Sangeeta Barik

Tragedy

5.0  

Sangeeta Barik

Tragedy

ରାସ୍ତା

ରାସ୍ତା

2 mins
425


     

   ନାରୀମାନଙ୍କ ପାଇଁ ଯେ କାହିଁକି ଏତେସବୁ ନୀତି ନିୟମ ହୋଇଥାଏ କେଜାଣି । ସବୁବେଳେ କଣ ସବୁ ନିୟମ ମାନିବା ସମ୍ଭବ । ପରିସ୍ଥିତି ହିସାବରେ କିଛିଟା କୋହଳ କଲେ କଣ ଚଳନ୍ତାନି । ଏତେସବୁ ଅଜବ ନିୟମର ସ୍ରଷ୍ଟା କେବେ ସୄଷ୍ଟିକର୍ତ୍ତା ହୋଇ ନଥିବେ ନିଶ୍ଚୟ କେହି ବିବେକହୀନ ପୁରୁଷ ହିଁ ହୋଇଥିବେ । ଏମିତି ବହୁତ କିଛି ଭାବି ଚାଲିଥିଲା ନମିତା । ଦୁଃଖ ଓ କୋହରେ ଆହୁରି ଭାରାକ୍ରାନ୍ତ ହୋଇପଡୁଥିଲା ସିଏ । ଆଖି ଆଗରେ ଭାସି ଯାଉଥିଲା ମାଆର ସେହି ରୋଗୀଣା ମୁହଁଟି । ମାଆ ତାକୁ କେତେ ଖୋଜୁଥିବ । ଘରେ ସବୁଠାରୁ ସାନ ତେଣୁ ସମସ୍ତଙ୍କର ଗେହ୍ଲୀ । କିନ୍ତୁ କଣ କରିପାରିବ ସିଏ ? ନିୟମ ଓ ପରିସ୍ଥିତିର ଚାପରେ ସମ୍ପୂର୍ଣ୍ଣ ପେଷି ହୋଇ ସେ ଏବେ ଜଡସମ ହୋଇଯାଇଛି ।ଆଜି ରାତିଟା ତାକୁ ଖୁବ୍ ଆଉଟୁ ପାଉଟୁ ଲାଗୁଛି । ଗତ ଚାରି ଦିନ ହେଲାଣି ଯେପରି ରାତି ଗୁଡିକ ଅସରନ୍ତି ଭଳି ମନେ ହେଉଛି ଯେବେଠୁ ମାଆର ଅସୁସ୍ଥତାର ଖବର ଆସିଛି । କେତେ ନେହୁରା ହେଲାଣି ସେ ଶାଶୁମାଙ୍କୁ ଘରକୁ ଟିକେ ଯାଇ ମାଆକୁ ଦେଖିବ ବୋଲି । ଶାଶୁମା କିନ୍ତୁ ଗୋଟିଏ ଜିଦ୍ ରେ ଅଟଳ । ପ୍ରଥମ ପିଲା ହେବ, ତେଣୁ ବାପଘରକୁ ଯାଇ ହେବନି । ମୋ ଶାଶୁ ଏହି ନିୟମ ମୋ ପାଇଁ ରଖିଥିଲେ ତେଣୁ ତୋତେ ମଧ୍ୟ ଏହା ମାନିବାକୁ ହେବ । 


ବିଛଣାରେ ଶୋଇଥିବା ସ୍ଵାମୀଙ୍କୁ ଚାହିଁଲା ନମିତା । ଶାନ୍ତ ସରଳ ସୁନ୍ଦର ମୁଖ । ଘୋର ନିଦ୍ରାରେ ଶୋଇଛନ୍ତି । ଖୁବ୍ ବିକଳ ହୋଇ ଉଠୁଥିଲା ନମିତା ଏଇ ନିଦରୁ ତାକୁ ଟିକିଏ ମିଳନ୍ତାକି । ନହେଲେ ଚିରନିଦ୍ରା ମିଳି ଯାଆନ୍ତା କି ସେ ସବୁ କଷ୍ଟରୁ ମୁକ୍ତି ପାଇ ଯାଆନ୍ତା । ବାଲକୋନୀକୁ ଆସି ଚେୟାରରେ ବସିଲା ନମିତା ରାସ୍ତାକୁ ଅନେଇଲା । ସ୍ଟ୍ରିଟ୍ ଲାଇଟ୍ ତଳେ ଏକ କୁକୁର ଶୋଇଛି । ତାର ଚାରୋଟି କୁନି ପିଲା ଅମୄତ ପାନରେ ବ୍ୟସ୍ତ । ନମିତା ହାତ ମାରିଲା ନିଜ ଉଦରରେ । ଆଉ ଏକ ମୁଁ କୁ ସେ ଅନୁଭବ କରୁଥିଲା ସେ ଯିଏ କି ଖେଳୁଥିଲା ଆନନ୍ଦରେ ଆଉ କିଛି ଦିନ ପରେ ଦୁନିଆର ଆଲୋକ ଦେଖିବା ଆଗ୍ରହରେ । ଏବେ ତାକୁ ଆହୁରି ବିକଳ ଲାଗୁଥିଲା । ସେ ମଧ୍ୟ ତା ମାଆର ଅମୄତ ପାନକରି ଏହି ଦୁନିଆରେ ସୁସ୍ଥ ଶରୀର ପାଇଛି । ସେହି ମାଆକୁ ସେ ଦେଖିବାକୁ ଯାଇପାରୁନି ଶେଷ ଅବସ୍ଥାରେ । ଇଛା ହେଉଥିଲା ଚିତ୍କାର କରି କାନ୍ଦି ହୄଦୟରୁ କୋହସବୁ ବାହାର କରି ଦେବାକୁ । ଅବାଧ୍ୟ ହୋଇ ମଧ୍ୟ ଯାଇ ପାରୁନି ବାପ ଘରକୁ । ମାଆ ମଧ୍ୟ ବେଡି ପକେଇ ଦେଇଛି ତା ଗୋଡରେ । ବାହାହୋଇ ଆସିବା ଦିନ ମା ଅନୁରୋଧ ଆଳରେ ଏକ ମନ୍ତ୍ର ଫୁଙ୍କି ଥିଲା ତା କାନରେ "ଶାଶୁ ଘରର ସମସ୍ତ ନୀତି ନିୟମ ମାନି ଚଳିବୁ । ଆମ ମାନଙ୍କର ମୁଣ୍ଡ ଯେପରି ତଳକୁ ନହୁଏ ସବୁବେଳେ ଚେଷ୍ଟା କରିବୁ । ନହେଲେ ମୋ ମଲା ମୁହଁ ଦେଖିବୁ ।" ସେହି କଥା ପଦକୁ ମାନି ସେ ଆଜି ପର୍ଯ୍ୟନ୍ତ ଯନ୍ତ୍ରଣା ରେ ଛଟପଟ ହେଉଛି । ସେ ଏବେବି ଚିନ୍ତା କରି ପାରୁନି କଣ କରିବ ? ଜୀବନର ଦି'ଛକିରେ ଛିଡା ହୋଇ ଖୋଜି ବୁଲୁଛି ପ୍ରକୃତ ରାସ୍ତା ।

   


Rate this content
Log in

Similar oriya story from Tragedy