Sachidananda Kar

Tragedy

4.0  

Sachidananda Kar

Tragedy

ରାଗ ଆଶାବରୀ

ରାଗ ଆଶାବରୀ

2 mins
12.1K



            - ଦେଖ ,ତୁମର ମୋର ମିଳନର ସମ୍ଭାବନା ଅଛି।


            ମୋ ହାତ ଦେଖି ତୁମେ କହିଥିଲ ସେଦିନ।


            ମୁଁ ବି ଏଡେ ବୋକୀଟା ଯେ ଆତୁର ହୋଇ ପଚାରି ଦେଇଥିଲି - ଆଉ କ'ଣ କ'ଣ ସବୁ ଲେଖାଅଛି ମୋ ହାତରେ ?


             ଆଦୌ ଚାହୁଁ ନ ଥିଲି ତୁମେ ଛାଡିଦିଅ ମୋ ହାତ। ଭଲ ପାଉଥିବା ମଣିଷଟି ହାତ ଛାଡିଦେଉ - ଏମିତି କେହି ଚାହେଁ କ'ଣ ? ତୁମେ ବି ଛାଡୁ ନ ଥିଲ ମୋ ହାତ।


             ଆଜି ମୋର ସବୁ ଗୋଟି ଗୋଟି ମନେଅଛି।


             ପ୍ରେମିକ ତୁମେ। ତୁମ ପ୍ରେମରେ ପାଗଳୀ ହୋଇ ମୁଁ ଇଚ୍ଛା କରି ତୁମ ପାଖରେ ଆତ୍ମସମର୍ପଣ କରିଥିଲି ସେଦିନ।


             ତୁମେ ବି ସେମିତି। ପ୍ରଚଣ୍ଡ ଆବେଗରେ ଅଧିର ହୋଇ କୋଳେଇ ନେଇଥିଲ ମୋତେ।


             ପ୍ରେମରେ ପ୍ରେମରେ ମୁଁ ତୁମକୁ ରାତିର ଅନ୍ଧାର ମାଗିଥିଲି ସେଦିନ। ମୋ ଘନ କବରୀରେ ତାକୁ ରଖି ଜୁଡା କରିନେବାକୁ ଚାହିଁଥିଲି। ପୁଣି ମାଗିଥିଲି କିଛି ପ୍ରୀତିଫୁଲ। କହିଥିଲି - ମୋତେ ମୋ ଆଞ୍ଜୁଳା ଭର୍ତ୍ତି କରି ଦେଇଦିଅ।ମୁଁ ତାକୁ ଗୁନ୍ଥି କରି ମୋ ଜୁଡା ସଜେଇବି।


            - ହା.....ହା......ହା.....।


            ତୁମେ ହସିଥିଲ ଖୁବ୍। ହସି ହସି ବେହୋସ୍ ହୋଇ ଯାଇଥାନ୍ତ କି କ'ଣ , ମୁଁ ତୁମକୁ ଅଟକାଇ ଦେଇଥିଲି।


            - ତଥାସ୍ତୁ ......।


            ମୋ ମୁଣ୍ଡରେ ହାତ ରଖି କହି ଦେଇଥିଲ ତୁମେ। ମୁଁ ଖୁସିରେ ଫାଟି ପଡିଥିଲି।


            ତୁମେ ଏକଲୟରେ ଚାହିଁ ରହିଥିଲ ମୋ ମୁହଁ ଆଡେ। ଆଖି ଫେରାଉ ନ ଥିଲ।ମୁର୍କି ମୁର୍କି ହସୁଥିଲି ମୁଁ।


             ମନେ କରିଥିଲି ଏବେ ଯାହା ମାଗିବି ତୁମେ ତାହା ଦେଇଦେବ।ତେଣୁ ମାଗିଥିଲି ତୁମ ଠାରୁ ତୁମକୁ ମୋତେ ଦେଇଦିଅ।କହିଥିଲି - ପ୍ରତିବିମ୍ବ କରିବି ତାକୁ ।ମୋ ଆଖି ଦର୍ପଣରେ ତାକୁ ଲୁଚାଇ ରଖିବି।ମୋ ବର୍ତ୍ତମାନ ଅବର୍ତ୍ତମାନରେ କେବେ ବି କାହା ସାଥେ ବାଣ୍ଟିବିନି ତାକୁ।


             - ତଥାସ୍ତୁ.......।


             କହିଥିଲ ତୁମେ।ଜାଣିଥିଲି ତୁମେ ନିଶ୍ଚେ ସେପରି କହିବ।ଖୁସି ହୋଇଥିଲି ତେଣୁ।


             ତୁମେ ମୋ କଳା ମଚ୍ ମଚ୍ ଦୀର୍ଘ ବେଣୀକୁ ଛୁଇଁ କ'ଣ ସବୁ ଦୁଷ୍ଟାମୀ କରୁଥିଲ।ମୋତେ ଲାଗୁଥିଲା ଆଉ କିଛି ମାଗି ନେବାକୁ ମୋ ପାଇଁ ସୁଯୋଗ ସୃଷ୍ଟି କରୁଥିଲ ତୁମେ।ମୁଁ କ'ଣ ଏତେ ବୋକୀ ଝିଅ ହୋଇଛି ଯେ ଚୁପଚାପ୍ ବସି ରହିଥାନ୍ତି ! ଧୀରେ ତୁମ ହୃଦୟରେ କରାଘାତ କରିବାରେ ଲାଗିଗଲି।କହିଦେଲି - ଦିଅ,ହୃଦୟର କବାଟ ଖୋଲିଦିଅ।ଭରିଦିଅ ମୋ ହୃଦୟରେ କିଛି କଦମ୍ବିତ ଉଚ୍ଚାଟ।ଜାଣେ ତୁମେ ଏବେ ଖୁବ୍ ଆନମନା ଅଛ।ଏମିତି କରାଘାତ ପାଇଁ ଦୁଃଖିତ ମୁଁ।


             - ହା.....ହା......ହା......।


             ତୁମେ ପୁଣି ଠୋ ଠୋ ହୋଇ ହସିଥିଲ।କହିଥିଲ - ତଥାସ୍ତୁ...।ପୁଣି କହିଥିଲ - ମୁଁ ତୁମ ପାଖରେ।ମୋ ମନ ବି ତୁମ ପାଖରେ।ଅନୁଭବ କରି ଦେଖ,ଏବେ ଉଚ୍ଚାଟିତ ହୋଇଛ କି ନା।


             ହଁ,ମୁଁ ଉଚ୍ଚାଟିତ ହୋଇଥିଲି ସେଦିନ।ତୁମକୁ ଈଶ୍ୱର ମାନିଥିଲି। ଶଦ୍ଦହୀନ ହୋଇ ପଡିଥିଲି ଶେଷରେ।ସ୍ବଇଚ୍ଛାରେ ତୁମ ହୃଦୟରେ ନିଜକୁ ଆଜୀବନ ବନ୍ଦୀଟିଏ କରି ଦେଇଥିଲି।


             ତୁମେ ମୋ ହାତ ମାଗିଥିଲ ସେଦିନ। ହାତ ଦେବି କ'ଣ ! ଛୋଟ କଥାଟେ ଭାବି ମୁଁ ପାଗଳୀ ସର୍ବସ୍ବ ଯାଚି ଦେଇଥିଲି ତୁମକୁ। ଖୁସିରେ ବିଭୋର ହୋଇ ଗାଇଥିଲି ରାଗ ଆଶାବରୀ।


             ବୋଧହୁଏ ତୁମର ମୋର ମିଳନର ସମ୍ଭାବନା ନ ଥିଲା। ତେଣୁ ତାହା ହୋଇ ନ ଥିଲା। ତୁମେ ଆଉ ଜଣକୁ ନିଜର କରିନେଇ ସଂସାର ଗଢିଲ। ନିଜ ବାଟ ବାଛିନେଲ।


             ସେଦିନ ଆଜି ନାହିଁ। ଇଏ କେତେଦିନର କଥା।


             ଏବେ ମୋ ହାତର ସବୁ ରେଖାକୁ ମୁଁ କାଟି ଦେଇଛି। ଅନୂଢା କିଶୋରୀଟିଏ ପରି ଏବେ ଜୀବନ ବଞ୍ଚୁଛି ମୁଁ। ତୁମ ଶଙ୍ଖା ସିନ୍ଦୂର, ନାଲି ଓଢଣୀ ନ ହେଲା ନାହିଁ ପଛେ ଏବେ ମାଗୁଛି ତୁମ ସତ୍ତା ଟିକକ ମୋତେ ଦିଅ। ସ୍ବପ୍ନରେ ସୋହାଗରେ ତମାମ୍ ଜୀବନ ବଞ୍ଚିବା ପାଇଁ ମୋର କେବଳ ସେତିକି ଦରକାର ଏବେ।


             ତଥାସ୍ତୁ କର। ଏବେ ତ ତଥାସ୍ତୁ କର,ଈଶ୍ୱର !.....ଗାଇବାକୁ ରାଗ ଆଶାବରୀ।


Rate this content
Log in

Similar oriya story from Tragedy