STORYMIRROR

Bhaswati Basu

Abstract Others

2  

Bhaswati Basu

Abstract Others

ରାସ୍ତା

ରାସ୍ତା

2 mins
13.6K


ମୋ ପରିଚିତ ଭଦ୍ରଲୋକ ଏବଂ ଭଦ୍ରମହିଳା ମାନେ କଦବା କ୍ଵଚିତ ସେମାନଙ୍କ ସାଙ୍ଗମାନଙ୍କ ସହିତ ମତେ ପରିଚିତ କରେଇ ଥାଆନ୍ତି -"ଭାସ୍ଵତୀ, ମିଟ ମାଇ ଫ୍ରେଣ୍ଡ ଅମୁକ।"

ପରିଚୟ ଦେଲାବେଳେ ସେମାନଙ୍କ ସ୍ୱରରୁ ଅହଙ୍କାର ଝରିପଡ଼େ। ମୁଁ କିନ୍ତୁ ମୋ ସାଙ୍ଗ ମାନଙ୍କ ପରିଚୟ ଦେଲାବେଳେ ଭାବେ କଣ କହି ପରିଚୟ ଦେବି ବୋଲି। କାରଣ ମୋ ଅଧିକାଂଶ ସାଙ୍ଗ ପାଗଳ। ମୁଁ ସତ କହୁଛି। ବିଶ୍ୱାସ କରନ୍ତୁ। ଆଗରୁ ମୋ ବଉଳ କଥା କହିଥିଲି ନା? ତାପରେ ବି ବିଶ୍ୱାସ କରୁନାହାନ୍ତି ? ଆଚ୍ଛା ତେବେ ଆଜି ଆଉ ଜଣଙ୍କ କଥା କୁହେ । ବାବୁଜୀଙ୍କ ନିର୍ଦ୍ଦେଶନାରେ ଅଭିନୟ କଲା ବେଳେ ଡାକୁଥିଲା ଭାସ୍ଵତୀ ଅପା। ବେଳେ ବେଳେ ଘରକୁ ଛାଡ଼ିବାକୁ ଆସୁଥିଲା । ବାଟରେ ଅସାଵଧାନ ହେଇ ଗାଡ଼ି ଚଲେଇଲେ ଧମକ ଖାଇ ହସି କହୁଥିଲା -"ହଁ ପା, ମୁଁ ଟିକେ ଅନ୍ୟମନସ୍କ।"

ଫଳରେ ଏବେବି ତା ସହିତ ଗାଡ଼ିରେ ବସିଲେ ତା ଭାଗର "ପଥ ମନସ୍କ" ମତେ ହିଁ ହବାକୁ ପଡ଼େ।

ବାବୁଜୀ ତାକୁ ହାତ ଧରି ଅଭିନୟ ଶିଖେଇଛନ୍ତି । ଉଃ କି ଗାଳି! ଘରେ ବି ମୋ ସହିତ ଉତ୍ତର ପୁରୁଷ ନାଟ୍ୟ ସଂସ୍ଥା ବା ନାଟକ କଥା କହିଲା ବେଳେ ଆଲୋଚନାର ସିଂହ ଭାଗ ମାଡ଼ି ବସୁଥିଲେ ବେହେରା ବାବୁ ଆଉ ସିଏ । ବାବୁଜୀଙ୍କ ରାଗ ଆଉ ସ୍ନେହ ଉଭୟ ମାତ୍ରାତିରିକ୍ତ ପାଉଥିଲା । କାହିଁକି କେଜାଣି ।

ଏଇ କାହିଁକି କେଜାଣିର ଉତ୍ତର ପାଇଲି ବାବୁଜୀଙ୍କ ଅସୁସ୍ଥତା ସମୟରେ । ପରିଚିତ ହେଲି ଜଣେ ନୂଆ ମଣିଷ ସାଙ୍ଗରେ । ଯିଏ ବାବୁଜୀଙ୍କ ପାଇଁ ସବୁକିଛି କରିବାକୁ ତୈୟାର । ତୀର ଭଳି ଏକମୁଖୀ ଭଲପାଇବା । କାହାରି ପ୍ରଶଂସା ବା ନିନ୍ଦାକୁ ପରୁଆ ନ କରି ବାବୁଜୀଙ୍କ ଛାଇ ହେଇ, ବାବୁଜୀଙ୍କ ଜୀବନ ଯୁଦ୍ଧରେ ସହ ଯୋଦ୍ଧା ହେଇ ଠିଆ ହେଇଥାଏ । ନ୍ୟାୟ ଅନ୍ୟାୟ ଭାବେନି । ତାକୁ ନେଇ ସବୁଠି ଝଡ଼, ଅନେକଙ୍କ ଭ୍ରୁ-ଲତା କୁଞ୍ଚିତ । ତାର କିଛି ଯାଏ ଆସେ ନାହିଁ । କେତେବେଳେ ଜିଦ୍ଦି ଘୋଡ଼ା ଭଳି ମୁଣ୍ଡ ନ ନୁଏଇ ଅଯଥା ଅଡ଼ି ବସେ ତ ଆଉ କେବେ କୌଣସି ଭୁଲ ନଥାଇ ବି କାହା ପାଖରେ କ୍ଷମା ମାଗେ ।

ବାବୁଜୀ ଚାଲିଗଲେ । ଆଉ ହଟାତ ମୁଁ 'ଭାସ୍ଵତୀ ଅପା'ରୁ ହେଇଗଲି 'ଭାସ୍ଵତୀ' । 'ଆପଣ'ରୁ ହେଇଗଲି 'ତମେ' । ବାବୁଜୀଙ୍କୁ ନେଇ ତାର ଯୋଉ ଇଚ୍ଛା ସବୁ ଅପୂର୍ଣ୍ଣ ରହିଗଲା ମୁଁ ଯେମିତି ହେଇଗଲି ସେସବୁ ଇଚ୍ଛାକୁ ପୂରଣ କରିବାର ମାଧ୍ୟମ। 

ବେପରୁଆ, ଉଦ୍ଧତ, ଅପରିପକ୍ୱ । ଯାହା ମନକୁ ଆସିଲା କହିପକେଇବ । ଆଗପଛ ହିସାବ ନାହିଁ। ପୁଣି ସହଜରେ ବିନା ଦ୍ଵିଧାରେ ଦୋଷ ସ୍ୱୀକାର କରିନବ । ସ୍ୱରବର୍ଣ୍ଣ ଅନୁଷ୍ଠିତ ହବାର ପନ୍ଦର ଦିନ ପୂର୍ବରୁ ତା ନିଦ ହଜିଯାଏ, ଫେରିଆସେ ସ୍ୱରବର୍ଣ୍ଣ ସରିବାର ପନ୍ଦର ଦିନ ପରେ। ସାଙ୍ଗ ହିସାବରେ ମୋ ପ୍ରତି ତା ଟିକିଏ ବି ପରୁଆ ନାହିଁ । କିନ୍ତୁ ବାବୁଜୀଙ୍କ ସନ୍ତକ ହିସାବରେ ମୋ ପାଇଁ ପ୍ରଚୁର ମମତା । ବେଳେ ବେଳେ ଭାବେ ଯେ ଏଭଳି ସାଙ୍ଗକୁ ନେଇ ମୁଁ କରିବି କଣ ? ପୃଥିବୀର ଅଧିକାଂଶ ମଣିଷ ଯେତେବେଳେ ନିଜ ସଂସାର, ନିଜ ସ୍ୱାର୍ଥ, ନିଜ ହିସାବ ନିକାସରେ ମଶଗୁଲ, ହାତେ ମାପି ଚାଖଣ୍ଡେ ଚାଲିବାରେ ଅଭ୍ୟସ୍ତ ସେତେବେଳେ ନିଜ ସ୍ୱାର୍ଥ ନଦେଖି 'ଅସୀମ ବସୁ' ବୋଲି ଗୋଟେ ଅଦ୍ଭୁତ ନିଶା ପଛରେ ଧାଉଁଥିବା ଦେବଦତ୍ତ ନାମକ ପାଗଳ ପାଇଁ ମୁଁ ଲଜ୍ଜିତ ହେବି ନା ଗର୍ବିତ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Bhaswati Basu

ରାସ୍ତା

ରାସ୍ତା

2 mins ପଢ଼ନ୍ତୁ

Similar oriya story from Abstract