Gayatri Singh

Tragedy

4  

Gayatri Singh

Tragedy

ସ୍ୱପ୍ନ

ସ୍ୱପ୍ନ

9 mins
618


ସେ ଖାଲି କୁହେ, କହିଚାଲେ । ଏଣୁ ତେଣୁ ଗୁଡାଏ ଗପେ । କେହି ପଚାରୁ ନ ପଚାରୁ କହୁ ନ କହୁ,କେହି ଶୁଣୁ ନ ଶୁଣୁ ସେ ଖାଲି ଗପି ଚାଲେ । ସବୁବେଳେ ଏମିତି ନିଜେ ନିଜେ ଗପୁଥାଏ । ତା କଥାରେ ସତ୍ୟତା କେତେ କେହି ଜାଣନ୍ତିନି, ସେ ହିଁ ଜାଣେ । ଏଣୁ ତେଣୁ ଗପେ ବୋଲି ତା ଘର ପାଖ ଲୋକେ କୁହନ୍ତି ତା ମୁଣ୍ଡ ଠିକ୍ ନାହିଁ । କିନ୍ତୁ ପ୍ରକୃତରେ କଥାଟା ଠିକ୍ ସେଇଆ ନୁହେଁ । କାରଣ ତାକୁ ପଚାରିଲେ ସେ ତା ନାଁ, ପରିବାର ସମସ୍ତଙ୍କ କଥା କହେ,ତାହେଲେ ତା ମୁଣ୍ଡ ଖରାପ ହେଲା କେମିତି? ସେ ଆଦୌ ପାଗଳୀ ନୁହେଁ ପ୍ରକୃତରେ ତାର ଅତୀତ ଏବଂ ବର୍ତମାନର ପରିବାରର ବୋଝ ତାକୁ ଏମିତି କରିଦେଇଛି । ତାକୁ ତା ନାଁ ପଚାରିଲେ କୁହେ ବାୟାଣୀ । ଏଇଟା କଣ ଗୋଟାଏ ନାଁ! ନାଇଁ ନାଇଁ କିଏ ମୋତେ ବାୟାଣୀ ତ କିଏ ପାଗଳୀ ବୋଲି ଡାକନ୍ତି,ହେଲେ ମୋ ଡାକ ନାଁ ହେଉଛି ସାଇବାଣୀ ଆଉ ଭଲ ନାଁ ହେଉଛି ବିଳାସିନୀ ଅଳ୍ପ ହସି ଉତର ଦିଏ । ଆରେ ତୋର ଏତେ ଭଲ ନାଁ ଥାଇ ତୁ ନିଜକୁ ବାୟାଣୀ, ପାଗଳୀ ବୋଲି କାହିଁକି କହୁଛୁ । ହଁ ଲୋକେ ଏମିତି ନାଁ ରେ ଡାକିବାର କାରଣ ମଧ୍ୟ ଅଛି । କେହି ତା ସହ କଥା ହେଉ କି ନ ହେଉ ଲୋକ ଦେଖିଲେ ତାର କଥା ଆରମ୍ଭ ହୋଇଯାଏ । ଏଣୁ ତେଣୁ ଗପିଚାଲେ । ରଜାଘର କଥା ଗପେ, ଠାକୁର ଠାକୁରାଣୀ ଙ୍କ କଥା ଗପେ,ସାଇ ପଡିଶା କଥା କହେ,ତାର ଧନ ସଂପତି କଥା କହେ ଯେତେବେଳେ ମନରେ ଯାହା ଆସେ ଗପିଚାଲେ । କେହି ତା କଥାରେ ଉତର ଦେଉ ନ ଦେଉ ସେ କହି ଚାଲିଥାଏ ଯେ ପର୍ଯ୍ୟନ୍ତ ତାକୁ ଜଣେ ଚୁପ୍ ନ କରିଛି । ବୟସ ପାଖାପାଖି ପଇଁଚାଳିଶ ହେବ । ବର୍ଷେ ଦୁଇ ବର୍ଷ ଏପାଖ ସେପାଖ ହେଇପାରେ ହେଲେ ବୟସ ରୁ ଅଧିକ ବୟସ୍କ ଦେଖାଯାଏ । ପରିଶ୍ରମୀ ମଣିଷ ବୋଲି ଏମିତି ଦେଖାଯାଏ ନହେଲେ ସମ୍ଭ୍ରାନ୍ତୀୟ ଲାଗନ୍ତା । ତାର ଚାଲି ଚଳନ କଥା ବାର୍ତା ଆଚାର ବ୍ୟବହାର ରେ ବାରି ହେଇପଡେ ବଡ ଘରିଆ ଢଙ୍ଗ । ଭୁଲ୍‌ରେ ବୋଧେ ଗରୀବ ଘରେ ଆଦିବାସୀ ସଂପ୍ରଦାୟରେ ଜନ୍ମ ହୋଇଗଲା । ବେଶଭୁଷାରୁ ସେ ଦେଖିବାକୁ ସଫା ସୁତୁରା ଲାଗେନି କିନ୍ତୁ ତା କାମ ପୁରା ପରିଷ୍କାର । ତାକୁ ଯେତେ ତେଲ ସାବୁନ ଲଗେଇବା ପାଇଁ ଦେଲେ ବି ମୁଣ୍ଡ ବାଳ ସେମିତି କହରା ଫୁର୍ ଫୁର୍ ହୋଇ ଉଡୁଥିବ ଆଉ ଦେହ ନୁଖୁରା ଦିଶୁଥିବ । ପଚାରିଲେ କହିବ ପିଲାମାନଙ୍କୁ ଲଗାଇଦେଲି । ଯେତେ ଶାଢୀ ପିନ୍ଧିବା ପାଇଁ ଦେଲେ ବି ଚିରା ଫଟା ସିଲେଇ ହୋଇଥିବା ଲୁଗା ପିନ୍ଧିକି ଆସିବ,କହିବ ମୋ ଝିଅ ଶାଶୁ ଘରୁ ଆସିଥିଲା ତାକୁ ଦେଇଦେଲି ।ନିଜ ପେଟ ପାଇଁ ଖାଏ ନା ନିଜ ଦେହ ପାଇଁ ପିନ୍ଧେ । ସେଇ ପିଲାମାନଙ୍କ ପାଇଁ ସେ ଦିନରାତି ଖଟୁଚି । ଯିଏ ଡାକିଲା ଯେଉଁ କାମ ଦେଲା ବିନା ଦ୍ୱିଧାରେ କରିଚାଲେ । ନା’ ବୋଲି ପାଟିରୁ ବାହାରେନି । କାମ ବି ମନ ମୁତାବକ କରେ ସମସ୍ତଙ୍କର ମନ ପାଇଲା ଭଳିଆ । ଭାରୀ ପରିଶ୍ରମୀ, କାମରେ କେବେବି ଠକେନା । ସଚ୍ଚୋଟ ମଧ୍ୟ, ଘରର କୌଣ଼ସି ଜିନିଷ ଏଠି ସେଠି ଥୁଆ ହୋଇଥିଲେ ତାକୁ ସାଇତି ରଖିଦେଇ ଜଣେଇ ଦେଉଥିବ । ଜଣେ ତା ଭରସାରେ ଘର ଜିମା ଦେଇ ଆରାମ ରେ ବାହାରକୁ ଯାଇପାରିବ । ତାର ଗୋଟିଏ ବଡ ଦୁର୍ବଳତା ହେଲା ‘ଚା’ । ଯାହା ଘରେ କାମ କରିବ ପ୍ରଥମେ ଚା ପିଇବ ସେ ପୁଣି କପେ କି ଗ୍ଲାସ୍ ଟେ ନୁହେଁ ପାଖାପାଖି କଂସାଏ । ତା ସହିତ ମୁଢି ହେଉ କି ରୁଟି ହେଉ ଭିଜାଇ ଖାଇବ । ଦିନ ସାରା ଦୁଇଥର ଚା ପିଇ ରହିଯାଏ । ସକାଳେ ଥରେ ଆଉ ସନ୍ଧ୍ୟାରେ ଥରେ । କାମ ସାରି ଫେରିବା ବେଳକୁ ତା ଖାଇବା ଗଣ୍ଡିକ ବାନ୍ଧି ନେଇଯାଏ ପିଲାମାନଙ୍କ ପାଇଁ । ତାକୁ ଯେତେ କହିଲେ ଖାଇଦେଇ ଯା’ ଜମା ଶୁଣେନି । ଆରେ ପିଲାମାନେ ପାଠ ପଢି ଯାଉଛନ୍ତି, ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଉଚନ୍ତି ତୁ କାଇଁ ଏତେ ଚିନ୍ତା କରୁଛୁ । ନଖାଇ ନଖାଇ ତୋ ଦେହ ଖରାପ ହେବ । ଦେହ ଖରାପ ହେଲେ ପିଲାମାନଙ୍କ କଥା ବୁଝିବୁ କିପରି । କଣ କରିବି ମନ ବୁଝେନି ପିଲାମାନେ ମୋତେ ଚାହିଁ ବସିଥିବେ, ବାବୁ ଘରୁ କଣ ଭଲ ଜିନିଷ ଆଣିଛୁ ବୋଲି ମୋ ଲୁଗା ଗଣ୍ଠି ଖୋଲି ପକାଇବେ । କିଛି ନଥିଲେ କହିବେ ତୁ ବାବୁ ଘରେ ଭଲ ଭଲ ଜିନିଷ ଖାଉଛୁ ଆମ ପାଇଁ କିଛି ଆଣିନୁ । ଏ ସବୁ ଖାଇବା ଜିନିଷରେ ସେମାନଙ୍କର ଭାରି ଆଶା । ଏ ପିଲା ମାନଙ୍କ ପାଇଁ ଖଟୁଚି । ସେମାନଙ୍କ ହାତ ମୁଣ୍ଡକୁ ନ ପାଇଲା ପର୍ଯନ୍ତ ତାଙ୍କୁ ହତାଦର କରିପାରିବିନି ବୋଲି ଦରଦ ଭରା କଣ୍ଠରେ କହେ ।ନିଜର ପଛେ କାମ କରି କରି ହାତ ଗୋଡ ବିଣ୍ଡି ହୋଇଗଲାଣି, ଆଜି ଆଣ୍ଠୁ ଧରିଲାଣି ତ କାଲି ଛାତି ପୋଡିଲାଣି ତଥାପି ପରିସ୍ଥିତି ତାକୁ ବାଧ୍ୟ କରିଛି । ମାନବିକତା ଏବେବି ବଂଚିଚି । ନହେଲେ ନିଜେ ମରି ମରି ଏମିତି ବଂଚି ନଥା’ନ୍ତା । ଚା ପିଇଲା ବେଳେ ଗପିବା ଭିତରେ କେବେ କେବେ ପଚାରିଲେ ତା ଅତୀତ କଥା କହେ । କହିବା ଭିତରେ ହଠାତ୍ କଥା ବନ୍ଦ କରି ଛୁଆ ମାନେ ମୋ ବାଟ ଦେଖୁଥିବେ କହି ତର ତର ହୋଇ ଚାଲିଯାଏ । ପୁଣି କେବେ ମନ ପାଇଲେ ତା ପୁରୁଣା ଦିନ କଥା କହିବସେ । ଗୋଟିଏ ବୋଲି ଝିଅ, ତିନୋଟି ପିଲାକୁ ଜନ୍ମ ଦେବାପରେ ମାନସିକ ଭାରସାମ୍ୟ ହରାଇ ବସିଛି । ଚିକିସାô ଅଭାବରୁ ଦିନକୁ ଦିନ ପୁରା ପାଗଳୀ ହୋଇ ରାସ୍ତାରେ ବୁଲୁଛି । ଜୋଇଁ ସ୍ତ୍ରୀ ର ଚିକିତ୍ସା କରାଇଲା ନାହିଁ କି ତାକୁ ଆକଟ କରି ଘର ଭିତରେ ନିଜଆୟତରେ ରଖିଲା ନାହିଁ । ନା ସ୍ତ୍ରୀ କୁ ଖାଇବାକୁ ଦେଲା ନା ପିଲାମାନଙ୍କୁ ପୋଷିଲା । ଶେଷରେ ସେ ବାଧ୍ୟ ହୋଇ ପାଗଳୀ ଝିଅ ଆଉ ତାର ତିନୋଟି ଛୁଆକୁ ଆଣି ପାଖରେ ରଖିଲା । ଜଙ୍ଗଲ ପାଖରେ ଘର ଆଉ ଆଦିବାସୀ ସଂପ୍ରଦାୟର ହେଇଥିବାରୁ ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରି ଖଲି ଚଉତି ସିଲେଇ କରି ହୋଟେଲ ଆଉ ଘର ଘର ବିକ୍ରି କରି ପଇସା ଆଣି ସମସ୍ତଙ୍କ ମୁହଁରେ ଆହାର ଦେଲା । ସେତିକିରେ ବି ସମସ୍ତଙ୍କ ପେଟ ଅପୋଷା ରହିଲା । ଶେଷରେ ଯେଉଁଠି ଯାହା କାମ ମିଳିଲା କଲା । ଘର କାମ ହେଉ, ରାସ୍ତା କାମ ହେଉ, ମୁଲ ମଜୁରୀ ସବୁ କାମ କଲା । ତାର ଜୀବନ କାହାଣୀ ଆଉ ତାକୁ ଏତେ ପରିଶ୍ରମ କରୁଥିବାର ଦେଖିଲେ ତା ପ୍ରତି ଭାରି ଦୟା ଆସେ । ତା ଭଲ ପାଇଁ ଏବଂ ପିଲାମାନଙ୍କ ଭବିଷ୍ୟତ ପାଇଁ ସେମାନଙ୍କୁ ଆଦିବାସୀ ହଷ୍ଟେଲରେ ଛାଡିଦେବା ପାଇଁ କହିଲେ ସେ ମନା କରେ । ଏତେ କଷ୍ଟରେ ମୋ ପେଟରୁ କାଟି ଏମାନଙ୍କୁ ପାଳିଚି, ଆଉ ବର୍ଷ କେତେଟାରେ ଏମାନେ ବଡ ହେଇଯିବେ କାମ କରି ନିଜ ପେଟ ନିଜେ ପୋଷିବେ । ମୋ ପାଖରୁ ଏମାନଙ୍କୁ ଛାଡିବିନି । ଆରେ ତୋ ପରି ଏମାନେ ବି କାମ କରିବା ପାଇଁ କାହିଁକି ଭାବୁଚୁ । ପାଠ ପଢି ଚାକିରୀ କରିବେ ଭଲରେ ଚଳିବେ । ସରକାର ତମ ଆଦିବାସୀ ପିଲାଙ୍କ ପାଇଁ ସବୁ ମାଗଣା ସୁବିଧା କରିଛନ୍ତି । ପଢିବା, ଖାଇବା, ପିନ୍ଧିବା, ରହିବା ସବୁ । ତୁ ଖାଲି ମିଛଟାରେ ସେମାନଙ୍କ ପାଇଁ ଚିନ୍ତା କରୁଚୁ ଆଉ ତାଙ୍କ ପାଇଁ ଏତେ ଖଟୁଚୁ । କିନ୍ତୁ ତା ଠାରୁ ସେଇ ଗୋଟିଏ ଉତର ମିଳେ ‘ନା’ । ସେ କହେ ମୋ ପିଲାଙ୍କୁ ମୋ ପାଖରୁ ଛାଡିବିନି । ମୋ ବୁଢୀ କାଳରେ ସେମାନେ ସାହା ଭରସା ହେବେ । ମୁଣ୍ଡରେ ଯାହା ପଶିଥିବ ସେୟା । ଯାହା ବୁଝିଥିବ ତାହା । ସବୁ ଆଡକୁ ତାର ନିଘା, ନାତୁଣୀ କୁ କୁଆଡେ ଛାଡେ ନାହିଁ, ସାଙ୍ଗରେ ନେବା ଆଣିବା କରେ । କୁହେ ଅଣ୍ଡିରା ପିଲା ଦି’ଟା ସିନା ହାଟ ଦାଣ୍ଡରେ ବୁଲିବେ, ମାଇକିନା ଝିଅଟାକୁ ଏକୁଟିଆ କୁଆଡେ ଛାଡିବି ? ଦିନକୁ ଦିନ ଆଖି ଦୃଶିଆ ହେଲାଣି, କେତେବେଳେ କେଉଁ କଥା, ସମୟ ଭଲ ନାହିଁ । ସମୟ କେବେବି ଭଲ ନଥିଲା । ସେ ବି ସେଇ ଅପାସୋରା ସମୟକୁ ପାରି କରି ସାରିଛି । ଦିନେ ତା ଘର ସଂସାର କଥା ପଚାରିବାରେ ଅନ୍ୟ ମନସ୍କ ହୋଇଯାଇଥିଲା । ଥରିଲା କଣ୍ଠରେ କହୁଥିଲା । ତାର ବି ଦିନେ ବଡ ଆଶା ଥିଲା । ସେ ବାହା ହବ, ତା ଗେରସ୍ତ କାମକୁ ଯିବ ଆଉ ସେ ରୋଷେଇ କରି ତା ଆସିବା ବାଟକୁ ଚାହିଁ ବସିଥିବ । ସେ ବାହାରକୁ କାମ କରିଯିବା ପାଇଁ ଭଲ ପାଏ ନାହିଁ । ଘରେ ତା ମା ସହିତ ଯାହା କାମ କରେ ହେଲେ ମା ଦେହ ଖରାପ ହେବା ପରେ ସେ ବାଧ୍ୟ ହୋଇ କାମକୁ ଗଲା, ନହେଲେ ମା ଝିଅ ତୋରାଣି ମୁନ୍ଦିଏ ପାଟିକୁ ନେଇଥାନ୍ତେ କେମିତି, ମା ପରି ଟ୍ରାକ୍ଟରରେ ମଜୁରି କାମ କରିବା ପାଇଁ ଗଲା ।ଏପରି ମାସ ମାସ ବର୍ଷ ବର୍ଷ ବିତିଗଲା । ବାହା ହେବା ବୟସ ଗଡି ଯାଉଥାଏ । କାମ କରିଯିବା ବେଳେ ଦେଖା ଚାହାଁ ହସ ଖୁସି ଭିତରେ ସେ ଯେମିତି ଅନୁଭବ କରୁଥିଲା ଡ୍ରାଇଭର ତାକୁ ଚାହୁଁଛି । ପାଖ ଗାଁ ର ପିଲାଟା, ମନ୍ଦ ନୁହେଁ । ଏମିତି ଦିନେ ଜଙ୍ଗଲରୁ ମୋରମ ଆଣିବା ସମୟରେ ଡ୍ରାଇଭର ତାକୁ ଏକୁଟିଆ ପାଇ ଜଙ୍ଗଲ ଭିତରକୁ ଟାଣି ନେଇଥିଲା । ଆଉ ତାକୁ ତା ପାଖରେ ରଖିବାର ପ୍ରତିଶୃତି ଦେଇଥିଲା । ଆଉ ବଡ ବଡ ସ୍ୱପ୍ନ ମଧ୍ୟ ଦେଖାଇଥିଲା । ଦିନା କେତେ ଏମିତି ଭାବ ସ୍ନେହ ଭିତରେ ବାହାଘର କଥା ଉଠାଇବାରୁ ସେ ମନା କରିନଥିଲା, ହେଲେ କିଛି ଦିନ ପରେ ତାର ଆଉ ଦେଖା ମିଳିଲା ନାହିଁ । ପଚାରି ବୁଝିଲା ସେ ସହରକୁ ପଳାଇ ଯାଇଛି । ମୁଣ୍ଡରେ ତାର ବଜ୍ର ପଡିଲା ପରି ଲାଗିଲା କାରଣ ସେତେବେଳକୁ ସେ ଅନ୍ତଃସତ୍ୱା । ତା ଦୁଃଖ ଶୁଣିବା ପାଇଁ ତା ବାପା ଏପାରିରେ ନଥିଲା । ତା ମା ଜାଣିବା ପରେ ବହୁତ ମନଦୁଃଖ କରି କାନ୍ଦିଥିଲା । ତୋ ଭାଗ୍ୟ । ଦିନା କେତେ ପରେ ଜାଣିଲା ସେ ବାହା ହେବାକୁ ଯାଉଛି । ପୂର୍ବରୁ ସ୍ତ୍ରୀ ମରିଯାଇଥିବା ଗୋଟିଏ ଲୋକ ସହିତ ତା’ ବାହାଘର ହେଇଗଲା । କିନ୍ତୁ ତା ସ୍ୱାମୀ ଯେତେବେଳେ ଜାଣିଲା ଯେ ଇଏ ଗର୍ଭବତୀ ତାକୁ ମାଡ ମାରି ଘରୁ ବାହାର କରିଦେଲା । ସେ ଫେରି ଆସିଲା ତା ମା ପାଖକୁ । ସେ ଟ୍ରାକ୍ଟରରେ ମଜୁରି କାମ କରିବା ଛାଡି ଏଠି ସେଠି ଘର କାମ କରି ପେଟ ପୋଷିଲା । ପେଟରେ ବଢୁଥିଲା ଜୀବନଟିଏ । ତାକୁ ଯେମିତି ହେଲେ ଜନ୍ମ ଦେବ ନିଷ୍ପତି ନେଲା । ତା’ ବି ହେଲା । ଝିଅ ଜନ୍ମ ହେଲା । ଝିଅ ର ବୟସ ବଢିଲା । କିନ୍ତୁ କଣ ହେବ, ସେ ବଡ ହେବା ବେଳକୁ ତାର ମୁଣ୍ଡ ଦୋଷ ଦେଖାଦେଲା । କଥାକୁ ଲୁଚାଇ ଦୂର ଗାଁରେ ବାହା ଦେଇଦେଲା । ଏ ମଧ୍ୟରେ ଶୁଣିଲା ତା ଝିଅ ଭଲ ହୋଇଯାଇଛି । କିନ୍ତୁ ଗୋଟିଏ ଝିଅ ଦୁଇଟି ପୁଅ ଜନ୍ମ ଦେବା ପରେ ଖାଇବା ପିଇବା ଅଭାବରୁ ମୁଣ୍ଡ ଦୋଷ ପୁଣି ବାହାରିଲା । ତା ଜୋଇଁ ସମସ୍ତଙ୍‌କୁ ଆଣି ତା ଘରେ ଛାଡି ଦେଇଗଲା । କ’ଣ ନା ତା ପାଖରେ ପଇସା ନାହିଁ ପାଗଳୀ ସ୍ତ୍ରୀ ର ଚିକିସାô କରିବା ପାଇଁ କି ପିଲା ମାନଙ୍କୁ ପାଳିବା ପାଇଁ କାରଣ ଜୋଇଁ ବି ବୟସ୍କ । ସେଦିନୁ ତାର ଆରମ୍ଭ ହୋଇଯାଇଛି ସଂଘର୍ଷ । ଝିଅ ବୁଲୁଛି ପାଗଳୀ ହୋଇ ରାସ୍ତାରେ ଆଉ ନାତି ନାତୁଣୀ ମାନେ ଚାହିଁଛନ୍ତି ଆଈର ହାତକୁ । ହେଲେବି ନାତି ନାତୁଣୀକୁ ପୋଷୁଛି । ନାତୁଣୀ ବଡ ହେବା ପରେ ତାକୁ ଘରୁ ବାହାରିବା ପାଇଁ ତାଗିଦ କରୁଛି । ପଡିଶା ଘର ବୁଢା ବୁଢୀ ଙ୍କୁ କହି ଦେଇ ଆସେ ମୁଁ କାମକୁ ଯାଉଛି ନାତିନାତୁଣୀ କୁ ଦେଖୁଥିବ । କେତେବେଳେ କେଉଁ କଥା, ପିଲାବେଳୁ ସାଉତି ସାଉତି ବଡ କରିଛି ମୋ’ଠୁ ସେମାନଙ୍କୁ ପର କରି ପାରିବିନି ବୋଲି ଥରିଲା କଣ୍ଠରେ କୁହେ । ହଉ ଯାହା ତୋ ଇଛା କହି ମୁଁ ଚୁପ୍ ରୁହେ ।ଏ ଭିତରେ ଦୁଇ ତିନି ଦିନ ହେବ ସେ କାମକୁ ଆସିନାହିଁ । କଣ ହେଲା ତା’ର! ଦେହ ପା ଆଉ ଖରାପ ହେଲାକି! ତା ପରଦିନ ସାଇବାଣୀ ର ନାତୁଣୀକୁ ଏକୁଟିଆ ଦେଖି ତୋ ଆଇ କାଇଁ ବୋଲି ପଚାରିବାରୁ ସେ ଜରରେ ପଡିଛି, ମୋତେ ଆଇ ପଠେଇଛି ବୋଲି କହିଲା । ମୁଁ ବୁଝିଗଲି । ତା ହାତରେ କିଛି ଟଙ୍କା ଦେଇ ସାଇବାଣୀ କୁ ଡାକ୍ତରଖାନା ନେବାକୁ କହି ପୁରାପୁରି ଭଲ ହେବାପରେ ଦେହରେ ବଳ ଲାଗିଲେ ଆସିବା ପାଇଁ କହିଲି । ଏ ମଧ୍ୟରେ ଚାରିଦିନ ବିତିଯାଇଛି ।

ହଠାତ ସାଇବାଣୀ ସକାଳୁ ଆସି ହାଜର ହୋଇଗଲା । ମା’ ମୁଁ ପୁରା ଭଲ ହୋଇଗଲି କହି କାମରେ ଲାଗିପଡିଲା । ତାକୁ କହିବାକୁ ପଡେନି ଏ କାମ କର କି ସେ କାମ କର । ତାର କାମ କଣ ସେ ଭଲଭାବେ ଜାଣେ । ସେଦିନ ରବିବାର ଥିଲା । ସେ କାମ କରି ଆସିବା ପଛେ ପଛେ ପିଲା ଦୁଇଟି ଆସି ହାଜର ହୋଇଗଲେ । ଆଜି ସ୍କୁଲ ଛୁଟି । ସ୍କୁଲରେ ମଧ୍ୟାହ୍ନ ଭୋଜନ ମିଳିବ ନାହିଁ ତେଣୁ ତା ସହିତ ଖାଇବା ଆଶାରେ ଚାଲି ଆସିଛନ୍ତି । ଏଇଟା ସେମାନଙ୍କ ପାଇଁ ନୂଆ ନୁହେଁ । ଏମିତି ପ୍ରାୟ ଛୁଟିଦିନ ମାନଙ୍କରେ ପିଲା ଗୁଡାକ ତା ସହିତ ଆସି ଖାଇ ପିଇ ଏପଟ ସେପଟ ହେଉଥିବେ, ସେ ତାର ସବୁ କାମ ସାରି ଯିଏ ଯାହା ଦେଲା ସବୁ ଖାଇବା ଜିନିଷକୁ ପୁଟୁଳା ପୁଟୁଳା କରି କପଡାରେ ବାନ୍ଧି ପଇସା ସବୁ କାନିରେ ଗଣ୍ଠି ପକାଇ ଧରିଥିବ । ରାତି ପାଇଁ ଆଉ କିଛି ସଉଦା କରି ନେଇଯାଏ । ନେଇଥିବା ଖାଦ୍ୟ ପିଲାଙ୍କ ମଧ୍ୟରେ ବାଂଟି ନିଜେ ପାଣି କଂସେ ପିଇ ଶୋଇପଡେ । ସେଦିନ ଗଲାପରଠୁ ସେ ଆଉ ଆସିନାହିଁ । ସପ୍ତାହେ ହେଲାଣି ପୁଣି ତା ଦେହ ଖରାପ ହେଲାକି ଭାବି ଜଣଙ୍କ ହାତରେ ତା ଘରକୁ ଖବର ଦେଲି । ଖବର ପାଇ ସେ ଆସିଲା ଆଉ କାମ କରିବି ନାହିଁ ବୋଲି କହିଲା । ମୁହଁଟା ପୁରା ଶୁଖିଯାଇଛି । କଣହେଲା ପଚାରିବାରୁ ତାର କୋହ ବାହାରି ପଡିଲା କାନ୍ଦି କାନ୍ଦି କହିଲା, ସେଦିନ ମୁଁ ନାତୁଣୀ କୁ ଧରି ଖଲି ଚଉତି ବିକିବାକୁ ଯାଇଥାଏ । ବିକି ସାରି ଟଙ୍କା ମୋ ନାତୁଣୀ ଗଣୁଥିବା ବେଳେ ତା ବାପ ଆସି ପହଂଚିଲା, ମୁଁ ନାତୁଣୀ କୁ ପାଖକୁ ଟାଣି ଆଣି ଜାକି ଧରିଲି ହେଲେ ଜୋଇଁ ତା ହାତରୁ ଟଙ୍କା ଛଡାଇନେଇ ପଳେଇଲା । ଘରେ ପହଂଚି ଦେଖିଲି ଜୋଇଁ ଆଗରୁ ଆସି ବସିଛି । କହିଲା ମୋ ପିଲାଙ୍କୁ ମୁଁ ନେଇଯିବି ତୁ ବୁଢୀ ହେଲୁଣି, ତୁ ଖାଇବାକୁ ଦେଇପାରିବୁନି । ସେ ବୋଧେ ଭାବିଛି ତା ଝିଅ ରୋଜଗାର କଲାଣି ମୁଁ କହିଲି ଆଜି ମନେ ପଡିଲା, ତୁ ପଚାରିଲୁନି ବୋଲି ସାଉତି ଖାଇବାକୁ ଦେଇ ଆଜି ବଡ କରିଛି । ନିଜ ପେଟରୁ କାଟି ଛୁଆ ମାନଙ୍କ ମୁଁହରେ ଆହାର ଦେଇଛି । ୟା ତା ଘରୁ ମାଗି ପିନ୍ଧିବାକୁ ଦେଇଛି ।ଆଉ ଆଜି ବଡ ହେଲାପରେ ତୋର ପିଲାମାନଙ୍କ କଥା ମନେ ପଡିଗଲା । ମୁଁ ଛାଡିବିନି । ଜୋଇଁ କହିଲା ଆରେ ମୋ ପିଲାଙ୍କଠାରେ ତୋର ଏତେ ଜୋର୍ କଣ ପାଇଁ କହି ଜବରଦସ୍ତ ପିଲାମାନଙ୍କୁ ନେଇ ଚାଲିଗଲା । ଆଉ ପିଲାମାନଙ୍କୁ ମଧ୍ୟ ସେ ଛାଡୁନି କାଳେ ସେମାନେ ମୋ ପାଖରେ ରହିଯିବେ । ସେଇ ପିଲାମାନଙ୍କ ପାଇଁ ଖଟୁଥିଲି ଏବେ ଆଉ କାହା ପାଇଁ ଏତେ ଖଟିବି । କେତେ କଷ୍ଟରେ ସେମାନଙ୍କୁ ବଡ କରିଥିଲି ,ବାପ ପଚାରିଲାନି,ମା ପାଗଳୀ ହୋଇଗଲା, ଦିନ ଦିନ ଧରି ମୋ ରକ୍ତର ପିଲା ବୋଲି ସାଇତିଲି ନିଜ ଦେହରେ ଫାଳେ ଲୁଗା ଢାଙ୍କି ହୋଇ ଆର ଫାଳକୁ ତଳେ ବିଛେଇ ଛୁଆ ମାନଙ୍କୁ ଶୁଆଇଲି । ଆଜି ପିଲାମାନେ ଟିକେ ପାରିବାର ହୋଇଗଲା ପରେ ପିଲା ମାନଙ୍କ କଥା ତାର ମନେ ପଡିଗଲା କହି କାନ୍ଦି ଚାଲିଲା । ତାକୁ ଏଇ ଅବସ୍ଥାରେ ଦେଖି ଭାବିଲି ସତରେ କେତେ ସ୍ୱାର୍ଥପର ଆଉ ଅମଣିଷ ସେ ଲୋକଟା । ପିଲାମାନେ ଟିକେ ବଡ ହେଲା ପରେ ତାର ପିଲା ମାନଙ୍କ କଥା ମନେ ପଡୁଛି । ଜୋଇଁ ଭାବୁଛି, ଏଠି ସେଠି କାମ କରି ପିଲାମାନେ କିଛି ରୋଜଗାର ମଧ୍ୟ କଲେଣି ପାଖକୁ ନେଇଗଲେ ସିନା ତାଙ୍କ ରୋଜଗାରରେ ହକ୍ ଜମାଇ ପାରିବ । ଝିଅ’ବି ଟିକେ ବଡ ହୋଇ ଘରେ ତା ଆଇ କୁ କାମ ପାଇଟିରେ ସାହାଯ୍ୟ କଲାଣି । ପାଖକୁ ନେଇଗଲେ ସିନା ରୋଷେଇକରି ଖାଇବାକୁ ଦେବ । ଏତେ ବର୍ଷ ଧରି ପିଲାମାନଙ୍କୁ ଲାଳନ ପାଳନ କରି ସେ ପାଇଲା କଣ ? ସତରେ କଣ ଏଇ ପିଲାମାନେ ବୁଢୀ ବୟସରେ ତାର ସାହା ହେବାକୁ ଆସିବେ ନା ତା ମଦୁଆ ଅପାରଗ ବାପ ର କଥା ମାନିବେ? ନା ଆଉ ଆଗକୁ ସେ ବେଶୀ ଭାବିପାରୁନି ତା ମୁଣ୍ଡ କଣ ହୋଇଯାଉଛି । ତା ଭାବନାର ଅନ୍ତ କରି ଏତିକି ବେଳେ ଜୋର ଶବ୍ଦ କରି ଇଟା ବୋଝେଇ ଟ୍ରାକ୍ଟରଟିଏ ଚାଲିଗଲା । ସାଇବାଣୀ ଟ୍ରାକ୍ଟର ଆଡକୁ ହାତ ଦେଖାଇ ଆଉ କିଛି କହି ପାରିଲାନି । ସେତେବେଳକୁ ସାଇବାଣୀ ଆଖିରୁ ଅନବରତ ଲୁହ ବୋହି ଚାଲିଥାଏ । ମା ଯାଉଚି କହି ସେ ମୁହଁରେ ଲୁଗା ଚାପି କାନ୍ଦି କାନ୍ଦି ଖୁବ୍ ଜୋରରେ ଚାଲିଗଲା । ଗଲାବେଳେ ଟ୍ରାକ୍ଟରକୁ ବାରମ୍ବାର ଦେଖୁଥିଲା କାରଣ ସେଇ ଟ୍ରାକ୍ଟରରେ ମଜୁରିଆ ମାନଙ୍କ ସହ ତା’ ନାତୁଣୀ ଯାଉଥିଲା । 


Rate this content
Log in

Similar oriya story from Tragedy