Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Lopamudra Mishra

Tragedy Thriller

5.0  

Lopamudra Mishra

Tragedy Thriller

ରୁବି

ରୁବି

3 mins
592


          

 ରୁବି ତାର କାହାଣୀ ମୋତେ କହିଲା ବେଳେ ମନା କରିଥିଲା ତା ପ୍ରକୃତ ନାଁ ଟା ଲେଖିବାକୁ । ସେ ମୋତେ ଏଇ ନାଁ ଟା ଲେଖିବାକୁ କହିଲା କାରଣ ତାର ଏକ ପ୍ରତାରକ ପ୍ରେମିକ ବ୍ୟତୀତ ଏ ନାଁରେ ତାକୁ ଆଉ କେହି ଚିହ୍ନିବେନାହିଁ । ତା ପ୍ରେମିକ ଯଦି ଏ କାହାଣୀ ପଢେ ତେବେ ସେ ହିଁ ଜାଣିବ ଏ ରୁବି ଅସଲରେ କିଏ । 


  ଏ ରୁବି ତେଇଶ ବର୍ଷ ତଳେ ଜନ୍ମ ହେଇଥିଲା ବୋଲି ସେ ନିଜେ ମୋତେ ଯାହା କହିଛି, ମୁଁ ତା ଜନ୍ମ ତାରିଖ ଦେଖିନି । ଜନ୍ମବେଳେ ତା ମାଆ, ବାପାଙ୍କ ସମ୍ପର୍କ ଖୁବ୍ ଭଲ ନଥିଲେ ମଧ୍ୟ ଖରାପ ନଥିବ ବୋଲି ସେ ଅନୁମାନ କରେ । କାରଣ ତା ପିଲାଦିନର ଅନେକ ଗୁଡିଏ ଫୋଟୋରେ ତା ସହ ତାର ବାପା,ମାଆ ବହୁତ ଖୁସି ଥିବା ପରି ତାକୁ ଲାଗନ୍ତି l ରୁବିର ମନେ ନାହିଁ ସେ ଖୁବ୍ ଛୋଟ ଥିବା ବେଳେ ତାକୁ କିଏ ବେଶି ଭଲପାଉଥିଲା । କିନ୍ତୁ ଏତିକି ସେ କେବେ ଭୁଲି ନାହିଁ ସେ ବଡ଼ ହେଉଥିବା ବେଳେ ତାର ବାପା,ମାଆ ପ୍ରତ୍ୟେକ ଦିନ ରାତିରେ କଳି ଝଗଡା ଲାଗି ରୁବି ଉପରେ ସବୁ ରାଗ ଶୁଝେଇ ଦେଉଥିଲେ । କେବେ ବାବାଙ୍କ ଚାପୁଡ଼ାରେ ରୁବିର ଗାଲ ସିଝି ଗଲେ ମାମା ତାକୁ ଧରି ଡ୍ରଇଂ ରୁମ୍ କୁ ଚାଲିଯାଉଥିଲା ତ କେବେ ମାମାର ବିଧାରେ ରୁବି କାନ୍ଦି ଉଠିଲେ ବାବା ମାମାକୁ ଠେଲି ଦେଇ ଆହୁରି ଜୋରରେ ଗର୍ଜନ କରୁଥିଲେ । 


   ରୁବିର ଶୈଶବ, କୈଶୋର ବଡ଼ କଷ୍ଟରେ ଖୁବ ଅବହେଳାରେ କଟିଛି । ତାର ଯୌବନ ଏମିତି ବିକ୍ଷିପ୍ତ ହେବାର କାରଣ ସେହି ଅବହେଳିତ ଶୈଶବ ଓ କୈଶୋର । 


    ରୁବି କହେ ନଗଣିଲେ ହଠାତ ସେ କହିପାରିବନି କେତେଜଣ ପୁରୁଷ ବନ୍ଧୁଙ୍କ ସହ ସେ ସମ୍ପର୍କରେ ଥିଲା । କେତେଜଣ ତାକୁ ଠକି ଥିଲେ ଆଉ କେତେଜଣଙ୍କୁ ରୁବି ନିଜେ ଠକେଇଛି ସେସବୁ କଥା ସେ ମୋତେ କହିଛି । 


  ଶେଷଥର ତା ସହ ସେହି ବେଳାଭୂମିରେ ଦେଖା ହେବା ଦିନ ସେ ମୋତେ କହିଥିଲା ତାର ଶେଷ ପ୍ରେମିକକୁ ସେ ହୃଦୟ ଦେଇ ଭଲ ପାଇ ବସିଥିଲା ଓ ତାର ପ୍ରତାରଣା ତାକୁ ଖୁବ୍ ବାଧିଛି । ସେ ତା ଠାରୁ ପ୍ରତିଶୋଧ ନେବାକୁ ଚାହେଁ । ମୁଁ ରୁବିର ମୁହଁକୁ ଦେଖିଲି, ସେ ଅଗ୍ନୀ ପରି ଦାଉ ଦାଉ ଜଳୁଥିଲା, ଯେମିତି ଏଇ ସଙ୍ଗେ ସଙ୍ଗେ ନିଜେ ଜଳିଯିବ ବା କାହାକୁ ଜାଳିଦେବ । ସେ କିଛି ସମୟ ପରେ ପ୍ରକୃତିସ୍ଥ ହେଇଥିଲା ଆଉ ତା ମାମାକୁ ମନେ ପକେଇ କାନ୍ଦିଥିଲା । 


    ରୁବିକୁ ମୁଁ ସେଦିନ ପରାମର୍ଶ ଦେଇଥିଲି ଥରେ ଯାଇ ନିଜ ମାଆଙ୍କୁ ଭେଟି ଆସିବା ପାଇଁ । ସେ ମନା କଲା । କହିଲା, "ନାଁ ମାମା ତା ନୂଆ ଫ୍ୟାମିଲିରେ ଖୁସି ରହୁ । ତାକୁ କାହିଁକି ଅସୁବିଧାରେ ପକେଇବି "? ସେତିକି କହି ସେ ପୁଣି କାନ୍ଦିଥିଲା ଓ କାନ୍ଦୁ କାନ୍ଦୁ କହିଥିଲା ସେ ପ୍ରକୃତରେ ଏଥିପାଇଁ ତା ମାମା ପାଖକୁ ଯିବାକୁ ଚାହୁଁନି ଯେ ତା ମାମାଙ୍କୁ ସେ ଡିଷ୍ଟର୍ଵ କରିବାକୁ ଚାହେଁନା ବୋଲି ନୁହେଁ, ପ୍ରକୃତ କଥା ହେଲା ତା ମାମାର ଦ୍ୱିତୀୟ ବିବାହରୁ ଜନ୍ମ ହେଇଥିବା ଦଶ ବର୍ଷର ପୁଅ ବଣ୍ଟିକୁ ତା ମାମା ବହୁତ ବେଶି ଭଲ ପାଇବା ରୁବି ଦେଖିପାରେନି କି ସହିପାରେନି । 

 

  ରୁବି କହୁଥିଲା, 'ବାବା ବି ତାଙ୍କ ନୂଆ ସ୍ତ୍ରୀ ସହ ଖୁସିରେ ଅଛନ୍ତି । ତାଙ୍କ ନୂଆ ଝିଅ ବହୁତ ଭଲ । ମୋ ଭଳି ବିଶୃଙ୍ଖଳିତ ନୁହେଁ ।'


   ରୁବିକୁ ମୁଁ ବହୁତ କିଛି କହି ବୁଝେଇବାକୁ ଚାହିଁଲା ବେଳେ ପ୍ରତିଥର ସେ ତା ନିଜ କଥା କହିସାରି ଚାଲିଯାଏ । ମୋ କଥା ବେଶି ଶୁଣେନି । 


   ସେଦିନ ରାତି ସାଢ଼େ ୩ ରେ ରୁବି ମୋତେ ଫୋନ୍ କରିଥିଲା । ତା'ର ଫୋନ୍ କରିବା ସମୟ ହିଁ ସେମିତି । ସେ ପ୍ରାୟ ରାତିରେ ଶୁଏନାହିଁ । ମୋତେ କହିଲା କଣ ଗୋଟେ ଅତି ଗୁରୁତ୍ୱପୂର୍ଣ୍ଣ କଥା କହିବାର ଅଛି । ଯେତେ ପଚାରିଲେ କହିଲାନି । କହିଲା କଥାଟା ସେ ଦେଖା କରି ମୋତେ କହିବ ସନ୍ଧ୍ୟାରେ । ସେ ମୋତେ ଏକଥା ବି କହିଲା ଯେ ସେ ଆଉ ବେଶି ଦିନ ବଞ୍ଚିବନି । ମୋତେ ଭୀଷଣ ଭୟ ଲାଗିଲା । ସେହିଦିନ ଠାରୁ ମୁଁ ଭୟଭୀତ ଅଛି, କାରଣ ରୁବି ଆଉ ସେଦିନ ସନ୍ଧ୍ୟାରେ ଆସିଲାନି କି ଫୋନ ବି କଲାନି । ଆଜିଯାଏଁ ତାର ଫୋନ୍ ବନ୍ଦ ଅଛି । ମୁଁ ସେବେଠୁ ଟିଭି ବା ଖବର କାଗଜରେ ଅଚିହ୍ନା ଯୁବତୀଙ୍କ ସମ୍ବନ୍ଧୀୟ କିଛି ଅଶୁଭ ଖବର ଦେଖିଲେ ଡରିଯାଏ । ରୁବିର କିଛି ନହେଉ, ସେ ଫେରି ଆସି ମୋତେ ତା କାହାଣୀ ଶୁଣାଉ, ମୁଁ ଏତିକି କାମନା କରେ । ମୁଁ ଭାବେ ପୁଲିସ୍ ପାଖକୁ ଯିବି, ପୁଣି ଭାବିକି ରହିଯାଏ ଯେ ସେ ଆଗରୁ ଏମିତି ଅନେକ ଥର କରିଛି । କୁଆଡେ ଗାୟବ ହେଇଯିବାର ପନ୍ଦର କୋଡିଏ ଦିନ ପରେ ଆପେ ଫେରି ଆସିଛି । ଆସିଯିବ ନିଶ୍ଚୟ । 


  ଏଇଟା ନିରାଟ ସତ୍ୟ ଯେ ରୁବି ଏକଦମ ସଫା ହୃଦୟର ଝିଅଟେ, କିନ୍ତୁ ତାର ବେଖାତିର, ବେପାରୱା ଜୀବନ ଶୈଳୀ ତାକୁ ଅଡୁଆ ପରିସ୍ଥିତିରେ ପକେଇ ଦେଇପାରେ, ସକାଳୁ ବସି ଏମିତି ଭାବୁଥିଲି ଗୋଟେ ମେସେଜ୍ ଆସିଲା ଅଜଣା ନମ୍ବରରୁ । ରୁବି ବିଷୟରେ ସେ କିଛି କହିବ କହିଲା । 


  ଅଜଣା ବ୍ୟକ୍ତିଙ୍କୁ ଫୋନ୍ କରିବାକୁ ମୋର ଇଚ୍ଛା ନଥିଲେ ବି ରୁବି ବିଷୟରେ ଜାଣିବା ପାଇଁ ମୁଁ ତାଙ୍କ ନମ୍ବର ଡାଏଲ୍ କଲି । ସ୍ଵିଚ୍ଡ ଅଫ୍ ଆସିଲା । ତାପରେ ଆଉଥରେ ଲଗେଇଲି ନମ୍ବର୍ ବିଜି । ମୁଁ ଭଲ ଖବରଟେ ପାଇବାକୁ ଅପେକ୍ଷା କରିଛି । ଅଜଣା ବ୍ୟକ୍ତି ଫୋନ୍ କରି ରୁବି ବିଷୟରେ ଭଲ ଖବର ଦେଲେ ମୁଁ ରୁବିର କାହାଣୀ ଆଗକୁ ଲେଖିପାରିବି । ନହେଲେ ରୁବି ସହ ମୁଁ ବି ବୋଧେ ନିରୁଦ୍ଧିଷ୍ଟ ହେଇଯିବି । 


Rate this content
Log in