ଫେମିଲି
ଫେମିଲି
ବଡ ହଲଟେ । ସମ୍ନା ଟେବୁଲରେ ବସିଚନ୍ତି ସ୍କୁଲ ଶିକ୍ଷକ । ହଲ ସାରା ଅଭିଭାବକ ଭର୍ତ୍ତି ଆପଣା ଆପଣା ପିଲାଙ୍କ ସହ । ଜୁଗୁନୁ ବି ତା ପୁଅକୁ ନେଇ ବସିଚି ଗୋଟାଏ ବେଞ୍ଚରେ । ପ୍ରଥମ ଶ୍ରେଣୀରେ ଦେବ ପୁଅକୁ । କମ୍ପାନୀ ପରିଚାଳିତ ସ୍କୁଲ । ଫେସିଲିଟି ଅଛି ଭଲ । ଆଡିମିସନ ଖର୍ଚ୍ଚ ବି କମ୍ । ସ୍କୁଲ ବସର ଅଛି ସୁବିଧା । ତା ଛଡା ସବୁ ବାପାମା’ଙ୍କ ଥାଏ ଆଶା । ପିଲା ଭଲ ସ୍କୁଲରେ ପଢୁ । କରୁ ଭଲ ଚାକିରୀ । ତେଣୁ ଗାଁରୁ ଆଣି ଆସିଚି ପୁଅକୁ । ଦିନ ଦଶରୁ ଆସି ବାରଟା ବାଜିଲାଣି । କାଇଁ ତା’ ନାଁ ତ ଡକା ହେଉନି ? ଭୁଲି ଗଲେ କି ତାକୁ ! ରେଜିଷ୍ଟ୍ରେସନ ତ କରିଥିଲା ଫର୍ମ କିଣି ? ତେବେ .... ଡାକିବେ ତ ତାକୁ ? ଆସୁମାରୀ ପ୍ରଶ୍ନ ମନରେ । ଆଡମିସନ କରି ପାାରିବ ତ ?
ମଝିରେ ମଝିରେ ହାତ ମାରୁଥାଏ ସାର୍ଟ ପକେଟରେ । ପଇସା ସହି ସଲାମତ ଅଛି କି ନାହିଁ । ହଜିନି କି ପକେଟ ମାର ହେଇନି ଜାଣି ହୁଏ ଆଶ୍ୱସ୍ତ ।
ପାଖା ପାଖି ଅଧେ ଲୋକଙ୍କ ଆଡମିଶନ ସରିଲାଣି । ଦିଶିଲାଣି ବେଞ୍ଚ ଫାଙ୍କା ଫାଙ୍କା । ମୁଣ୍ଡକୁ ଘାରୁଥାଏ ଚିନ୍ତା । ଏହି ସମୟରେ ଡକା ହେଲା ତା’ ନାଆଁ । ହାଜିର ହେଲା ପୁଅକୁ ନେଇ ।
ତମ ନାଁ ଜୁଗୁନୁ ବିରୁଆ ।
ଆଜ୍ଞା, ମୁଁ ଜୁଗୁନୁ । ନମସ୍କାର !
ପୁଅ ନାଁ ?
ଶଂଙ୍କର୍ଷଣ ଭଲ ନାମ ।
ତମେ କଣ କମ୍ପାନୀରେ ଚାକିରି କର ?
ହଁ ସାର ।
କୌଉ ପୋଷ୍ଟରେ ଅଛ ?
ମେକାନିକାଲ ମଜଦୁର ।
ହଉ ! ଡକ୍ୟୁମେଣ୍ଟ ଓ ଫୋଟ ଦିଅ ।
ଝୁଲାରୁ କାଢି ଦେଲା ଡକ୍ୟୁମେଣ୍ଟ । ତା ସହ ବଢେଇ ଦେଲା ପଇସା ।
ଖୁସିରେ ଝୁଲାରେ ଭରୁଥିଲା ଆଡିମିସନ କପି ଓ ରସିଦ । ଜଣେ ପଚାରିଲେ ତମକୁ ତ ଦେଖୁଚୁ ପାଞ୍ଚ ବର୍ଷ ହେଲାଣି ଏକୁଟିଆ ରହୁଥିଲ । ଫେମିଲ ଆଣିଲ କେବେ ?
ଆଣିନି।
ଫେମିଲି ଆଣିନା?
ନାଇଁ ସାର, ଫେମିଲି ଆଣିନି ?
ଆଶ୍ଚର୍ଯ୍ୟ ହେଇ ପୁଣି ପଚାରିଲେ ତା ହାଲେ ଏ ପିଲାଟି କିଏ ?
ମୋ ପୁଅ ଆଜ୍ଞା।
ସେ କ’ଣ ଏକୁଟିଆ ରହେ ତମ ସହ ?
ନାଇଁ, ତା’ର ମା ସହ ରହେ । ସେ ଅଛି କ୍ୱାଟରରେ ।
ହଲଟା ଭିତରେ ଖେଳି ଗଲା ଚାପା ଗୁଞରଣ । ମୁହଁ ଚାହାଁଚାହିଁ ହେଲେ ପରସ୍ପରର ଭିତରେ । ପୁଅ ଅଛି, ସ୍ତ୍ରୀ ଅଛି କହୁଚି । କ୍ୱାଟରରେ ତାଙ୍କ ସହ ରହୁଚି । ପୁଣି କହୁଚି ଫେମିଲି ଆଣିନି, ବଡ ଆଶ୍ଚର୍ଯ୍ୟ ! ସିଏ ଆଉ କାହାକୁ ରଖିଚି କି ?
ଏଇ ଅଞ୍ଚଳବାସୀ ପାଇଁ ଏକଥା ନୁଆ ନୁହଁ । ଜଙ୍ଗଲ ଜାଗା । ପାହାଡ ଖଣି ଅଞ୍ଚଳ । ଅସମ୍ଭବ କିଛି ନୁହଁ । ତେଣୁ ଆଉ କାହା ସହ ରହୁଚି କି ! ଉତ୍ସୁକତା ବଢିଲା ସଭିଁଙ୍କର। ନିଶ୍ଚିତ କରିବାକୁ ଯାଇ ଜଣେ ପଚାରିଲେ ଇଏ ଆପଣଙ୍କ ନିଜ ପୁଅଟି ?
ହଁ ।
ତମ କ୍ୱାଟରରେ ଆଉ କିଏ ରହେ ?
ମୋ ସ୍ତ୍ରୀ ।
ବଡ ଆଶ୍ଚର୍ଯ୍ୟ ! ସ୍ତ୍ରୀ ଛୁଆ ପିଲା ସହ ରହୁଚି ପୁଣି ଫେମିଲି ନାହିଁ କହୁଚି । ହଲରେ ପୁଣି ଥରେ ଖେଳି ଗଲା ଚାପା ହସର ଗୁଞରଣ ।
କୁନି ପୁଅକୁ ଅସହଜ ଲାଗିଲା । କହିଲା---- ବାପାକୁ ସମାନ ପ୍ରଶ୍ନ ବାରମ୍ବାର କାହିଁ ପଚାରୁଛନ୍ତି ସାର୍ ? ସିଏ କ’ଣ ଭୂଲ କହୁଚନ୍ତି ? ଯଦି ବୁଝି ପାରୁନାହାନ୍ତି ବାପା । ଆପଣ ମାନେ ବୁଝେଇ ଦେଉନାହାଁନ୍ତି ଫେମିଲି କ’ଣ ?
ହଁ ଜୁଗୁନୁ! ଫେମିଲି କହିଲେ ପରିବାର । ଆଉ ତମେ ସ୍ତ୍ରୀ ପିଲା ସହ ରହି କହୁଚ ଫେମିଲି ଆଣିନ ?
ସେଇ କଥା ତ ସାର କହୁଚି, କେତେ ବେଳୁ । ସ୍ୱାମୀ ସ୍ତ୍ରୀ ଛୁଆରେ କଣ ସମ୍ପୂର୍ଣ୍ଣ ପରିବାର? ପରିବାର ତ ବାପା ମା, କକା ଖୁଡି, ଭାଇ ଭାଉଜ, ସ୍ତ୍ରୀ ପିଲାଙ୍କୁ ନେଇ ଗଢା । ଇମିତିରେ ବି ଆମର ବଡ ପରିବାର । ରହୁଚନ୍ତି ଗାଁରେ । କ୍ୱାଟରରେ କ’ଣ ସବୁ ଜାଗା ଧରିବେ ? ସେଥିରୁ ଅଳ୍ପ ଆସି ରହୁଚୁ କ୍ୱାଟରରେ । ତେଣୁ ଫେମିଲି ଆଣିନି କହୁଚି ।
ଥ ହେଇ ରହିଗଲେ ସଭିଏଁ । ସରମରେ ମୁଣ୍ଡ ନଇଁ ଗଲା ସଭିଁଙ୍କ । ସତରେ ତ ! ସ୍ୱାମୀ ସ୍ତ୍ରୀ ଛୁଆକୁ ନେଇ କ’ଣ ଗୋଟା ଫେମିଲି ?
କିଛି ସମୟ ପରେ ଜଣେ ସାର କହିଲେ ନମସ୍ତେ ଜୁଗୁନୁ ବାବୁ । ଆପଣ ମହାନ । ଏବେ ଆସିପାରନ୍ତି ଆପଣ । ପୁଅକୁ ଏକ ତାରିଖରୁ ପଠେଇବେ ସ୍କୁଲ ।ଜୁଗୁନୁ ପୁଅ ସହ ଖୁସିରେ ଖୁସିରେ ଫେରୁଥିଲା ଘରକୁ ।
