STORYMIRROR

Sachidananda Kar

Tragedy Inspirational

3  

Sachidananda Kar

Tragedy Inspirational

ସାବାସ୍ କୁନିଝିଅ

ସାବାସ୍ କୁନିଝିଅ

2 mins
255


  ଅଜାଡି ପଡୁଛି ବର୍ଷା । କୁଆଡ଼େ ଚାଲିଛି ଏ କୁନିଝିଅଟି ! ବର୍ଷାରେ ତିନ୍ତିବାର ସୁଖ ତ ଇଏ ନୁହେଁ ! ପିନ୍ଧିଛି ନୀଳ ଫ୍ରକ୍ ।କାନ୍ଧରେ ବସ୍ତାନୀ ନାହିଁ ।ଏଡେ ଜୋର୍ ବର୍ଷା ,ଅଥଚ ଇଏ ତିନ୍ତିତିନ୍ତି କୁଆଡ଼େ ଚାଲିଛି ! ବର୍ଷାରୁ ରକ୍ଷା ପାଇବାକୁ ଗୋଟେ ଗଛମୂଳେ ଆଶ୍ରୟ ନେଇଥିବା ବେଳେ ଦେଖି ପାରିଲି ଝିଅଟିକୁ।


ବର୍ଷା….ବର୍ଷା । ସୁ ସୁ ପବନ । ବିଜୁଳି ,ଘଡଘଡି । ଖାତିର୍ ନାହିଁ।ବୀର ଦର୍ପରେ ଏକମୁହାଁ ଚାଲିଛି ଝିଅଟି । ତା' ଉପରୁ ଦୃଷ୍ଟି ଫେରାଇ ପାରୁ ନ ଥିଲି । ନିଛାଟିଆ ରାସ୍ତା।ଏଡେ ସୁନ୍ଦର ଝିଅଟିକୁ ଏମିତି ଏକାଏକା ଅବସ୍ଥାରେ ଦେଖି କାହା ମନରେ ପାପ ଆଶା ଛୁଇଁବନି ତ ! ମନରେ ଆଶଙ୍କା ସୃଷ୍ଟି ହେଲା।ବ୍ୟସ୍ତତା ଭରିଗଲା।ସୁରକ୍ଷା ଦେବାକୁ ହେବ ଭାବିଲି।


ବର୍ଷା, ପବନ, ବିଜୁଳି, ଘଡଘଡି - ଆଉ ଡର ନ ଥିଲା।ଆଗକୁ ପାଦ ପକାଇଲି।ତା' ପଛେପଛେ ଚାଲିଲି । ଝିଅଟିର ପାଦ ଖସିଯିବ କି ! ମୁହଁ ମାଡି ତଳେ ପଡିଯିବ କି ଝିଅଟି ! ମନଟା ବେଶ୍ ସମ୍ବେଦନଶୀଳ ଥିଲା । ବର୍ଷା, ପବନ,ବିଜୁଳି, ଘଡଘଡି - କିଛି ବି ଛିଡୁ ନ ଥିଲା।ଲାଗୁଥିଲା ସତେ ଯେମିତି ଏମାନେ ଝିଅଟିକୁ ପରୀକ୍ଷା କରୁଛନ୍ତି କିମ୍ବା, ଝିଅଟିର ଭଲ ସମୟ ନାହିଁ।


ଗୋଟେ ଥାନା ପାଖରେ ଆସି ପହଞ୍ଚିଗଲା ଝିଅଟି।ଥାନା ବାବୁଙ୍କ ସାମ୍ନାକୁ ଆସିଗଲା।ଅଭିଯୋଗର ଗୋଟେ ଲମ୍ବା ଫର୍ଦ୍ଦ ଥୋଇଦେଲା।ତା' ପୁଣି ନିଜ ସ୍କୁଲର ଜଣେ ଗୁରୁଜୀଙ୍କ ନାଁରେ। ଝିଅଟି ପ୍ରତି ଅସଦାଚରଣ ହୋଇଛି।ତା' ସ୍କୁଲର ଗୁରୁଜୀ ଜଣେ ସେପରି କରିଛନ୍ତି।ବୁଝିପାରିଲି ତା' କଥାରୁ। ହଠାତ୍ ଯେମିତି ମୋ ଦେହରେ ନିଆଁ ଲାଗିଗଲା - ସେପରି ଅନୁଭବ କଲି।


ଝିଅଟି ଥାନାବାବୁଙ୍କ ପାଖରେ ଥାଏ।ଫେରିଲି ଏକମୁହାଁ ହୋଇ।ରାଗରେ ଜଳୁଥିଲି ସେତେବେଳେ।ଆସି ଠିଆ ହୋଇଗଲି ସେହି ଗୁରୁଜୀଙ୍କ ସାମ୍ନାରେ।ପଚାରିଲି - ' ଆରେ ଅଧମ ! କେଉଁ ଆମନ୍ତ୍ରଣ ଥିଲା ସେ କୁନିଝିଅଟିର ଆଖିରେ ? କେଉଁ ଶିହରଣ ଥିଲା ତା' କୁନି ଦେହରେ ? କେଉଁ ଅଶ୍ଳୀଳତା ଥିଲା ତା' ସ୍କୁଲ ପିନ୍ଧା ନୀଳ ଫ୍ରକରେ ? କାହିଁକି ତୁ ଏପରି କଲୁ ତା' ସହିତ ? ଚରିତ୍ରହୀନ । '


ଲଜ୍ଜା ଲାଗୁନଥିଲା, ବରଂ ମୁର୍କି ମୁର୍କି ହସୁଥିଲେ ଗୁରୁଜୀ ମୋ କଥା ଶୁଣି।ବସିଥିଲେ ନିଜ ଚେୟାରରେ।


ଦେଖିଲି ଧୀରେ ଧିରେ ଫିକା ପଡିଆସିଲା ହସ।ମୁହଁ ଶୁଖି ବେଶ୍ ଝାଉଁଳା ଦିଶିଲା।ଛେପ ଢୋକି ତଣ୍ଟିକୁ ଓଦା କରିବାକୁ ଅପଚେଷ୍ଟା କରୁଥିଲେ ସେ । ପଛକୁ ବୁଲି ଚାହିଁଲି । ମୋ ପଛରେ ଠିଆ ହୋଇଥିଲା ସେହି ଓଦା ସରସର କୁନିଝିଅଟି।ତା' ସହିତ ଥିଲେ ଥାନାବାବୁ।


ସାବାସ୍ କୁନିଝିଅ ! ମୋ ପାଟିରୁ ବାହାରିଗଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy