୍କୁ ନେଇ ଜଣେ ଗର୍ବିତ ମଣିଷ l ଜଣେ ପିତୃପ୍ରତିମ ଗୁରୁଙ୍କୁ ହରାଇବାର ଦୁଃଖ କଣ ମୁଁ ଜାଣିଛି !
