RIP ଆଉ ଓଁ ଶାନ୍ତିଃ
RIP ଆଉ ଓଁ ଶାନ୍ତିଃ
ମହାଭାରତରେ ଯକ୍ଷ ଯୁଧିଷ୍ଠିରଙ୍କୁ ପଚାରିଥିଲେ ଏ ସଂସାରରେ ବଡ଼ ଆଶ୍ଚର୍ଯ୍ୟ କ'ଣ ? ଯୁଧିଷ୍ଠିରଙ୍କ ସଠିକ୍ ଉତ୍ତର ଥିଲା , ପ୍ରତିଦିନ ଲୋକେ ଇହଲୀଳା ସମ୍ବରଣ କରୁଛନ୍ତି । ଏହା ଦେଖି ମଧ୍ୟ ଯେଉଁମାନେ ଜୀବିତ , ସେମାନେ ନିଜକୁ ଚିରଞ୍ଜିବୀ ଭାବୁଛନ୍ତି । ଏହାଠାରୁ ବଳି ଆଉ ଆଶ୍ଚର୍ଯ୍ୟ କ'ଣ ଥାଇପାରେ ? ଏବେ କରୋନା ମହାମାରୀର ଦ୍ୱିତୀୟ ଲହରରେ ଯେଉଁ ମୃତ୍ୟୁର ତାଣ୍ଡବ ଚାଲିଛି ସେଥିରେ ପ୍ରତିଦିନ ଅଗଣିତ ଲୋକଙ୍କ ମୃତ୍ୟୁର ଦୁଃସମ୍ବାଦ ଦେଖିବାକୁ ଶୁଣିବାକୁ ମିଳୁଛି । କିନ୍ତୁ ଏହା ସେତେଟା ଲୋକଙ୍କୁ ପ୍ରଭାବିତ କରୁନି କାରଣ ସେମାନେ ଜୀବିତ । ଯେ କୌଣସି ମୁହୁର୍ତ୍ତରେ ଯେ ଏ ପ୍ରାଣ ଯାଇପାରେ ଏହି ସମ୍ଭାବନା ଥାଇ ମଧ୍ୟ ଭିତରୁ କାହିଁ ଲାଗେନି ଯେ ମୁଁ ବି ଦିନେ ଏମିତି ମରିଯିବି ହଜିଯିବି ବୋଲି । ସାମାଜିକ ଦାୟିତ୍ଵ ହିସାବରେ କାହାର ମୃତ୍ୟୁରେ RIP , rip କି Om Shanti ଟିଏ ଲେଖିଦେଇ ନିଜ ଧନ୍ଦାରେ ମାତିବା ଟା ମଣିଷର ଏକ ସାଧାରଣ ଚିରାଚରିତ ଅଭ୍ୟାସ ।
ପ୍ରଥମେ ପ୍ରଥମେ RIP ମାନେ କ'ଣ ଜାଣି ନଥିଲି ସତ କହିଲେ ଏବେ ବି ତା'ର ମାନେ ଠିକ୍ ସେ ମୁଁ ବୁଝି ନାହିଁ । ବିଳମ୍ବ ରେ ଜାଣିଲି ଯେ RIP ଟି ହେଲା Rest in Peace ର short form । ବ୍ୟସ୍ତ ଜୀବନରେ କାହାକୁ ଏତେ ସମୟ ଅଛି Rest in Peace ଲେଖିବାକୁ । କିଏ ଗୋଟାଏ ମରିଯିବାର ଦୁଃଖଦ ଖବର ମିଳିଲେ ଲେଖିଦିଅ RIP କଥା ଛିଡ଼ିଲା । ଆଉ କିଛି ଲେଖୁଛନ୍ତି Om Shanti ! ଏମାନଙ୍କର ବୋଧହୁଏ ନିଜ ସନାତନ ସଂସ୍କୃତି ପ୍ରତି ଅଗାଢ ଅନୁରକ୍ତି ଅଛି କିମ୍ବା ପାଶ୍ଚାତ୍ୟ ସଂସ୍କୃତି କବଳରୁ ନିଜ ସଂସ୍କୃତି କୁ ବଞ୍ଚାଇ ରଖିବାକୁ ଏମାନେ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି ।
ଏବେ ବି ଗାଁରେ କିଏ ମରିବାର ଦୁଃସମ୍ବାଦଟିଏ ଶୁଣିଲେ ଲୋକଙ୍କର ପ୍ରଥମ ପ୍ରତିକ୍ରିୟା ହେଲା , ଓଃ କ'ଣ ହେଲା ? ଲୋକଟି ଚାଲିଗଲା ? ତା'ପରେ କିଛି ସମୟ ଲୋକଟି କେମିତି ମଲା ଆଉ ତା'ର ଚରିତ୍ର କେମିତି ଥିଲା ଚର୍ଚ୍ଚା ହୁଏ । ଏହି ଲୋକଙ୍କ ମଧ୍ୟରୁ ଯେଉଁମାନେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ବା WhatsApp ଆଉ Facebook ରେ ଅଛନ୍ତି ଅଧିକାଂଶ କାହା ମୃତ୍ୟୁର ଦୁଃସମ୍ବାଦ ପାଇଲେ RIP କିମ୍ବା Om Shanti ହିଁ ଲେଖୁଛନ୍ତି କେବଳ କିଛି ପୁରୁଣା କାଳିଆ ଲୋକଙ୍କୁ ଛାଡିଦେଲେ । ଏମାନେ ବିଚାରା ଜାଣନ୍ତିନି କି ଏମାନଙ୍କ ହାତ ଯାଏନି ଲେଖିବାକୁ RIP କି Om Shanti । କେହି ପାଖରେ ଥିଲେ ଆଲୋଚନା ହୁଏ ନହେଲେ ମନେ ମନେ କିଛି ସମୟ ସେହି ଓଃ ଆଃ ହୁ ହା ହୋଇ ରୁହନ୍ତି । ମୁଁ ଟା ବୋଧହୁଏ ଏହି ପୁରୁଣା କାଳିଆ ଲୋକଙ୍କ ମଧ୍ୟରୁ ଗୋଟିଏ । ଆଜିଯାଏଁ ମୋର ହାତ ଯାଇନି ଲେଖିବାକୁ RIP କି Om Shanti । ଏହା ଏହି WhatsApp , Twitter ଆଉ Facebook ର ସଂସ୍କୃତି । ଲୋକମାନେ କାହିଁ ପାଟିରେ RIP କି ଓଁ ଶାନ୍ତିଃ କହିବାର କେବେ ଶୁଣିନି । ମୃତ୍ୟୁର ସମ୍ବାଦ ମଣିଷକୁ କିଛି କ୍ଷଣ ସ୍ତବ୍ଧ ନୀରବ କରିଦିଏ । ଏହି ନୀରବତା ହିଁ ସର୍ବୋକୃଷ୍ଟ ଶ୍ରଦ୍ଧାଞ୍ଜଳି ନୁହେଁ କି ?
ମନେ ମନେ ଭାବେ RIP ମାନେ ହେଲା Rest in peace ଯାହାର ଓଡ଼ିଆ ହେବ ଶାନ୍ତିରେ ବିଶ୍ରାମ ନିଅ । ଆରେ ଜଣେ ମଲା ପରେ ଆଉ କ'ଣ ଥାଏ ଯେ ସେ ଶାନ୍ତିରେ ବିଶ୍ରାମ କରିବ ? ବୋଧହୁଏ ଲୋକେ ସ୍ୱର୍ଗ କଥା କହୁଛନ୍ତି । ଯେଉଁଠି ଲୋକଟି ମଲା ପରେ ତା'ର ଅମର ଆତ୍ମା ଯାଇଁ ଶାନ୍ତିରେ ଶୋଇବ କି ବିଶ୍ରାମ କରିବ । ପୃଥିବୀରେ ବିଚରା ବହୁତ ହିନସ୍ଥା ଭୋଗିଥିଲା । ଆତ୍ମା ବାପୁଡ଼ା ଶରୀର ମଧ୍ୟରେ ଅଛି ଆଉ ସେ ମଲା ପରେ ସ୍ୱର୍ଗକୁ ଯାଏ । ଏହା ବୋଧହୁଏ ଲୋକମାନଙ୍କର ଦୃଢ଼ ବିଶ୍ୱାସ । ନର୍କ ଥିବାର ବିଶ୍ଵାସ ବି ଅଛି ଆଉ ମଣିଷ ତା'ର କୁକର୍ମ ପାଇଁ ନର୍କକୁ ମଧ୍ୟ ଯାଏ । କିନ୍ତୁ ଜଣଙ୍କ ମୃତ୍ୟୁ ଖବର ଶୁଣିବା ପରେ ଲୋକଟି ଆମର ଚରମ ଶତ୍ରୁ ହୋଇଥାଉ କି ଯେତେ ବି ତାକୁ ଘୃଣା କରୁଥାଉ ସାମାଜିକ ଗଣମାଧ୍ୟମରେ କ'ଣ ଲେଖି ହେବ GTH ? ମାନେ Go to Hell ବା ନର୍କକୁ ଯାଏ ! ସେଇଟା ମନେ ମନେ କି ବିଶ୍ୱସ୍ତ ବନ୍ଧୁ ଆଗରେ କହିଲେ ଚଳିବ । ହେଲେ ଲୋକଙ୍କ ସାମ୍ନାରେ ଜମା ନୁହେଁ । ତେଣୁ ଯଥାଶୀଘ୍ର RIP ଲେଖିଦେଲେ ବିରାଟ ଏକ ବୋଝ ମୁଣ୍ଡରୁ ଖସି ଯାଏ । କେତେ ଲୋକ ଲେଖି ସାରିଲେଣି ମୁଁ ନ ଲେଖିଲେ ବାକି ସବୁ ମୋ ବିଷୟରେ କ'ଣ ଭାବିବେ ? ଲୋକଟା ହୃଦୟରେ ଦୟାମାୟା ବୋଲି କିଛି ନାହିଁ । ଯିଏ ଯେତେ ଜଲ୍ଦି ଲେଖିଲା ସିଏ ସେତେ ସମ୍ବେଦନଶୀଳ ଆଉ ଦାୟିତ୍ଵବାନ ବୋଲି ଦୃଷ୍ଟିଗୋଚର ହୁଏ । Rest in peace ଏତେ ଲମ୍ବା ଲେଖିବାକୁ କାହା ପାଖରେ ସମୟ ଅଛି ? ପୁଣି ଯଥାଶୀଘ୍ର ବି ତ ନିଜର ସମବେଦନା ଜଣାଇବାର ଅଛି ତେଣୁ ସଂକ୍ଷେପରେ RIP ଯଥେଷ୍ଟ । ବହୁତ ଲୋକ ଅଛନ୍ତି ଯେଉଁମାନେ capital letter ରେ RIP ନ ଲେଖି small letter ରେ rip ଲେଖି ନିଜର ଦାୟିତ୍ଵ ସମ୍ପର୍ଣ୍ଣ କରନିଅନ୍ତି । Small ରୁ Capital letter କୁ ଯିବା ଟା ଏକ ବଡ଼ କଷ୍ଟକର ବ୍ଯାପାର । Small Capital letter ରେ କ'ଣ ବା ଅଛି ? ମଣିଷର ଭାବ ଟି ମୁଖ୍ୟ ।
ଆଉ ଗୋଟିଏ ହେଲା Om Shanti । ମୋର ମୋଟା ବୁଦ୍ଧି ଯୋଗୁଁ RIP ଅପେକ୍ଷା ଏଇ ଶବ୍ଦ ଦୁଇଟି ମୋତେ ଅଧିକ ଅବୁଝା ଲାଗେ । ମୋଟାମୋଟି ଭାବରେ ନିଜର ସୀମିତ ବୁଦ୍ଧିକୁ ମନ୍ଥନ କରିକରି ଏତିକି ବୁଝିଲି କି , ଓଁ ଶାନ୍ତିଃ ମାନେ ହେଲା , ଭଗବାନଙ୍କୁ ସ୍ମରଣ କରିବା କି ମରି ଯାଇଥିବା ଲୋକଟିର ଅମର ଆତ୍ମାକୁ ପରମାତ୍ମା ଶାନ୍ତି ଦିଅନ୍ତୁ । ଠିକ୍ କଥା , ବଢ଼ିଆ କଥା ! ଆମ ଶାସ୍ତ୍ରରେ କେଡ଼େ ଜ୍ଞାନଗର୍ଭକ କଥା ନ ଅଛି ! ଏଥିରେ ଅସୁବିଧାଟି କେଉଁଠି ରହିଲା ? ଯଦି ଆତ୍ମା ପରମାତ୍ମା ଅଛନ୍ତି ବୋଲି ଲୋକଙ୍କର ଦୃଢ଼ ବିଶ୍ୱାସ ଅଛି ତେବେ Om Shanti ଲେଖିବା ମାନେ ହେଲା ସେମାନେ ଭକ୍ତିପୂତ ଭାବେ ଅମର ଆତ୍ମାର ସଦ୍ଗତି କାମନା କରୁଛନ୍ତି । ଯେହେତୁ ତୋର ଆତ୍ମା ପରାମାତ୍ମାଙ୍କ ଅସ୍ତିତ୍ବକୁ ନେଇ ମନରେ ସନ୍ଦେହ ଅଛି ତେଣୁ ତୋର ହାତ ଯାଏନି ଏସବୁ ଲେଖିବାକୁ । ସେଥିପାଇଁ ଲୋକଙ୍କ ଭାବ ଭକ୍ତି ବିଶ୍ୱାସକୁ ନେଇ ସନ୍ଦେହ କରିବା କି ସମାଲୋଚନା କରିବାର କୌଣସି ଅଧିକାର ନାହିଁ ।
ଆଛା ଏ RIP , rip , Om Shanti ଲେଖୁଥିବା , ଗାଁରେ ଓଃ ହୋଃ କହୁଥିବା ଆଉ କିଛି ନଲେଖି ନକହି ଚୁପ୍ ରହୁଥୁବା ଲୋକଙ୍କ ମଧ୍ୟରେ କ'ଣ କିଛି ଫରକ ନାହିଁ ? ଥିବ ହେଲେ କହିହେବନି କେଉଁଟା ଯଥାର୍ଥ । କଥାଟି ପ୍ରଥମେ ସମୟୋପଯୋଗୀ ହେବା ଜରୁରୀ । ଆଜିର ବ୍ୟସ୍ତ ବହୁଳ ଜୀବନରେ Rest in peace ଅପେକ୍ଷା RIP , RIP ଅପେକ୍ଷା rip ଅଧିକ ସମୟୋପଯୋଗୀ । କିଛି ଲୋକଙ୍କ ପାଇଁ Om Shanti ଅଧିକ ଯଥାର୍ଥ । ସମସ୍ତେ ଲେଖୁଛନ୍ତି ଆମେ ବି ଲେଖିବା , ସମସ୍ତଙ୍କ ଭିତରୁ ଆମେ ବି ଜଣେ ହେବା । ଏଇଟା ଆଜିର ଟ୍ରେଣ୍ଡ୍ । ଏହି ଟ୍ରେଣ୍ଡ୍ ର ବି ଦିନେ RIP ଆଉ ଓଁ ଶାନ୍ତିଃ ହେବ । କେତେ ନୂଆ ପିଢ଼ି ଆସିବେ କେତେ ନୂଆ ଟ୍ରେଣ୍ଡ୍ ବି ଆସିବ ଯିବ । ହେଲେ ମୃତ୍ୟୁକୁ ନେଇ ମଣିଷର ପ୍ରତିକ୍ରିୟା ଯେମିତି ସଦାସର୍ବଦା ସମାନ ରହିବ । ଯୁଧିଷ୍ଠିରଙ୍କ ଉତ୍ତର ଅନୁଯାୟୀ ମଣିଷ ସ୍ୱଭାବର ଏ ସବୁଠୁ ବଡ଼ ଆଶ୍ଚର୍ଯ୍ୟ ଟି ଚିରସ୍ଥାୟୀ ହୋଇ ରହିଥିବ ।
