ଯୋଗ୍ୟ ହିତାଧିକାରୀ
ଯୋଗ୍ୟ ହିତାଧିକାରୀ
ଦୁଃଖିଆ ବହୁ ଦିନ ପରେ ଧାଇଁ ଆସିଚି ଗାଁ ମାଟିକୁ। ବୁଲି ବୁଲି ଦେଖୁଚି ତା’ର ଭିଟାମାଟିକୁ । ଝାଟିମାଟିର ଅଧାଭଙ୍ଗା ଘରଟିକୁ । ଆଉଁସି ପକାଉଚି ଫଟା କାନ୍ଥକୁ। କାନ୍ଥ ସବୁକୁ ଆଉଁସି ଦେଲା ବେଳେ ଉଦା ହେଇଯାଉଛି ଆଖି। କୋହ ଉଠୁଚି ଭିତରୁ। ମନେ ପଡିଯାଉଛି ବିଗତ ଦିନମାନ। ସିନେମାର ଦୃଶ୍ୟ ପରି ନାଚି ଉଠୁଚି ଗୋଟାକ ପରେ ଗୋଟେ ଦୃଶ୍ୟ। ଦିନ ଥିଲା କଟୁଥିଲା ଖୁସିର ଦିନ ଏଇ ଗାଁ ମାଟିରେ । ମାଟିରେ ମାଟି ହେଇ ଫଳଉଥିଲା ସୁନା ତା’ର ଦି'ମାଣ ଜମିରେ। ଦୈବ ବୋଧେ ସହିଲାନି। ଭଉଣୀ ବାହାଘରରେ ବିକିବାକୁ ବାଧ୍ୟ ହେଲା କିଛି ଜମି । ଲୁଚି ଥିଲା ଦୁଃଖ ଦୁଃଖିଆର ଜୀବନେ। ସେଇଠୁ ଭାଗ୍ୟ ଦେବୀ ହେଲେ ନିର୍ଦ୍ଦୟ। ବଳକା ଅଳ୍ପ ଜମିରେ ଯେତେ ମେହେନତ କଲେ ଫଳିଲାନି ଫଳ। ବରଂ ଫଳ ଘର ରହିଲା ସବୁବେଳେ ଶୂନ। କେବେ ମରୁଡି ତ କେବେ ବାତ୍ୟା। କେବେ ପୁଣି ପଙ୍ଗପାଳଙ୍କ ଆତଙ୍କ। ପରିବାର ପୋଷିବା ହେଲା କାଠିକର ପାଠ। ଚାଳ ଘର ଖଣ୍ଡିକୁ ଛପର କରିବା ବି ହେଲା ମୁସ୍କିଲ। ତା’ ଦୁଃଖର ଲୁହରେ ତାଳ ଦେଇ କାନ୍ଥ ବି ବତୁରିବା କଲା ଆରମ୍ଭ । ଠାଏ ଠାଏ ମାଟି ଖସିଲା। କେତେବେଳେ ବି କାନ୍ଥ ଭୁଷୁଡି ପଡି ଚାପି ଦେବାର ରହିଲା ଡର। ଦେଖିପାରିଲା ନି ସ୍ତ୍ରୀ ଛୁଆଙ୍କ ଅସହାୟ ମୁହଁ । ମାଟିକୁ ଭଲ ପାଉଥିବା, ମାଟିର ବାସ୍ନାରେ ବିଭୋର ହେଉଥିବ ମଣିଷଟା ହେଲା ଆନମନା । ପାରିଲା ନାଇଁ। ଜୀବନ ବଞ୍ଚାଇବାକୁ ଆଉ ପେଟ ଚାଖଣ୍ଡେ ପାଇଁ ପରିସ୍ଥିତିରେ ପଡି ଛାଡିଦେଲା ଗାଁ ଭୂଇଁକୁ।
ସ୍ତ୍ରୀ ଛୁଆପିଲାଙ୍କୁ ବୁଝେଇ ଚାଲିଲା ସହର। ବଙ୍ଗଳୀ ମିସ୍ତ୍ରୀ ସହ ମିଶି କଲା କୁଲି କାମ। ମାଟିରେ ଲୋଟୁ ଥିବା ମଣିଷଟା ସିମେଣ୍ଟ ଗୁଣ୍ଡରେ ଆଉଟି ହେଇ ହେଲା ଲଣ୍ଡଭଣ୍ଡ । ଅଣନିଃଶ୍ୱାସୀ ଲାଗିଲେ ବି ଉପାୟ ଶୂନ୍ୟ ।
ଆଜି ବହୁ ଦିନ ପରେ ଆସିଚି ତା’ ଗାଁକୁ । ଆଉଁସି ଦେଉଚି ତା’ର ପୁରୁଣା ଫଟା କାନ୍ଥ ସବୁକୁ। ଆଶ୍ୱାସନା ଦେଉଚି ନିଜକୁ ନିଜେ। ଫଟା କାନ୍ଥ ଭିତରୁ ଡୁଙ୍ଗୁଥିବା ଝିଟିପିଟି ଆଉ କୋଣରେ ଝୁଲୁଥିବା ବୁଢିଆଣୀ ସବୁକୁ ଦେଖେଇ ଦେଖେଇ ଦୁଃଖିଆ କହୁଥାଏ ---- ରୁହରେ ବାପ! ଢେର ଜଗିଲ ମୋ ଘର। ଯେତକ ମଜା ନେଲ ନେଲ। ଆଉ ନୁହଁ। ପଞ୍ଚାୟତ ଅଫିସରେ ଝୁଲୁଥିବା ଲିଷ୍ଟରେ ମୋର ଅଛି ନାଁ। ସରପଞ୍ଚ ନିଜେ ଫୋନ କରି କହିଚି । ପାଇବି ସରକାରୀ ସହାୟତାରେ ଘର। ଭଙ୍ଗା କାନ୍ଥରୁ ହେବ ପକ୍କା। ପକ୍କାଘରେ ରହିବାର ସ୍ୱପ୍ନ ବି ହେବ ପୂରଣ। ଘର ହେଲେ ସହର ନାଳନର୍ଦମା ବସ୍ତିରୁ ନେଇ ଆସିବି ଛୁଆପିଲାଙ୍କୁ ସବୁଦିନ ପାଇଁ ଗାଁକୁ । ସବୁ ସେଇ ଗାଁ ବାଲା ଆଉ ସରପଞ୍ଚଟା ପାଇଁ ହେଇଚି ସମ୍ଭବ। ଖୁସିରେ ନାଚି ଯାଉଥାଏ ମନ ।
କୁଆଡେ ଥିଲା ହରିଆଟା ଦଉଡ଼ି ଦଉଡି ଆସି,ଧଇଁସଇଁ ହେଇ କହି ଦେଇ ଚାଲିଗଲା --- ଦୁଃଖୀଆରେ । ଜାଇଁଲୁ ନି ନା ନାଇଁ! ତୋର ଭାଗ୍ୟ ଖରାପ। ତୋ ନାଁରେ ଦେଇଛି କିଏ କମ୍ପଲେନ। ତୁ କୁଆଡେ ଅଯୋଗ୍ୟ ହିତାଧିକାରୀ। ଘର ପାଇବାକୁ ଅଯୋଗ୍ୟ। ତୋର କୁଆଡେ ପକ୍କାଘର ଆଉ ମଟର ସାଇକେଲ ଅଛି। ଚେକ କରିବାକୁ ଆସୁଛନ୍ତି ଗାଁକୁ ବଡ ସାହାବ।
ଦୁଃଖିଆର ଆନନ୍ଦରେ ଆଞ୍ଜୁଳେ ପାଣି ଛିଟିକି ପଡିଲା। ଉଷୁମ ମନଟା ହେମାଳ ହେଇଗଲା । ପକ୍କାଘର ପୁଣି ତା'ର, ଭଙ୍ଗା କାନ୍ଥକୁ ପୁଣି ଥରେ ଅନେଇଲା। ସାଇକେଲ ଚଲେଇ ଚଲେଇ ବିଣ୍ଡି ବସି ଯାଇଥିବା ପଛଟାକୁ ଆଉଁସି ଦେଖିଲା।
ଭଙ୍ଗା କାନ୍ଥରେ ଲୁଚିଥିବା ଝିଟିପିଟିଟା ବି ମୁଣ୍ଡ ଟୁଙ୍ଗାରି ଦୁଃଖିଆକୁ ଖତେଇ ହେଇ ସତେ ଯିମିତି କହୁଥାଏ ---- ଠିକ୍ ଠିକ୍ - ଠିକ୍ ଠିକ୍ ତୁ ଅଯୋଗ୍ୟ ହିତାଧିକାରୀ। ତୋଠୁ ଆହୁରି ଅଧିକ ଅଛନ୍ତି ଗରିବ ଏଇ ଗାଁରେ। ତାଙ୍କର ପକ୍କାଘର ଥାଇ ବି ସେମାନେ ବେସାହାରା ଧାଇଁ ଥାନ୍ତି ସବୁବେଳ ସାହାରା ଟିକିଏ ପାଇବା ପାଇଁ ନେତା ମନ୍ତ୍ରୀଙ୍କ ପାଖକୁ। ରହିଥାନ୍ତି ତାଙ୍କ ପାଖେ ପାଖେ। ସେମାନଙ୍କର ସବୁ ଥାଇ ବି ସେମାନେ ଗରିବ। ସବୁ ଗିଳିବାରେ ବି ଯୋଗ୍ୟ। ତେଣୁ ତ ସେମାନେ ଯୋଗ୍ୟ ହିତାଧିକାରୀ ।
