ସାଇଡ୍ ଇଫେକ୍ଟ୍
ସାଇଡ୍ ଇଫେକ୍ଟ୍
ବାପୁନ ଘରୁ ତଡା ଖାଇଲା ପରେ ଭଡା ଘର ଖଣ୍ଡେ ନେଇ ରହୁଥିଲା ସହରରେ । ଗାଁ ଜମିଦାରୀ ଘର ପରି ଅବଶ୍ୟ ନଥିଲା ବଡ । ନୁଆଣିଆ ଆଜବେଷ୍ଟସ ଟିଣ ଘରେ ବି ମାଳତୀ ସହ କଟୁଥିଲା ଖୁସିର ଜୀବନ ।
ପ୍ରେମ ତ ସଦାବେଳେ ଶାଶ୍ୱତ, ନିର୍ମଳ । ଆଦିବାସୀ ଝିଅ ବୋଲି କ'ଣ ତା ପ୍ରେମକୁ ଅଧାରେ ଛାଡି ଦେଇଥାନ୍ତା । ବାପାଙ୍କ ଜିଦ୍ ଆଗରେ ବି ବଳି ପଡିନଥିଲା ତା ପ୍ରେମ । ତା' ବାପା ମାନେ ମାହାନ୍ତିବାବୁ ତାକୁ ତଡି ଦେଲେ ଘରୁ ସବୁଦିନ ପାଇଁ । ଆଜି ବାପୁନ ସହରରେ ସଂଘର୍ଷ କରୁଛି ନିଇତି ପେଟ ଚାଖଣ୍ଡେ ପାଇଁ । ମାଳତୀ ସହ ଆଜି ଖୁସିରେ ଅଛି ଝୁପୁଡି ଘରେ ।
ଦିନବେଳା ଘରକୁ ଖାଇବାକୁ ଆସି ଦେଖିଲା ବାହାରେ ଠିଆ ହେଇଚି ସ୍କରପିଓ ଗାଡି । ଆଶ୍ଚର୍ଯ୍ୟ ଲାଗିଲା, ପଶିଲା ଘରକୁ । ଆଖିକୁ ପରତେ ଗଲାନି। ହେଇଗଲା ତଟସ୍ଥ । ବାପା ସୋଫାରେ ବସି ପିଉଛନ୍ତି ଚା' । ମାଳତି କବାଟ ପାଖରେ ଛିଡା ହେଇଚି ।
ବାପୁନକୁ ଦେଖି ଛିଡା ହେଇପଡିଲେ ମହାନ୍ତି ବାବୁ । କହିଲେ --- ବାପାରେ! ମୋର ଭୁଲ ହେଇ ଯାଇଛି। ଚାଲ ବୋହୂକୁ ନେଇ ଘରକୁ ଚାଲ। ପଛ କଥା ଧରନା । ମୋ ସୁନା ବୋହୂ ବି ଢେର କଷ୍ଟ ସହିଲାଣି ।
ସ୍ୱପ୍ନ ଦେଖୁନି ତ ସେ । ମାଳତୀ ଆସି ହଲେଇ ଦେଇ କହିଲା ---- ହେଇଟି ଏତେ କ’ଣ ଭାବୁଚ ପା , ବାପା ପରା ଗାଡି ନେଇ ନିଜେ ଆସିଚନ୍ତି ଆମକୁ ନେବାକୁ ।
ବିଶ୍ୱାସ କରିପାରୁନଥିଲା ନିଜକୁ ନିଜେ ବାପୁନ । ଯେଉଁ ବାପ ଦିନେ ଆଦିବାସୀ ଝିଅ ଘରକୁ ଆଣିଛି ବୋଲି ଛି-ଛାକର କରି ଘରୁ ତଡି କରିଥିଲେ ତେଯ୍ୟ ପୁତ୍ର । ତାଙ୍କର ପୁଣି ହଠାତ୍ ଏଡେ ବଡ ପରିବର୍ତ୍ତନ । ତଥାପି ଦିହେଁ ରାଜି ହେଲେ ଯିବାକୁ ଘର ।
ଗାଁରେ ତହିଁ ଆରଦିନ ସକାଳେ ଚା’ ପିଇଲା ବେଳେ ବାପା କହିଲେ ---- ଦେଖ ବାବୁ! ଏ ବର୍ଷ ପୁଣି ଥରେ ମିଳିଛି ମଉକା । ଆମ ପଞ୍ଚାୟତ ସିଟ ସଂରକ୍ଷଣରେ ପଡିଚି । ପୁଣି ମହିଳା ଆଦିବାସୀ ହେଇଥିବା ଦରକାର । ମୁଁ କାହିଁ ଆଉ କାହାକୁ ଛିଡା କରେଇବି ଯେ, ମୋ ବୋହୂ ଥାଉ ଥାଉ । ମୁଁ ଆଗେ ସରପଞ୍ଚ ଥିଲି, ଏବେ ମୋ ବୋହୂ ସରପଞ୍ଚ ହେବ । କାମ ତ ଆମେ ହିଁ କରିବା----- ।
ବାପୁନ ମନେ ମନେ ଭାବୁଥାଏ ବାପାଙ୍କ ଏଇ ସ୍ନେହ ତାହାଲେ ଇଲେକସନ୍ ର ସାଇଡ୍ ଇଫେକ୍ଟ ।
