Tikeshwar Sahu

Tragedy

4.0  

Tikeshwar Sahu

Tragedy

ସାବତ ମାଆ

ସାବତ ମାଆ

4 mins
272



ତେଜସ୍ୱିନୀ ଗାଆଁକୁ ଫେରିଆସିଲା l ୟୁନିଭରସିଟି ହଷ୍ଟେଲରେ ବହୁ ଦିନ ଧରି ପାଠ ପଢ଼ୁଥିଲା l ହଷ୍ଟେଲ ଜୀବନ ଠାରୁ ଗାଆଁର ଜୀବନ ସମ୍ପୂର୍ଣ୍ଣ ଅଲଗା ଲାଗୁଥିଲା l ବାପାଙ୍କର ଭାରି ଗେହ୍ଲେଇ ଝିଅ ତେଜି l ବାପା ତେଜସ୍ୱିନୀ ନ ଡାକି ତେଜି ବୋଲି ଡାକନ୍ତି l ତେଜି ବି ସେଇୟା l ଅନେକ ଦିନ ପରେ ଗାଆଁକୁ ଆସିଥିବାରୁ ପ୍ରତି ମୂହୁର୍ତ୍ତରେ ବାପାଙ୍କର ଯତ୍ନ ନେଉଛନ୍ତି l କେତେବେଳେ ଚା', କେତେବେଳେ ଟିଫିନ ହେବ, ସବୁର ଟିକିନିକି ହିସାବ ରଖୁଥିଲା ତେଜି l ରୋଷେଇ ପହିଲା ପହିଲା ଆସୁନଥିଲା l କିଛି ଦିନ ଭିତରେ ସବୁ ଯେମିତି ଠିକ୍ ହୋଇଆସୁଥିଲା l ତେଜିର ଯେମିତି ହେଉ ରୋଷେଇ ଭାରି ଭଲ ଲାଗୁଥିଲା l ଏସବୁ ଦେଖି ତେଜିର ସାବତ ମାଆ ସାବିର ଆଖିରେ ମୋଟେ ଯାଉନଥିଲା l ତେଜିର ବୟସଠାରୁ ମାତ୍ର ସାତ ବରଷ ବଡ଼ l ପାଠ ବୋଲି ସପ୍ତମ ପାସ୍ l ସେଥିରେ ପୁଣି ଅଧା ଇଂରାଜୀ ତ ଅଧା ଓଡ଼ିଆ, ହିନ୍ଦୀ l ତାଙ୍କର ମୁଖ ଗୋଟାଏ ମୁଖ ନୁହଁ ତ ଗୋଟାଏ ଧାରୁଆ ଛୁରୀ l ସେ ଛୁରୀରୁ କାହାରି ନିସ୍ତାର ନାହିଁ l ସ୍ୱୟଂ ଶିବ ହେଲେ ବି ପାଦରେ ମାଡ଼ି ହୋଇଯିବେ l ଆଉ ତେଜସ୍ୱିନୀ ଓରଫ୍ ତେଜି କୋଉ ଗାଈର ଗୋବର ଯେ l ଗୋଟାଏ ଫୁଙ୍କରେ ସେ ଉଡ଼ିଯିବ ପରା l ମାଆର ଏମିତି ରୂପ ସେ କେବେ ଦେଖିନଥିଲା l ସତରେ ମାଆ ଆର ପାରିକୁ ଚାଲି ଗଲାପରେ ତେଜି ଖୁବ୍ କାନ୍ଦିଥିଲା l କିନ୍ତୁ ନୂଆ ମାଆ ଆସିବା ପରଠାରୁ ତାଙ୍କର କଅଁଳିଆ ମିଠା କଥାରେ ସବୁ ଯେମିତି ଭୁଲିଯାଇଥିଲା l ପ୍ରଥମେ ପ୍ରଥମେ ସବୁ ସେମିତି ଲାଗେ l ତେଜି ଭାବୁଥିଲା ନୂଆ ମାଆ ତାର ଖୁବ୍ ଯତ୍ନ ନେବ l ହେଲେ କିଛି ମାସରେ ତାର ସବୁ ଆଶାରେ ପାଣି ପଡ଼ିଗଲା l ସବୁ କଥାରେ ଫଁ ଫଁ ରାଗର ଫୁତ୍କାର l ଲାଗୁଥିଲା ଗୋଟାଏ କଳା ନାଗ ତା' ବେକରେ ଗୁଡ଼େଇ ହୋଇ ଯାଉଛି l କିଛି ଦିନ ସହିଗଲା l ନ ସହିବାର ତାର ଜୁ ନଥିଲା l କାନ୍ଦି କାନ୍ଦି ଓଢ଼ଣି ଭିଜି ଯାଉଥିଲା l ଆଖିରେ ଆଖିଏ ସ୍ୱପ୍ନ l ଅବାସ୍ତବ କୁହୁଡ଼ିରେ ସବୁ ସ୍ୱପ୍ନ, ଆଶା ମିଳେଇ ଯାଉଥିଲା l ବାପା ସବୁ ଜାଣୁଥିଲେ l ମାତ୍ର କୌଣସି ସମାଧାନର ବାଟ ପାଉନଥିଲେ l ଏପଟେ କହିଲେ ଗୋ ହତ୍ୟା, ସେପଟେ କହିଲେ ବ୍ରହ୍ମ ହତ୍ୟା l ଧର୍ମର ବଡ଼ଦାଣ୍ଡରେ ବାପା କିଂକର୍ତ୍ତବ୍ୟବିମୂଢ଼ ହୋଇ ପଡ଼ିଥିଲେ l ନା ତେଜିର ଆଖି ଲୁହ ପୋଛି ପାରୁଥିଲେ, ନା ସ୍ତ୍ରୀକୁ ବାଧା ଦେଇପାରୁଥିଲେ l ସତେ ଯେମିତି ସେ ନଈର ଦୁଇଧାରରେ ପାଦ ଦେଇ ନିଜକୁ ନିଜେ ଅସମର୍ଥ ବୋଧ କରୁଥିଲେ l 

   ତେଜସ୍ୱିନୀ ସମସ୍ତ ଶକ୍ତିକୁ ଯୋଗାଡ଼ କରି ନିଜ ଗୋଡ଼ରେ ଠିଆ ହେବାକୁ ଚେଷ୍ଟାକଲା l ବାପା ପାଖରେ ବୋଝ ହେବନି କି ନୂଆ ମାଆର ସ୍ୱେଚ୍ଛାଚାରିତାରେ କଣ୍ଟା ହେବନି l ଆତ୍ମଚେଷ୍ଟା ବଳରେ ଅସାଧ୍ୟ ସାଧନ କରାଯାଇପାରେ l ଉଚ୍ଚତର ଶିକ୍ଷା ପାଇଁ ତେଜସ୍ୱିନୀ ଆବେଦନ କଲା l ଇଂରାଜୀରେ ସ୍ନାତକୋତ୍ତର ପାଇଁ ସେ ଯୋଗ୍ୟ ବିବେଚିତ ହୋଇଗଲା l ବାପାଙ୍କ ଆଖିରେ ନୂଆ ବାଟ ମିଳିଗଲା l ସ୍ତ୍ରୀ ସାବିର ସମସ୍ତ ବିରୋଧ ପରେ ତେଜିକୁ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ଛାତ୍ରୀନିବାସରେ ରହିବାର ବ୍ୟବସ୍ଥା କରେଇଦେଲେ l ତେଜସ୍ୱିନୀର ବାପା ଆଶ୍ୱସ୍ତିର ନିଃଶ୍ୱାସ ମାରିଲେ l ତେଜିର ପିଲା ଦିନର ଟିକି ପାପୁଲିର ଉଷ୍ମତାକୁ ମାପୁଥିଲେ ବାପା l ନୀରିହ ଆଖିର ଅକୁହା ସ୍ୱପ୍ନ ସାକାର ଦିଗରେ ଦୁଇ ପାଦ ଆଗେଇବାରେ ବାପା ସଫଳ ହେଉଥିବାର ଆଶାଦୀପ୍ତ ହେବାରେ ଲିଗୁଥିଲା l ସବୁ ଯେମିତି କାଲି ଭଳି ଲାଗୁଥିଲି l ତେଜି ବିଶ୍ୱବିଦ୍ୟାଳୟରେ ଇଂରାଜୀ ଫାଷ୍ଟ କ୍ଲାସ ଫାଷ୍ଟରେ ପାସ୍ କରି ଫେରିଆସିଛି l ଏତେ ବଡ଼ ଉଚ୍ଚ ଶିକ୍ଷିତା ଝିଅର ଗୌରବକୁ ସାବି ସହଜରେ ଗ୍ରହଣ କରିପାରୁନଥିଲା l ତା ପାଠପଢ଼ା ଚୁଲିକୁ ଯାଉ l ଅଲକ୍ଷଣୀଟା ପାଞ୍ଚ ବରଷରେ ମାଆକୁ ଖାଇଲା l ଏଇଟା ଗୋଟାଏ ଡାଆଣୀ l କେତେବେଳେ ମୋତେ ବି ଖାଇଦେବ ଲୋ ମାଆ l ଏପରି ଭାବନାରୁ ସାବି ବାହାରି ପାରୁନଥିଲା l ଭାଇ ସହିତ ମିଶି ଚକ୍ରାନ୍ତ ଆରମ୍ଭ କଲା l କେମିତି ଏ ଅଲକ୍ଷଣୀ ତେଜିକୁ ଗୋଟାଏ ଅର୍ଦ୍ଧ ଶିକ୍ଷିତ ପିଲା ସହିତ ବାହା କରେଇଦେବାକୁ l ତେଜି ସବୁ ଜାଣେ l ହେଲେ ନୂଆ ମାଆର ପ୍ରକୃତି ଜାଣି ପ୍ରତିବାଦ କରେ ନାହିଁ l ସେ ଜାଣିଛି ନୂଆମାଆକୁ ପ୍ରତିବାଦ କରିବାର ଅର୍ଥ, ନିଆଁକୁ ବରଣ କରିବା l ତା ଖରାପ ପ୍ରଭାବ ବାପାଙ୍କ ଜୀବନ ଉପରେ ପଡ଼ିବ l ଅସହାୟ ବାପା ଖୁବ ଭାଙ୍ଗିପଡ଼ିବେ l ସେଥିପାଇଁ ସିନା ତେଜି ଅନେକ କଥା ସହିଯାଏ l ନିଜ କାମ କରିଚାଲିଥିଏ l ଗାଆଁରେ ତେଜିର ଖୁବ୍ ଆଦର l କଥାକଥାକରେ ସମସ୍ତେ ତେଜିର ଆଦର୍ଶ କଥା ଉଦାହରଣ ଦିଅନ୍ତି l ବାପାଙ୍କର ଛାତି କୁଣ୍ଢେ ମୋଟ ହୋଇଯାଏ l ବୁଢ଼ୀମାନେ କହନ୍ତି, ଲୋ ତେଜି, ରାଜକୁମାର ଘୋଡ଼ା ଚଢ଼ିଆସିବ l ତୋତେ ସାତ ସମୁଦ୍ର ସେପାରିକୁ ନେଇଯିବ l ତୁ ମହାରାଣୀ ସୁଖ ସୌଭାଗ୍ୟ ପ୍ରାପ୍ତି କରିବୁ l ବଡ଼ ସୌଭାଗ୍ୟବତୀ ହେବୁ l ଲାଜରେ ତେଜିର ମୁହଁ ଲାଲ ପଡ଼ିଯାଏ l ବାପା କହନ୍ତି‐ ତୁମ ତୁଣ୍ଡ ସୁତୁଣ୍ତ ହେଉ l ମୋ ଝିଅ ମୋ ନିଁ ରଖୁ l ସେ ଅଖଣ୍ଡ ସୌଭାଗ୍ୟବତୀ ହେଉ l ସମସ୍ତ ଆଶୀର୍ବାଦ ଯେ ଦିନେ ଫଳବତୀ ହୁଏ, ତାହା ସୁନିଶ୍ଚିତ l ଚାକିରୀ ଫଳାଫଳ ପ୍ରକାଶ ପାଇଲା l ନେଟ୍ ଦେଖି ଖୁସିରେ ତେଜି ବାପାଙ୍କ ପାଖକୁ ଦୌଡ଼ିଲା l ପାଦ ଛୁଇଁ ପ୍ରଣାମ କଲା l ଏତେ ବଡ଼ ଖୁସି ଖବରଟା ଜଣେଇଲା l ଭଗବାନଙ୍କ ପ୍ରତି ଶତ ପ୍ରଣାମ ଜଣାଇଁ ବାପା ଅଭିଭୂତ ହୋଇପଡ଼ିଲେ l ଏ ତେଜିର ମାଆ, ସ୍ୱର୍ଗରେ ଥାଇ ଦେଖ l ତମ ଝିଅକୁ ଆଜି ଦେଖ l ନିଜ ଗୋଡ଼େରେ ନିଜେ ଠିଆ ହୋଇଛି l ରମା ଦେବୀ ସ୍ୱୟଂ ଶାସିତ ବିଶ୍ୱବିଦ୍ୟାଳୟରେ ଇଂରାଜୀ ଅଧ୍ୟାପିକା l ମାଆଲୋ ତେଜି, ତୁ ମୋର ସମସ୍ତ ସ୍ୱପ୍ନକୁ ସାକାର କରିଦେଲୁ l ଛୋଟ ଦିନର ଶିଶୁ ଭଳି ତେଜିକୁ ଦୁଇ ହାତରେ ତୋଳି ଧରିଲେ l ତେଜି ନିଜ ଆଖିକୁ ବି ବିଶ୍ୱାସ କରିପାରିଲା ନାହିଁ l ନୂଆ ମାଆ ଲାଗିଲେ ରାଗନ୍ତୁ ପଛେ ପାଖକୁ ଯାଇ ପାଦ ଛୁଇଁଲା l ନୂଆ ମାଆ ମୁହଁରେ ସେଦିନ ସମସ୍ତ ରାଗ, ଈର୍ଷା, ଦ୍ୱେଷ, ଅହଙ୍କାର ଦୂରେଇ ଯାଇଥିଲା l ତେଜିକୁ ସାବି କୁଣ୍ଢେଇ ଧରିଲା l ମାଆଲୋ ତେଜି, ମୋତେ କ୍ଷମା କରିଦେ ଲୋ ମାଆ l ମୁଁ ବହୁତ ଭୁଲ କରିଛି l ମୋ ପାପର କ୍ଷମା ନାହିଁ l ମୁଁ ସବୁବେଳେ ତୋତେ ମୋର ପ୍ରତିଦ୍ୱନ୍ଦି ଭାବି ନେଇଥିଲି l ତୁ କିନ୍ତୁ ସବୁଠାରୁ ଉର୍ଦ୍ଧ୍ୱରେ l ତୋ ସରଳ ନିଷ୍ପାପ ହୃଦୟରେ ଅନେକ ଆଘାତ ଦେଇଛି l ତୋ ହୃଦୟକୁ ଖିନ୍ ଭିନ୍ କରିଦେଇଛି l ମୁଁ ମହାପାପିନୀ l ତେଜି ନୂଆ ମାଆ ହାତ ଧରିପକେଇଲା l ପାଦ ଛୁଇଁ ବରଂ ନିଜେ ଭୁଲ ମାଗିନେଲା l ତେଜିର ବିଶାଳ ହୃଦୟର ଗଭୀରତା ଦେଖି ସମସ୍ତେ ଅବାକ୍ ହୋଇଯାଉଥିଲେ l ସାବତ ମାଆର ପ୍ରକୃତ ସ୍ୱରୂପ ତେଜସ୍ୱିନୀ ବଦଳାଇଦେଲା l ବର୍ତ୍ତମାନ ଇଂରାଜୀ ଅଧ୍ୟାପିକା ତେଜସ୍ୱିନୀ ସାହୁ ଏ ଗାଆଁର ଗୌରବ, ସମ୍ମାନ l ଆସନ୍ତା କାଲି ଭୁବନେଶ୍ୱର ଯିବାର ସମସ୍ତ ପ୍ରସ୍ତୁତିରେ ମାଆ ଝିଅ ଲାଗି ପଡ଼ିଲେ l ବାପା ଭାବୁକ ହୋଇପଡ଼ୁଥିଲେ ଏଭଳି ପରିବର୍ତ୍ତନ ଦେଖି l



Rate this content
Log in

Similar oriya story from Tragedy