ସ୍ୱପ୍ନ
ସ୍ୱପ୍ନ
#ଶବ୍ଦ ବାପା ,ପାଠ ,ସ୍ବପ୍ନ
ଘୋର ଅଭାବ ଭିତରେ ଚଳୁଥିବା ବାପା ସୁରଜକୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ।ସୂରଜ ଥିଲା ବଡ ସନ୍ତାନ ତା ତଳକୁ ମିନା ଓ ତାପରେ ଛୋଟଭାଇ ସମୀର।ଦୁଇ ଏକର ଚାଷ ଜମିକୁ ଥରଥର ଦଳିଚକଟି ଦୁଇ ତିନି ଫସଲି କରି ଚାଷ କରନ୍ତି।ଧାନ ଫସଲ ଉଠିଗଲେ ସେଠି ପୁଣି ବିଭିନ୍ନ ପନିପରିବା ଚାଷ କରନ୍ତି।ମିଠା ମକା ମଞ୍ଜିଆଣି ଚାଷ କରନ୍ତି।ପାଖ ଯୋରରେ କୂଅ ଖୋଳି ସେଠୁ ତେଣ୍ଡାରେ ପାଣି କାଢି ବାଡି ବଗିଚାକୁ ସବୁବେଳେ ସବୁଜ କରିରଖିଥାନ୍ତି।ବିଭିନ୍ନପ୍ରକାର ଲତା ଯେମିତି କଖାରୁ କଲରା ଶିମ୍ବ ଝୁଡଙ୍ଗ ଆଦି ଫଳ ଭାରରେ ବଗିଚାଟିକୁ ସୁନ୍ଦର କରିଦେଇଥାନ୍ତି।ଏସବୁ ବଜାରକୁ ନେଇ ବିକ୍ରିକରି ଦୁଇ ପଇସା ରୋଜଗାର କରି ତିନି ପିଲାଙ୍କୁ ପାଠ ପଢାଉଥିଲେ।ପିଲାଏ ଭଲ ପଢିଲେ ବଡ ଚାକିରି କରିବେ ଘରେ ଆଉ ଅଭାବ ରହିବନି।ସେ ଯେମିତି ଏତେ କଷ୍ଟ କରୁଛନ୍ତି ପିଲାଙ୍କୁ ସେମିତି କରିବାକୁ ପଡିବନି।ସେମାନେ ଏସି କୋଠରୀରେ ବସି କାମ କରିବେ।ସୁରଜ ବି ଭଲ ପଢୁଥିଲା।ଇଞ୍ଜିନିୟରିଂର ଶେଷ ବର୍ଷ ଥିଲା।ଭାଇ ଭଉଣୀ ବି ଭଲ ପଢୁଥିଲେ।ବାପାଙ୍କୁ ଜ୍ବର ହେଉଥିଲା କିଛିଦିନରୁ।ଏଭିତରେ ପାଣି ନଦେବା ଫଳରେ ବାଡିର ଫସଲ ସବୁ ଶୁଖିବା ଆରମ୍ଭ କରିଥିଲା।ସେ ବଗିଚାର ଗଛ ମାନଙ୍କୁ ପୁଅପରି ସ୍ନେହ କରୁଥିଲେ।ଏପରି ମରିବାର ଦେଖି କେମିତି ସହି ପାରନ୍ତେ?
ଜ୍ବର ଦୁର୍ବଳିଆ ଦେହରେ ତେଣ୍ଡାରେ ପାଣି କାଢିବାକୁ ଲାଗିଲେ।ଏମିତି ତ ଅଧଘଣ୍ଟା ପାଣି କାଢିବା ପରେ ମୁଣ୍ଡ ବୁଲାଇ ତଳେ ପାଣି କୁଅରେ ପଡିଗଲେ।କିଛି ସମୟ ପରେ ମାଆ ତାଙ୍କୁ ଦେଖିବାକୁ ଆସିଲେ।ତେଣ୍ଡାରେ କେହି ନଥିବାରୁ ପାଣିକୁ ନିରେଖି ଦେଖିଲେ।ତାଙ୍କର ନାଲି ଗାମୁଛାର କିଛି ଉପରେ ଭାସୁଥିଲା।ସେ ଲୋକମାନଙ୍କୁ ଡାକ ପକେଇଲେ ମୋ ସ୍ବାମୀ କୂଅରେ ପଡି ଯାଇଛନ୍ତି ଆସ ରକ୍ଷାକର।ପାଖ ଆଖ ବାଡିରେ କାମ କରୁଥିବା ଲୋକେ ରୁଣ୍ଡ ହେଇଗଲେ।ଏମିତି ତ ଗାଁର ଲୋକେ ପରଷ୍ପର ସାହାଯ୍ୟ କରାକରି ହୁଅନ୍ତି।ତାଙ୍କୁ ପାଣିରୁ କାଢିଲା ବେଳକୁ ପ୍ରାଣ ନଥିଲା।ପୁଅମାନଙ୍କୁ ଚାକିରିଆ ଦେଖି ବାର ସ୍ବପ୍ନ ମନରେ ନେଇ ସେ ଚାଲିଗଲେ ଆରପାରିକୁ।ତାଙ୍କ ଯିବାର ଗୋଟିଏ ବର୍ଷ ହେଇଗଲା।ଆଜି ତାଙ୍କର ବାର୍ଷିକି କାମ ଚାଲିଛି।
ସୁରଜ ଏବେ ବଡ କମ୍ପାନିରେ ଚାକିରି କଲାଣି।ଟଙ୍କାର ଅଭାବ ଆଉ ନାହିଁ।ହେଲେ ମନରେ ତାର ଅବଶୋଷ ମୁଠାଏ ରହିଗଲା ସେ ବାପାଙ୍କୁ କିଛି ଖୁସି ଦେଇ ପାରିଲାନି।ଜୀବନ ସାରା ଖଟିଖଟି ଦୁଃଖରେ ଅଧୁରା ସ୍ବପ୍ନ ନେଇ ଚାଲିଗଲେ।ଯଦି ଆଜିଯାଏ ଥଆନ୍ତେ ସେ ତାଙ୍କୁ ଉଡାଜାହାଜରେ ବସାଇ ନିଜ ପାଖକୁ ନେଇଥାନ୍ତା।ଦିନେ ଆକାଶରେ ଉଡାଜାହାଜ ଉଡିଗଲାବେଳେ ସେ କହୁଥିଲେ ତୁ ଭଲ ପାଠପଢ ମତେ ଏମିତି ଉଡାଜାହାଜରେ ବସାଇ ବିଦେଶ ବୁଲେଇ ଆଣିବୁ।ଆଜି ସେକଥା ଭାବି ଆଖିରେ ତାର ଅଶ୍ରୁ ଆସିଯାଉଛି।ବାପାଙ୍କ ପାଇଁତ କିଛି କରି ପାରିଲାନି, ଭାବୁଛି ମାଆକୁ ଉଡାଜାହାଜରେ ବସାଇ ତା ପାଖକୁ ନେବ।କାଳେ ବାପାଙ୍କ ଆତ୍ମା ଶାନ୍ତିପାଇବ।
ଭାଇ ଭଉଣୀଙ୍କ ପାଠପଢା ଖର୍ଚ୍ଚଓ ଘରର ସବୁ ଦାୟିତ୍ବ ଏବେ ସେ ତୁଲାଉଛି ବାପାଙ୍କ ଜାଗାରେ।ଏବେ ଭାବୁଛି ବାପା ହେବାକୁ ହେଲେ କେତେ ତ୍ୟାଗ କରିବାକୁ ପଡେ।ହେଲେ ବାପାମାନଙ୍କ ସ୍ବପ୍ନକୁ କେତେଜଣ ପୁଅ ମହତ୍ତ୍ବ ଦିଅନ୍ତି ନିଜ ଗୋଡରେ ଠିଆହେଲା ପରେ?ଅବଶୋଷର ଦିର୍ଘଶ୍ବାସଟେ ତା ହୃଦୟ ଭିତରୁ ବାହାରିଗଲା।
