ଶପଥ
ଶପଥ
ବିଶେଷ କାମସାରି ରାଉରକେଲାରୁ ଫେରୁଥିଲେ ଆମ ଅଫିସ୍ ର ବଡବାବୁ ମାନେ ସୁକାନ୍ତବାବୁ । ଭାରି ହିସାବୀ ମଣିଷଟେ। ଅଫିସ୍ ର ହିସାବ ସାଙ୍ଗକୁ ନିଜର ବି ରଖୁଥିଲେ କଡାଗଣ୍ଡା ହିସାବ । ଅବଶ୍ଯ ଆବଶ୍ଯକତା ଠୁ ଟିକିଏ ବେଶି ।
ଇମିତିରେ ବି ଆସିସାରିଥିଲେ ଗୋଡାଏ ବାଟ ଲିଫ୍ଟ ମାଗି । ଆଉ କୋଡିଏ ବାଇଶ କିଲୋମିଟରର ତ କଥା । ବାଇକ୍ କାର ଯାହାବି ମିଳିବ ଘରେ ପହଞ୍ଚି ଗଲେ ଗଲା ।
ଲିଫ୍ଟ ଆଶାରେ ଛକଟାରେ ଛିଡା ହେଇଛନ୍ତି କେତେବଳଠୁଁ । ଦିନ ଦିପହଟାରୁ ଆସି ହେଲାଣି ସଂନ୍ଧ୍ଯା । ଇମିତିରେ ବି ବେଶି ବସ ଚାଲେ ନାହିଁ ଏଇ ରାସ୍ତାରେ । କେତେବେଳୁ ଠୁ ଛାଡି ସାରିଲେଣି ଶେଷ ବସ ଖଣ୍ଡିକୁ । ଏଣିକି ଏକମାତ୍ର ଭରସା ଲିଫ୍ଟ ।
ଲିଫ୍ଟ ସହ ତ ତାଙ୍କ ଜୀବନ ଅଙ୍ଗାଅଙ୍ଗୀ ଜଡିତ । ଜୀବନଟାର ଅଧିକାଂଶ ଭାଗ କାଟିଗଲାଣି ଲିଫ୍ଟରେ । ଆଜି କ'ଣ ବଳି ଯିବ ଯେ, ଆଜି ବି ଯିବେ ଲିଫ୍ଟମାଗି ।
ଆଜି କ'ଣ ଅଟକୁନଥିଲେ କେହି । ଏକରେ ତ ଅଜଣା ଘାଟି ରାସ୍ତା । ନା ଘରକୁ ଚାଲି କି ଯାଇହେବ ଏତେଗୁଡ଼ା ବାଟ । ଜୀବନରେ ଏପରି ହଇରାଣ କେବେ ହେବାର ତ କାଇଁ ନଜିର ନଥିଲା ତାଙ୍କର । ସେ ତ ପୁଣି ପ୍ରତି ଦିନ ଘରୁ ଅଫିସ ଆସୁଥିଲେ ଲିଫ୍ଟ ମାଗି । କାଁ ଭାଁ କେବେ କେମିତି ଅଫିସ୍ ରେ ବିଳମ୍ବ ହେଲେ ଗଲାବେଳେ ଧରୁଥିଲେ ଶେଷ ବସ । କିନ୍ତୁ ବସରୁ ଉହ୍ଲେଉଥିଲ ସବା ଶେଷକୁ । କାହିଁକି କି ନା କିଏ କ'ଣ ଛାଡି ଯାଇଥିବେ । ଛତା, ପଇସା ,ପାଣି ବୋତଲ ଆହୁରି କେତେ କଣ ତାକୁଇ ଗୋଟେଇ ଉହ୍ଲେଉଥିଲେ ଶେଷକୁ ।
କାର୍ ବାଇକ ଆଶା ତ ପୂରାପୂରି ଛାଡି ସାରିଲେଣି କେତେବେଳୁଁ । ଏଣିକି ଭରସା ଡମ୍ପର । ହେଲେ ସମଦଶା । ପରେ ଜଣକୁ ପଚାରି ଜାଣିଲେ- ମାଓବାଦୀ ଏରିଆ ।
ଡରିଗଲେଣି ସୁକାନ୍ତବାବୁ, ଯେମିତି ହେଉ ରାତି ପୂର୍ବରୁ ଫେରିବାକୁ ହେବ । ଭଗବାନଙ୍କୁ ସ୍ମରଣ କରି ହାତ ମାରିଲେ ଡମ୍ପରଟିକୁ । ଥିଲା ଫୁଲ ସ୍ପିଡରେ, କଁ କଁ ଗର୍ଜନ କରି କଷିଲା ବ୍ରେକ । ଖଣ୍ଡେ ଦୂରରେ ଯାଇ ଅଟକିଲା ।
ଡେରି ନକରି ଦି' ଦିଟା ଏୟାର ବ୍ଯାଗ ହାତରେ, ଆଉ ପାଣି ବୋତଲଟାକୁ କାଖରେ ଜାକି ଧାଇଁଲେ । ହେଲେ ପାଖରେ ପହଞ୍ଚୁ ପହଞ୍ଚୁ ପେଁ କି ନା ଛାଡି ଦେଲା ଗାଡି । ସୁକାନ୍ତବାବୁ ପଛରୁ ଚାହିଁଥିଲେ ଥ ହେଇ । ଗାଡିପଛ ଡାଲାରେ ବଡ ବଡ ଅକ୍ଷରରେ ଲେଖା ଥିଲା ଆଜ୍ଞା ମାଇଣ୍ଡ କଲେ କି ?
ସରମି ଗଲେ ସୁକାନ୍ତବାବୁ ଚାରି ଆଡେ ଥରେ ନଜର ଘୁରେଇ ଆଣିଲେ । କାହିଁ କୁଆଡେ କେହି ଦେଖି ନାହାଁନ୍ତି ତ ତାଙ୍କ ଏ ଅବସ୍ଥାକୁ ?
ସତରେ ସୁକାନ୍ତବାବୁ ମାଇଣ୍ଡ କଲେ କି କ'ଣ ? ମନେ ମନେ ଶପଥ ନେଇ କହୁଥିଲେ ନୂଆ ବର୍ଷରେ କିଏ କେତେ କଣ ଶପଥ ନିଏ। ମୁଁ ଆଜି ବର୍ଷ ଶେଷଟାରେ ଶପଥ ନେଇ କହୁଛି ନୂଆ ବର୍ଷ ଆରମ୍ଭରୁ ଏ ଭୁଲ ଆଉ ହେବ ନାହିଁ, ଜରୁରୀ ନଥିଲେ ଆଉ ମାଗିବିନି ଲିଫ୍ଟ ।
