ସ୍ୱାଭିମାନ
ସ୍ୱାଭିମାନ
ଦିନ ତମାମ ଧାଁ ଧପଡ କଲା ପରେ ବି ସମ୍ବିତ ଥିଲେ ଖୁସି । ଯାହା ହେଉ ହେଇଗଲା କାମଟା । ସଫଳ ହେଲା ସହର ଅସିବା । ହେଲେ ଛାଡି ସାରିଥିଲେ ଶେଷ ବସ, ତେଣୁ ଆଜି ଗାଁକୁ ଫେରିବା ବାଟ ବନ୍ଦ ।
ସନ୍ଧ୍ୟାରେ ହୋଟେଲ ରୁମରୁ ବହାରିଲେ ଫ୍ରେସ ହେଇ । ଅଭ୍ୟାସ ବଶତଃ ଖୋଜିଲେ ଚା’ ଟିକେ । ଚାରିଆଡେ ପହଁରେଇ ଆଣିଲେ ନଜର । କାଇଁ ଦିଶିଲା ନି ଚା’ ଦୋକାନ । ସବୁଆଡ଼େ ବଡ ବଡ କୋଠା ଆଉ ସୋରୁମ । କାଚ ମାର୍ବଲ ଆଉ ଲାଇଟ୍ ରେ କରୁଛି ଚକ୍ ଚକ୍ । ସମ୍ବିତ ଟିକେ ଚିନ୍ତାରେ ପଡିଗଲେ, ମିଳିବତ ଚା’ କପେ ? ଖଣ୍ଡେ ଦୂର ଯାଏଁ ଚାଲିଲେ ଅଗକୁ ।
ନଜରକୁ ଆସିଲା ଚା’ ଦୋକାନ । ରାସ୍ତା କୋଡରେ ଛୋଟ କେବିନ ଖଣ୍ଡେ । ସାମ୍ନାରେ ଥାକ ଥାକ ବିସ୍କୁଟ ଜାର୍ । ଆଗରେ ଝୁଲୁଛି ନାଲିଆ ନେଳିଆ ଚିପ୍ସ୍ କୁରକୁରେ । ଭିତରକୁ ଫୁଟୁଚି ଇଣ୍ଡକସନ୍ ଚୁଲ୍ଲାରେ ଚା' । ପିଲାଟି ଡଙ୍କିରେ ଉପରତଳ କରୁଛି । ମହକି ଯାଉଛି ଚା’ର ବାସ୍ନା । ପାଖ ଚିୟାରରେ ବସିଛନ୍ତି ଜଣେ ବୃଦ୍ଧ । ଚର୍ମ ଧୁଡୁ ଧୁଡ ଚେହେରା । ଦେଖିଲେ ଲାଗୁଛି ପିଲାଟିର ବାପା । ଦୟା ଆସିଲା । ଚା’ ହେବାକୁ ତ ସମୟ ଅଛି । କଥା ଆଳରେ ପଚାରିଲେ ସମ୍ବିତ୍ ମଉସା! ଏ ବୟସରେ ବି ଆପଣ କାମ ଛାଡି ନାହାଁନ୍ତି, ଦୋକାନ ଆସୁଛନ୍ତି ।
ବୁଢା କିନ୍ତୁ ଠଉରେଇ ନେଲେ କଥାର ଖିଅ, କହିଲେ ଖଟିବାକୁ ଇଛା ନାହିଁରେ ବାପ! ବୁଢୀ ଆରପାରିକୁ ଗଲା ଠୁ ଘରେ ଏକୁଟିଆ, ମନଟା ଘାଣ୍ଟି ହୁଏ । ଭଲ ଲାଗେ ନାହିଁ । ପୁଅ ମନା କଲେ ବି ଆସିଯାଏ ନିଜ ଇଛାରେ । ତୁମମାନଙ୍କ ପରି ଗ୍ରାହକ ଗହଣରେ ଜଣାପଡେ ନାହିଁ କଟିଯାଏ ଦିନ ।
ଆଉ ଜଣେ ବୟସ୍କ ଲୋକ ପହଞ୍ଚିଲେ । ଚା’ ହାତକୁ ନେଉ ନେଉ ଦରଚିହ୍ନା କଲେ । ପରେ ପରେ ଚିହ୍ନାଚିହ୍ନି, କୋଳାକୋଳି ଦି' ବୁଢା ।
ପିଲାଟିର ବାପା କହିଲେ ପାଖାପାଖିରେ ତ ରହୁଛ, ରବିବାର ଦେଖି ଆସୁନା । ସେ ଦିନ ମୁଁ ଦୋକାନ ଆସେନାହିଁ , ଫୁଲ ରେଷ୍ଟ । ଖିଆପିଆ ସହ ହସମଜା ଗପସପ ହେବା । ଇମିତିରେ ବି ଏକେଲା ଏକେଲା ଲାଗୁଛି ।
ଯିବି ତ ନିଶ୍ଚୟ , ହେଲେ ଗ୍ୟାସଗୋଦାମ ଗଳିର କୋଉପାଖରେ ପାଡିବ ତମ ଘରଟା ? ପିଲାଟିର ବାପା କହିଲେ ଗଳି ଭିତରକୁ ଗଲେ ପଡିବ ବଡ ବରଗଛଟେ, ତା’ ଆଗକୁ ବାଁକୁ ଗଲେ ଯେଉଁ ଆଜବେଷ୍ଟସ ଘରଟା, ସେଇ ଘରଟା ଆମର । ହୁଁଉଁ ଜାଣି ଗଲି ଜାଣି ଗଲି ଓହଃ ! ତାହେଲେ ତମ ଘରଟା ରାମବାବୁ ଗୁପ୍ତା ଘର ବିଲ୍ଡିଂ ପାଖରେ ।
ଏମାନଙ୍କ ସବୁକଥା ଶୁଣୁଥିଲା ପିଲାଟି । ଚା’ ବନ୍ଦ କରି କହିଲା ମଉସା ନମସ୍କାର ! ବିଲକୁଲ ନୁହଁ, ତାଙ୍କ ଘରପାଖରେ ଆମ ଘର ନାହିଁ । ତା' ଛଡା ଆମ ପୈତୃକ ଘରଟା ରାମବାବୁ ଗୁପ୍ତା ଘର ବିଲ୍ଡିଂ ପାଖରେ କାଇଁ ହେବ ? ବରଂ ତାଙ୍କ ବିଲ୍ଡିଂଟା ଆମ ଘର ପାଖରେ । ସେମାନେ ତ ପରେ ଘର କରି ରହିଛନ୍ତି । ହତବାକ ହେଇ ଚାହିଁ ରହିଲେ ସଭିଏଁ । ସମ୍ବିତ ବି ଚକିତ ହେଇ ଚାହିଁ ଭାବୁଥାନ୍ତି ସତରେ ଛୋଟ ବା ସାନର କ'ଣ ଦୁନିଆରେ କିଛି ନାହିଁ ପରିଚୟ ? ସେ କାହିଁକି ବଡ ଦ୍ୱାରା ହିଁ ପରିଚିତ ହେବେ ସଦାବେଳେ । ଚା'ଠୁ ବି ମିଠା ଲାଗୁଥିଲା ଦୋକାନୀ ପିଲାର ସ୍ୱାଭିମାନର କଥା ।
