Narayan chandra Senapati

Inspirational Tragedy

3  

Narayan chandra Senapati

Inspirational Tragedy

ରକ୍ତର ଜବାବ ରକ୍ତରେ ଦିଅ

ରକ୍ତର ଜବାବ ରକ୍ତରେ ଦିଅ

8 mins
325


କାଉ, କୋଇଲି,କଜଳପତ୍ରୀଙ୍କ କଳରବ ସାଙ୍ଗକୁ ପାଖ ମନ୍ଦିରର ଘଣ୍ଟ ଘଣ୍ଟି ବନ୍ଦାଉଛି ଉଷାଦେବୀଙ୍କୁ ଭକତିର ମଳୟପବନରେ।ସତେ ଯେମିତି ମା ଉଷା ସରାଗରେ କହୁଛନ୍ତି, ଉଠରେ କୁନା, କୁନି- ବଗଲା, ବଗଲି; ରଜନୀ ପରା ଚାଲିଗଲାଣି ସୁରୁଜକୁ ଉପହାର ଦେଇ।ଶଯ୍ୟା ତ୍ୟାଗ କରି ଭଗବାନଙ୍କ କାର୍ଯ୍ୟ ନିର୍ଘଣ୍ଟ ଦେଖି କାମରେ ଲାଗିପଡ଼ରେ ଧନ।

ଚମକି ଉଠିଲା ଲିଲି ଡାମରା କାଉର ରାଉ ରାଉ କର୍କଶ ସ୍ୱରରେ । ବର୍ଷକର ଟିକି ଗେହ୍ଲିଟା ବା ବା...ପା ପା..କହି କାନ୍ଦୁଥାଏ।ଲିଲି ବୋଧ କରି କହୁଥାଏ,ମୋ ଗେହ୍ଲିଟା, ମୋ ସୁନାଟା.....ବାପାକୁ ଖୋଜୁଛୁ କି ରେ। ଆରେ ତୋ ବାପା ପରା ଶତ୍ରୁ ଘଉଡାଇବାକୁ ଯାଇଛନ୍ତି।ସେ କଣ ପାଖରେ ଅଛନ୍ତି.....। ହଉ ଆଜି ଫୋନ୍ କରି କହିଦେବି ତୁମ ଗେହ୍ଲିଟା କେତେ ଖୋଜୁଛି,ଖୁବ୍ ଶୀଘ୍ର ସୁନା କଣ୍ଢେଇଟେ ଧରି ତୁମ ଝିଅ ପାଖକୁ ଆସ।

ଏଇମିତି ବୋଧ କରି ଶୁଆଇଦେଲା ଲିଲି,ଚାଲିଲା ଆଦର୍ଶ ଦିନଚର୍ଯାର ପ୍ରଥମ ସୋପାନକୁ ଛୁଇଁବାକୁ। ତା ପୂର୍ବରୁ ଭୁଲିନଥିଲା ତା ଅଝଟିଆ କାଉକୁ ଶରଧାର ଖୁଦକଣା ଦେବାକୁ। ଆଶ୍ଚର୍ଯ୍ୟ...! କାଉ କ'ଣ ତା ଉପରେ ଅଭିମାନ କରିଛି ଯେ ତା ଦିଆ ଖୁଦ ଚାଉଳକୁ ନ ଛୁଇଁ ଫୁର୍ କିନା ଉଡ଼ିଗଲା।

ମନକୁ ବୋଧ କରି ଚାଲିଲା ଶୁଭ ସ୍ନାନ କରିବାକୁ।ସ୍ନାନସାରି ଶୁଭ୍ରବସ୍ତ୍ର,ନାଲି ଶଙ୍ଖା ପିନ୍ଧି ଗୁରୁବାରର ମହଲକ୍ଷ୍ମୀ ସାଜି ସରାଗରେ ଡ୍ରେସିଂ ଟେବୁଲ୍ ସାମ୍ନାରେ ତା ସୁନ୍ଦର ମୁଖ ମଣ୍ଡଳ ଦେଖି ଓଡ଼ିଆ ବୋହୂର ସନ୍ତକ ସୀମନ୍ତ ସିନ୍ଦୁର ଲଗାଇବାକୁ ଯାଇଛି ତ.. ଏ କ'ଣ....? ସିନ୍ଦୁର ଫରୁଆଟା ତା ହାତରୁ ତଳକୁ ପଡିଗଲା।ଅବାକ୍ ହୋଇଗଲା ସେ !ଏଭଳି ଅଶୁଭ ସୂଚନା।ମନକୁ ବୁଝାଇ ପିନ୍ଧିଦେଲା ସିନା ହେଲେ ତା ମନ ଚାରିପଟେ ଆଶଙ୍କାର ଭୁତ ମାନେ ଘୁରିବୁଲୁଥାନ୍ତି।ତରବର ହୋଇ ଚାଲିଲା ଠାକୁର ଘରକୁ।ଧୂପ,ଦୀପ,ଫୁଲ ଦେଇ ଆବାହନ କଲା ତା ପ୍ରିୟ ଦେବତାଙ୍କୁ।ପୁଣି ଅଶୁଭ ସଂକେତ ! ଦିକ୍ ଦିକ୍ ହୋଇ ଜଳୁଥିବା ଦୀପଟା ହଠାତ ଲିଭିଗଲା!ଲିଲି ମନକୁ ପାପର ପାପାତ୍ମାମାନେ ସତେ ଯେମିତି ରାମ୍ପି ବିଦାରି ଖୀନ୍ ଭିନ୍ କରୁଛନ୍ତି।କାହିଁକି କେଜାଣି ମନୋଜଙ୍କ ମୁହଁଟା ତା ଆଖି ଆଗରେ ଝଲସି ଗଲା।ତାଙ୍କ ସ୍ମୃତି ମନେ ପଡ଼ିଲା।ତାଙ୍କ ହସ ହସ ମୁହଁ,ମଜାଳିଆ କଥା... ସାଂସାରିକ ଜୀବନର ଧାରାବାହିକ ପରି ଲହଡି ମାରୁଥିଲା।ଏଇ କେତେଦିନ ହେବ ଗେହ୍ଲିର ସ୍ଵନକ୍ଷତ୍ର ଦିବସରେ କେକ୍ କଟା,ବେଲୁନ୍ ଫୁଟା, କୌତୁକିଆ ନାଚ,ଘରର ସମସ୍ତଙ୍କ ମୁହଁରେ କେକ୍ ବୋଳା, ମଜାଖୁସି ସବୁ ମନେ ପଡିଗଲା।ଯେଉଁଦିନ ଗଲେ ଗେହ୍ଲିଟା ଜାବୁଡି ଧରିଥାଏ,ଛାଡୁ ନ ଥାଏ,ବା ବା....ପା ପା.....କହି କେତେଯେ କାନ୍ଦୁଥାଏ।ମୋତେ ଅନେଇ ଅନେଇ ଆଖି ଛଳ ଛଳ କରି ଯାଉଥାନ୍ତି,ସତେ ଯେମିତି ତାଙ୍କର ଇଚ୍ଛା ନ ଥିଲା ଯିବାକୁ।ମନ ହେଲା ତାଙ୍କ ଫଟୋ ଦେଖିବାକୁ।

ଡ୍ରଇଂ ରୁମ୍ ର କାନ୍ଥରେ ଏଇଥର ବୀର ଜ୍ୟୋତି ସମ୍ମାନ ଓ ମେଡଲ୍ ପାଇଥିବା ଦାମ୍ଭିକ ଫଟୋଟିକୁ ଆଣି ଆଖିପୁରେଇ ଦେଖିଲା,ନିଜ ପଣତ କାନିରେ ପୋଛି କାନ୍ଥରେ ଲଗାଇବାକୁ ନେଉ ନେଉ ହାତରୁ ଖସି ଭାଙ୍ଗିଗଲା ଫଟୋଟି।ଚିତ୍କାର କରି ଭୟଭୀତ ହୋଇ ଉଠିଲା ଲିଲି।ଭଙ୍ଗା କାଚ ଗୁଡିକୁ ଖୁଣ୍ଟି ଜୋଡୁ ଜୋଡୁ ହାତରୁ ବୋହିଗଲା କେଇବୁନ୍ଦା ରକ୍ତ।ଅଜାଣତରେ ଟୋପେ ଲାଗିଯାଇଥିଲା ମନୋଜର ମଥାରେ।ସତେ ବୀର ମଥାରେ ବିଜୟର ଟୀକା ନୁହଁ ତ ?

ଆଜି ଲିଲିର ମନ ଆନ୍ଦୋଳିତ,ମନରେ କେତେ ଯେ ଅସମାହିତ ପ୍ରଶ୍ନର ସମ୍ଭାର,ମନୋଜଙ୍କ ସ୍ମୃତି ନାଚିଯାଉଛି କାହିଁକି?ଏଇମିତି ଆଶାଙ୍କର ଭାବନା ଗୁଡାକ ତା'ର ମନ ହୃଦୟକୁ ଦୋଳାୟମାନ ଗତିରେ ପ୍ରଦକ୍ଷିଣ କରୁଥାନ୍ତି।ସେହି ଭିତରେ ଘରର ସବୁକାମ ତାକୁ ହିଁ ନିଭେଇବାକୁ ପଡିବ।ଏଣେ ତା ଶାଶୁ ଯାଇଛନ୍ତି ବନ୍ଧୁଘର।ଘର କାମ ସହ କୁନି ଗେହ୍ଲିର କଥା ବୁଝିଲାବେଳକୁ ବ୍ୟସ୍ତ ହେବାକୁ ପଡେ।ଶ୍ବଶୁରଙ୍କ ନଜର ପଡିଲା ବୋହୁ ଉପରେ।ଆଜି ତା ମନ ନିରସ କାହିଁକି,ତାଙ୍କ ବୋହୁ କୋଟିକରେ ଗୋଟିଏ।କେଉଁ ଜନ୍ମରେ ପୁଣ୍ୟ କରିଥିଲି ଯେ ଏଭଳି ସର୍ବଗୁଣସମ୍ପନ୍ନ ବୋହୁଟେ ପାଇଛି ମନେ ମନେ କହୁଥାନ୍ତି ସେ।ଏବେର ବୋହୁ ହୋଇ ଶାଶୁ,ଶ୍ବଶୁରଙ୍କ ସେବା,ଘରକରଣା,ପୂଜା ପାର୍ବଣ କେଉଁଥିରେ କୁଣ୍ଠାବୋଧ ନୁହଁ,ସତେ ଯେମିତି ମୋ କୁଲଲକ୍ଷୀ ଟା।ଯେତେ କଷ୍ଟ ହେଲେ ବି ମୁହଁରେ ସଜଫୁଟା ହସ।ହେଲେ ଆଜି ମଳିନ କାହିଁକି?ଅତି ସନ୍ତର୍ପଣରେ ପାଖକୁ ଯାଇ କହିଲେ....ଆରେ ମା, ଦେହ ଭଲ ନାହିଁକି?

ନାଁ ବାପା,ଦେହ ଭଲ ଅଛି,ମନଟା ଆଜି କାହିଁ ଭଲ ଲାଗୁନି।ଲିଲି ନରମ ଗଳାରେ ଉତ୍ତର ଦେଲା।

ହଉ ମା ଶୀଘ୍ର କାମ ସାରି ଟିକେ ବିଶ୍ରାମ ନେ,ଏକୁଟିଆ ସବୁ କରୁଛୁ,ତୋ ଶାଶୁଟା ନାହିଁ,ସେଥିପାଇଁ ଏମିତି ଲାଗୁଛି।

ହଉ ବାପା କହି ରୋଷେଇ ବାସ ସାରି ସମସ୍ତଙ୍କୁ ଖାଇବାକୁ ଦେଇ ଟିକେ ବିଶ୍ରାମ ନେଲା।ଗେହ୍ଲିଟାକୁ ଶୋଇଦେଉଦେଉ ତା ଆଖି ବି ଲାଗି ଯାଇଛି।

ନିଦ୍ରାବତୀଙ୍କର ଆବିର୍ଭାବ।ନିଜକୁ ଆଶ୍ୱସ୍ତି ବୋଧ କରୁଥାଏ ଲିଲି।ବିଚରା କ୍ଲାନ୍ତ ପରେ ଉପଶମ ପାଇଲା ପରି ପଡିରହିଛି ନିର୍ଜୀବା ନିରିହା ପରି।ସ୍ୱପ୍ନର ମହଲରେ କିଏ ଯେମିତି ତାକୁ ଧମକ ଦେଇ ମାଗୁଛି ଦେ ଦେ....ତୋ ଶଙ୍ଖା,ସିନ୍ଦୁର ମୋତେ ଦେ. । ନେ, ଏ ଧଳା ଶାଢ଼ୀ ପିନ୍ଧିଦେ।ସେ କାକୁତି ମିନତି ହୋଇ ତା ପଦ ଧରିଛି,ମାତ୍ର ସେ ନିର୍ମମ ତା କେଶକୁ ଧରି ଜୋର୍ କରିଛି ଶଙ୍ଖା ଶାଢୀ଼ ଦେବାକୁ।ଭୟରେ ଚିତ୍କାର କଲା ସେ।ଉଠି ବସିପିଡ଼ିଲା ସେ।ଦେହରୁ ବହି ଯାଉଥିବା ଝାଳକୁ ପୋଛି ପାଣି ଦୁଇ ଗ୍ଲାସ ପିଇଲା ଏକ ନିଃଶ୍ଵାସରେ।କାହିଁକି ବାରମ୍ବାର ଅଶୁଭ ସଂକେତରେ ଛନ୍ଦି ହେଉଛି ସେ।ଭଗବାନଙ୍କ ପାଖରେ ସେ କ'ଣ ଭୁଲ୍ କରିଛି କି?ଉଠି ପଡି ଆତୁରେ ମୁଣ୍ଡିଆ ମାରି ଶଯ୍ୟା ରେ ପୁଣି ବିଶ୍ରାମ ନେଲା ସେ। ଅଶୁଭର କାଳିମା କ'ଣ ଜହ୍ନର ପିଛା ଛାଡେ ? ପରିକ୍ରମଣର ଚରକି ଦୋଳିରେ ଘୁରି ଶନି କଣ କାହାକୁ ଅକ୍ଷତ ଛାଡେ ? ପୁଣି ଦୁଃସ୍ୱପ୍ନର ନଦୀତଟରେ ତତଲା ବାଲି ନରମ ପାଦକୁ ଟକ୍ ଟକ୍ ଫୁଟାଇ ଯନ୍ତ୍ରଣା ଦେଖି ତାଳି ମାରିବାକୁ ଉଦ୍ୟତ ଥିଲା ସମୟ।ସ୍ୱପ୍ନରେ ସୀମାନ୍ତରେ ଚାଲିଛି ଯୁଦ୍ଧ,ଜଣେ ମୁହଁରେ କଳାପଟି ପିନ୍ଧି ଏକ ଶାଣୀତ ତରବାରୀରେ ଗୋଡେଇ ଗୋଡେଇ ହାଣୁଛି ମନୋଜକୁ।ମନୋଜ ଚିତ୍କାର କରି ଜୀବନ ଭିକ୍ଷା ମାଗୁଛି,ଆକୁଳ ହୋଇ ଡାକୁଛି ମା.. ବାପା. ମୋ ଗେହ୍ଲି...ଲିଲି.. ଆସ,ମୋତେ ଟିକେ ବଞ୍ଚାଅ।ହେଲେ ପିଶାଚଟା ନିର୍ଦ୍ଦୟ ହୋଇ ଖଡ୍ଗରେ କାଟିଦେଇଛି ମନୋଜର ମୁଣ୍ଡକୁ।ବିକଟାଳ ଚିତ୍କାର କରି ପାଗଳି ପ୍ରାୟ ହେଲା ଲିଲି।କୁନି ଝିଅଟାବି ଚିତ୍କାର କରି କାନ୍ଦିଲା।ଶ୍ୱଶୁର ଏ ଚିତ୍କାର ଶୁଣି ଦଉଡି ଆସିଲେ,ଏବଂ ସମସ୍ତ ବୃତ୍ତାନ୍ତ ଶୁଣି ବୋହୂକୁ ସାନ୍ତ୍ୱନା ଦେଲେ।ଆରେ ମା' ସ୍ୱପ୍ନ କଣ ସତ ହୁଏ ?। ତୁ ପରା ବୀର ଯବାନର ଅର୍ଦ୍ଧାଙ୍ଗିନୀ।ସାମାନ୍ୟ ସ୍ୱପ୍ନରେ ତୁ ଏଭଳି ମ୍ରିୟମାଣ ହୋଇଯାଉଛୁ ! ଯା ମା' ତୋ କାମରେ ଲାଗିଯା,ସବୁ ଠିକ୍ ହୋଇଯିବ।

କଥାରେ ପରା ଅଛି,ରୋଗୀ ରୋଗର ଯନ୍ତ୍ରଣା ହିଁ ବୁଝେ।ଯା ଘରକୁ ସମୁଦ୍ର ଝଡ଼ ଧକ୍କା କରେ ସେ ତାହାର ପାହାର, ଆଘାତ ସିନା କଳି ପାରେ।ଯେତେ ବୁଝାଇଲେ ସ୍ତ୍ରୀ ମନ ସ୍ୱାମୀର ବିଭତ୍ସ କଦାକାର ରୂପ ସ୍ୱପ୍ନରେ ହେଉ ବରଂ କେମିତି ସେ ଭୁଲିଯିବ ପାଶୋରିଦେଵ ଅଵା ଝଲସା ଦୃଶ୍ୟକୁ।ଭାବନାରେ ଆଉଟୁ ପାଉଟୁ ହେଉଥାଏ ଲିଲି।

ହଠାତ୍ ଗାଁର ନିଧି ରାଉତ ଧଇଁ ସଇଁ ହୋଇ ଦୌଡ଼ି ଦୌଡ଼ି ଡାକ ଛାଡିଲା, ଜିତେନ୍ଦ୍ର ଭାଇ.... ଶୁଣିଛ କି,ତୁମ ପୁଅ ମନୋଜ ଯେଉଁଠି କାମ କରୁଛି,ସେଇ ପୁଲୱମା ରେ କ'ଣ ଗୋଟେ ବିସ୍ଫୋରଣ ହୋଇଛି ଶୁଣିଲି,ଟିକେ ଟିଭି ଖୋଲି ନ୍ୟୁଜ୍ ରେ ଦେଖ ତ?ମନୋଜର ବାପା ଜିତେନ୍ଦ୍ର ବେହେରା ଭଗବାନଙ୍କୁ ସ୍ମରଣ କରି ଖୋଲି ଦେଖିଲା ଟିଭିର ନ୍ୟୁଜ।କାଶ୍ମୀର ସୀମନ୍ତ ପୁଲୱମା ରେ ସି. ଆର. ପି. ଏଫ୍. ବେଟେଲିୟାନ୍ ପ୍ରାୟ 2180 କି ତଦୁର୍ଦ୍ଧ ଯାଉଥିଲେ ଧାଡି ଧାଡି କରି ସେମାନଙ୍କ ଭ୍ୟାନ୍ ରେ।ପାକିସ୍ଥାନର ଆତଙ୍କବାଦୀ ଜନୈକ ଏକ ସ୍କାରଫିଓ ରେ କିଛି ଚୋରା ବାରୁଦ ନେଇ କ୍ଷୀପ୍ର ଗତିରେ ଯାଉଥିଲା ବେଳେ ଏକ ଭ୍ୟାନ୍ କୁ ଦେଲା ଶକ୍ତ ଧକ୍କା ।ଯାହା ଫଳରେ ଭ୍ୟାନ୍ ରେ ଥିବା ୩୯ଯବାନ ଓ ନିକଟରେ ଛିଡା ହୋଇ ପହରା ଦେଉଥିବା ୫ଜଣ ସମେତ ମୋଟ ୪୪ଜଣଙ୍କର ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧ।ଆଶଙ୍କା ଓ ଭୟର କୀଟାଣୁ ଗୁଡାକ କଲବଲ୍ କରୁଥାନ୍ତି ଜିତେନ୍ଦ୍ର,ଲିଲି ଓ ପଡୋଶୀ ସାହି ଭାଇଙ୍କ ମନ ଓ ହୃଦୟକୁ।ସମସ୍ତେ ଡାକୁଥାନ୍ତି, ହେ ଭଗବାନ... ଆମ ମନୋଜର କିଛି ହୋଇ ନ ଥାଉ।ତତ୍ପରେ ଖବର ଥିଲା ଏମାନଙ୍କ ମଧ୍ୟରୁ ଅଧିକାଂଶ ଙ୍କର ଶରୀର ଏମିତି ଖୀନ୍ ଭିନ୍ ହୋଇଛି ଯେ କାହାକୁ ଚିହ୍ନିବାତ ଦୂରର କଥା ସେମାନଙ୍କ ଚିହ୍ନ ବର୍ଣ୍ଣ ନାହିଁ।କାହାର ଗୋଟିଏ ପାପୁଲି ଅଛି ତ କାହାର ପାଦରୁ ଖଣ୍ଡେ,କାହାର ମୁଣ୍ଡରେ ମୁହଁଟା କାଦୁଅ ପରି ହୋଇଛି ତ କାହାର ପିଞ୍ଜରାଟା ଗଣି ହୋଇଯାଉଛି।ତେବେ ଭ୍ୟାନ୍ ର ତାଲିକାଭୁକ୍ତ ଯବାନଙ୍କ ଭିତରୁ ଦୁଇ ଜଣ ଓଡ଼ିଶାର ଯବାନ।ଜିତେନ୍ଦ୍ର,ଲିଲି ଓ ପଡ଼ୋଶୀଙ୍କ ଆଶା ଆକାଶରେ ସତେ ଯେମିତି ଧୂମକେତୁ ଆବିର୍ଭାବ ହେଲା।ତଥାପି ବିଶ୍ୱାସର ହିମାଳୟଟା କେବଳ ଦୋଦୁଲ୍ଯମାନ ହୋଇ ବି ଆତ୍ମବିଶ୍ୱାସର ବଳରେ ଛିଡ଼ାହୋଇଥିଲା ମୂକ ପ୍ରାୟ।ମାତ୍ର ତା ପରେ ଯେଉଁ ନିଷ୍ଠୁର ଖବର ଆସିଲା ତାହା ଆଶାର ସୌଧଟାକୁ ଭାଙ୍ଗି ତୁଟି ନିମିଷକେ ଚୁରମାର୍ କରିଦେଲା।ଓଡ଼ିଶାର ଦୁଇଜଣଙ୍କ ମଧ୍ୟରୁ ଜଣେ ପ୍ରସନ୍ନ କୁମାର ଓ ଆଉ ଜଣେ କଟକ ନିମାପଡା ନିଆଳିର ଯୁବ ଯବାନ ଶହୀଦ ମନୋଜ କୁମାର।ପିତା ଜିତେନ୍ଦ୍ରର ହୃଦୟରେ ବଜ୍ରପାତ ହେଲା।ଲିଲିର ଭରସାର ଭାଗ୍ୟ ଆକାଶରେ ନିର୍ମମ ଉଲ୍ କା ପାତ ହେଲା।ବୁକୁଫଟା ଚିତ୍କାର ଓ କରୁଣ କ୍ରନ୍ଦନରେ ଘରଟା ଭୂମିକମ୍ପ ପରି ଥରି ଉଠିଲା।କୁନି ଝିଅ ମାନସ୍ଵୀନୀଟା ବି ମା' ଓ ଜେଜେଙ୍କ ଚିତ୍କାର ଦେଖି କ୍ରନ୍ଦନର ରୋଳରେ ରା ଫେରାଉ ନ ଥାଏ।ସାହି ପଡ଼ିଶାଙ୍କ ଆଖି ଛଳ ଛଳ ଓ ଦୁଃଖଦ ପରିବାରକୁ ବୋଧ ସତେ ଯେମିତି ପ୍ରକୃତିକୁ ସ୍ତବ୍ଧ କରୁଥାଏ।ସଂଗେ ସଂଗେ ଖବର ପାଇ ମନୋଜର ଜନ୍ମଦାତ୍ରୀ ମା ସାବିତ୍ରୀ ବନ୍ଧୁଘରୁ ଆସି ପହଁଚି ଗଲେ ନିଜ ଘରେ।ଗର୍ଭଧାରିଣୀ ମାଆର କରୁଣ ବୁକୁଫଟା ଉନ୍ମାଦିନୀ କ୍ରନ୍ଦନ ରୋଳ ସେ ମୁହୂର୍ତ୍ତର ବାୟୁମଣ୍ଡଳକୁ ବି ଚକିତ କରିଦେଲା।

ଆଜି ଫେବୃୟାରୀ ୧୪,ଲିଲିର ପ୍ରେମ ପ୍ରଣୟର ଭଲେଣ୍ଟାଇନ ଦିବସ ହେଲା କଳା ଦିବସ,ପ୍ରେମର ଶହୀଦ ଦିବସ ଭଗତ,ଜୟୀରାଜଗୁରୁଙ୍କ ସିନା ହୋଇଥିଲା ଐତିହାସିକ ଫାଶୀ ଘୋଷଣା ମାତ୍ର ମନୋଜର ହେଲା ଶହୀଦ ଦିବସ।ବିଚାରୀ ମାଆର କେଣେ ଛାଡି ଚାଲିଗଲୁ ରେ ମୋ ଧନ..... ଡାକ,ମୋ ମେରୁଦଣ୍ଡକୁ ଭାଙ୍ଗିଦେଲୁ ରେ ବାବା....ଚିତ୍କାର,ବାପା ଜିତେନ୍ଦ୍ରର ନିଃସଙ୍ଗ ଡାକ......ଆଉ ଆର୍ଦ୍ଧଙ୍ଗୀନୀ ଲିଲିର . ..ମୋ ସର୍ବସ୍ୱ ଉଜୁଡିଗଲା..ମୋ ପରିଚୟ ହଜିଗଲା...ମୋ ଗେହ୍ଲିଟା ଅନାଥ ହୋଇଗଲା ଏ ଡାକରେ ଧରିତ୍ରୀ ମାତା ଆର୍ତ୍ତଚିତ୍କାର କରି ଲୋତକ ଝରାଉଥାଏ ।ବାରମ୍ବାର ଚେତାଶୂନ୍ୟ ହେଉଥାନ୍ତି ମା ସାବିତ୍ରୀ ଓ ପତ୍ନୀ ଲିଲି।ବୀର ଶହୀଦ ମନୋଜଙ୍କ ପିତା ଜିତେନ୍ଦ୍ର ଧୈର୍ଯ୍ୟର ସମସ୍ତ ଇନ୍ଦ୍ରିୟକୁ ଜୟ କରି ଅନ୍ତରରେ ମୋହକୁ ମାରି କୋହକୁ ଚାପି ବୋଧ କରୁଥିଲା ସାବିତ୍ରୀ ଓ ଲିଲିକୁ।

କଷ୍ଟ ଯନ୍ତ୍ରଣାର କଷାଘାତ ଭିତରେ ନିଜକୁ ଅବାକ୍ ନିର୍ବାକ୍ ସଜାଇ ନିଜ ଘରର କାନ୍ଥକୁ ଆଉଜି କେଇଟା ମୁହୂର୍ତ୍ତ ହଜିଗଲେ ଜିତେନ୍ଦ୍ର।କାଲିପରି ଲାଗୁଛି।ମା ମଙ୍ଗଳାକୁ କେତେ ଡାକି ଡାକି ଶେଷରେ ୧୯୮୫ ମସିହା ଅକ୍ଟୋବର ୦୯ତାରିଖରେ ପାଇଥିଲେ ଏ ରତ୍ନକୁ।ସେଦିନ ଘରଟା ସହ ଫାଟି ଉଠିଥିଲା ରତନପୁରର ଗଜାବର ଗାଁ।ଖାଲି ସେତିକି ନୁହଁ ମା ସାବିତ୍ରୀ ଏତେ ଆନନ୍ଦ ବିଭୋର ଥିଲେ ଯେ ଗଜାବର ଗାଁକୁ ମଧୁଛୁଆଁ ଦେଉଥିବା ପୁଣ୍ୟତୋୟା ପ୍ରାଚୀଟା ପ୍ରଫୁଲ୍ଲତାରେ ଉଛୁଳି ପଡୁଥିଲା।

ସେଦିନ ଵି ଖଡିଛୁଆଁ,ଆମେ ବାପା ମା' ଦୁହେଁ କେତେ ଡାକୁଥିଲୁ ମା ବାଗ୍ଦେବୀକୁ ତାଙ୍କ ଜ୍ଞାନ ଥଳିରୁ ଟିକିଏ ଜ୍ଞାନ ପାଇଁ ଆଉ ବାବା ଗଣେଶଙ୍କୁ ବକଟେ ବୁଦ୍ଧି ଭରିଦେବାପାଇଁ।ଗଜାବର ଉ.ପ୍ରା ବିଦ୍ୟାଳୟର ଗୁରୁଜୀ ଗୁରୁମାଙ୍କ କୁନି ଛାତ୍ର ମନୋଜକୁ ଭୁରି ପ୍ରଶଂସା ଛାତିକୁ ପ୍ରଶସ୍ତ କରୁଥାଏ।ସେଦିନ କାଲିପରି ସ୍କୁଲରୁ ଆସି ଗାଉଥିଲା " *ପାଠ ପଢିବି କାଳିଆ ଘୋଡାରେ ଚଢିବି ମଧୁବାବୁ ସଙ୍ଗେ ଲଢ଼ିବି*"।ଆଉ କହୁଥିଲା ବାପା ଦେଖିବ ମୁଁ ନା କାଳିଆ ଘୋଡାରେ ଚଢି ଏମିତି ଉଡିବି ନା କେହିବି ମୋତେ ପାରିବେ ନାହିଁ।ତେଣୁ ମଝିରେ ମଝିରେ ମୁଁ ଏ ପଦଟିକୁ ଗାଇ କେତେ ଯେ ଆନନ୍ଦ ପାଉଥିଲି....କିନ୍ତୁ ଆଜି ତାହା ଲିଭିଯିବ... ଆମ ସ୍ମୃତି ଭୁର୍ଜପତ୍ରରୁ।ସେଦିନ ଅମରେଶ୍ୱର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ର ଛାତ୍ର ଥିଲା ସେ,ହଠାତ୍ ନେତାଜୀ ଜୟନ୍ତୀ ଦିନ ମୋତେ ଗୋଟିଏ ଫଟୋ ଦେଖାଇ କହିଲା ଦେଖିଲ ବାପା,ୟାଙ୍କୁ ଚିହ୍ନିଛ... *ଏ କହୁଥିଲେ, ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି ,*କଥାର ଜବାବ ଗୁଳିରେ ଦିଅ*, *ଦିଲ୍ଲୀ ଚଲୋ*।ତାଙ୍କ ପୋଷାକ ଦେଖ,ଚାହାଣୀ ଦେଖ।ମୁଁ ବଡ଼ ହେଲେ ନା ଏଇପରି ହେବି।ହେଲେ ବିମାନ ଦୁର୍ଘଟଣାରେ ଯେମିତି ହଜିଗଲେ ମୁଁ ଯଦି ହଜିଯାଏ ତେବେ ତୁମେ କଣ କାନ୍ଦିବ?ବୀରର ପିତା କଣ କାନ୍ଦନ୍ତି?

କାଲି ପରି ଲାଗୁଛି ନିମାପଡା କଲେଜକୁ ଯାଇଥିବା ପ୍ରଥମ ଦିନର ଅଭିଜ୍ଞତା ଆମ ଦୁହିଁଙ୍କ ଆଗରେ ବଖାଣି ଥିଲା କେତେ ଆଗ୍ରହରେ। *ସାର୍ ପଚାରିଲେ ,ହ୍ଵାଟ୍ ଇଜ୍ ଦ ଏମ୍ ଅଫ୍ ୟୋର ଲାଇଫ୍? କିଏ ଡକ୍ଟର,କିଏ ଇଂଜିନିୟର କିଏ କଲେକ୍ଟର କହିଲେ,ମୁଁ କଣ କହିଲି ଜାଣିଛ, ଆଇ ଉଇଲ ବି ଏ ଶୋଲଜର୍ ଫର ମାଇଁ ମଦରଲାଣ୍ଡ୍।* ମୁଁ ସେଦିନ ଖୁସିରେ କୁଣ୍ଢେଇ ପକେଇଥିଲି ତାକୁ।ତାପରେ ସତକୁ ସତ ସେଦିନର ମିଛି ମିଛିକା ଯାତ୍ରାର ବନ୍ଧୁକ ଖେଳ ସତ ହେଲା ମନୋଜ ଯେବେ ଗଲା ସୈନ୍ୟବାହିନୀରେ।ସେଦିନ ତା ମାଆ ଟା ଚାହୁଁ ନ ଥିଲା ଛାଡିବାକୁ,ତାକୁ ବୁଝେଇ ତା ଆଖିର ଲୁହକୁ ଶୁଖାଇ ପଠାଇଥିଲି ଯବାନ୍ କରି।ଆଜି ଅପରାହ୍ଣ ତିନିଟା ପନ୍ଦର ପୂର୍ଣ୍ଣ କରିଦେଲା ତା ଯୁଦ୍ଧ ଇତିହାସକୁ।ଏଇ ଜାନୁୟାରୀ ୨୪ରେ ଆସିଥିଲା ଗେହ୍ଲିଟାର ଜନ୍ମଦିନରେ।ସବୁତକ ଖୁସି ଅଜାଡି ଦେଇଥିଲା ସେଦିନ।ସେଇ ଖୁସିର ଜନ୍ମ ମାସିକ ଵି ପୁରିନି। ଆଜି ଧୂଳିସାତ ହେଲା ମୋ ସାତ ସପନ । ଏବେ ଆସିବ ତା ଜୟନ୍ତୀ।ଏତିକି ଭାବି ଭାବି ବିହ୍ଵଳରେ ବୀର ଶହୀଦ ର ବୀରପିତା ସମ୍ଭାଳିପାରିଲା ନାହିଁ ଚାପି ରଖଥିବା ଅନ୍ତରର କୋହ।କୁନି ଛୁଆପରି ଧକେଇ ହୋଇ କାନ୍ଦିଲା।ତା ସାଙ୍ଗକୁ ସାବିତ୍ରୀ ଓ ସାଥିରେ ଲିଲି।ଗାଁ ଲୋକ ସମସ୍ତଙ୍କ ପାଟିରୁ ଗୋଟିଏ ଶବ୍ଦ ଛି ଛି, ବୈମାନ ପାକିସ୍ଥାନ,ଜାଳିଦିଅ ପାକିସ୍ଥାନ କୁ,ଧ୍ୱଂସ କର ଆତଙ୍କବାଦୀକୁ,ଉତ୍ଥାନ କର ମାନବବାଦକୁ।

ମଝିରେ ମଝିରେ ସାବିତ୍ରୀ ମୁହଁରୁ ଶୁଭୁଥାଏ, ମୋ ଦୀପ ଲିଭାଇଦେଲୁରେ ସୈତାନ୍ତୁ ... ଧ୍ବଂସ ହୋଇଯାରେ ପିଶାଚ ତୋ ଦେଶ ଜୀବଶୁନ୍ୟ ହୋଇଯାଉରେ ଆତ୍ମଘାତୀ ଏ ଗୋଟେ କୋଳଶୂନ୍ୟ ମା'ର ଆଭିଶାପ ।

ଇତ୍ୟବସରରେ ଗଣମାଧ୍ୟମର ଉପସ୍ଥିତ ଓ ବାପାର ପ୍ରତିକ୍ରିୟା ସଭିଙ୍କୁ କରିଥିଲା ସ୍ତବ୍ଧ ଚକିତ।ବୁମ୍ ସମ୍ମୁଖରେ ଜିତେନ୍ଦ୍ରଙ୍କର ନିର୍ଭୀକ କେଇପଦ କଥା ଦର୍ଶାଇଥିଲା ଓଡ଼ିଆ ବୀରର ପିତାର ହୃଦୟ ହିମାଳୟ ପରି ଅଚଳ ଓ ବାଣୀ ବଜ୍ରଠୁ ବି କଠିନ।ମୋ ପୁଅ କହୁଥିଲା କାଳିଆ ଘୋଡାରେ ଚଢିବି,ମଧୁବାବୁ ସଂଗେ ଲଢ଼ିବି।ନେତାଜୀ ପରି ଲେଲିହାନ ଶିଖା ହେବି ଜାଳି ଜାଳି ଜଳିଯିବି,ତାହା ହିଁ ହେଲା।ସବୁଦିନ ପାଇଁ ଦେଶ ପାଇଁ ପ୍ରାଣବଳୀ ଦେଇ ସବୁଦିନ ପାଇଁ ଚାଲିଗଲା।ମୋର ଆହୁରି ଚାଲିଶରୁ ଅଧିକ ପୁଅ ବି ତା ସାଥେ ଗଲେ।ମୋ ପୁଅ ମା ମାଟିପାଇଁ ଜୀବନ ଦେଇ ସ୍ୱାଭିମାନର ଚାଲିଗଲା ମୁଁ ଗର୍ବିତ।ହେଲେ ବୈମାନ୍ ପାକିସ୍ଥାନ,ପିଶାଚ ଆତଙ୍କବାଦୀ ଙ୍କ ମୁଳୋତ୍ପାଟନ ହେବା ମୁଁ ଚାହେଁ।ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଏତିକି କହିବାକୁ ଚାହେଁ, ସେ ଶତ୍ରୁଙ୍କୁ ଏମିତି କଡା ଜବାବ ଦିଅନ୍ତୁ,ମୋ ପୁଅ ସମେତ ସମସ୍ତ ଶହୀଦ ମାନଙ୍କର ଆତ୍ମାର ସଦ୍ଗତି ହେଉ।ସ୍ଵର୍ଗରେ ଥାଇ ଏ ନ୍ୟାୟ ଦେଖି ଖୁସିରେ ଆନନ୍ଦଶ୍ରୁ ଗଡି ପଡୁ ସେମାନଙ୍କର।ଶହୀଦଙ୍କ ପିତାମାତାଙ୍କ ସମେତ କୋଟିକୋଟି ହିନ୍ଦୁସ୍ଥାନ ଙ୍କ ଆଖିର ଲୁହ ସେଦିନର ଆନନ୍ଦାଶ୍ରୁକୁ ସାଲ୍ୟୁଟ୍ ମାରୁ।ଏତିକି କହୁ କହୁ ଜିତେନ୍ଦ୍ରଙ୍କ କଣ୍ଠରୁଦ୍ଧ ସୁଚାଇଥିଲା ବାପାର ହୃଦୟାଟା ସନ୍ତାନ ପାଇଁ କେତେ ଯେ ବ୍ୟାକୁଳ,ଲୁକ୍କାୟିତ ଭଲପାଇବାଟା କେତେ ଯେ ଶକ୍ତ।ଗେହ୍ଲିଟା ସାମ୍ବାଦିକଙ୍କ ବୁମ୍ କୁ ବାରମ୍ବାର ଧରି ବା ବା ପା ପା କହିଲା ବେଳେ ସାମ୍ବାଦିକ ମାନଙ୍କ ଆଖିରୁ ଅଜାଣତରେ ବହି ଆସିଥିଲା କେଇଟୋପା ଅମାନିଆ ଅଶ୍ରୁ।ବିଚାରୀ ଲିଲିଟା ନିର୍ବାକ୍ ହୋଇ ବର୍ଷକର ସନ୍ତକ ମନସ୍ବିନୀ ନିଷ୍ପାପ କୋମଳ ନିରିହାର ମୁଖମଣ୍ଡଳକୁ ଚାହିଁରହିଥାଏ.....।

ସେଇ ମୁହୂର୍ତ୍ତର ଚମକତା ଭିତରେ ଶୁଭୁଥିଲା ଭାରତମାତାର କରୁଣ ସ୍ୱର।ରେ ମୋ ବୀର ବୀରାଙ୍ଗନା ପୁତ୍ର ପୁତ୍ରୀଗଣ।ଉଠରେ, ଭାଙ୍ଗିଦିଅ ବର୍ବର ପିଶାଚଙ୍କର ବର୍ବରତା।ଜାଳିଦିଅ ଆତଙ୍କବାଦୀଙ୍କୁ ତୁମ ଶୌର୍ଯ୍ୟ ବୀର୍ଯ୍ୟ ଲେଲିହାନ ଶିଖାରେ।ଛିଣ୍ଡାଇଦିଅ ବିବାଦର ଶିକୁଳି।କର କଳେ ବଳେ କୌଶଳେ ସମାଧାନ,ଛିଣ୍ଡାଇଦିଅ ଏଇ ଚିରଦିନ ଅଛିଣ୍ଡା ବିବାଦ/ସମସ୍ୟାର ଅଡୁଆ ସୂତାକୁ।ଦିଅ କୋଟିକୋଟ ନୀରିହ,ନିରିହା ହିନ୍ଦୁସ୍ଥାନୀଙ୍କୁ ଚିର ଶାନ୍ତି ନିଦ୍ରା ଉପହାର।ଏହା ଦେଖି ଶାନ୍ତ ହେବେ ମୋ କ୍ଲାନ୍ତ ବୀର ଶହୀହ ପୁତ୍ର ପୁତ୍ରୀଗଣ।

ସଙ୍ଗେ ସଙ୍ଗେ ଦୁଷ୍ଟ ଅନ୍ଧାରଟା କେଉଁଠିଥିଲା କେଜାଣି ଆସି ସନ୍ତର୍ପଣରେ ପହଞ୍ଚି ଅଶାନ୍ତ ସ୍ଥଳୀକୁ କିଛି କ୍ଷଣ ପାଇଁ କରିଦେଲା ଶାନ୍ତ।ଅବାକ୍ ନିର୍ବାକ୍ ଆତ୍ମା କେତେଟା ଚାହିଁ ଥାନ୍ତି ଆକାଶର ତାରାଗଣଙ୍କୁ ଏକ ଲୟରେ.। ଖୋଜୁଥାନ୍ତି ପ୍ରିୟଜନଙ୍କୁ ....ଆଖିରୁ ଝରାଇ ଧାର ଧାର ଲୁହ .. ।ଆହ୍ୱାନ ଦେଇ ନ୍ୟାୟର ଅପେକ୍ଷାରେ. କହି କହି ଚାଲିଥାନ୍ତି.. ରକ୍ତର ଜବାବ.. ରକ୍ତରେ ଦିଅ।

ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର


Rate this content
Log in

Similar oriya story from Inspirational