STORYMIRROR

Ghanashyam Palei

Others

3  

Ghanashyam Palei

Others

ଅଭିଜ୍ଞତା

ଅଭିଜ୍ଞତା

4 mins
166


        


    ଜଳଖିଆ ଟିକେ ଖାଇ ସାରି ବାହାରେ ବସିଥାଏ ଚିୟାର ପକେଇ । କଅଁଳ ଖରାରରୁ ଟାଣୁଥାଏ ଉଷୁମ । ଗ୍ରାଇଣ୍ଡର ମେସିନର ଘେର ଘେର ଆୱାଜ ଆସୁଥାଏ ଘର ଭିତରୁ । ବୋଧେ କିଛି ଗ୍ରାଇଣ୍ଡିଙ୍ଗ କରୁଥିଲେ ଘରଣୀ । ବନ୍ଦ ହେଇଗଲା ହଠାତ । ସେଇଠୁ ତ ପାଟି କରି ଚିଲଉଛନ୍ତି --- ଗ୍ରାଇଣ୍ଡର ଚାଲୁନି । ଆଜି ରବିବାର କ’ଣ ଟିକେ ଭଲମନ୍ଦ ରାନ୍ଧିଥାନ୍ତା ମଣିଷ । କିଛି ଗୋଟେ କର। ନହେଲେ ସଜାଡିକି ଆଣ! ନ ସଜାଡିଲେ ବସି ଖାଉଥିବ ଯେ?


  କିଛିଟା ଜିନିଷ ଅଛି, ତା’ ବିନା ସତେ ଯେମିତି ଘର ଅଚଳ। ସିଏ ଅଟକି ଗଲେ ସତେ ଯେମିତି ତାକୁ ତାଳ ଦେଇ ସମୟ ବି ଯାଉଛି ଅଟକି । ମୋ ମୁଣ୍ଡରେ ପଡିଲା ବଜ୍ର । ମଲା ମଣିଷ ଏବେ କରିବ କଣ? ଛୋଟ ଯାଗାଟା । ଡାଲି ଚାଉଳ କି ପରିବା ସିନା ମିଳେ । ହେଲେ ଏ ସବୁ ସଜାଡିବା ବାଲା ମେକାନିକ କି ସେଭଳି ରିପ୍ୟାରିଂ ଦୋକାନ ନାହିଁ ଏଇଠି। ବଡ ସହର ଗଲେ ଯାଇ ଯଉକଥା। ବଡ ସହର ଯିବାକୁ ହେଲେ ଘଣ୍ଟାଟେ ବାଇକ ଚଲେଇବାକୁ ପଡିବ। କାମ କରୁ ନ ଥାଏ ମୁଣ୍ଡ । ନିଜେ ଯାଇ ଥରେ ଗ୍ରାଇଣ୍ଡର ସୁଇଚକୁ ଅଫ ଅନ କରି ଚଲେଇବାକୁ କଲି ଚେଷ୍ଟା । ସବୁ ଫେଲ ମାରିଲା । ମନେ ମନେ ଭାବୁଥାଏ ଆଜି ରବିବାର ଛୁଟିଟା ଗଲା ଜାଣ ଏଇ ଗ୍ରାଇଣ୍ଡରରେ । 

  ପରାଜିତ ସୌନ୍ୟଟେ ପରି ବସିଥାଏ ବାହାର ଚେୟାରେ । ଜଣେ ବୁଢାର ସ୍ୱର ପଡିଲା କାନରେ । ପ୍ରେସର କୁକର, ଗ୍ୟାସ୍ ଚୁଲ୍ଲା, ଗ୍ରାଇଣ୍ଡର ମେସିନ କିଏ ସଜାଡିବ ଆସ ।

 

  ମୋ ମନଟା ତରକା ହରିଣୀ ଛୁଆଟେ ପରି ନାଚି ଉଠିଲା। ଦୌଡି ଗଲି ଗେଟ ପାଖକୁ । ଦେଖିଲି ନହକା ବୁଢାଟେ । ଷାଠିଏ ଛୁଇଁବଣି । ଲୋଚା କୋଚା ଚର୍ମ ହିଁ କହି ଦେଉଥାଏ ତା’ ବୟସ । ଡାକି ଡାକି ଯାଉଥିଲା ସାଇକେଲ ଗଡେଇ ଗଡେଇ । ସାଇକେଲ ହେଣ୍ଡେଲରେ ମେଞ୍ଚେ ଝୁଲୁଥାଏ ପ୍ରେସର କୁକର୍, ଗ୍ୟାସ ଚୁହ୍ଲାର ଛୋଟ ଛୋଟ ସାମାନ। ପଛକୁ ବନ୍ଧା ହେଇଥାଏ ବିରାଟ ବ୍ୟାଗଟେ । 


  ଡାକିଲି --- ମଉସା, ଗ୍ରାଇଣ୍ଡର ଟିକିଏ ଖରାପ ହେଇଛି, ସଜାଡି ଦେବ?


  --- ହଁ ବାବୁ! କହି ସାଇକେଲରେ ଡବଲ ଷ୍ଟାଣ୍ଡ ମାରିଲା। ବ୍ୟାଗ ଆଉ ସାମାନପତ୍ର ଧରି ଆସିଲା ଗେଟ ଭିତରକୁ। ମୁଁ ବୁଢା ମଉସାକୁ ଚେୟାର ଦେଲା ବେଳେ ମନା କଲା । କହିଲା --- ନାଇଁରେ ବାପା । ଚିୟାରରେ ବସିଲେ କ’ଣ ହୁଏ କାମ ? କହି ବାହାର କଲା ବ୍ୟାଗ ଭିତରୁ ଜରି ଅଖାଟେ । ଆଉ ପାରି ଦେଇ ବସି ଗଲା । ଆଉ ଅଡର କଲା ଢଙ୍ଗରେ କହିଲା—ଏଣିକି ଗ୍ରାଇଣ୍ଡର ଆଣ। ହଁ ବାପା ପାଣି ଗିଲାସେଟେ ବି ଦିଅ। ଶୋଷ ହେଲାଣି ଢେର୍‍ ।

      ମୁଁ ଚିୟାରରେ ବସି ନିରିଖେଇ ଦେଖୁଥାଏ ସବୁ କାମ ତା’ର । ସିଏ ମନପ୍ରାଣ ଦେଇ ଗ୍ରାଇଣ୍ଡର ଖୋଲି ଲାଗିଥାଏ ସଜାଡିବାରେ। ଦାସବାବୁ ସେ ବାଟ ଦେଇ ଯାଉଥିଲେ କି କ’ଣ? ଦେଖି କହିଲେ—କ’ଣ ଆଜ୍ଞା, କ’ଣ ସଜାଡୁଛନ୍ତି ।

 --- ନାଇଁ ଦାସବାବୁ! ଗ୍ରାଇଣ୍ଡରଟା ଚାଲୁଥିଲା, ହେଲେ ସକାଳୁ ସକାଳୁ ଆଜି ପରା ଆଉ ଚାଲୁ ନାହିଁ । ଦେଖଉ ଥିଲି ମଉସାଙ୍କୁ । 

   --- ହଁ ପରା ମୋର ବି ଦି’ ଦିନ ହେଲା ଖରାପ ହେଇ ପଡିଚି । ହଉ ଭଲ ହେଲା ଆସିଚନ୍ତି ମଉସା । 


   ମଉସାକୁ ଅନେଇ କହିଲେ--- ମଉସା ଆମଟା ବି ଟିକେ ସଜାଡି ଦେବ,ଏଇଠୁ ସାରି ।


  ମୁଁ ଆଉ ଗୋଟିଏ ଚିୟାର ଆଣି ଦେଲି ଦାସବାବୁଙ୍କୁ । ଏକାଠି ବସି ବୁଢାର ଗ୍ରାଇଣ୍ଡର ମରାମତି ଦେଖୁଥାଉ । ଗରମା ଗରମ ଚା’ ଆଣି ପହଞ୍ଚାଇ ଦେଲେ ଘରଣୀ । ଆମେ କପେ କପେ ଧରି ବୁଢା ମଉସାଙ୍କୁ କପେ ଦେଲୁ । 

  ଦାସ ବାବୁ ଚା ପିଇ ପିଇ ମୋ କାନ ପାଖରେ ଫିସ୍‍ ଫିସ୍‍ କରି କହିଲେ—ଜାଣିଲେ ଆଜ୍ଞା! ଏମାନେ ପୂରା ଠକ । ସାବଧାନ ଥିବେ। ଏଇଟା ସେଇଟା ଲାଗିବ କହି ଏଣୁତେଣୁ ଜିନିଷ ଲଗେଇ ଲୋଟି ନେବେ ଢେର ଟଙ୍କା ।


  ଚା’ ପିଇ ସାରି କପଟା ତ ରଖି ଗଲେଣି ଦାସବାବୁ କେତେବେଳୁଁ। ହେଲେ ସେ ମଥାରେ ପୂରେଇ ଯାଇଥିବା କଥାର ଅସରଟା ବୋଧେ ପଡିସାରିଥାଏ ମୋ ମଥାରେ । ମୁଁ ନିରେଖେଇ ଚାହିଁ ଥାଏ ପ୍ରତ୍ୟେକଟି ବୁଢାର ଗତିବିଧି ଉପରେ । ମନରେ ଥିବା ବିଶ୍ୱାସଟା ଅଳ୍ପ ବାତ୍ୟାରେ ଚାକୁଣ୍ଡା ଗଛ ଭାଙ୍ଗିଲା ପରି ମୋଡି ଭାଙ୍ଗି ପଡୁଥାଏ ରଡ୍‍ ରଡ୍‍ । 

    କିଛି ସମୟ ପରେ ଗ୍ରାଇଣ୍ଡର ସଜାଡି ଦେଲା ବୁଢା ମଉସା । ମୁଁ ଡରି ଡରି ପଚାରିଲି --- ମଉସା କେତେ ପଇସା ହେଲା ।

    ପାନ ବଟୁଆରୁ ପାନ ଖଣ୍ଡେ ପାଟିରେ ପୂରେଇ ଦେଇ କହିଲା--- ବାପା ଅଶୀ ଟଙ୍କା ଦିଅ। ଜିନିଷଟେ ଲାଗିଲା ଷାଠିଏ ଆଉ କୋଡିଏ ଟଙ୍କା ମେକାନିକ ଚାର୍ଜ ।


    ଶାନ୍ତିରେ ଟିକେ ନିଶ୍ୱାସ ମାରିଲି । ବୁଢା ପ୍ରତି ମୋର ଆସ୍ଥା ଓ ବିଶ୍ୱାସ ଟିକିଏ ହେଲା ଦୃଢ ।

    ପକେଟରୁ ବାହାର କରି ଶହେ ଟଙ୍କିଆ ନୋଟ ଖଣ୍ଡେ ଦେଲି ବଢେଇ । ବୁଢା କୋଡିଏ ଟଙ୍କା ଫେରଉ ଥିଲା । ମୁଁ ମନା କରି କହିଲି—ଥାଉ ମଉସା ଥାଉ! ତମର ପ୍ରାପ୍ୟ । ପରିଶ୍ରମର । 


ସେ ନେବାକୁ ପ୍ରଥମେ ପ୍ରଥମେ ହେଉଥିଲା ଅମଙ୍ଗ । ମୋ ଜିଦ ପାଖରେ କିନ୍ତୁ ହାର ମାନି ରଖିଲା ଖୁସିରେ । 


     ମୁଁ କହିଲି ମଉସା --- ଦାସ ବାବୁଙ୍କ ଗ୍ରାଇଣ୍ଡରଟା ଏଣିକି ଗଲାବେଳେ ଟିକିଏ ଦିଅ ଦେଖି । ହଇରାଣ ହେଉଥିବେ।

    ମଉସା ହସି ଦେଇ କହିଲେ—ବାପାରେ ସିଏ ବନେଇବେ ନାଇଁ ମୋଠି ।


   ମୁଁ ହେଲି ଆଶ୍ଚର୍ଯ୍ୟ । କହିଲି--- ଏଇଠି ପରା କହି କି ଗଲେ ତମ ସମ୍ନାରେ । 

    --- ହଉ ବାବୁ! ତମେ ପିଲା ଲୋକ ବୁଝିବ ନାଇଁ। ମୋତେ ତାଙ୍କ ଘରଟା ଦେଖେଇ ଦେଇ ଆସ। 

    ସାଇକେଲ ଗଡେଇ ଗଡେଇ ଚାଲିଲୁ ଦାସବାବୁ ଘର ଆଡିକୁ । ଘରର ପଖାପାଖି ପହଞ୍ଚିଛୁ କି ନା ଦାସବାବୁ ଚାଲି ଗଲେ ବାଇକ ଷ୍ଟାର୍ଟ କରି ଆମକୁ ନ ଦେଖିଲା ପରି। ମୁଁ ପଛପଟୁ ଚିଲ୍ଲଉଥାଏ --- ଦାସବାବୁ ଦାସବାବୁ । ହେଲେ ସିଏ କାଇଁ ଶୁଣିବାକୁ ଯିବେ !!!

    ବୁଢା ମଉସା ଜଣଙ୍କ ମୋ ଆଡିକି ଅନେଇ ପାନ ଖିଆ ପାଟିରେ ହସୁଥାନ୍ତି ଏକ ରହସ୍ୟମୟ ହସ । 


ମୁଁ ପଚାରିଲି--- ମଉସା ତମେ କିପରି ଜାଣି ପାରିଲ, ସେ ଗ୍ରାଇଣ୍ଡର ସଜାଡିବେ ନି ବୋଲି ।

  ବୁଢା ମଉସା ହସି କହିଲେ --- ଅଭିଜ୍ଞତା । ମୋ ଷାଠିଏ ବର୍ଷର ଅଭିଜ୍ଞାତା କହୁଥିଲା ମୋଠି ସେ ସଜାଡିବେ ନାହିଁ । ସିଏ କାହିଁକି ବହୁତ ଅଛନ୍ତି ଲୋକ, ଆମ ପରି ମଳିମୁଣ୍ଡିଆକୁ କରନ୍ତି ଘୃଣା । ଆମେ ବୁଲି ବୁଲି ଆସି ସେବା ଦେଇଯାଉ ପେଟ ଚାଖଣ୍ଡେ ପାଇଁ । ହେଲେ ଆମ ସେବା ତାଙ୍କର ନୁହଁ ପସନ୍ଦ । ଓଲଟି ଗାଡି ଭଡା କରି ଯିବେ ବଡ ଟାଉନ । ବଡ ମରାମତି ଦୋକାନରେ ଦେଖେଇବେ । ସେଇଠି ପାଞ୍ଚ ଯାଗାରେ ପାଞ୍ଚ ଶହ ଦେବେ। ହେଲେ ଆମ ପେଟ ଚାଖଣ୍ଡେ ତାଙ୍କୁ ଦେଖା ଯିବନି ଜମାରୁ । 


      ଏତକ କହି କହି ବୁଢା ଚାଲି ଯାଉଥାଏ ଆଗକୁ ଆଗକୁ ।

      ମୁଁ ବୁଢାକୁ ପଛରୁ ବଲବଲ କରି ଅନେଇଥାଏ ଏକ ଲୟରେ । ଭାବି ଭାବି ମାପିବାକୁ ଚେଷ୍ଟା କରୁଥାଏ ବୁଢା ମଉସାର ଅଭିଜ୍ଞତାକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍